ଜଗନ୍ନାଥସ୍ବାମୀ ନୟନପଥଗାମୀ ଭବତୁ ମେ। ଆଜି ପବିତ୍ର ଶ୍ରୀଗୁଣ୍ଡିଚାଯାତ୍ରା। ଅନନ୍ୟ ଆମର ମହାପ୍ରଭୁ। ଅନନ୍ୟ ତାଙ୍କର ମାନବୀୟ ଲୀଳା। ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ। ରତ୍ନ ସିଂହାସନ ଛାଡ଼ି ଜନସମୁଦ୍ର ଭିତରକୁ ଆସିବେ କାଳିଆ ସାଆନ୍ତ। ରତ୍ନବେଦୀରୁ ଜନ୍ମବେଦୀ, ବାହୁଡ଼ା, ସୁନାବେଶ, ଅଧରପଣା ଓ ତା’ ପରେ ନୀଳାଦ୍ରି ବିଜେ। ବାଟରେ ମାଉସୀ ମା’ର ପୋଡ଼ପିଠା ଖାଇବେ। ନୀଳାଦ୍ରି ବିଜେ ପୂର୍ବରୁ ରସଗୋଲା ଦେଇ ମା’ ଲକ୍ଷ୍ମୀଙ୍କର ମାନ ଭଞ୍ଜନ କରିବେ। ରଥଯାତ୍ରା ଓଡ଼ିଆ ଜନଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଏବଂ ଓଡ଼ିଆ ସଭ୍ୟତା, ସଂସ୍କୃତି ଓ ପରମ୍ପରାର ସବୁଠାରୁ ବଡ ଘଟଣାକ୍ରମ।
ଜଣେ ସାଧାରଣ ଓଡ଼ିଆ ଭକ୍ତ ଭାବରେ ମହାପ୍ରଭୁଙ୍କର ଏହି ମହାନ ପରମ୍ପରାରେ ସାମିଲ ହେବାର ଖୁସିରେ ମୁଁ ଆତ୍ମବିଭୋର। ପହଣ୍ଡିବିଜେରୁ ରଥାରୂଢ ହେବା ପର୍ଯ୍ୟନ୍ତ, ଗଜପତି ମହାରାଜଙ୍କ ଛେରାପହଁରାଠାରୁ ଚାରମାଳ ଖୋଲା ହେବା ପର୍ଯ୍ୟନ୍ତ ଖୁବ୍ ନିକଟରୁ ମହାପ୍ରଭୁଙ୍କର ମହାଲୀଳା ଦେଖିବା ସହ ନିଜେ ରଥ ଟାଣିବାର ଖୁସି ମନରେ ଭକ୍ତି ଓ ସମର୍ପଣର ଭାବନା ଜାଗ୍ରତ କରୁଛି।
ଜଗତର ନାଥ ଜଗନ୍ନାଥ ଓଡ଼ିଆଙ୍କ ମଉଡମଣି, ବିଶ୍ବନିୟନ୍ତା। ଶବରରାଜା ବିଶ୍ୱାବସୁର ଭକ୍ତି ଓ ନୈବେଦ୍ୟରେ ବନ୍ଧା ଥିଲେ; କିନ୍ତୁ ସାରା ଭକ୍ତଙ୍କୁ ଦର୍ଶନ ଦେଇ ସାରା ବିଶ୍ବକୁ ଉଦ୍ଧାରିବା ପାଇଁ ନୀଳ କନ୍ଦରରେ ବିଜେ କରିଛନ୍ତି। ମନମୋହନୀୟ ଚକାଆଖିରେ ଆଖି ମିଳାଇ କୋଟିକୋଟି ଭକ୍ତଙ୍କ ଭଳି ମୋର ଭାବବିହ୍ୱଳ ହେବାର ଅନେକ ଅନୁଭୂତି ଅଛି।
ମୋ ଭଳି ଜଣେ ସାଧାରଣ ପରିବାରରୁ ଆସିଥିବା ଓଡିଆକୁ ମହାପ୍ରଭୁ ସାଢ଼େ ଚାରି କୋଟି ଓଡ଼ିଆଙ୍କ ସେବାରେ ନିୟୋଜିତ କରିବାର ସୁଯୋଗ ଦେଇଛନ୍ତି। ଯୁଗେଯୁଗେ ଓଡ଼ିଶାର ଗଜପତି ପରମ୍ପରାରେ ରାଜା ସବୁବେଳେ ଝାଡୁଦାର ଓ ସେବକ ଭାବରେ ନିଜକୁ ପ୍ରସ୍ତୁତ କରି ସେଥିରୁ ଶାନ୍ତି ଓ ଆତ୍ମସନ୍ତୋଷ ପାଇଛନ୍ତି। ମହାପ୍ରଭୁଙ୍କର ଭକ୍ତଭାବରେ ଆଜିର ଏହି ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ନିଜକୁ ରାଜ୍ୟବାସୀଙ୍କ ସେବକ ଭାବରେ ମହାପ୍ରଭୁଙ୍କୁ ସାକ୍ଷୀରଖି ନିଜକୁ ଜନସେବାରେ ସମର୍ପି ଦେବାର ଶପଥ ନେଉଛି। ମୁଁ ଜାଣିଛି ମହାପ୍ରଭୁ ଭକ୍ତର ଭଗବାନ। ଭକ୍ତର ଏହି ମିନତି ନିଶ୍ଚିତ ରକ୍ଷା କରିବେ।
ନିଜେ ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର କଳାଧଳା ଘୋଡାଚଢି କାଞ୍ଚି ବିଜୟରେ ବାହାରିଥିଲେ। ମାଣିକ ଗଉଡୁଣୀର ହାତପରଷା ଦହି ଓ ଅର୍ଥ ନଥିବା ସ୍ଥିତିରେ ରତ୍ନମୁଦି ଦେଇଯିବା ଓଡ଼ିଆଙ୍କ ଅଖଣ୍ଡ ଲୋକ ବିଶ୍ୱାସ। ଓଡ଼ିଆଙ୍କ ବିଶ୍ୱାସର ଅଦ୍ୱିତୀୟ ଦିଅଁ କଳାଠାକୁର ସାରା ଓଡ଼ିଶାବାସୀଙ୍କ ସମେତ ସାରା ବିଶ୍ୱବାସୀଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ। ଆଜିର ଏହି ଶୁଭ ଅବସରରେ ତାଙ୍କର ଆଶିଷ ପ୍ରାର୍ଥନା କରୁଛି।
ମହାପ୍ରଭୁଙ୍କୁ ଭକ୍ତିର ଅର୍ଘ୍ୟ ଅର୍ପଣ କରୁକରୁ ଆମ ମାତୃଭୂମି ପବିତ୍ର ଭାରତବର୍ଷରେ ଆମର ରାଜ୍ୟ ଓଡିଶାର ଉତ୍ପତ୍ତି ଓ ଐତିହାସିକ ପୁଷ୍ଠଭୂମିଠାରୁ ନେଇ ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ତଥା ସ୍ୱାଧୀନୋତ୍ତର ଭାରତରେ ଓଡିଶାର ବିକାଶ ଯାତ୍ରାରୁ ଅନେକ ପ୍ରେରଣାଦାୟୀ ପ୍ରସଙ୍ଗ ମନରେ ନାଚି ଉଠୁଛି। ଇତିହାସରୁ ପ୍ରେରଣା ନେଇ ଓଡ଼ିଶାକୁ ପ୍ରଗତିର ଶୀର୍ଷରେ ପହଞ୍ଚାଇବା ପାଇଁ ସାରା ଓଡ଼ିଶାକୁ ଏକ କରି ଏବଂ ନୂଆ ଅଧ୍ୟାୟ ସୃଷ୍ଟି କରିବାରେ ମହାପ୍ରଭୁ ଓଡ଼ିଆ ଜାତିର ସହାୟକ ହେବେ ମୋର ମହାପ୍ରଭୁଙ୍କ ପାଖରେ ଏତିକି ପ୍ରାର୍ଥନା।
ମହାପ୍ରଭୁ ସମନ୍ୱୟର ପ୍ରତୀକ। ସାରା ଦେଶ ଯେତେବେଳେ ସ୍ୱାଧୀନତାର ଲଢେଇ ଲଢୁଥିଲା ଠିକ୍ ସେତିକିବେଳେ ଆମ ରାଜ୍ୟ ଦୁଇଟି ଲଢେଇକୁ ଏକା ସାଙ୍ଗରେ ଓ ପରସ୍ପରର ସମନ୍ୱୟରେ ଲଢାଯାଇଥିଲା। ବ୍ରିଟିଶ ଶାସନ ସମୟରେ ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ ପାଇଁ ଆମର ନେତୃତ୍ୱ ସଂଘର୍ଷ କରୁଥିଲା। ଆଞ୍ଚଳିକବାଦର ଲଢେଇ ଭାବରେ ପରିଚିତ ଭାଷା ଆଧାରିତ ରାଜ୍ୟ ପାଇଁ ସଂଘର୍ଷ କେବେ ବି ଆମ ଦେଶର ସ୍ୱାଧୀନତା ପାଇଁ ବ୍ରିଟିଶ ସାମ୍ରାଜ୍ୟ ସହ ଲଢେଇର ନେତୃତ୍ୱ ପରସ୍ପରର ବିରୋଧାତ୍ମକ ସ୍ଥିତିକୁ ଆସିବାର କୌଣସି ଉଦାହରଣ ନାହିଁ। ପ୍ରଖର ଆଞ୍ଚଳିକତାବାଦ, ନିଜ ଭାଷା ଓ ସ୍ଥାନୀୟ ସ୍ୱତନ୍ତ୍ର ପରିଚୟ ତଥା ଅସ୍ମିତାର ଗୌରବ ସହ ମହାଭାରତୀୟ ଚିନ୍ତାଧାରାରେ ସମପରିମାଣରେ ଉଦ୍ବୁଦ୍ଧ ହୋଇ ସମାନ୍ତରାଳ ଭାବରେ ଚାଲିବାର ଉଦାହରଣ ସାରା ଦେଶ ଆଗରେ ଆମ ରାଜ୍ୟ ହିଁ ପ୍ରସ୍ତୁତ କରିଛି।
ମହିଳା ସଶକ୍ତୀକରଣ, ଜାତିବାଦରୁ ଊର୍ଦ୍ଧ୍ବରୁ ଉଠିବା ଏବଂ ସ୍ୱଚ୍ଛତାର କଥା କାହିଁ କେଉଁ ୧୫ ଶହ ଶତାବ୍ଦୀରୁ ଜଗନ୍ନାଥ ସଂସ୍କୃତି ହିଁ ବିଶ୍ୱକୁ ବାର୍ତ୍ତା ଦେଇଛି। କବି ବଳରାମ ଦାସଙ୍କ ରଚିତ ଲକ୍ଷ୍ମୀପୁରାଣ ମା ଲକ୍ଷ୍ମୀଙ୍କ ପାଖରେ ମହାପ୍ରଭୁ ଦୋଷ ସ୍ୱୀକାର କରିବା ଏବଂ କ୍ଷମା ପ୍ରାର୍ଥନା କରିବା ପ୍ରସଙ୍ଗର ଅବତାରଣା