Patra electronics

ଆମେରିକା ନୌସେନା ଘାଟିରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଭାରତୀୟ ବାୟୁସେନା ଅଧ୍ୟକ୍ଷ

ୱାଶିଂଟନ: ଆମେରିକା ନୌସେନା ଏବଂ ବାୟୁସେନାର ମିଳିତ ଘାଟି ପର୍ଲ ହାର୍ବର ହିକମ୍‌ରେ ଗୁରୁବାର ସକାଳେ ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡ ସମୟରେ ଭାରତୀୟ ବାୟୁସେନା ଅଧ୍ୟକ୍ଷ ଆର.କେ.ଏସ. ଭଦୌରିଆ ସେଠାରେ ଉପସ୍ଥିତ ଥିବାବେଳେ ଏଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, ଏଠାରେ ବାୟୁସେନା ମୁଖ୍ୟମାନଙ୍କ ସମ୍ମିଳନୀ ଚାଲିଛି। ଏଥିରେ ୨୦ଟି ଦେଶର ବାୟୁସେନା ମୁଖ୍ୟମାନେ ଅଂଶଗ୍ରହଣ କରିଛନ୍ତି। ତେବେ ଗୁରୁବାର ସକାଳେ ଘାଟିରେ ମୁତୟନ ଜଣେ ବନ୍ଧୁକଧାରୀ ଆମେରିକୀୟ ସୁରକ୍ଷାକର୍ମୀ ହଠାତ୍‌ ଗୁଳିବର୍ଷା ଆରମ୍ଭ କରିଦେଇଥିଲେ। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଗୁଳିକାଣ୍ଡ ସ୍ଥାନରେ ଆମେରିକା ଗସ୍ତରେ ଥିବା ଭାରତୀୟ ବାୟୁସେନା ଅଧ୍ୟକ୍ଷ ଭଦୌରିଆ ମଧ୍ୟ ନିଜ ଟିମ୍‌ ସହିତ ଉପସ୍ଥିତ ଥିଲେ। ଘଟଣା ପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। ଓହୁ ସମୁଦ୍ର ତଟର ଦକ୍ଷିଣ ପାର୍ଶ୍ଵରେ ପର୍ଲ ହାର୍ବର ଘାଟି ଅବସ୍ଥିତ, ଯାହା ବାୟୁସେନା ଏବଂ ନୌସେନାର ମିଳିତ ଘାଟି। ସୂଚନାଯୋଗ୍ୟ, ନିକଟରେ କିଛିଦିନ ମଧ୍ୟରେ ଆମେରିକାର ୱାଶିଂଟନ ଡିସି, ଟେକ୍ସାସ, ଓହିୟୋ ଏବଂ ଫ୍ଲୋରିଡା ସହିତ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।

Comments are closed.