ଭୁବନେଶ୍ବର : କୋଭିଡ୍-୧୯ ମୁକାବିଲା ନେଇ ରାଜ୍ୟ ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ୧୭ ତାରିଖ ଶୁକ୍ରବାର ରାତି ୯ଟା ରୁ ୪ ଜିଲ୍ଲା ଓ ଗୋଟିଏ ମହାନଗର ନିଗମରେ ୧୪ ଦିନ ପାଇଁ ଲକ୍ ଡାଉନ୍ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଆସନ୍ତାକାଲି ରାତି ୯ଟାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୧୪ ଦିନ ଅର୍ଥାତ ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଓ କଟକ ସମେତ ରାଉରକେଲା ମହାନଗର ନିଗମରେ ଲକ୍ଡାଉନ୍ ଜାରି ହେବ। ଏଥିପାଇଁ ସେ ଜନ ସହଯୋଗ କାମନା କରିଛନ୍ତି।
ତେବେ ଲକ୍ଡାଉନ୍ ସମୟରେ ସକାଳ ୬ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଦୋକାନ ବଜାର ଖୋଲା ରହିବ। ପ୍ରତ୍ୟେକ ଦିନ ଦୋକାନ ଖୋଲା ରହିବ। ଗ୍ରୋସରୀ, ପରିବା, କ୍ଷୀରଦୋକାନ ଖୋଲାରହିବ। ଔଷଧ ଦୋକାନ ଖୋଲିବା ଉପରେ କଟକଣା ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ନିର୍ଦିଷ୍ଟ ଅଫିସ ଓ ସେବା ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। କୌଣସି ଜରୁରୀ କାମ ନ ଥିଲେ ବାହାରକୁ ବାହାରିବେ ନାହିଁ। ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକ୍ଡାଉନ୍ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ବେଳେ ସାମାଜିକ ଦୂରତା ନିୟମ ମାନିବାକୁ ପଡ଼ିବ। ଲୋକଙ୍କ ଯିବାଆସିବା ବନ୍ଦ ରହିବ କିନ୍ତୁ ପେଟ୍ରୋଲ୍ ପମ୍ପ ଖୋଲା ରହିବ। କୃଷି କାର୍ଯ୍ୟ ଚାଲୁ ରହିବ।
ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ, ରାଜ୍ୟରେ ଯେତିକି ଲୋକ ସଂକ୍ରମିତ ହେଉଛନ୍ତି ସେମାନଙ୍କ ମଧ୍ୟରୁ ୬୬ ପ୍ରତିଶତ ସଂକ୍ରମିତ ମାମଲା ରାଉରକେଲା ମହାନଗର ନିଗମ ସମେତ ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲାରୁ ଚିହ୍ନଟ ହେଉଛି। ଏଥିପାଇଁ ଏସବୁ ଅଞ୍ଚଳରେ ସରକାର କେତେକ କଠୋର ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ। ଏହି ୪ଟି ଜିଲ୍ଲା ମଧ୍ୟକୁ ପ୍ରବେଶ ଉପରେ କଟକଣା ରହିବ।

ଏହି ୧୪ ଦିନ ଭୁବନେଶ୍ୱର ଓ କଟକ ସହର ମଧ୍ୟକୁ ବିନା କାରଣରେ ଅନ୍ୟ କୌଣସି ଜିଲାର ଲୋକମାନେ ପ୍ରବେଶ କରିବେ ନାହିଁ। ସେଥିପାଇଁ ଆସନ୍ତାକାଲି ଏକ ବୈଠକ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିବ। ଏହି ଅବଧି ମଧ୍ୟରେ ରାଉରକେଲା ଓ ଅନ୍ୟ ୪ଟି ଜିଲ୍ଲାରେ ସମସ୍ତ ସରକାରୀ ଅଫିସ, ବେସରକାରୀ ଅଫିସ୍ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ। ତେବେ ଜରୁରୀକାଳୀନ ସେବା ଯୋଗାଉଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ , ଔଷଧ ଦୋକାନ, ଆମ୍ବୁଲାନ୍ସ, ସ୍ୱାସ୍ଥ୍ୟ କର୍ମଚାରୀ, ବିଦ୍ୟୁତ ଓ ଜଳ ଯୋଗାଣ ଭଳି ଜରୁରୀ ସେବା, ଇ-କମର୍ସ, ହୋମ୍ ଡେଲିଭରି, ଏଲପିଜି ଓ ପେଟ୍ରୋଲ ପମ୍ପକୁ ଏହି ଲକଡାଉନରୁ ବାଦ୍ ଦିଆଯାଇଛି। ଆଇଟି, ଅର୍ଥନୀତିକ କ୍ଷେତ୍ର ଓ ଶିଳ୍ପାଞ୍ଚଳ ଆଦି ଚାଲୁ ରହିବ।
ସକାଳ ୬ଟାରୁ ଦିନ ୧ଟା ପର୍ୟ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ। ହୋମ୍ ଡେଲିଭରି ସେବା ଜାରି ରହିବ। ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ। ସମସ୍ତ ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧି, ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ପାଇଁ ଲକଡାଉନ୍ ଅବଧିରେ ଅନୁମତି ମିଳିବ। କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ୟ୍ୟ ପାଇଁ ମଧ୍ୟ ଅନୁମତି ମିଳିବ।



