ଫିଟିପାରୁନି ଅନ୍ଧାରୀମୂଲକ କଣ୍ଡରା,କାଚପାଜୁକୁ ରାସ୍ତା
ପଂହଚିପାରୁନି ସରକାରୀ ଯୋଜନା,ମିଳୁନି ମୌଳିକ ସୁବିଧା ; ସ୍ଥାୟୀ ରାସ୍ତା ଦାବୀରେ ୫ଟି ଗାଁ ଲୋକଙ୍କ ଭୋଟ ବର୍ଜ୍ଜନ ନିଷ୍ପତି
ହରଭଙ୍ଗା; (ପ୍ରିତୀରଞ୍ଜନ ଦାସ)- ସ୍ୱାଧିନତାର ବହୁ ବର୍ଷ ବିତିଯାଇଛି। ହରିଜନ /ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି। ଏହା ସତ୍ୱେ ଅନ୍ଧାରୀମୂଲକ ଦୁର୍ଗମ ଅଂଚଳ ଗାଁ ଲୋକଙ୍କ ପାଇଁ ଆଜି ବି ପାଦଚଲା ରାସ୍ତା ଭଳି ସର୍ବନିମ୍ନ ମୌଳିକ ସୁବିଧା ଅପହଂଚ ହୋଇ ରହିଛି। ରାସ୍ତା ଖଣ୍ଡିଏ ନଥିବାରୁ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ଉପାନ୍ତ ଅଂଚଳଭାବେ ଜଣାଶୁଣା କଣ୍ଡରା,କାଚପାଜୁ ,ବାଙ୍କପାଜୁ,ସୁଲକେଟି ଏବଂ ସାରୁପଦର ଭଳି ହରିଜନ/ଆଦିବାସୀ ବହୁଳ ଗାଁ ଲୋକଙ୍କ ସଂଘର୍ଷମୟ କାହାଣୀ ଅନ୍ଧାରୀମୁଲକର ବିକାଶ ଚିତ୍ରକୁ ପଦାରେ ପକାଇଛି। ପ୍ରକାଶ ଯେ ଜିଲ୍ଲା ସଦରମହକୁମାଠାରୁ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟରାଜପଥରେ ୪୮କିଲୋମିଟର ଦୂର ଗଲେ ପଡେ ଆଡେଣିଗଡ ପଂଚାୟତ। ଏହି ପଂଚାୟତ ସଦରମହକୁମାଠାରୁ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲ,ଗାଞ୍ଜି ବାଡା,ଭାଲୁମୁଣ୍ଡିଆ,ଧନୁଗାଢା ଭଳି ଚାରି,ପାଂଚଟି ପାହାଡ,ଜଙ୍ଗଲ ଦେଇ କେନ୍ଦୁଘାଟି,ପାଂଚଟଙ୍କିଆ ଘାଟି,ଏସ.ଗୋଲେଇ,ବସାଙ୍ଗୀ ଭଳି ସାତଗୋଟି ଘାଟି ରାସ୍ତା ଅତିକ୍ରମ କରି ୧୦କିଲୋମିଟର ପାହାଡ ଉପରେ ରହିଛି କଣ୍ଡରା.କାଚପାଜୁ,ବାଙ୍କପାଜୁ,ସୁଲକେଟି ଏବଂ ସାରୁପଦର ଗାଁ। ଆଡେଣିଗଡ ପଂଚାୟତର ୧୩ନଂ ଓାର୍ଡରେ କଣ୍ଡରା ଏବଂ ସାରୁପଦର ଭଳି ଦୁଇଟି ହରିଜନ/ଆଦିବାସୀ ବହୁଳ ଗାଁ ରହିଛି। ସେହିପରି ପଂଚାୟତର ୭ନଂ ଓାର୍ଡ ଅର୍ନ୍ତଗତ କାଚପାଜୁ,ବାଙ୍କପାଜୁ ଏବଂ ସୁଲକେଟି ଭଳି ତିନୋଟି ହରିଜନ/ଆଦିବାସୀ ବହୁଳ ଗାଁ ରହିଛି।୧୩ନଂ ଓାର୍ଡରେ କଣ୍ଡରା ଓ ସାରୁପଦର ଭଳି ଦୁଇଟି ଗାଁରେ ୫୦ରୁ ଅଧିକ ହରିଜନ/ଆଦିବାସୀ ପରିବାରରେ ୨ଶହରୁ ଅଧିକ ଭୋଟର ରହିଛନ୍ତି।ସେପରି ୭ନଂ ଓାର୍ଡରେ କାଚପାଜୁ,ବାଙ୍କପାଜୁ ଓ ସୁଲକେଟି ଭଳି ତିନୋଟି ଗାଁରେ ଶହେରୁ ଅଧିକ ହରିଜନ/ଆଦିବାସୀ ପରିବାରରେ ୩ଶହରୁ ଅଧିକ ଭୋଟର ରହିଛନ୍ତି।ପଂଚାୟତ ସଦରମହକୁମାକୁ ପଂହଚିବା ପାଇଁ ଦୁଇଟି ଓାର୍ଡର ପାଂଚୋଟି ଗାଁ ଲୋକେ ନିର୍ଭର କରୁଥିବା ଦୀର୍ଘ ୧୦ କିଲୋମିଟରର ଦୁର୍ଗମ ପାହାଡିଆ ରାସ୍ତା ଏମାନଙ୍କ ବିକାଶର ବାଟ ଓଗାଳିଛି।।
କେଉଁ ରାଜାରାଜୁଡା ଅମଳରୁ ସେମାନେ ଏଠାରେ ବସତି ସ୍ଥାପନ କରି ଚାଷ,ବାସ କରି କାହିଁ କେଉଁ କାଳରୁ ଜୀବନ ବିତାଇଆସୁଛନ୍ତି। ଧାନ,ହଳଦୀ ,ସୋରିଷ ଚାଷ ଏମାନଙ୍କ ମୁଖ୍ୟଜୀବିକା ହୋଇଥିଲେ ସୁଦ୍ଧା ଯାତାୟତ ସୁବିଧା ନଥିବାରୁ ପାଖ ବଜାରକୁ ଏସବୁ ସାମଗ୍ରୀକୁ ନେଇ ବିକ୍ରୀକରିବା ବହୁବିଧି ଅସୁବିଧା ଭୋଗିଥାନ୍ତି। ଫଳରେ ସେମାନେ ଗାଁ ମହାଜନକୁ ସେସବୁ ସାମଗ୍ରୀକୁ ତେଲ ,ଲୁଣ ଦରରେ ବିକ୍ରୀ କରିବା ପାଇଁ ବାଧ୍ୟ ହୋଇଥାନ୍ତି। କୃଷିଭିତିକ ଚାଷରେ ଧାନ ଅମଳ ଭଲ ହେଉଥିଲେ ମଧ୍ୟ ସରକାରୀ ଧାନମଣ୍ଡି ସେମାନଙ୍କ ପାଇଁ ଏବେ ମଧ୍ୟ ଅଲୋଡା ହୋଇରହିଛି। ଏବେ ମଧ୍ୟ ସେମାନେ ଅମଳଜାତ ଶସ୍ୟ ଦେଇ ଦୋକାନୀଠାରୁ ବର୍ଷକର ତେଲ ,ଲୁଣ ଯୋଗାଡ କରିଥାନ୍ତି। ପାହାଡିଆ ଜଙ୍ଗଲୀ ରାସ୍ତାରେ ଦୁଇଦିନ ଅକ୍ଲାନ୍ତ ପରିଶ୍ରମ କରି ସେମାନେ ନିଜର ଭତା ପଇସା,ଚାଉଳ ନେବାପାଇଁ ପଂଚାୟତକୁୁ ଆସିଥାନ୍ତି। ସରକାରୀ କଟକଣା ଯୋଗୁଁ ବର୍ତମାନ ବାଇଓମେଟ୍ରିକ ମେସିନରେ ଟିପଚିହ୍ନ ଦେଲେ ଚାଉଳ ମିଲୁଥିବାରୁ ଅନେକ ବୃଦ୍ଧ,ବୃଦ୍ଧା ହିତାଧିକାରୀ ଚାଉଳ ପାଇଁ ପଂଚାୟତକୁ ଆସିପାରୁନଥିବା କହିଛନ୍ତି। ବର୍ଷା ଚାରିମାସ ପାହାଡିଆ ରାସ୍ତାରେ ଗମନାଗମନ ସଂପୁର୍ଣ୍ଣ ଠପ୍ ହୋଇପଡୁଥିବାରୁ ରୋଗୀକୁ ମେଡିକାଲ ନେବା କଷ୍ଟକର ହୋଇପଡେ। ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ଏକମାସ ପୂର୍ବରୁ ସଂର୍ପକୀୟ ଘରେ ସେମାନେ ଛାଡିବାକୁ ବାଧ୍ୟ ହୋଇଥାନ୍ତି। ପ୍ରାୟତଃ ବର୍ଷାଦିନେ ଏମାନେ ଭଗବାନ ଭରସାରେ ପାହାଡ ଉପରେ ରହିଥାନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୌରଚନ୍ଦ୍ର ଦେହୁରୀ,ଆରତ ଦେହୁରୀ,ଅସମତି ମାଝି,ତରଣୀ ମାଝୀ,ସୁବଳ ଦେହୁରୀ,ମନୋଜ ଦେହୁରୀ, ରାଣିମତି ବାଘ ଭଳି ଅନେକ ହିତାଧିକରୀ ପକ୍କା ଘର ମିଳିଥିଲେ ସୁଦ୍ଧା ରାସ୍ତା ନଥିବାରୁ ଘର ତିଆରି ସାମଗ୍ରୀ ନ ଆଣିପାରି ସେମାନେ ସରକାରୀ ସୁବିଧାରୁ ବଂଚିତ ହୋଇରହିଛନ୍ତି। ଆଦିମ ଅଧିବାସୀଙ୍କ ଶିକ୍ଷା ପାଇଁ କାଚପାଜୁରେ ଏକ ପ୍ରାଥମିକ ବିଦ୍ୟାଳୟ ୧୯୫୪ ମସିହାରେ ସ୍ଥାପିତ ହୋଇଛି। ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୩୫ଜଣ ପିଲା ପାଠପଢୁଥିବା ଜଣାପଡିଛି। ଏମାନଙ୍କ ଶିକ୍ଷାଦାନ ପାଇଁ ୪ଜଣ ଶିକ୍ଷକ ରହିଛନ୍ତି। ସ୍କୁଲ ପାଚେରୀ, ଖେଳପଡିଆ ନଥିବା ବେଳେ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ନଳକୂପ ଖଣ୍ଡିଏ ନଥିବା ଜଣାପଡିଛି। ସେହିପରି କାଚପାଜୁରେ ଗୋଟିଏ ଅଙ୍ଗନଓାର୍ଡୀ କେନ୍ଦ୍ର ରହିଥିଲେ ମଧ୍ୟ ବହୁ ସମୟରେ ତାଲା ଝୁଲୁଥିବା ଅଭିଯୋଗ ହେଉଛି।। ଗାଁରେ ଗାଈ,ଗୋରୁଙ୍କ ପିଇବା ପାଇଁ ତଥା ଲୋକଙ୍କ ଗାଧୁଆ ପାଧୁଆ ପାଇଁ ମେରିଆ ନାମକ ଏକମାତ୍ର ବନ୍ଧ ରହିଥିଲେ ସୁଦ୍ଧା ଏହାର ଉନ୍ନତିକରଣ ନାଁରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଖରାଦିନେ ଗାଁ ଲୋକେ ଗାଧୋଇବା ପାଇଁ ଲୋକେ ଟୋପାଏ ପାଣି ପାଉନାହଁନ୍ତି। ପାନୀୟ ଜଳର ବିକଳ୍ପ ବ୍ୟବସ୍ଥା ନଥିବାରୁ କୂଅ ପାଣି ଖରାଦିନେ ନାଳର ଦୂଷିତ ଚୁଆ ପାଣିରେ ସେମାନେ ଜୀବନ ବିତଉଥିବା ଜଣାପଡିଛି । ଦୁର୍ଗମ ପାହାଡିଆ ରାସ୍ତା ଗାଁ ଲୋକଙ୍କ ବିକାଶରେ ଅନ୍ତରାୟ ସୃଷ୍ଟିକରିଛି।
ରାସ୍ତା ଖଣ୍ଡିଏ ପାଇଁ ରାଜନେତା ଠାରୁ ପ୍ରଶାସନ ପାଖରେ ହାରିଗୁହାରି କଲେ ସୁଦ୍ଧା ସେମାନଙ୍କ ଦାବୀ ପୂରଣ ହୋଇପାରୁନଥିବାରୁ ସ୍ଥାନୀୟ ଅଧିବାସୀଙ୍କ ମନରେ କ୍ଷୋଭ ଅସନ୍ତୋଷ ଦେଖାଦେଇଛି।ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ ଦାବୀରେ ଆସନ୍ତା ତ୍ରୀ ସ୍ତରୀୟ ପଂଚାୟତ ନିର୍ବାଚନରେ ଦୁଇଟି ଓାର୍ଡର ୫ଶହରୁ ଅଧିକ ଭୋଟର ସାମୁହିକ ଭୋଟ ବର୍ଜ୍ଜନ ପାଇଁ ନିଷ୍ପତି ନେଇଥିବା ଗ୍ରାମର ମହେଶ୍ୱର ଦେହୁରୀ,ସତ୍ୟ ନାରାୟଣ ଦେହୁରୀ,ପ୍ରଶାନ୍ତ ବେହେରା,ଅଗସ୍ତି ମଲ୍ଲିକ,ଅଚ୍ୟୁତାନନ୍ଦ ବେହେରା,ତ୍ରୀପୁରା ବେହେରା,ବାଳକୃଷ୍ଣ ବେହେରା ପ୍ରମୁଖ ଏକ ଦାବୀପତ୍ର ବୌଦ୍ଧ ଜିଲ୍ଲାପାଳ,ବୌଦ୍ଧ ବିଧାୟକଙ୍କୁ ପ୍ରଦାନ କରିଥିବା ଜଣାପଡିଛି।
ଗାଁ ଲୋକଙ୍କ ମତାମତ—-
ମହେଶ୍ୱର ଦେହୁରୀ – ମୋତେ ୭୦ବର୍ଷ ହେଲାଣି।ତଥାପି ଏପର୍ଯ୍ୟନ୍ତ ଗାଁକୁ ରାସ୍ତା ଖଣ୍ଡିଏ ଦେଖିପାରିଲିନାହିଁ। ସମସ୍ତ ରାସ୍ତା ଭଳି ସମସ୍ତ ମୌଳିକ ସୁବିଧାରୁ ଆମେ ବଂଚିତ।ତେଣୁ ସ୍ୱାଧିନ ଦେଶର ମୁଁ ଜଣେ ପରାଧିନ ନାଗରିକ ବୋଲି ମୋତେ ଅନୁଭବ ହେଉଛି।ଆମେ ଆଉ କାହାର ମିଥ୍ୟାପ୍ରତିଶ୍ରୁତି ଶୁଣିବୁ ନାହିଁ ରାସ୍ତା ନାହିଁ ତ ଏଥର ଭୋଟ ନାହିଁ।
ବଶିଆନନ୍ଦ ଦେହୁରୀ -ରାସ୍ତା ନଥିବା ଯୋଗୁଁ ପାହାଡିଆ ରାସ୍ତାରେ ଜୀବନକୁ ବାଜି ଲଗାଇ ଭତା ,ଚାଉଳ ଗଣ୍ଡିଏ ସଂଗ୍ରହ ପାଇଁ ଆମକୁ ଦୁଇଦିନ ପରିଶ୍ରମ କରିବାକୁ ପଡୁଛି।ରାସ୍ତା ଯୋଗୁଁ ଆମେ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛୁ।ରାସ୍ତା ନହେଲେ ଏଥର ଭୋଟବଜ୍ଜନ।
ଅଚ୍ୟୁତାନନ୍ଦ ବେହେରା – ସ୍ୱାଧିନତା ପରେ ମଧ୍ୟ ଆମ ପାଖରେ ମୌଳିକ ସୁବିଧା ପଂହଚିପାରିନାହିଁ। ଫଳରେ ରାସ୍ତା ଯୋଗୁଁ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟ ଜଳ ସବୁ ସରକାରୀ ଯୋଜନାରୁ ଆମେ ବଂଚିତ।ରାସ୍ତା ନ ହେଲେ ଭୋଟ ବର୍ଜ୍ଜନ ନିଶ୍ଚିତ।
ଅଶ୍ୱିନୀ କୁମାର ଦେହୁରୀ -ରାସ୍ତା ଯୋଗୁଁ ପ୍ରସୂତିକୁ ଖଟିଆରେ ବୋହିକି ମେଡିକାଲ ନେଉଛୁ। ପକ୍କାଘର ମିଳିଥିଲେ ମଧ୍ୟ ବାଲି ଗୋଟିଏ ଟ୍ରିପ ଟ୍ରାକ୍ଟର ଭଡା ୫ହଜାର ଯୋଗୁଁ ଘର ବନେଇପାରୁନାହୁଁ। ଗାଁରେ ସରକାରୀ ନଳକୂପ ଗୋଟିଏ ନାହିଁ। ରାସ୍ତା ନିର୍ମାଣ ନହେଲେ ଭୋଟ ଦେବୁ ନାହିଁ।
Comments are closed.