www.samajalive.in
Sunday, December 14, 2025
17.1 C
Bhubaneswar

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ୩ ନୂଆ ବିଚାରପତି ନିଯୁକ୍ତ

କଟକ :  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନୂଆ ବିଚାରପତି ଭାବେ ମୃଗାଙ୍କଶେଖର ସାହୁ, ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ରଙ୍କୁ ନିଯୁକ୍ତି ମିଳିଛି। ଏ ନେଇ ବୁଧବାର କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୯ ସେପ୍ଟେମ୍ବର ୨୦୨୧ରେ ସର୍ବୋଚ୍ଚ ନ୍ୟାୟାଳୟର ନୀତି ନିର୍ଦ୍ଧାରକ ସମିତି (କଲେଜିୟମ) ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତି ପାଇଁ ଆଇନଜୀବୀ ମୃଗାଙ୍କଶେଖର ସାହୁ, ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ, ଶଶିକାନ୍ତ ମିଶ୍ର ଓ ଆଦିତ୍ୟ କୁମାର ମହାପାତ୍ରଙ୍କ ନାମ ସୁପାରିସ କରିଥିଲେ। ତେବେ ଆଜି ପ୍ରକାଶିତ ବିଜ୍ଞପ୍ତିରେ ଶ୍ରୀ ସାହୁ, ଶ୍ରୀ ପଟ୍ଟନାୟକ ଓ ଶ୍ରୀ ମିଶ୍ରଙ୍କ ନାମରେ ଉଚ୍ଚ ନ୍ୟାୟାଳୟର ବିଚାରପତି ପାଇଁ ରାଷ୍ଟ୍ରପତିଙ୍କ ମୋହର ବାଜିଛି।
ଶ୍ରୀ ମୃଗାଙ୍କଶେଖର ସାହୁ ହେଉଛନ୍ତି ପ୍ରଫେସର ଡାକ୍ତର ମହେଶ୍ବର ସାହୁ ଓ ମେନକା ପାଣିଙ୍କ ପୁତ୍ର ତଥା ସ୍ବର୍ଗତ ମେଜର ଶ୍ୟାମସୁନ୍ଦର ସାହୁ ଓ ଉର୍ମିଳା ସାହୁଙ୍କ ଜାମାତା। ସେ କଟକ ରେଲୱେ ସେଟେଲମେଣ୍ଟ ସ୍କୁଲରୁ ପ୍ରାଥମିକ ଶିକ୍ଷା, ବୋର୍ଡ ହାଇସ୍କୁଲରୁ ୧୯୮୫ରେ ମାଟ୍ରିକ୍, ରେଭେନ୍ସାରୁ ଯୁକ୍ତ ତିନି ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ୧୯୯୨ରେ ସ୍ନାତକୋତ୍ତର ଶେଷ କରିଥିଲେ। ପରେ ଦିଲ୍ଲୀସ୍ଥିତ କ୍ୟାମ୍ପସ୍ ଲ’ ସେଣ୍ଟରରୁ ୧୯୯୯ରେ ଏଲଏଲ.ବି. ଡିଗ୍ରୀ ହାସଲ କରି ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ପୂର୍ବତନ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ସହଯୋଗୀ ଭାବେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ (ଏଏସସି) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏଏସସି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତି ମିଳିଥିଲା।
ଅନ୍ୟପକ୍ଷରେ ଶ୍ରୀ ଶଶିକାନ୍ତ ମିଶ୍ର ହେଉଛନ୍ତି ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ୍‌) ସ୍ବର୍ଗତ ବିମଳ କିଶୋର ମିଶ୍ର ଓ ସ୍ବର୍ଗତ କ୍ଷେତ୍ରମଣି ମିଶ୍ରଙ୍କ କନିଷ୍ଠ ପୁତ୍ର। ଭୁବନେଶ୍ବରରେ ଶିକ୍ଷା ସମାପ୍ତି ପରେ ଢେଙ୍କାନାଳ ଅାଇନ ମହାବିଦ୍ୟାଳୟରୁ ଏଲ୍‌ଏଲ୍‌ବି କରିବା ପରେ ବରିଷ୍ଠ ଆଇନଜୀବୀ ନରେନ୍ଦ୍ର ମିଶ୍ରଙ୍କ ସହଯୋଗୀ ଭାବେ ସେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ଓକିଲାତି ଆରମ୍ଭ କରିଥିଲେ। ୨୦୦୯ ମସିହାରେ ସିଧାସଳଖ ଜିଲାଜଜ୍‌ ପାହ୍ୟାରେ ନିଯୁକ୍ତି ପାଇ କେନ୍ଦୁଝର ଜିଲା ଜଜ୍‌ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ପରେ କୋରାପୁଟ ଭିଜିଲାନ୍ସ ଜଜ୍‌, ଗଞ୍ଜାମ ଜିଲା ଜଜ୍‌ ଭାବେ ସେ କାର୍ଯ୍ୟ କରିଥିଲେ। ସେହିଭଳି ରାଜ୍ୟ ଆଇନ ସଚିବ, ରାଜ୍ୟ ଆଇନ ସେବା ପ୍ରାଧୀକରଣ, ରାଜ୍ୟ ଲିଗାଲ୍‌ ସେଲ୍‌ର ସଦସ୍ୟ ସଚିବ, ରାଜ୍ୟ ବିକ୍ରିକର ପ୍ରାଧୀକରଣ ଅଧ୍ୟକ୍ଷ ଭାବେ ସୁଚାରୁ ଦାୟିତ୍ବ ସମ୍ପାଦନ କରିଥିଲେ। ସେ ତିନିଟି ପୁସ୍ତକ ‘ବୁଲା କୁକୁର’ ଓ ‘ମାଟି ମହକ’ ସହ ତାଙ୍କ ବାପାଙ୍କ ଜୀବନୀ ‘ଅବିଚଳ ବିମଳ’ ରଚନା କରିଛନ୍ତି।
ସେହିଭଳି ରାଜ୍ୟ ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଥିବା ରାଧାକୃଷ୍ଣ ପଟ୍ଟନାୟକ ୨୫ ଅକ୍ଟୋବର ୧୯୭୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ୧୯୯୯ ମସିହାରେ ସେ ସିଭିଲ୍‌ ଜଜ୍‌ ଭାବେ ନିଯୁକ୍ତି ପାଇଥିଲେ। ପରେ ସେ ଏଥିରୁ ଇସ୍ତଫା ଦେଇ କଟକ ହାଇକୋର୍ଟ ବାର୍‌ରେ ଆଇନଜୀବୀ ଭାବେ ପୁନର୍ବାର କାର୍ଯ୍ୟ କରିଥିଲେ। ୨୦୦୯ ମସିହାରେ ଜିଲା ଜଜ୍‌ ଭାବେ ନିଯୁକ୍ତି ପାଇ ପ୍ରଥମ ପୁରୀ ଓ ଅନ୍ୟାନ୍ୟ ଜିଲାରେ କାର୍ଯ୍ୟ କରିଥିଲେ। ଶେଷରେ ସେ ଖୋର୍ଦ୍ଧା ଜିଲା ଜଜ୍‌ ଭାବେ ଭୁବନେଶ୍ବରରେ କାର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର୍‌ ଜେନେରାଲ୍‌, ସେଲ୍‌ଟ୍ୟାକ୍ସ ଟ୍ରାଇବୁନାଲ୍‌ (ବିକ୍ରି କର ପ୍ରାଧିକରଣ)ର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ସମ୍ପ୍ରତି ସେ ରାଜ୍ୟ ଆଇନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ।
ଏହି ୩ ଜଣଙ୍କୁ ନିଯୁକ୍ତି ଦିଆଯିବା ଫଳରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ଏବେ ୧୬ରେ ପହଞ୍ଚିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ଉଚ୍ଚନ୍ୟାୟାଳୟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦ ୨୭ ହୋଇଥିବାବେଳେ ଏବେ ମୁଖ୍ୟ ବିଚାରପତିଙ୍କ ସମେତ ୧୩ ଜଣ ବିଚାରପତି ରହିଛନ୍ତି।
ପ୍ରକାଶ ଥାଉକି ଆଜି ରାଷ୍ଟ୍ରପତିଙ୍କ ପକ୍ଷରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସମେତ ୧୪ଜଣ ବିଚାରପତିଙ୍କୁ ତିନିଟି ଉଚ୍ଚ ନ୍ୟାୟାଳୟରେ ନିଯୁକ୍ତି ଦିଆଯାଇଛି। ସେଥିରୁ ୧୨ଜଣ ବିଚାରବିଭାଗୀୟ ଅଧିକାରୀ ଥିବାବେଳେ ଜଣେ ଆଇନଜୀବୀ ଓ ଜଣେ ଆୟକର ଆପିଲେଟ୍‌ ଟ୍ରାଇବୁନାଲ୍‌ରେ କାର୍ଯ୍ୟରତ। ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପାଇଁ ୩ଜଣ ବିଚାରପତି ନିଯୁକ୍ତ ହୋଇଥିବାବେଳେ ତେଲେଙ୍ଗାନା ପାଇଁ ୭ଜଣ ଓ କେରଳ ଉଚ୍ଚ ନ୍ୟାୟାଳୟରେ ୪ଜଣ ବିଚାରପତିଙ୍କୁ ନିଯୁକ୍ତି ମିଳିଛି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories