ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ୭୨ତମ ତିରୋଧାନ ଦିବସରେ ଗୁରୁବାର ରାଜଧାନୀ ଭୁବନେଶ୍ହରରେ ‘ଆମେ ଭାରତ ବାସୀ’ ଆହ୍ବାନରେ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାର ସୁରକ୍ଷା ପାଇଁ ଏକ ବିଶାଳ ଶୋଭାଯାତ୍ରା ଓ ଜନ ସମାବେଶ ଆୟୋଜିତ ହୋଇଛି। ଏକାମ୍ର ହାଟ ତଥା ପ୍ରଦର୍ଶନୀ ପଡ଼ିଆ ନିକଟରୁ ସ୍ଲୋଗାନ ଓ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ବିରାଟ ଶାଭାଯାତ୍ରା ବାହାରି ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ମାହାତ୍ମା ଗାନ୍ଧୀ ମାର୍ଗରେ ପହଞ୍ଚି ସେଠାରେ ଏକ ସମାବେଶ ଆୟୋଜିତ ହୋଇଥିଲା।
ଏକ ଆଠ ଜଣିଆ ସଭାପତି ମଣ୍ଡଳୀଙ୍କ ସଭାପତିତ୍ବରେ ତଥା ଏକ ୧୭ ଜଣିଆ କାର୍ଯ୍ୟକାରୀ–ପରିଚାଳନା କମିଟି ସହଯୋଗରେ ଆୟୋଜିତ ସମାବେଶରେ ପ୍ରଥମେ ସମ୍ବିଧାନର ମୁଖବନ୍ଧ ପଢି ଆବାଳ ବୃଦ୍ଧ ବନିତା ଶପଥ ଗ୍ରହଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜାତି–ଧର୍ମ ନିର୍ବିଶେଷରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ସ୍ବରକୁ ପ୍ରତିନିଧିତ୍ବ କରୁଥିବା ଛାତ୍ର, ଯୁବକ, ମହିଳା, ଶ୍ରମଜୀବୀ, ସାମାଜିକ ନ୍ୟାୟ, ମାନବାଧିକାର ଗଣ ସଂଗଠନ, ରାଜନୈତିକ ଦଳ, ଶିକ୍ଷାବିତ, ବୁଦ୍ଧିଜୀବୀ, କଳାକାର ପ୍ରମୁଖ ସେମାନଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ। ସମସ୍ତ ବକ୍ତାମାନେ ନାଗରିକ ସଂଶୋଧନ ଆଇନ(ସିଏଏ)କୁ ଏକ କଳା ଆଇନ ଓ ଦେଶକୁ ଜାତି-ଧର୍ମ ନାଁରେ ଖଣ୍ଡ ବିଖଣ୍ଡିତ କରି ଏକ ଫାଶିଷ୍ଟ ଶାସନ ପ୍ରତିଷ୍ଠା ପାଇଁ ଗାନ୍ଧୀ ହତ୍ୟାକାରୀ ମୌଳବାଦୀ ସଂଘ ପରିବାରର ଯୋଜନାବଦ୍ଧ ଷଡ଼ଯନ୍ତ୍ରକୁ ତୀବ୍ର ନିନ୍ଦା କରିଥିଲେ। ଏହି କଳା ଆଇନ ବଳରେ ସମ୍ବିଧାନର ମୌଳିକ ଅଧିକାରର ଧାରା ୧୪କୁ ଉଲ୍ଲଂଘନ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ଭାରତୀୟ ସମ୍ବିଧାନ ଓ ଜାତି–ଧର୍ମ ନିର୍ବିଶେଷରେ ଭାରତର ବିବିଧତା ଭରା ସଂସ୍କୃତି ‘ ବସୁଧୈବ କୁଟୁମ୍ବକମ’ ବାର୍ତ୍ତା ପ୍ରଚାର କରୁଥିବାବେଳେ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ମୁସଲମାନଙ୍କୁ ନାଗରିକତା ପ୍ରଦାନ ନ କରିବା ଓ ପଡ଼ୋଶୀ ଶ୍ରୀଲଙ୍କା, ଭୁଟାନ, ମିଆଁମାର , ନେପାଳ ଇତ୍ୟାଦି ଦେଶକୁ ବାଦ ଦିଆଯିବା କେଉଁ ନୀତିର ପରିଚୟ ସେମାନେ ପ୍ରଶ୍ନ କରିଥିଲେ ଓ ଏହାକୁ ଏକ ବୈଷମ୍ୟମୂଳକ ନୀତି ବୋଲି ସମାଲୋଚନା କରିଥିଲେ।
ସେହିପରି ଜାତୀୟ ନାଗରିକ ପଞ୍ଜିକା(ଏନଆରସି) ନାଁରେ ସରକାର ଦେଶର ସାଧାରଣ, ମଧ୍ୟବିତ୍ତ, ଗରିବ ଜନସାଧାରଣ ବିଶେଷକରି ଆଦିବାସୀ ଓ ଦଳିତମାନଙ୍କ ସହିତ ଏକ ବିପଦପୂର୍ଣ୍ଣ ଖେଳ ଖେଳୁଛନ୍ତି ବୋଲି ବକ୍ତାମାନେ ଅଭିଯୋଗ କରିବା ସହ ଆସାମରେ ଏନଆରସି କାର୍ଯକାରୀ ହେବାପରେ ସରକାରଙ୍କ ଅସତ୍ୟ ପ୍ରଚାର ମୁଖା ଖୋଲିଦେଇଛି ବୋଲି ମନ୍ତବ୍ୟ ଦେଇଥିଲେ। ଆସାମରେ ଏନଆରସି ନାଁରେ ସରକାର ଯେଉଁ ୧୯ଲକ୍ଷ ନାଗରିକମାନଙ୍କୁ ବାଦ ଦେଇଥିଲେ, ସେମାନଙ୍କ ମଧ୍ୟରୁ ୧୩ ଲକ୍ଷ ହିନ୍ଦୁ, ୧ଲକ୍ଷ ଆଦିବାସୀ ଓ ୫ ଲକ୍ଷ ମୁସଲମାନ ରହିଥିବା ବେଳେ ଦେଶରେ କୋଟିକୋଟି ମୁସଲମାନ ଅନୁପ୍ରେବଶକାରୀ ଅଛନ୍ତି ବୋଲି ବିଜେପି ଓ ଆରଏସଏସ ମିଥ୍ୟା ପ୍ରଚାରକୁ ତୀବ୍ର ସମାଲୋଚନା କରିଥିଲେ। ଏହା ବ୍ୟତୀତ ଜାତୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ମଧ୍ୟ ବିରୋଧ କରିବା ସହ କଡ଼ା ସମାଲୋଚନା କରିଥିଲେ।
ଓଡ଼ିଶାର ପୁରପଲ୍ଲୀରେ ସିଏଏ, ଏନଆରସି ଓ ଏନପିଆର ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସମାବେଶରେ ଆହ୍ବାନ ଦିଆଯାଇ ସଭା ଶେଷ କରାଯାଇଥିଲା।



