ପ୍ୟାରିସ୍: ଭାରତୀୟ ବିମାନବାହିନୀକୁ ମିଳିଛି ପ୍ରଥମ ରାଫେଲ ଯୁଦ୍ଧବିମାନ। ଏହାର ନିର୍ମାଣକାରୀ ସଂସ୍ଥା ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ ପରିସରରେ ଏୟାର ମାର୍ଶାଲ ଭି.ଆର ଚୌଧୁରୀଙ୍କ ନେତୃତ୍ବାଧୀନ ବିମାନବାହିନୀର ଏକ ଦଳ ଗୁରୁବାର ଏହାକୁ ଗ୍ରହଣ କରିଛନ୍ତି। ପ୍ରଥମ ରାଫେଲର ଟେଲ୍ ନମ୍ବର ରହିଛି ଆରବି-୦୧। ଏହା ହସ୍ତଗତ ହେବା ପରେ ଚୌଧୁରୀଙ୍କ ଦଳ ସେଠାରେ ଏହାକୁ ପ୍ରାୟ ଏକ ଘଣ୍ଟା କାଳ ଉଡ଼ାଇଥିବା ଭାରତୀୟ ବିମାନବାହିନୀ ସୂତ୍ରରୁ ପ୍ରକାଶ। ଆସନ୍ତା ମାସ (ଅକ୍ଟୋବର) ୮ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଫ୍ରାନ୍ସ ଗସ୍ତ ଅବସରରେ ଏହା ବିଧିବଦ୍ଧ ଭାବେ ବିମାନବାହିନୀରେ ସାମିଲ ହେବ; କିନ୍ତୁ ସମ୍ପୂର୍ଣ୍ଣ ଉଡ଼ାଣ ପରୀକ୍ଷାନିରୀକ୍ଷା, ଭାରତର ଚାହିଦା ମୁତାବକ ସାଜସଜା ଓ ବୈମାନିକ ତଥା ରକ୍ଷାଣାବେକ୍ଷଣ କର୍ମଚାରୀଙ୍କ ତାଲିମ ପରେ ୨୦୧୦ ମଇରେ ଏହା ଭାରତରେ ପହଞ୍ଚିବ। ସେ ପର୍ୟ୍ୟନ୍ତ ପ୍ରାୟ ୭ମାସ କାଳ ଫ୍ରାନ୍ସରେ ଏଗୁଡ଼ିକର ଉଡ଼ାଣ କରାଯିବ। ଏହି ସୂତ୍ର ଅନୁଯାୟୀ, ବିମାନବାହିନୀର ମୁଖ୍ୟ ଭାବେ ଦାୟିତ୍ବ ନେବାକୁ ଯାଉଥିବା ଏବଂ ରାଫେଲ ବୁଝାମଣାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏୟାର ମାର୍ଶାଲ ରାକେଶ କୁମାର ସିଂହ(ଆରକେଏସ୍) ଭଦୌରିଆଙ୍କ ନାମାନୁସାରେ ପ୍ରଥମ ରାଫେଲ ବିମାନର ନାମ ‘ଆରବି-୦୧’ (ଆରବି-ରାକେଶ ଭଦୌରିଆ)ରଖାଯାଇଛି।
ଭାରତ ଓ ଫ୍ରାନ୍ସ ମଧ୍ୟରେ ୨୦୧୬ ସେପ୍ଟେମ୍ବରରେ ୬୦ହଜାର କୋଟି ଟଙ୍କା (୭.୮ ବିଲିୟନ ୟୁରୋ) ମୂଲ୍ୟର ରାଫେଲ ପାଇଁ ବୁଝାମଣା ହୋଇଛି। ସ୍ବାକ୍ଷରିତ ବୁଝାମଣା ଅନୁସାରେ ଭାରତକୁ ମୋଟ ୩୬ଟି ରାଫେଲ ଯୁଦ୍ଧବିମାନ ମିଳିବ। ଭାରତୀୟ ଆଶ୍ୟକତା ଅନୁସାରେ ଏଥିରେ ସ୍ବତନ୍ତ୍ର ସାଜସରଞ୍ଜାମ ଲଗାଇବା ପାଇଁ ୧୦୦କୋଟି (ଏକ ବିଲିୟନ) ୟୁରୋ ଅଧିକ ବ୍ୟୟ ହୋଇଛି। ରାଫେଲ ଉଡ଼ାଇବା ପାଇଁ ମୋଟ ୨୪ଜଣ ଭାରତୀୟ ପାଇଲଟ ତାଲିମ ନେବାକୁ ଥିବାବେଳେ ଇତିମଧ୍ୟରେ ପ୍ରଥମ ବ୍ୟାଚ୍ ଫ୍ରାନ୍ସ ବିମାନବାହିନୀ ଦ୍ବାରା ତାଲିମ ପାଇ ସାରିଲେଣି। ରାଫେଲ ଭାରତରେ ପହଞ୍ଚିବା ପରେ ଏହାର ଗୋଟିଏ ଲେଖାଏଁ ସ୍କ୍ବାଡ୍ରନ୍ ହରିୟାଣାର ଅମ୍ବାଲା ବିମାନଘାଟି ଓ ପଞ୍ଚିମବଙ୍ଗର ହସିମାରା ବିମାନଘାଟିରେ ମୁତୟନ କରାଯିବା ଯୋଜନା ହୋଇଛି।



