ବୁର୍ଲା : କରୋନା ଆକ୍ରାନ୍ତଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ପରେ ସେମାନଙ୍କୁ କଳା କବକ (ବ୍ଲାକ୍ ଫଙ୍ଗସ୍) ସଂକ୍ରମଣ ଭୟ ରହୁଛି। ଏପରିକି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ସଂସ୍ଥା (ଭିମସାର୍)ରେ ଗତ କିଛି ଦିନ ମଧ୍ୟରେ ୭ ଜଣ କଳା କବକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରଥମରୁ ବରଗଡ଼ ଜିଲା ବରପାଲି ଅଞ୍ଚଳର ଜଣେ ରୋଗୀ କଳା କବକରେ ସଂକ୍ରମିତ ହୋଇ କର୍ଣ୍ଣ, ନାଶା ଓ ଗଳା ବିଭାଗରେ ଭର୍ତ୍ତି ହେବା ସହିତ ତାଙ୍କର ଅସ୍ତ୍ରୋପଚାର ମଧ୍ୟ ହୋଇଯାଇଛି। ତାଙ୍କର ଅବସ୍ଥା ବର୍ତ୍ତମାନ ସ୍ଥିର ରହିଥିବା ଜଣାପଡ଼ିଛି। ବରପାଲିର ରୋଗୀ ଜଣକ ଗୁଜୁରାଟରୁ ଫେରିଥିଲେ ଓ ସେ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଭିମ୍ସାରରେ ଚିକିତ୍ସିତ ୭ ଜଣ କଳା କବକ ରୋଗୀଙ୍କ ମଧ୍ୟରୁ କର୍ଣ୍ଣ, ନାଶା ଓ ଗଳା ବିଭାଗରେ ୪ ଜଣ ଏବଂ ସ୍ବତନ୍ତ୍ର ଯତ୍ନ କୋଠରି (ଆଇସିୟୁ)ରେ ୩ ଜଣ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ କେବଳ ବରଗଡ଼ ଜିଲା ବରପାଲି ଅଞ୍ଚଳରୁ ଆସିଥିବା ରୋଗୀକୁ ଆମ୍ଫୋଟେରିସିନ–ବି ଇଞ୍ଜେକସନ ମିଳିଥିବା ବେଳେ ଅନ୍ୟ ରୋଗୀମାନଙ୍କୁ ଏହି ଇଞ୍ଜେକ୍ସନ ମିଳି ପାରି ନ ଥିବା ଜଣାପଡ଼ିଛି। ବରପାଲିର ରୋଗୀକୁ ଛାଡ଼ିଦେଲେ ଅନ୍ୟମାନଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ କଳା କବକ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଇଞ୍ଜେକ୍ସନ ବଜାରରେ ମିଳୁ ନ ଥିବା ଜଣାପଡ଼ିଛି। ଏହା ସତ୍ତ୍ବେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଏକ ପ୍ରେସକ୍ରିପସନ ଲେଖା ଯାଇ ଏହି ଔଷଧ ବା ଇଞ୍ଜେକ୍ସନ ଆଣିବାକୁ କୁହା ଯାଉଥିବା ଜଣାପଡ଼ିଛି। ରୋଗୀ ମାନଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଇଞ୍ଜେକ୍ସନ ମିଳୁ ନ ଥିବାରୁ ଡାକ୍ତର ଏହାକୁ ନେଇ କିଛି ମଧ୍ୟ କହୁ ନ ଥିବା ଦେଖିବାକୁ ମିଳୁଛି। ଭିମସାର କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ସ୍ତରରୁ ମାଗଣାରେ ଏହି ଇଞ୍ଜେକ୍ସନ ବ୍ୟବସ୍ଥା କରାଯିବା କ୍ଷେତ୍ରରେ ଧ୍ୟାନ ଦେବାକୁ ଦାବି ହେଉଛି। ଭିମସାର କର୍ଣ୍ଣ, ନାଶା ଓ ଗଳା ବିଭାଗୀୟ ମୁଖ୍ୟ ତଥା କଳା କବକ ସଂକ୍ରମଣକୁ ନେଇ ଗଠିତ କମିଟିର ଅଧ୍ୟକ୍ଷା ପ୍ରଫେସର ଡାକ୍ତର ଶୋଭାଗିନୀ ଆଚାର୍ଯ୍ୟଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ଭିମସାର୍ରେ ୪ ଜଣ କଳା କବକ ପୀଡ଼ିତ ଚିହ୍ନଟ ହୋଇଥିବା ବେଳେ ଆହୁରି ୩ ଜଣଙ୍କୁ ସନ୍ଦେହରେ ଭିମାସରରେ ରଖାଯାଇ ଥିବା ସୂଚନା ଦେଇଛନ୍ତି। ସେପଟେ ଭିମସାରରେ କଳା କବକ ଚିହ୍ନଟିକରଣ ପାଇଁ କମିଟି ଗଠିତ ହେବା ସହ ଏହାର ରିପୋର୍ଟ ସରକାରଙ୍କୁ ପ୍ରେରିତ କରାଯିବା ବ୍ୟବସ୍ଥା ହୋଇଛି। ତେବେ ଏଥିପାଇଁ ଇଞ୍ଜେକସନ ଉପଲବ୍ଧ ନ ହେବା ଏକ ସମ୍ବେଦନଶୀଳ ବିଷୟ। ଏହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।
ଭିମସାର ମେଡିସିନ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କଳା କବକ ରୋଗୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଆମ୍ଫୋଟେରିସିନ–ବି ଭଳି ଏକ ଜରୁରୀ ଔଷଧ ରାଜ୍ୟରେ ଉପଲବ୍ଧ ନ ଥିବା କାରଣରୁ ଡାକ୍ତର ରାମଚନ୍ଦାନୀ ତାହା ସୁଦୂର ମୁମ୍ବଇରୁ ରୋଗୀଙ୍କ ପାଇଁ ମଗାଇଛନ୍ତି। ସେ ଦୁଇଟି ସିରପ (ପିକାସା) ଏବଂ ୧୦ଟି କ୍ୟାପସୁଲ (ପୋସାୱାନ) ମଗାଇଛନ୍ତି। ଏହାର ମୂଲ୍ୟ ପ୍ରାୟ ୫୦ ହଜାର ଟଙ୍କା ହେବ ବୋଲି ଡାକ୍ତର ରାମଚନ୍ଦାନୀ ସୂଚନା ଦେଇଛନ୍ତି। ତେବେ ଆଜି ମୁମ୍ବଇରେ ରହିଥିବା ତାଙ୍କର ଜଣେ ବନ୍ଧୁଙ୍କୁ ଫୋନ କରି ସେ ଏହି ଔଷଧ ମଗାଇଛନ୍ତି। ଔଷଧ ଦିଲ୍ଲୀରୁ ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା, ଏହାପରେ ସନ୍ଧ୍ୟାରେ ଭିମସାର୍ରେ ପହଞ୍ଚିଥିଲା। କଳା କବକ ନିରୀକ୍ଷଣ ପାଇଁ ଗଠିତ କମିଟି ଚାହିଲେ ଏହି ଔଷଧକୁ ବୁର୍ଲାରେ ଭର୍ତ୍ତି ହୋଇଥିବା ରୋଗୀଙ୍କ କ୍ଷେତ୍ରରେ ଉପଯୋଗ କରାଯିବ ବୋଲି ଡାକ୍ତର ରାମଚନ୍ଦାନୀ ସୂଚନା ଦେଇଛନ୍ତି।



