କରୋନା ପ୍ରଭାବ: ୧୦ କୋଟି ବେରୋଜଗାର, ଦାୟୀ କିଏ?
ଭୁବନେଶ୍ୱର(ମହେଶ ଶର୍ମା): ଦେଶର ଅର୍ଥ ବ୍ୟବସ୍ଥା ଉପରେ ନଜର ରଖୁଥିବା ସଙ୍ଗଠନ ସେଣ୍ଟର ଫର୍ ମନିଟରିଂ ଇକୋନୋମୀର ତାଜା ରିପୋର୍ଟ ଅନୁସାରେ, ଦେଶରେ ୧୦ କୋଟିରୁ ଊର୍ଦ୍ଧ୍ବ ବେରୋଜଗାର ଅଛନ୍ତି। ଏହି ପ୍ରସଙ୍ଗ ଜାତୀୟ ଆଲୋଚନା ପରିସରଭୁକ୍ତ ନୁହେଁ। ବେରୋଜଗାରଙ୍କ ମଧ୍ୟରୁ ଅଧିକାଂଶ ଲକ୍ଡାଉନ ସମୟରେ ହିଁ ନିଜ ଚାକିରୀ ହରାଇଛନ୍ତି। ଶ୍ରମିକଙ୍କ ବ୍ୟତୀତ ଅନେକ ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମଧ୍ୟ ଚାକିରୀ ହରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତ କିଛିଦିନ ପୂର୍ବରୁ ବେରୋଜଗାରଙ୍କ ସଂଖ୍ୟା ୧୨ କୋଟି ଥିଲା। କିନ୍ତୁ କୁହାଯାଉଛି ଯେ, ପ୍ରାୟ ୨ କୋଟି ଲୋକ ନିଜ କର୍ମକ୍ଷେତ୍ରକୁ ଫେରି ସାରିଛନ୍ତି। ତେବେ ଏହାକୁ କେବଳ ଉଡା଼ ଖବର କହିଲେ ଅତ୍ୟୁକ୍ତି ହେବନାହିଁ, କାରଣ ସରକାରଙ୍କ ପାଖରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯାହା ଏହି ସଂଖ୍ୟା ସଠିକ୍ ବୋଲି ପ୍ରମାଣ ଦେଇପାରିବ।
କରୋନା ସଙ୍କଟ କାରଣରୁ ହୋଇଥିବା ଲକ୍ଡାଉନ ଯୋଗୁଁ ରୋଜଗାର ହରାଇଥିବା ଲୋକମାନଙ୍କୁ ଆମେରିକାର ଟ୍ରମ୍ପ ସରକାର ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। କିନ୍ତୁ ଭାରତରେ ଆର୍ଥିକ ସହାୟତା ତ ଦୂରର କଥା ଏପରି କୌଣସି ବ୍ୟବସ୍ଥା ହିଁ ନାହିଁ ଯାହାଦ୍ୱାରା ବେରୋଜଗାରମାନଙ୍କ ପ୍ରକୃତ ସଂଖ୍ୟା ସାମ୍ନାକୁ ଆସିପାରିବ। ବିଶେଷ କଥା ହେଉଛି ଦେଶର ୪୦ କୋଟିରୁ ଊର୍ଦ୍ଧ୍ବ ଲୋକଙ୍କୁ ଅସଙ୍ଗଠିତ କ୍ଷେତ୍ର ନିଯୁକ୍ତି ଦେଉଛି। ସମ୍ପୂର୍ଣ୍ଣ ରୋଜଗାରୀଙ୍କ ୯୦ ପ୍ରତିଶତରୁ ଅଧିକ ଏହି ଅସଙ୍ଗଠିତ କ୍ଷେତ୍ରରେ ହିଁ ରୋଜଗାର ପାଉଛନ୍ତି।
ନିକଟରେ ସିଏମଆଇଇ(ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମୀ) ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ଅନୁସାରେ, ମେ ୩୧ରେ ଶେଷ ହୋଇଥିବା ସପ୍ତାହରେ ଦେଶରେ ବୋରୋଜଗାରୀ ହାର ୨୩.୪୮ ପ୍ରତିଶତ ହୋଇଛି। ତେବେ ଏପ୍ରିଲରେ ଏହା ୨୩.୫୨ ପ୍ରତିଶତ ଥିଲା, ଯାହାକି କିଛି ମାତ୍ରାରେ କିମିଛି। କିନ୍ତୁ ଏହାକୁ ଭଲ ଖବର ବୋଲି କୁହାଯାଇ ପାରିବ ନାହିଁ।
ରିପୋର୍ଟ ଅନୁସାରେ, ୨୪ ମେ’ରେ ଶେଷ ହୋଇଥିବା ସପ୍ତାହରେ ଶ୍ରମ ଭାଗିଦାରୀ ହାର ୩୮.୭ ପ୍ରତିଶତ ଥିଲା। ପୂର୍ବବର୍ତ୍ତୀ ସପ୍ତାହରେ ଏହା ୩୮.୮ ପ୍ରତିଶତରୁ କମ୍ ଥିଲା। ଶ୍ରମିକ ଭାଗିଦାରୀ ହାରରେ ଏହି ପତନ ତିନି ସପ୍ତାହର ନିରନ୍ତର ବୃଦ୍ଧି ପରେ ଆସିଛି। ଲକ୍ଡାଉନ ସମୟରେ ବେ ରୋଜଗାରୀ ହାର ପ୍ରାୟ ୨୪ ପ୍ରତିଶତ ସ୍ଥିର ରହିଛି। ବେରୋଜଗାରୀ ହାର ମାର୍ଚ୍ଚରେ ୮.୮ ପ୍ରତିଶତରୁ ବଢି ଏପ୍ରିଲରେ ୨୩.୫ ପ୍ରତିଶତ ହୋଇଥିଲା। ସହର ଓ ଗ୍ରାମୀଣ କ୍ଷେତ୍ରରେ ଲଗାତର ବେରୋଜଗାରୀ ହାର ବୃଦ୍ଧି ପାଉଛି।
ସିଏମଆଇଇର ଅନୁମାନ ମୁତାବକ, ୨୫ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଲକ୍ଡାଉନ କାରଣରୁ ଦେଶର ୧୨୨ ମିଲିୟନ(ପ୍ରାୟ ୧୨.୨୦ କୋଟି) ଲୋକ ଚାକିରୀ ହରାଇଛନ୍ତି। ମେ’ ମାସରେ ସପ୍ତାହେ ପରେ ଶ୍ରମ ଭାଗିଦାରୀ ହାର ବୃଦ୍ଧି ପାଉଛି, ୧୭ ମେ’ରେ ଶେଷ ହୋଇଥିବା ସପ୍ତାହରେ ଏହା ୩୮ ପ୍ରତିଶତ ଥିଲା।
Comments are closed.