ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେବାରୁ ଜଣେ ଅଣଛାତ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବ୍ରହ୍ମପୁର ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଗଣ୍ଡଗୋଳରେ ସଂପୃକ୍ତ ଦୁଇଜଣଙ୍କୁ ପୁଲିସ ଅଟକ ରଖିବା ସହ ଏଥିରେ ସାମିଲ ରହିଥିବା ସନ୍ଦେହରେ ଜଣେ ପୂର୍ବତନ ଛାତ୍ର ନେତାଙ୍କ କାରକୁ ପୁଲିସ ଜବତ କରିଛି।
ଛାତ୍ର ଶ୍ରୀନିବାସ ରାଓଙ୍କ ଅଭିଯୋଗ ଅନୁଯାୟୀ ପୂର୍ବତନ ଛାତ୍ର ଦେବାଶିଷ ମିଶ୍ର(ବୁନୁ) ଆନନ୍ଦ ବଜାର ଠାରେ କେତେକ ଛାତ୍ରଙ୍କୁ ରାଗିଂ କରିବା ସହ ଗାଳିଗୁଲଜ କରିଥିଲେ । ଏହାକୁ ଛାତ୍ରମାନେ ବିରୋଧ କରିବାରୁ ଦେବାଶିଷ ସେମାନଙ୍କୁ ମାଡ ମାରିଥିଲେ। ଫଳରେ ଛାତ୍ରମାନେ ଉତ୍ତ୍ୟକ୍ତ ହୋଇ ଦେବାଶିଷଙ୍କୁ ଘେରି ମାଡ ମାରିଥିଲେ। କିନ୍ତୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଣଛାତ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେଠାରେ ଥିବା ଦୁଇଜଣଛାତ୍ରଙ୍କୁ ଜୋରଜବରଦସ୍ତ ଉଠାଇନେଇ ଗୋପାଳପୁର ଥାନାରେ ଅଟକ ରଖଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟ ପଟେ ଛାତ୍ରଙ୍କ ଆକ୍ରମଣରେ ଆହତ ହୋଇ ବ୍ରହ୍ମପୁର ବଡମେଡିକାଲରେ ଚିକିତ୍ସାଧିନ ଥିବା ଦେବାଶିଷ ସୂଚନା ଦେଇଛନ୍ତି ଯେ ସେ ଅପରାହ୍ନରେ ନିଜର ପିଏଚଡି ନାମଲେଖା ସମ୍ପର୍କରେ ବୁଝିବା ନିମନ୍ତେ ବିଶ୍ବବିଦ୍ୟାଳୟ ଯାଇଥିଲେ। ଆନନ୍ଦ ବଜାର ନିକଟରେ ଅଚାନକ କେତେକ ଛାତ୍ର ଏବଂ ପୂର୍ବତନ ଛାତ୍ର ସସଂଦ ସଭାପତି ଭବାନି ସାହୁ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲେ ବୋଲି କହିଛନ୍ତି। ପୁଲିସ ଅଟକ ରଖିଥିବା ଦୁଇ ଛାତ୍ରଙ୍କୁ ତୁରନ୍ତ ଛାଡିଦେବା, ଅଣଛାତ୍ର ଦେବାଶିଷଙ୍କୁ ଗିରଫ କରିବା, କ୍ୟାମ୍ପସ ପରିସରରେ ଛାତ୍ରଙ୍କୁ ସୁରକ୍ଷା ଦେବା ଓ କ୍ୟାମ୍ପସ ପରିସରକୁ ଅଣଛାତ୍ର ପ୍ରବେଶ ଉପରେ ରୋକ ଲଗାଇବା ଦାବି ନେଇ କୁଳସଚିବ ଦାୟିତ୍ୱରେ ରହିଥିବା ବିଶ୍ବବିଦ୍ୟାଳୟ ଅର୍ଥ ନିୟନ୍ତ୍ରକ ତୁଷାର କାନ୍ତି ଖଟୁଆଙ୍କୁ କେତେକ ଛାତ୍ର ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଦୁଇ ଅଟକ ଛାତ୍ରଙ୍କୁ ପୁଲିସ ଛାଡିବା ଦାବିରେ ଅଫିସ ପ୍ରୋକଷ୍ଟରେ ଧାରଣାରେ ବସି ରହିଥିଲେ। ଦେବାଶିଷଙ୍କ ସର୍ମଥନରେ କେତେକ ଛାତ୍ର ଆଉ ଏକ ଦାବିପତ୍ର ପିଜି କାଉନସିଲ ଅଧ୍ୟକ୍ଷାଙ୍କ ଜରିଆରେ ଭାରପ୍ରାପ୍ତ କୁଳସଚିବଙ୍କୁ ପ୍ରଦାନ କରିବା ସହ କ୍ୟାମ୍ପସକୁ ସୁରକ୍ଷା ଦେବା ପାଇଁ ପୁଲିସ ପକ୍ଷରୁ କଡାକଡି ପାଟ୍ରୋଲିଂ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି। ଗଣ୍ଡଗୋଳରେ ସାମିଲ ଛାତ୍ର ଓ ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ଜଣାଇଛନ୍ତି।



