ସମାଜ ପୋର୍ଟାଲ ଡେସ୍କ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ଆଜି ସାହିନବାଗ ଅଂଚଳରେ ପୁଣି ଗୁଳିକାଣ୍ଡ ଘଟିଛି ଓ ଗୁଳିକାଣ୍ଡ ଘଟାଇ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ପଚରା ଉଚୁରା କରୁଛି। ଆଜି ଅପରାହ୍ନ ପ୍ରାୟ ୪ଟି ୫୩ମିନିଟରେ ଜଶୋଲା ରେଡ ଲାଇଟ ଅଂଚଳରେ ଏହି ଗୁଳି ଚାଳନା ହୋଇଥିବା ଖବର ମିଳିଛି। ଅଭିଯୁକ୍ତ ଜଣଙ୍କ ଫାଙ୍କାରେ ଗୁଳି ଚାଳନା କରିଥିଲା ଓ ପୁଲିସ ସଂଗେ ସଂଗେ ତାକୁ କାବୁ କରିନେଇ ଥିଲା। ତେବେ ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଅଭିଯୁକ୍ତ ଜଣକ ଜଶୋଲା ରେଡ ଲାଇଟ ଅଂଚଳ ନୁହେଁ, ପ୍ରଦର୍ଶନ କରାଯାଉଥିବା ସାହିନବାଗ ଅଂଚଳରେ ଥିବା ମଂଚ ପଛପଟେ ଏହି ଗୁଳି ଚାଳନା କରାଯାଇଛି। ପିଟିଆଇ କହିଛି ଯେ ସ୍ଥାନୀୟ ଲୋକମାନେ ଅଭିଯୁକ୍ତକୁ କାବୁ କରି ପୁଲିସ ଜିମା ଦେଇଛନ୍ତି।
ଇତି ମଧ୍ୟରେ ଟ୍ୱିଟ କରାଯାଇଥିବା ଭିଡିଓରେ ଅଭିଯୁକ୍ତ ଜଣକ କହୁଥିବା ଶୁଣାଯାଇଛି ଯେ, ଏହି ଦେଶରେ ଆଉ କାହାର ଚଳିବ ନାହିଁ, କେବଳ ହିନ୍ଦୁଙ୍କ ରାଜ ଚାଲିବ। ସେଠାରେ ଉପସ୍ଥିତ ଥିବା ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି, ଅଭିଯୁକ୍ତଜଣକ ଗୁଳି ଚଳାଇବା ପୂର୍ବରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରୁଥିବା ସାହିନବାଗ ପ୍ରଦର୍ଶନକାରୀଙ୍କୁ ସେହି ସ୍ଥାନ ଛାଡି ଚାଲି ଯିବାକୁ କହିଛି। ଦେଖନ୍ତୁ ଭିଡିଓ –
https://youtu.be/ULY8BqBpk44
ଇତି ମଧ୍ୟରେ ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ପୂର୍ବ ଦିଲ୍ଲୀର ଡାଲୁପୁରା ଅଂଚଳର ଅଧିବାସୀ ଓ ତାର ନାଁ ହେଉଛି କପିଲ ଗୁଜ୍ଜର।