କରାଯାଇଛି। ମହାଲକ୍ଷ୍ମୀ ନିଜ ଇଚ୍ଛାରେ ବୁଲିବା ତଥା ତଥାକଥିତ ଜାତି ବିଭାଜନର ସବା ତଳେ ଥିବା ଶ୍ରୀୟାଙ୍କ ଆତିଥ୍ୟ ସ୍ବୀକାର କରି ତାଙ୍କୁ ବରଦାନ ଦେବା ସହିତ ସାମାଜିକ ବ୍ୟବସ୍ଥାରେ ଏହା ଗ୍ରହଣୀୟ ହେବା ହେଉଛି ଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚାୟକ।
ମହାପ୍ରଭୁଙ୍କ ମାନବ ସଭ୍ୟତାକୁ ମହାବାର୍ତ୍ତାର ଆଲୋଚନା ସମୟରେ ଆଜି ବି ମହାପ୍ରଭୁଙ୍କର ମହାପ୍ରସାଦରେ ସମ୍ପୂର୍ଣ୍ଣ ସ୍ୱଦେଶୀ ପଦାର୍ଥର ବ୍ୟବହାର ପରମ୍ପରା ରହିଛି। ଆଜି ବି ଆଳୁ, ଟମାଟୋ ବା ବିଲାତି ବାଇଗଣ ଆଦି ଶ୍ରୀମନ୍ଦିରରେ ବ୍ୟବହାର ହୁଏନାହିଁ। ଏହା ମାଧ୍ୟମରେ ମହାପ୍ରଭୁ ସ୍ୱଦେଶୀ ହେବାର ବାର୍ତ୍ତା ଆମମାନଙ୍କୁ ଦେଇଛନ୍ତି ବୋଲି କ’ଣ କହି ହେବ ନାହିଁ ? ଯଦି ଆମ ମହାପ୍ରଭୁଙ୍କ ସେବାରେ କୌଣସି ବିଦେଶୀ ବସ୍ତୁ ଓ ସାମଗ୍ରୀ ଲାଗୁ ନାହିଁ ତେବେ ଆମେ ଆମ ଅଞ୍ଚଳ, ରାଜ୍ୟ ଓ ଦେଶର ପ୍ରସ୍ତୁତ ସାମଗ୍ରୀ ବ୍ୟବହାର କରି ଆମର ସ୍ଥାନୀୟ ଅର୍ଥନୀତିକୁ ମଜଭୁତ କରିବାରେ କ’ଣ ସହାୟକ ହୋଇପାରିବା ନାହିଁ ?
ଏକାଦଶ-ଦ୍ୱାଦଶ ଶତାବ୍ଦୀରେ ଉତ୍କଳୀୟ କଳା ଭାସ୍କର୍ଯ୍ୟରେ ନିର୍ମିତ ଆଜିର ଆମର ଏହି ଶ୍ରୀମନ୍ଦିର ଆଜି ବି ଢାଞ୍ଚାଗତ ଦୃଷ୍ଟିରୁ ଦୃଢ ଭାବେ ସଗର୍ବ ପ୍ରଭୁଙ୍କୁ ନେଇ ଦଣ୍ଡାୟମାନ। ବିଶେଷଜ୍ଞମାନେ ଯେତେବେଳେ ଶ୍ରୀମନ୍ଦିରର ସ୍ଥାୟିତ୍ୱ ଓ ସୁରକ୍ଷାକୁ ନେଇ ସ୍ଥିତିକୁ ଆକଳନ କରୁଛନ୍ତି ୮୦୦-୯୦୦ ବର୍ଷର ପୁରୁଣା ଏହି ମନ୍ଦିରର ସ୍ଥାପତ୍ୟରେ ଆଶ୍ଚର୍ଯ୍ୟାନ୍ୱିତ ହେଉଛନ୍ତି। ହଜାର ବର୍ଷ ପୂର୍ବେ ଏହି ଜାତିର ନିର୍ମାଣ କ୍ଷେତ୍ରରେ ଥିବା ବୈଜ୍ଞାନିକ ଆଧାରର ଏହା ପ୍ରମାଣ ନୁହେଁ ତ ଆଉ କ’ଣ?
