www.samajalive.in
Monday, December 8, 2025
13.1 C
Bhubaneswar

ଭଉଣୀର ପ୍ରେମିକକୁ ହତ୍ୟା ଘଟଣା, ୪ ଗିରଫ

ଦୋବଲ: ଭଦ୍ରକ ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ଉତ୍ତେଇପୁରରେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ଘଟଣାରେ ଧାମନଗର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଉତ୍ତେଇପୁର ଗାଁର ମଧୁସ୍ମିତା ପାତ୍ର, ତାଙ୍କ ସ୍ବାମୀ ମଦନ ପାତ୍ର, ମଧୁସ୍ମିତାଙ୍କ ଭଉଣୀ ଜ୍ବାଇଁ ତଥା ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ ବଇଁଚା ଗାଁର ପ୍ରଶାନ୍ତ ବେହେରା ଓ ରମାକାନ୍ତ ବେହେରା। ମୃତ ସଞ୍ଜୟ ରାଉତଙ୍କ ସାନ ଭାଇ ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ପଞ୍ଚାୟତ କଣ୍ଡିଆସାହିର ରାଜେନ୍ଦ୍ର ରାଉତଙ୍କ ଏତଲା ଆଧାରରେ ମାମଲା ରୁଜୁ ହୋଇଛି। ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ ଶୁକ୍ରବାର ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିଛି ଧାମନଗର ପୁଲିସ। ସିନ୍ ରିକ୍ରିଏସନ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଉତ୍ତେଇପୁରରେ ଏଭଳି ଏକ ଘଟଣାକୁ ନେଇ ନାନା ପ୍ରଶ୍ନ ଉଠିଛି। ସରକାରଙ୍କ ଆମ୍ବୁଲାନ୍ସ ସେବା ଓ ପୁଲିସର ତତ୍ପରତା ନେଇ ପ୍ରଶ୍ନ ଉଠିଛି। ଗୁରୁବାର ଅପରାହ୍ଣରେ ଏ ଘଟଣା ଘଟିବା ସମୟରେ ସ୍ଥାନୀୟ ଲୋକେ ସେଠାରେ ଉପସ୍ଥିତ ଥିଲେ। ବହୁ ଲୋକ ଥିଲେ ବି ମଧୁସ୍ମିତାଙ୍କ ହିଂସ୍ର ରୂପ ଦେଖି କେହି ସାହସ କରି ନ ଥିଲେ ଘର ଭିତରକୁ ପଶିବାକୁ। ସମସ୍ତେ ଗାଁ ଦାଣ୍ଡରେ ଥିଲେ ବି କେହି ଘର ଭିତରେ ପଶି ସଞ୍ଜୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ନ ଲେ। ତେବେ ପାଖ ଗାଁର ଯୁବକ ପ୍ରତାପ ବାରିକ ଓ ମୁନା ପତି ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆହତ ସଞ୍ଜୟଙ୍କୁ ଡାକ୍ତରଖାନା ନେବା ଲାଗି ୧୧୨ ଓ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ପ୍ରତାପ। ସେତେବେଳେ ଡାକ୍ତରଖାନାରେ ଆମ୍ବୁଲାନ୍ସ ନ ଥିଲା। ତା ପରେ ସେମାନେ ଭଣ୍ଡାରିପୋଖରୀ ଓ ଧୁଷୁରୀ ଥାନାକୁ ଫୋନ୍ କରିଥିଲେ। ହେଲେ କେଉଁଠାରୁ ସହାୟତା ମିଳି ନ ଥିଲା। ଏମିତି କି ଧାମନଗର ପୁଲିସକୁ ଫୋନ୍ କରିବାରୁ ଥାନା ଗାଡ଼ି ଓ ପାଟ୍ରୋଲିଂ ଭେହିକିଲ ନଳାଙ୍ଗ ପାଖ ଜାତୀୟ ରାଜପଥରେ ଥିବା ଜଣାଇଥିଲେ। ଆମ୍ବୁଲାନ୍ସ ନ ମିଳିବା ଓ ପୁଲିସ ବିଳମ୍ବରେ ପହଞ୍ଚିବା ବେଳକୁ ସଞ୍ଜୟଙ୍କ ଅବସ୍ଥା ସଂଗୀନ ହୋଇ ପଡ଼ିଥିଲା।

