ସମୁଦ୍ର ଆଁରେ ୧୬ ଗାଁ
ବଢ଼ୁଛି ବଙ୍ଗୋସାଗର ଜଳପତ୍ତନ
ଆଗାମୀ ୧୦୦ ବର୍ଷରେ ଜଳ ପତ୍ତନ ୨ ଫୁଟ ବଢ଼ିବ ! ୨୬୭ କି.ମି ଉପକୂଳ ପ୍ରଭାବିତ
ଭୁବନେଶ୍ୱର : ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଓଡ଼ିଶା ଉପକୂଳ ଅଞ୍ଚଳ ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି। ପ୍ରତିବର୍ଷ ବାତ୍ୟା ବିପର୍ଯ୍ୟୟ ସୃଷ୍ଟି ହେବା ସହିତ ଉପକୂଳ ଅଞ୍ଚଳର ଅବକ୍ଷୟ ଘଟୁଛି। ଏଥିସହିତ ସମୁଦ୍ରର ଜଳପତ୍ତନ ବଢ଼ୁଛି। ଏକ ତଥ୍ୟ ଅନୁଯାୟୀ ବିଗତ ୫୦ ବର୍ଷ ମଧ୍ୟରେ ଉପକୂଳ ଅଞ୍ଚଳରେ ସମୁଦ୍ର ଜଳପତ୍ତନ ପ୍ରାୟ ୧୧ ସେଣ୍ଟିମିଟର ବୃଦ୍ଧି ପାଇଛି। ଅନ୍ୟ ଏକ ତଥ୍ୟ ଅନୁଯାୟୀ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ତଟରେ ଥିବା ବଙ୍ଗୋପସାଗର ଜଳପତ୍ତନ ବିଗତ ୧୮ହଜାର ବର୍ଷ ମଧ୍ୟରେ ପାଖାପାଖି ୧୦୦ ମିଟର ବୃଦ୍ଧିପାଇଛି। ଆଗାମୀ ୧୦୦ ବର୍ଷ ମଧ୍ୟରେ ସମୁଦ୍ର ଜଳପତ୍ତନ ପାଖାପାଖି ୨ ଫୁଟ ବଢ଼ିବା ନେଇ କେତେକ ଗବେଷଣା ତଥ୍ୟରେ ଆକଳନ କରାଯାଇଛି। ଜଳପତ୍ତନ ବୃଦ୍ଧି ସହିତ ମାତ୍ରାଧିକ ପାଗ ପରିସ୍ଥିତି ଏବଂ ବାତ୍ୟା ଆଦି କାରଣରୁ ସମୁଦ୍ରରେ ଉଚ୍ଚ ଜୁଆର ଆସି କୂଳ କ୍ଷୟ ହେବାରେ ଲାଗିଛି। ସମୁଦ୍ର ଉପକୂଳ ଅଞ୍ଚଳରେ ପୂର୍ବରୁ ଥିବା ପ୍ରାକୃତିକ ଲୁଣା ଜଙ୍ଗଲକୁ ନଷ୍ଟ କରାଯାଇ ସେଠାରେ ଚିଙ୍ଗୁଡି ଘେରି ନିର୍ମାଣ କରାଯିବା, କୋଠାବାଡି ଓ ରାସ୍ତା ନିର୍ମାଣ ଭଳି କାର୍ଯ୍ୟ କରାଯାଉଥିବାରୁ ତାହାର ଗୁରୁତର ପ୍ରତିକୂଳ ପ୍ରଭାବ ଉପକୂଳ ସୀମାରେଖାରେ ପଡୁଛି। ଏହି କାରଣରୁ ଓଡ଼ିଶାର ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଆଦି ଉପକୂଳବର୍ତ୍ତୀ ଜିଲା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛି। ସରକାରୀ ତଥ୍ୟ ଅନୁଯାୟୀ ସମୁଦ୍ର ଉପକୂଳ ଅବକ୍ଷୟ ଯୋଗୁ ଓଡ଼ିଶାର ୧୬ ଗାଁ ବଙ୍ଗୋପସାଗରରେ ଲୀନ ହୋଇସାରିଲାଣି। ଆଗକୁ ଏହି ସଂଖ୍ୟା ଯଥେଷ୍ଟ ବୃଦ୍ଧିପାଇବା ଆଶଙ୍କା ରହିଛି। ଓଡ଼ିଶାର ଦୀର୍ଘ ୪୮୦ କିଲୋମିଟର ସାମୁଦ୍ରିକ ଉପକୂଳ ରେଖା ମଧ୍ୟରୁ ପାଖାପାଖି ୨୬୭ କିଲୋମିଟର ଉପକୂଳ ରେଖା ସାମୁଦ୍ରିକ ବିପର୍ଯ୍ୟୟ କାରଣରୁ ଅବକ୍ଷୟ ଘଟିଛି ଅଥବା ସେଠାରେ ବାଲିଚଢ଼ା ସୃଷ୍ଟି ହୋଇଛି। ଏଥିସହିତ ଗତ ପ୍ରାୟ ୧୨ ବର୍ଷ ମଧ୍ୟରେ ରାଜ୍ୟ ୧୬ଟି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି, ଯେଉଁଥିରେ ୧୦ଟି ଭୟଙ୍କର ବାତ୍ୟା ରହିଛି।
ପ୍ରୟୋଗାତ୍ମକ ପରିବେଶ ଏବଂ ପାରିବେଶିକ ଗବେଷଣା ପତ୍ରରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁମଣ୍ଡଳର ଉତ୍ତାପ ବୃଦ୍ଧି କାରଣରୁ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ସାତଭାୟା ଅଞ୍ଚଳ, ବାଲେଶ୍ୱର ଜିଲାରେ ବୁଢ଼ାବଳଙ୍ଗ ଉତ୍ତର ପାର୍ଶ୍ବରେ ଥିବା ତଳସାରୀ, ଉଦୟପୁର, ଜଗତସିଂହପୁର ଜିଲାର ପାରାଦ୍ୱୀପ ବନ୍ଦର ଅଞ୍ଚଳ, ପୁରୀ ବେଳାଭୂମି ଅଞ୍ଚଳ, ଗଞ୍ଜାମ ଜିଲାର ଗୋପାଳପୁର ବନ୍ଦର ଉତ୍ତର ଭାଗ ଏବଂ ବାହୁଦା ନଦୀର ଉତ୍ତର ପାର୍ଶ୍ବରେ ଥିବା ଉପକୂଳ ଅଞ୍ଚଳ ଅବକ୍ଷୟ ହେବା ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଉପକୂଳ ଅଞ୍ଚଳର ୧୬ଟି ଗ୍ରାମ ସମୁଦ୍ର ବକ୍ଷରେ ଲୀନ ହୋଇସାରିଥିବା ବେଳେ ଆଉକିଛି ଗ୍ରାମ ଅନୁରୂପ ଦଶା ଭୋଗିବା ଆଶଙ୍କା ରହିଛି। ଏଭଳି ବିପର୍ଯ୍ୟୟର ମୁକାବିଲା କରିବା ସକାଶେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବରେ ଏକ ଜଳବାୟୁ ପରିବର୍ତ୍ତନ କ୍ରିୟାନ୍ୱୟନ ଯୋଜନା ପ୍ରସ୍ତୁତ କରିଥିଲା, ଯାହା ଅଧୀନରେ ସରକାରଙ୍କ ବିଭିନ୍ନ ୧୧ଟି ବିଭାଗ ସମନ୍ୱୟରେ ଏକ ବିପର୍ଯ୍ୟୟ ପ୍ରଶମନ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା। ଏଥିମଧ୍ୟରେ ବିଜ୍ଞାନସମ୍ମତ ପଦ୍ଧତିରେ ନୂତନ ଜଙ୍ଗଲ ସୃଷ୍ଟି ସହିତ କୃଷି କ୍ଷେତ୍ରରେ ଜଳ ବ୍ୟବହାର ପରିମାଣ ହ୍ରାସ କରିବା ଏବଂ କୋଠାବାଡି ନିର୍ମାଣ ନିୟମରେ ପରିବର୍ତ୍ତନ ଆଦି ଅନ୍ୟତମ। ତାହାସହିତ ବର୍ଷାଜଳ ଅମଳ, ଶିଳ୍ପାଞ୍ଚଳର ଖାଲିସ୍ଥାନରେ ସବୁଜ ବଳୟ ସୃଷ୍ଟିକରିବା, ପ୍ରଦୂଷଣ ସ୍ତର ହ୍ରାସ କରିବା ଏବଂ ରାଜ୍ୟର ସମସ୍ତ ଅଞ୍ଚଳରେ ଗଣ ପରିବହନ ବ୍ୟବସ୍ଥାକୁ ସୁସଂହତ କରିବା ଆଦି ଅନ୍ତର୍ଭୁକ୍ତ। ଜିଓସ୍ପାଟିଆଲ୍ ସାଧନ ଏବଂ ପରିସଂଖ୍ୟାନ କୌଶଳକୁ ଉପଯୋଗ କରି ରାଜ୍ୟର ଉପକୂଳ ଅଞ୍ଚଳ ଅବକ୍ଷୟ ପ୍ରତି ଭବିଷ୍ୟତରେ ଦେଖାଦେବାକୁ ଥିବା ସମ୍ଭାବ୍ୟ ଆପଦ ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା। ସେଥିରୁ ଜଣାଯାଇଛି ଯେ ୨୦୫୦ ସୁଦ୍ଧା ଓଡ଼ିଶା ଉପକୂଳରେ ୪୮୦ କିଲୋମିଟର ସାମୁଦ୍ରିକ ରେଖା ମଧ୍ୟରୁ ପ୍ରାୟ ୫୫.୮୫%ରେ ବାଲି, ପଟୁ ଆଦି ଜମାହେବା ଏବଂ ଅବଶିଷ୍ଟ ୪୪.୧୫% ଅଞ୍ଚଳରେ ନିରନ୍ତର ଅବକ୍ଷୟ ଘଟିବା ସମ୍ଭାବନା ରହିଛି। ଉପକୂଳରେ ବାଲିଚଢା ସୃଷ୍ଟି ହେଉ ଅଥବା ଅବକ୍ଷୟ, ଉଭୟ ଉପକୂଳ ଅଞ୍ଚଳ ପାଇଁ ବିପର୍ଯ୍ୟୟ ସୃଷ୍ଟି କରିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ଏସିଆର ସର୍ବବୃହତ ଲବଣାକ୍ତ ହ୍ରଦ ଚିଲିକା ଓ ବଙ୍ଗୋପସାଗରକୁ ଏହାର ସଂଯୋଗ ସ୍ଥଳରେ କେଉଁବର୍ଷ ବାଲିଚଢା ସୃଷ୍ଟି ହେଉଛି ତ କେଉଁଠାରେ ନୂଆ ମୁହାଣ ଖୋଲିଯାଉଛି। ଏହା ଉକ୍ତ ଅଞ୍ଚଳର ଅଧିବାସୀଙ୍କର ସାମାଜିକ-ଅର୍ଥନୈତିକ ସ୍ଥିତି ଉପରେ ପ୍ରଭାବ ପକାଉଛି।
ଗତ କିଛିବର୍ଷ ଧରି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଓଡ଼ିଶା ମାତ୍ରାଧିକ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି। ଏହା ସାମୁଦ୍ରିକ ଝଡ ଓ ବନ୍ୟା ପରିସ୍ଥିତିର ସାମ୍ନା କରିବା ସହିତ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଛି। ଓଡ଼ିଶା ମହାକାଶ ପ୍ରୟୋଗ କେନ୍ଦ୍ର (ଓର୍ସାକ୍ସ) ପକ୍ଷରୁ କିଛିବର୍ଷ ତଳେ ଉପଗ୍ରହ ଚିତ୍ର ଆଧାରରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ ରାଜ୍ୟର ଉପକୂଳ ଅଞ୍ଚଳ ପ୍ରାୟ ୩୫୫୫ ବର୍ଗ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ। ସେଥିମଧ୍ୟରୁ ଉପକୂଳବର୍ତ୍ତୀ ୬ଟି ଜିଲାରେ ୨୪୮୯ ହେକ୍ଟର ଜମି ଅବକ୍ଷୟର ଶିକାର ହେଉଥିବାବେଳେ ୧୫୮୨ ହେକ୍ଟର ଉପକୂଳ ଅଞ୍ଚଳରେ ବାଲି, ପଟୁ ଆଦି ଜମା ହୋଇଛି। ସେଥିପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଉପକୂଳ ରେଖା ପରିଚାଳନା ଯୋଜନା କାର୍ଯ୍ୟକାରୀ କରାଯାଉଛି। କିଛି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ସମସ୍ୟାର ତୁରନ୍ତ ଏବଂ ନିର୍ଦିଷ୍ଟ ସମାଧାନ ସମ୍ଭବ ନୁହେଁ। କିନ୍ତୁ ଦୀର୍ଘକାଳୀନ ମୁକାବିଲା ପ୍ରୟାସ ଦ୍ୱାରା କେବଳ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇପାରିବ। ଇତିମଧ୍ୟରେ ଗୋଆସ୍ଥିତ ମେରୁ ଅଞ୍ଚଳ ଓ ସାମୁଦ୍ରିକ ଗବେଷଣା ରାଷ୍ଟ୍ରୀୟ କେନ୍ଦ୍ରର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନରୁ ଜଣାଯାଇଛି ଯେ ଗତ ୧୮ ହଜାର ବର୍ଷ ମଧ୍ୟରେ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ବଙ୍ଗୋପସାଗର ଜଳପତ୍ତନ ପ୍ରାୟ ୧୦୦ ମିଟର ବୃଦ୍ଧିପାଇଛି; କିନ୍ତୁ କେଉଁଠାରେ ଉପକୂଳ ଅବକ୍ଷୟ ଏବଂ ଅନ୍ୟ କେଉଁଠି ବାଲି, ପଟୁ ଆଦି ଗଦାହେବା କାରଣରୁ ତାହା ସର୍ବସାଧାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନାହିଁ। ଏଥିରେ କୁହାଯାଇଛି, ଗତ ୭ହଜାର ବର୍ଷ ଧରି ଏଥିରେ ନିୟମିତ ବୃଦ୍ଧିଘଟି ତାହା ସାମ୍ପ୍ରତିକ ସ୍ତରରେ ପହଞ୍ଚିଛି। ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି କାରଣରୁ ମେରୁ ଅଞ୍ଚଳର ବରଫଖଣ୍ଡ ତରଳି ସମୁଦ୍ର ଜଳପତ୍ତନ ବୃଦ୍ଧିପାଉଛି। ସେହି ପ୍ରକ୍ରିୟା ଏବେ ଦ୍ରୁତତର ହେଉଛି। ଅନୁରୂପ ଭାବରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଗଠିତ ଆନ୍ତଃସରକାରୀ ମଣ୍ଡଳୀର ଅନୁଧ୍ୟାନ ଅନୁଯାୟୀ ଆଗାମୀ ୧୦୦ ବର୍ଷ ମଧ୍ୟରେ ବଙ୍ଗୋପସାଗର ଜଳପତ୍ତନ ପ୍ରାୟ ୧.୭୭ରୁ ୨ ଫୁଟ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏହି ପ୍ରକ୍ରିୟା ଜାରି ରହିଲେ ଆଗାମୀ କିଛିବର୍ଷ ମଧ୍ୟରେ କେବଳ ଓଡ଼ିଶା ନୁହେଁ, ବିଶ୍ୱର ଅନେକ ରାଷ୍ଟ୍ରରେ ଉପକୂଳବର୍ତ୍ତୀ ଅଞ୍ଚଳ ଜଳପ୍ଲାବିତ ହେବ।
Comments are closed.