ବୀର ସୁରେନ୍ଦ୍ର ସାଏ- ମହାସଂଗ୍ରାମର ମହାନାୟକ
ଜୟନ୍ତୀ ଉପଲକ୍ଷେ
ସିପାହି ବିଦ୍ରୋହ ପରିପ୍ରେକ୍ଷୀରେ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ସଂଘଟିତ ବିପ୍ଲବର ବିଶେଷତା ଜଣାଏ ତା. ୨୩.୦୧.୧୮୬୫ରେ ଲିଖିତ ପତ୍ରଟିଏ। ପତ୍ରଟି ଲେଖିଥିଲେ ମଧ୍ୟପ୍ରଦେଶର ଚିଫ କମିସନରଙ୍କ ସେକ୍ରେଟାରୀ। ଲେଖା ହୋଇଥିଲା ଭାରତ ସରକାରଙ୍କ ବୈଦେଶିକ ବିଭାଗକୁ। ସେଠି ସେ ଲେଖିଥିଲେ – ‘ବୋଧହୁଏ ସମ୍ବଲପୁର ଜିଲା ଭାରତବର୍ଷରେ ସର୍ବଶେଷ ଜିଲା, ଯେଉଁଠି ୧୮୫୭ ଖ୍ରୀଷ୍ଟାବ୍ଦର ବିଦ୍ରୋହ ବହ୍ନି ପୂର୍ଣ୍ଣ ଭାବରେ ନିର୍ବାପିତ ହେଲା।’
୧୮୫୭ ମସିହା ମଇ ମାସ ୧୦ ତାରିଖରେ ପ୍ରଥମେ ମିରଟଠାରେ ଆରମ୍ଭ ହୋଇଥିବା ବିଦ୍ରୋହ ସମ୍ପୂର୍ଣ୍ଣ ନିର୍ବାପିତ ହୋଇଛି ସୁରେନ୍ଦ୍ର ସାଏଙ୍କୁ ପ୍ରତାରଣା କରି ଧରିବା ପରେ। ଭାରତର ଅନ୍ୟ ପ୍ରାନ୍ତରେ ଏହା ବର୍ଷେ ଦୁଇ ବର୍ଷ ମଧ୍ୟରେ ନିର୍ବାପିତ ହୋଇଥିବା ବେଳେ ସୁରେନ୍ଦ୍ର ସାଏଙ୍କ ବିପ୍ଲବ କ୍ଷେତ୍ରରେ ପ୍ରଲମ୍ବିତ ହୋଇଛି ୧୮୬୪ ଯାଏଁ। ସ୍ମରଣୀୟ ପ୍ରସଙ୍ଗ ୧୮୫୭ ମସିହାର ବହୁ ଆଗରୁ, ୧୮୨୭ ମସିହାରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ବିପକ୍ଷରେ ସ୍ୱର ଉଠାଇଥିଲେ ଓ ବିଦ୍ରୋହ କରିଥିଲେ ସୁରେନ୍ଦ୍ର।
ଏତେ ଦୀର୍ଘ କାଳ ବିପ୍ଲବକୁ ସୁପରିଚାଳନା କରିବାରେ ସୁରେନ୍ଦ୍ରଙ୍କୁ ସଫଳ କରିଥିଲା ତତ୍କାଳୀନ ଜମିଦାର, ଗୌନ୍ତିଆ, ମାଫିଦାର, ଆଦିବାସୀ, ସାଧାରଣ ପ୍ରଜା, ଗିରିବାସୀଙ୍କ ଅକୁଣ୍ଠ ସମର୍ଥନ। ସେମାନେ ସ୍ୱୀକାର କରି ନେଇଥିଲେ ସେମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅବିଚାରର ପ୍ରତିବାଦ ସୁରେନ୍ଦ୍ର ସାଏଙ୍କ ସଂଗ୍ରାମରେ ହିଁ କରିହେବ। ସୁରେନ୍ଦ୍ର ସାଏଙ୍କ ଭଳି ସଂଗ୍ରାମୀ ହିଁ ଅବ୍ୟବସ୍ଥିତ ସମ୍ବଲାଞ୍ଚଳରେ ଶୃଙ୍ଖଳା ଆଣିବାରେ ସମର୍ଥ ହେବେ। ସେତେବେଳେ ସୃଷ୍ଟି ହୋଇଥିବା ଜନଅସନ୍ତୋଷକୁ ଅଧ୍ୟୟନ କରିବା ପାଇଁ ୧୮୫୭ ମସିହା ପୂର୍ବବର୍ତ୍ତୀ ସମ୍ବଲପୁରର ବିଧି ବ୍ୟବସ୍ଥାକୁ ଦେଖାଯାଉ।
କମ୍ପାନୀ ସରକାର ସମ୍ବଲପୁରର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କଲେ ୧୮୪୯ ସେପ୍ଟେମ୍ବର ୧୦ ତାରିଖରୁ। ପରେପରେ ବିନା ବିଚାରରେ ୧୮୫୦ରେ ଭୂ ରାଜସ୍ୱ ବଢ଼ାଇ ଦେଲେ ଏକ-ଚତୁର୍ଥାଂଶ। ଲୋକେ ଦେବାକୁ ସମର୍ଥ ନା ଅସମର୍ଥ ବିଚାର କଲେ ନାହିଁ। ମାଫି ଓ ଦେବୋତ୍ତର ବୃତ୍ତିରୁ ଲୋକଙ୍କୁ ଉଚ୍ଛେଦ କରାଗଲା। ଯାବତ ଚନ୍ଦ୍ରାର୍କେ ଭୋଗ କରିବେ ବୋଲି ଯେଉଁମାନେ ରାଜାଙ୍କ ସମୟରୁ ଭୂମି ପାଇଥିଲେ ଅଚାନକ ଉଚ୍ଛେଦ ପରେ ଅସନ୍ତୁଷ୍ଟ ହୋଇପଡ଼ିଲେ ପ୍ରବଳ ଭାବରେ। ନିଷ୍କର ଭୂମି ଭୋଗ କରୁଥିବା ଜମି ମାଲିକଙ୍କ ଉପରେ ଅର୍ଦ୍ଧେକ ଖଜଣା ଧାର୍ଯ୍ୟ କରାଗଲା। ପୁଣି ୧୮୫୪ ଖ୍ରୀଷ୍ଟାବ୍ଦରେ ଦ୍ୱିତୀୟ ଥର ବନ୍ଦୋବସ୍ତ କରାଯାଇ ଭୂ ରାଜସ୍ୱ ବଢ଼ାଇ ଦିଆଗଲା ଏକ-ଚତୁର୍ଥାଂଶ। ୧୮୪୯ ମସିହାରେ ସମ୍ବଲପୁରର ଜମିଦାର ଓ ଗୌନ୍ତିଆଙ୍କ ଖଜଣା ଦେୟ ୮, ୮୦୦ ଟଙ୍କା ଥିଲା ବେଳକୁ ୧୮୫୪ରେ ଦେୟ ହେଲା ୭୪,୦୦୦ ଟଙ୍କା ଯାହା ୮ ଗୁଣରୁ ଅଧିକ।
ଏହିପରି ଆର୍ଥିକ ଶୋଷଣ ଗୌନ୍ତିଆ, ଜମିଦାର ଓ ମାଫିଦାରମାନଙ୍କ ମଧ୍ୟରେ ଯେପରି ଅସନ୍ତୋଷ ସୃଷ୍ଟି କରିଥିଲା ଖଜଣା ଦେଉଥିବା ପ୍ରଜାଙ୍କ ମଧ୍ୟରେ ସେପରି ଅସନ୍ତୋଷ ସୃଷ୍ଟି କରିଥିଲା। ଏହି ସାମୂହିକ ଅସନ୍ତୋଷର କ୍ଷେତ୍ର ଅପେକ୍ଷା କରିଥିଲା ଏକ ଗଣବିପ୍ଲବକୁ। ଅପେକ୍ଷା କରିଥିଲା ସାମୂହିକ ଅସନ୍ତୋଷ ପ୍ରତିଫଳନକୁ ସଠିକ ମାର୍ଗ ଦର୍ଶନ କରିବା ପାଇଁ ଜଣେ କର୍ଣ୍ଣଧାରଙ୍କୁ। ଏଭଳି ଭାବରେ ପ୍ରସ୍ତୁତ କ୍ଷେତ୍ରରେ ସୁରେନ୍ଦ୍ର ସାଏଙ୍କ ନେତୃତ୍ୱ ସମ୍ବଲପୁରର ବିପ୍ଲବକୁ ଗଣବିପ୍ଲବରେ ପରିଣତ କଲା।
ସମ୍ବଲପୁର ତଥା ପରିପାର୍ଶ୍ବର ଭୂମି ରୂପ ସମ୍ପର୍କରେ ଗଭୀର ଜ୍ଞାନ ଏବଂ ଉପସ୍ଥିତ ବୁଦ୍ଧିର ପ୍ରୟୋଗ ସୁରେନ୍ଦ୍ରଙ୍କୁ ସଫଳ ରଣକୌଶଳ ଦେଇଥିଲା। ସ୍ଥାନୀୟ ପରିସ୍ଥିତିର ସୁବିନିଯୋଗ କରି ସେ ଯେପରି ରଣସଜ୍ଜା କରୁଥିଲେ, ସ୍ଥାନୀୟ ସୈନ୍ୟଙ୍କୁ ନେଇ ସେହିପରି ଶକ୍ତି ସାମର୍ଥ୍ୟ ବଢ଼ାଉଥିଲେ। ସେ ଜାଣିଥିଲେ ଇଂରେଜମାନଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ନିଆଁ ଧରା ବନ୍ଧୁକ, ଧନୁତୀର, ବର୍ଚ୍ଛା, ଖଣ୍ଡା ବେଶି କାମ ଦେବ ନାହିଁ। ହେଲେ ଗରିଲା ଯୁଦ୍ଧରେ ଇଂରେଜମାନେ ତାଙ୍କ ସମକକ୍ଷ ହୋଇ ପାରିବେ ନାହିଁ, ତାହା ମଧ୍ୟ ବେଶ ଜାଣିଥିଲେ। ସୁରେନ୍ଦ୍ର ସାଏ ଯେପରି ଜଙ୍ଗଲ ଯୁଦ୍ଧରେ ପ୍ରବୀଣ ଥିଲେ ତାଙ୍କୁ ସମର୍ଥନ କରୁଥିବା ତଥା ତାଙ୍କ ସପକ୍ଷରେ ଲଢ଼ୁଥିବା ଜମିଦାର, ଗୌନ୍ତିଆମାନେ ସେପରି ଜଙ୍ଗଲ ଯୁଦ୍ଧରେ ପ୍ରବୀଣ ଥିଲେ। ସେମାନେ ଯେତେ ଶୀଘ୍ର ଗୋଟିଏ ଘାଟିରୁ ଖସି ଯାଇ ପାରୁଥିଲେ ସେତେ ଶୀଘ୍ର ଆଉ ଗୋଟିଏ ଘାଟିରେ ସୈନ୍ୟ ସଜ୍ଜା କରିପାରୁଥିଲେ। କୋଲାବିରା, ଲଖନପୁର, ଘେଁସ, କୋଡାବଗା, ଭେଡେନ, ଖରସଲ, ମୁଣ୍ଡୋମହୁଲ, ପାହାଡ ଶ୍ରୀଗିଡା, ପାଟ କୁଲୁଣ୍ଡା, ଲୋଇସିଂହା ଆଦିର ଜମିଦାର, ଗୌନ୍ତିଆ ଆଦିବାସୀ ସୈନ୍ୟମାନେ ଅତି ପ୍ରବୀଣ ଥିଲେ ଏଭଳି ରଣ କୌଶଳରେ।