- Advertisement -

ବିଳମ୍ବରେ ପହଞ୍ଚି ପୁଲିସ ସଞ୍ଜୟଙ୍କୁ ଉଦ୍ଧାର କରି ପ୍ରଥମେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ପରେ ତାଙ୍କୁ ଭଦ୍ରକ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସା ଆରମ୍ଭ ପୂର୍ବରୁ ଭଦ୍ରକରେ ସଞ୍ଜୟଙ୍କର ମୃତ୍ୟୁ ହୋଇଯାଇଥିଲା। ଆଜି ସଞ୍ଜୟଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି। ଅପରାହ୍ଣରେ ଗାଁରେ ଶେଷକୃତ୍ୟ କରାଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସଞ୍ଜୟ ରାଉତ ଓ ମଧୁସ୍ମିତାଙ୍କ ସାନ ଭଉଣୀ ରୀନାରାଣୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା। ହେଲେ ଦୁହେଁ ଭିନ୍ନ ଭିନ୍ନ ସ୍ଥାନରେ ବାହା ହୋଇଥିଲେ। ବିବାହ ପରେ ମଧ୍ୟ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ରହିଥିଲା। କିଛି ମାସ ହେଲା ଦୁହିଁଙ୍କ ସଂପର୍କରେ ଫାଟ ଆସିଥିଲା। ସଞ୍ଜୟ ରୀନାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ରୀନାଙ୍କ ସହ ମିଶି ମଧୁସ୍ମିତା ଷଡ଼ଯନ୍ତ୍ର କରିଥିଲେ। ସଞ୍ଜୟଙ୍କୁ ପାନେ ଦେବାକୁ ଚିନ୍ତା କରିଥିଲେ।

ପୂର୍ବ ଯୋଜନା ମୁତାବକ ଗୁରୁବାର ଦିନ ରୀନାରାଣୀ ଫୋନ୍ କରି ସଞ୍ଜୟଙ୍କୁ ଉତ୍ତେଇପୁରରେ ଭଉଣୀଙ୍କ ଘରକୁ ଡାକିଥିଲେ। ପ୍ରେମିକାଙ୍କ ଫୋନ୍ ପାଇ ନିଜର କର୍ମସ୍ଥଳ ଅନୁଗୁଳରୁ ଛୁଟି ଆସିଥିଲେ ସଞ୍ଜୟ। ସଞ୍ଜୟ ପହଞ୍ଚିବା ପୂର୍ବରୁ ମଧୁସ୍ମିତାଙ୍କ ଘରେ ରୀନାଙ୍କ ସ୍ବାମୀ ପ୍ରଶାନ୍ତ, ତାଙ୍କ ବଡ଼ ଭାଇ ରମାକାନ୍ତ, ଭାଇ ପ୍ରିୟବ୍ରତ ବେହେରା ଓ ଅନ୍ୟ ଜଣେ ଉପସ୍ଥିତ ଥିଲେ। ସଞ୍ଜୟ ପହଞ୍ଚିବା ପରେ ତାଙ୍କୁ ଗୋଟିଏ ଘରେ ପୂରାଇ ମଧୁସ୍ମିତା, ପ୍ରଶାନ୍ତ, ରମାକାନ୍ତ ଓ ଅନ୍ୟମାନେ ନିସ୍ତୁକ ମାଡ଼ ମାରିଥିଲେ। ସଞ୍ଜୟଙ୍କ ଯୌନାଙ୍ଗକୁ ମାରି ଫଟାଇ ଦେଇଥିଲେ। ରଡରେ ପିଟି ତାଙ୍କ ମୁଣ୍ଡ ଫଟାଇଥିଲେ ଓ ଆଖିପତାରେ ଛୁରି ଭୁଷି ଦେଇଥିଲେ। ଏହାସହ ଆଣ୍ଠୁ ତଳକୁ ପିଟି ଦୁଇ ଗୋଡ଼କୁ ଚୁନା କରିଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ପିନ୍ଧା ପୋଷାକ ଓହ୍ଲାଇ ଆଉ ଗୋଟିଏ ପୋଷାକ ମଧ୍ୟ ପିନ୍ଧାଇ ଦେଇଥିଲେ। ଏପରିକି ଜାଳିଦେବା ଲାଗି ପେଟ୍ରୋଲ ଢାଳି ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories