କୁନ୍ଦୁଜ(ଆଫଗାନିସ୍ତାନ) : ଆମେରିକା ସହ ଚୁକ୍ତି ହେବା ପରେ ମଧ୍ୟ ଆଫଗାନିସ୍ତାନରେ ହିଂସା କମିବାର ନାମ ନେଉନାହିଁ। ଆଫଗାନିସ୍ତାନରେ ସୋମବାର ଆତଙ୍କୀ ସଂଗଠନ ତାଲିବାନ ଆକ୍ରମଣରେ ୨୩ ଜଣ ଯବାନ୍ ସହିଦ୍ ହୋଇଥିବା ବେଳେ ୯ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି।
ଆଫଗାନିସ୍ତାନରେ ହିଂସାକାଣ୍ଡ ରୋକିବା ଲାଗି ତାଲିବାନ ସହ ଆମେରିକା ଶାନ୍ତିଚୁକ୍ତି କରିଥିବା ବେଳେ ଏହାକୁ ପୁଣିଥରେ ବେଖାତିର କରାଯାଇଛି। ସେହିଭଳି ଗତକାଲି ରବିବାର ବିଳମ୍ବିତରାତ୍ରିରେ ଆଫଗାନିସ୍ତାନର ଉରୁଜଗାନ୍ ପ୍ରଦେଶର ରାଜଧାନୀ ତ୍ରିଙ୍କୋଟରେ ତାଲିବାନ ଆକ୍ରମଣରେ ୫ଜଣ ପୁଲିସ କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ପୁଲିସ ଆହତ ହୋଇଥିଲେ।
ଉଲ୍ଲେଖ ଯୋଗ୍ୟ, ଦୋହାରେ ଫେବୃୟାରୀ ୨୯ରେ ଆମେରିକା- ତାଲିବାନ୍ ଶାନ୍ତିଚୁକ୍ତି ହୋଇଥିଲା। ୫ ହଜାର ତାଲିବାନ୍ ଯୋଦ୍ଧା ଜେଲରୁ ମୁକୁଳିବା ପରେ ଆଫଗାନ୍ ସହ ଆଲୋଚନା କରାଯାଇଥାନ୍ତା। ହେଲେ ତାଲିବାନ୍ ବନ୍ଦୀଙ୍କ ମୁକ୍ତିରେ ବିଳମ୍ବ ଯୋଗୁ ଏପର୍ଯ୍ୟନ୍ତ ଆଲୋଚନା ସମ୍ଭବ ହୋଇପାରି ନାହିଁ। ତାଲିବାନ୍ମାନେ ପୁଣି ସେମାନଙ୍କ ରୂପ ଦେଖାଇବା ଆରମ୍ଭ କରିଛନ୍ତି।