ଜଙ୍ଗଲ ଯୁଦ୍ଧରେ ଗଭୀର ଜ୍ଞାନ, ଇଂରେଜ କମ୍ପାନୀ ପ୍ରତି ଅସନ୍ତୁଷ୍ଟ ଜନ ସାଧାରଣଙ୍କ ସୁରେନ୍ଦ୍ରଙ୍କୁ ସମର୍ଥନ, ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ବର୍ଗର ଲୋକଙ୍କର ସୁରେନ୍ଦ୍ରଙ୍କ ସଂଗ୍ରାମରେ ଯୋଗଦାନ, ସମ୍ବଲପୁରଠାରୁ ରାୟପୁର ଯାଏଁ ଏକ ବିଶାଳ କ୍ଷେତ୍ରକୁ ଲଢ଼େଇର କ୍ଷେତ୍ର ଭାବରେ ଗ୍ରହଣ କରି ଅପରାଜେୟ କରିଥିଲା ସୁରେନ୍ଦ୍ରଙ୍କୁ। ସେ ଏଭଳି ଶୈଳୀରେ ଯୁଦ୍ଧ କରୁଥିଲେ ଯେ ୧୮୫୭ ଅକ୍ଟୋବର ୩୧ ରୁ ୧୮୬୨ ମେ ୧୫ ଯାଏଁ କମ୍ପାନୀ ସରକାର ତାଙ୍କର ଛାୟାସୁଦ୍ଧା ସ୍ପର୍ଶ କରିପାରି ନ ଥିଲା। ଏଭଳି ଅପରାଜେୟ ସଂଗ୍ରାମର ମହାନାୟକ ସୁରେନ୍ଦ୍ରଙ୍କୁ ଧରାହୁଏ ୨୩ ଜାନୁଆରୀ ୧୮୬୪ ରାତ୍ରରେ ବିଶ୍ୱାସଘାତକ ଦୟାନିଧି ମେହେରର ସାହାଯ୍ୟ ନେଇ। ପ୍ରତାରଣା, ବିଶ୍ୱାସଘାତକତାର ଆଶ୍ରୟ ନେଇ ନ ଥିଲେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହ କେଉଁ ଗତି ନେଇଥାନ୍ତା ତାହା ଅକଳ୍ପନୀୟ।
ଯେତେବେଳେ ସମଗ୍ର ଭାରତବର୍ଷର ୧୮୫୭ ସଂଗ୍ରାମ ଅନ୍ୟ ପ୍ରାନ୍ତମାନଙ୍କରେ ବର୍ଷେ ଦୁଇ ବର୍ଷ ମଧ୍ୟରେ ସମାପ୍ତି ଲଭିଲା, ସେତେବେଳେ ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କ ବିପ୍ଲବ ଏତେ ଦୀର୍ଘ କାଳ ଯାଏଁ ବଜାୟ ରହିଲା, ତାହା ଗଣସମର୍ଥନରେ ପରିଚାଳିତ ହେଉଥିବା ଯୋଗୁଁ। ସେହି ଗଣସଂଗ୍ରାମର ମହାନାୟକ ବୀର ସୁରେନ୍ଦ୍ର ସାଏ ସେତେବେଳେ ବିଦେଶ ମାଟିରେ ସମ୍ବଲପୁର ସଂଗ୍ରାମର ପରିଚୟ ରଖୁଥିବା ବେଳେ ଆଜି ଓଡ଼ିଶା ସହିତ ଭାରତର ସଂଗ୍ରାମୀ ଚେତନାର ପରିଚୟ ରଖନ୍ତି। ସେହି ଅନିର୍ବାଣ ସଂଗ୍ରାମୀ ଚେତନାକୁ ପ୍ରଣାମ।
– ଗୌରିଦାସ ପଧାନ, ବୁଢ଼ା ରଜା ସମ୍ବଲପୁର
Comments are closed.