ଏହି ଜାତିର ଯୁବପିଢି ଦିନେ ସାଧବ ପୁଅ ନାଁରେ ପୂରା ଦକ୍ଷିଣ-ପୁର୍ବ ଏସିଆ ଦେଶ ସମୂହରେ ବେପାର ବଣିଜ କରି ଆମ ରାଜ୍ୟକୁ ଧନଧାନ୍ୟରେ ପୂର୍ଣ୍ଣ କରିଥିଲା। ଏ ସବୁର ଐତିହାସିକ ପୃଷ୍ଠଭୂମି ଉପରେ ଠିଆହୋଇ ଆମେ ଆତ୍ମବିଶ୍ୱାସର ସହ ପୁଣିଥରେ ବିଶ୍ୱବିଜୟ ପାଇଁ ବାହାରିବାର ସମୟ ଆସିଛି। ଆମ ଲକ୍ଷ୍ୟ ସାଧନ ପାଇଁ ଦୃଢ ସଂକଳ୍ପର ସହ ଆଗେଇ ଚାଲିବାର ବେଳ ଆସିଛି।
କେତେ ଦିନ ଆମେ ଅନ୍ୟ ଉପରେ ଦୋଷ ଦେଇ ଆମ ଦାୟିତ୍ୱରୁ ମୁହଁ ଲୁଚାଇବା। ଆମେ ପିଲାଦିନୁ ଶୁଣି ଆସୁଛୁ ଆମ ରାଜ୍ୟ ପ୍ରାଚୁର୍ଯ୍ୟରେ ଭରପୂର; ମାତ୍ର ଆମ ରାଜ୍ୟର ଜନତା ଗରିବ। ରାଜ୍ୟ ଧନୀ କିନ୍ତୁ ଜନତା ଗରିବ। ଆମ ମହାପ୍ରଭୁ ଆମକୁ ଅମାପ ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଙ୍ଗଲ ସମ୍ପଦ, ଜଳସମ୍ପଦ, ପରିଶ୍ରମୀ ଏବଂ ବୁଦ୍ଧିମାନ ମାନବ ସମ୍ବଳ ଦେଇଛନ୍ତି।
ଆମର ଅମାପ ସମ୍ପଦ ଆମକୁ ଗରିବୀରୁ ବାହାର କରି ଖାଲି ଭାରତରେ ନୁହେଁ ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଗୋଟିଏ ଆଗୁଆ ଭୂଖଣ୍ଡ ଭାବରେ ଗଢି ତୋଳିବାର ସମ୍ଭାବନା ଓ ସୁଯୋଗ ସୃଷ୍ଟି କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେବଳ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନନ୍ୟ ଭକ୍ତ ନୁହନ୍ତି; ତାଙ୍କର ପୂର୍ବୋଦୟର ପରିକଳ୍ପନାର ଓଡ଼ିଶା ହେଉଛି କେନ୍ଦ୍ରବିନ୍ଦୁ। ବିକାଶର ଅନେକ ମାପଦଣ୍ଡରେ ଆମ ରାଜ୍ୟ ଓଡ଼ିଶା ଦେଶର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ପଛରେ ଥାଇପାରେ। ମାତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆମ ରାଜ୍ୟରେ ଯେତିକି ସମ୍ଭାବନା ଓ ସୁଯୋଗ ଦେଇଛନ୍ତି ତାହା ଆମ କାହା ପାଖରେ ନାହିଁ।
ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ମହିଳା, କୃଷକ, ଯୁବକ ଓ ଗରିବଙ୍କ ଦ୍ରୁତ ବିକାଶ ପାଇଁ ସମୟବଦ୍ଧ ଭାବରେ ଯୋଜନା କାର୍ଯ୍ୟକାରୀ କରି ସେମାନଙ୍କ ଜୀବନ ମାନରେ ତୁରନ୍ତ ପରିବର୍ତ୍ତନ ଆଣିବା ପାଇଁ ମୁଁ ମୋ ସରକାରର ସଂକଳ୍ପ ଦୋହରାଉଛି। ଆଦିବାସୀ, ଦଳିତ, ଅନ୍ୟାନ୍ୟ ପଛୁଆବର୍ଗ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳର ବାସିନ୍ଦା ଆମ ଶାସନ ବ୍ୟବସ୍ଥାରେ ବିକାଶର ପ୍ରଥମ ହକ୍ଦାର। ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଆମ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର।
‘ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ’। ଆଜିର ରଥାରୂଢ ମହାବାହୁଙ୍କୁ ଦର୍ଶନ କରି ସମସ୍ତେ ପାପମୁକ୍ତ ହୋଇ ଯାଆନ୍ତୁ। ଆଜି ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁଙ୍କ ଠାରେ ଏହି ପ୍ରାର୍ଥନା ଭିକ୍ଷା କରୁଛି। ଓଡ଼ିଆ ଜାତିକୁ ପୁଣି ଥରେ ତା’ର ହୃତ ଗୌରବ ଫେରାଇ ଆଣିବା ପାଇଁ ନୂଆପିଢି ମନରେ ଉତ୍ସାହ, ସଂଘର୍ଷ ଓ ସଫଳ ହେବାର ଜିଦ୍ ଭରି ଦିଅନ୍ତୁ ଆଜିର ଏ ପବିତ୍ର ଦିନରେ ଏତିକି ପ୍ରାର୍ଥନା।



