ସମାଜ ଡିଜିଟାଲ ଡେସ୍କ: କ୍ୟାପଟେନ ଗୁରୁବଂଶ ସିଂହ ଏବଂ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ଘଟଣାରେ ଗିରଫ ହୋଇଥିବା ୭ ରୋଡ ରୋମିଓଙ୍କୁ ମିଳିଛି ଜାମିନ। ଶନିବାର ଅପରାହ୍ନରେ ଚନ୍ଦକା ଥାନା ପୁଲିସ ଏହି ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫର ପ୍ରାୟ ୪ ଘଣ୍ଟା ପରେ ସମସ୍ତ ଅଭିଯୁକ୍ତମାନଙ୍କୁ ଭୁବନେଶ୍ଵର ଜେଏମଏଫସି କୋର୍ଟରୁ ଜାମିନ ମିଳିଛି। ଅଭିଯୁକ୍ତମାନେ ହେଲେ ରାକେଶ ନାୟକ, ଅମନ କୁମାର, ଆଦିତ୍ୟ ବେହେରା, ଆକାଶ ପଢ଼ିଆରୀ, ଅଭିଳାଷ ସାମନ୍ତ, ହରିଶ ମହାନ୍ତ, ଆଶିଷ ସ୍ଵାଇଁ। ମିଳିଥିବା ସୂଚନା ଅନୁସାରେ, କୋର୍ଟରେ ମାମଲାର ଶୁଣାଣି ବେଳେ ପୁଲିସ ବିଚାରପତିଙ୍କ ପ୍ରଶ୍ନର ଉତ୍ତର ଦେଇପାରି ନ ଥିଲା। ପୁଲିସ ୫ଟି ଦଫା ଲଗାଇଥିଲା। କିନ୍ତୁ ସମସ୍ତ ଦଫା କୋହଳ ଥିବାରୁ ଥାନାରୁ ହିଁ ଅଭିଯୁକ୍ତମାନଙ୍କୁ ଜାମିନ ମିଳିବା କଥା। ମାତ୍ର ତଦନ୍ତକାରୀ ଅଧିକାରୀ ତଥା ଆଇଆଇସି ନିଜେ କୋର୍ଟରେ ଉପସ୍ଥିତ ନ ଥିଲେ। କୋର୍ଟରେ ଉପସ୍ଥିତ ଥିବା ପୁଲିସ ଅଧିକାରୀ କୋର୍ଟଙ୍କୁ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ଫଳରେ କୋର୍ଟ ଅଭିଯୁକ୍ତମାନଙ୍କୁ ଜାମିନ ଦେଇଥିଲେ କୋର୍ଟ।
ଗତ ୧୫ ତାରିଖ ରାତିରେ କ୍ୟାପଟେନ ଗୁରୁଓ୍ବନ୍ତ ଏବଂ ତାଙ୍କ ବାନ୍ଧବୀ ଗୋଟିଏ କାରରେ ଚନ୍ଦକା ରାସ୍ତାରେ ଯାଉଥିବାବେଳେ ୭ ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇଥିଲେ। କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ପ୍ରତିବାଦ କରିବାରୁ ଅଭିଯୁକ୍ତମାନେ ଉଭୟଙ୍କୁ ମାଡ଼ ମାରିବା ସହିତ ଅସଦାଚରଣ କରିଥିଲେ। ଏ ସମ୍ପର୍କରେ ଅଭିଯୋଗ କରିବାକୁ କ୍ୟାପଟେନ ଏବଂ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଯାଇଥିବାବେଳେ ସେଠାରେ ପୁଲିସ କର୍ମଚାରୀମାନେ ଉଭୟଙ୍କୁ ଦୁର୍ବ୍ୟବହାର କରିବା ସହିତ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଛି।



