www.samajalive.in
Sunday, December 7, 2025
16.1 C
Bhubaneswar

ଭାରତ-ୱେଷ୍ଟଇଣ୍ଡିଜ୍‌ ଦ୍ବିତୀୟ ଦିନିକିଆ ଅମୀମାଂସିତ

ବିଶାଖାପାଟଣା, ୨୪ା୧୦: ବୁଧବାର ଏଠାରେ ୨ୟ ଦିନିକିଆ ମ୍ୟାଚ୍‍ରେ ରୋଚକ ମୁକାବିଲା ଦେଖିବାକୁ ମିଳିଛି। ତେବେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ସମ୍ମାନ ଭାଗ କରିଛନ୍ତି। ଏହି ମ୍ୟାଚ୍‍ ଟାଇ ରହିଛି। ଭାରତ ୬ ୱିକେଟରେ ୩୨୧ ରନ୍‍ କରିଥିବା ବେଳେ ଏହାର ପିଛାକରି ୱେଷ୍ଟଇଣ୍ଡିଜ୍‍ ୫୦ ଓଭର ଶେଷରେ ୭ ୱିକେଟ ହରାଇ ୩୨୧ ରନ୍‍ କରିଥିଲା। ଭାରତ ପାଇଁ ବିରାଟ କୋହଲି ଅପରାଜିତ ଶତକ ମାରିଥିବା ବେଳେ ଇଣ୍ଡିଜ୍‍ର ସାଇ ହୋପ୍‍ ଶତକ ହାସଲକରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍‍ ଟାଇ ରହିବା ଫଳରେ ୫ ମ୍ୟାଚ୍‍ର ଦିନିକିଆ ସିରିଜ୍‍ରେ ଭାରତ ୧-୦ରେ ଆଗୁଆ ରହିଛି। ୨୭ରେ ପୁଣେଠାରେ ୩ୟ ଦିନିକିଆ ମ୍ୟାଚ୍‍ ଖେଳାଯିବ। ବିରାଟ କୋହଲିଙ୍କ ଅପରାଜିତ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୬ ୱିକେଟରେ ୩୨୧ ରନ୍‍ କରିଥିଲା। ଜବାବରେ ୱେଷ୍ଟଇଣ୍ଡିଜ୍‍ ୭୮ ରନ୍‍ରେ ୩ଟି ୱିକେଟ ହରାଇବା ସତ୍ତ୍ବେ ସାଇ ହୋପ୍‍ଙ୍କ ଅପରାଜିତ ଶତକ ଓ ସିମ୍ରନ୍‍ ହେତ୍‍ମାୟରଙ୍କ ବିସ୍ଫୋରକ ୯୪ ରନ୍‍ ବଳରେ ୭ ୱିକେଟରେ ୩୨୧ ରନ୍‍ କରି ପାରିଥିଲା।
୩୨୨ ରନ୍‍ର ପିଛା କରିଥିବା ୱେଷ୍ଟଇଣ୍ଡିଜ୍‍ ଓପ୍‍ନିଂ ଯୋଡ଼ିରେ ୩୬ ରନ୍‍ କରିଥିଲା। କୈରନ୍‍ ପୱେଲ ୩ଟି ଚୌକା ସହ ୧୮ ରନ୍‍କରି ବିଦାୟ ନେଇଥିଲେ। ପରେ ଚନ୍ଦ୍ରପଲ ହେମରାଜ ଓ ସାଇ ହୋପ୍‍ ସ୍କୋର୍‍କୁ ୬୪ ରନ୍‍ରେ ପହଞ୍ଚାଇଥିଲେ। ଯୁବ ଓପ୍‍ନର ହେମରାଜ ୨୪ ବଲ୍‍ରୁ ୬ଟି ଚୌକା ସହ ୩୨ ରନ୍‍କରି ଆଉଟ ହୋଇଥିଲେ। ଅଭିଜ୍ଞ ବ୍ୟାଟ୍‍ସମ୍ୟାନ୍‍ ମାର୍ଲନ୍‍ ସାମୁଏଲ୍‍ସ ୧୩ ରନ୍‍କରି ଆଉଟହେବା ବେଳକୁ ଇଣ୍ଡିଜ୍‍ର ସ୍କୋର୍‍ ଥିଲା ୩ ୱିକେଟରେ ୭୮ ରନ୍‍। ଦଳକୁ ଏପରି ସ୍ଥିତିରୁ ଉଦ୍ଧାର କରିଥିଲେ ସାଇ ହୋପ୍‍ ଓ ପ୍ରଥମ ଦିନିକିଆରେ ଶତକ ମାରିଥିବା ସିମ୍ରନ୍‍ ହେତ୍‍ମାୟର। ଦୁହେଁ ଆକ୍ରମଣାତ୍ମକ ବ୍ୟାଟିଂକରି ଭାରତକୁ ଚିନ୍ତାରେ ପକାଇ ଦେଇଥିଲେ। ତେବେ ହେତ୍‍ମାୟରଙ୍କୁ ଆଉଟ୍‍କରି ଭାରତ ମ୍ୟାଚ୍‍କୁ ଫେରିଥିଲା। ବାମହାତି ହେତ୍‍ମାୟର ମାତ୍ର ୬୪ ବଲ୍‍ରୁ ୭ଟି ଛକା ଓ ୪ଟି ଚୌକା ସହ ୯୪ ରନ୍‍ କରିଥିଲେ। ୨୦ ଓଭରରୁ ହେତ୍‍ମାୟର ଓ ହୋପ୍‍ ୧୪୯ ରନ୍‍ ଯୋଡ଼ିଥିଲେ। ରୋଭ୍‍ମ୍ୟାନ୍‍ ପୱେଲ ୧୮ ବଲ୍‍ରୁ ୧୮ ରନ୍‍କରି ଦଳକୁ ବିଜୟର ନିକଟବର୍ତ୍ତୀ କରିଥିଲେ। ହୋଲ୍‍ଡର ୧୨ ରନ୍‍କରି ରନ୍‍ଆଉଟ ହୋଇଥିଲେ। ୪୮ ଓ ୪୯; ଏହି ୨ ଓଭରରୁ ମାତ୍ର ୮ ରନ୍‍ ହେବାରୁ ଶେଷ ଓଭରରେ ୧୪ ଓ ଶେଷ ୨ଟି ବଲ୍‍ରୁ ୭ ରନ୍‍ ଆବଶ୍ୟକ ଥିଲା। ଉମେଶ ଯାଦବ ବୋଲିଂ କରିଥିବା ଏହି ଓଭରର ୫ମ ବଲ୍‍ରୁ ହୋପ୍‍ ୨ ରନ୍‍ ନେବା ପରେ ଶେଷ ବଲ୍‍ରେ ଟାଇ ପାଇଁ ୪ ରନ୍‍ ଆବଶ୍ୟକ ଥିବା ବେଳେ ହୋପ୍‍ ଚୌକା ମାରିଥିଲେ। ହୋପ୍‍ ୧୩୪ ବଲ୍‍ରୁ ୩ଟି ଛକା ଓ ୧୦ଟି ଚୌକା ସହ ୧୨୩ ରନ୍‍କରି ଅପରାଜିତ ଥିଲେ। କୁଲଦୀପ ଯାଦବ ୩ଟି ୱିକେଟ ନେଇଥିଲେ। ବିରାଟ କୋହଲି ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ପ୍ରଥମ ଦିନିକିଆରେ ଶତକମାରି ଭାରତକୁ ସହଜ ବିଜୟ ଦେଇଥିବା ବିରାଟ କୋହଲି ବୁଧବାର ୨ୟ ଦିନିକିଆରେ ମଧ୍ୟ ଶତକ ଅର୍ଜନ କରିଛନ୍ତି। ଏହାସହ ସବୁଠାରୁ କମ୍‍ ୨୦୫ଟି ଇନିଂସରେ ୧୦ ହଜାର ରନ୍‍ ପୂରଣ କରିଥିବା କୋହଲିଙ୍କ ଇନିଂସ ବଳରେ ଭାରତ ୬ ୱିକେଟରେ ୩୨୧ ରନ୍‍ କରି ପାରିଥିଲା। ପ୍ରଥମ ୯ ଓଭରରେ ଭାରତ ଚିନ୍ତାରେ ପଡ଼ି ଯାଇଥିଲା। ୪୦ ରନ୍‍ରେ ଭାରତର ଦୁଇ ଓପ୍‍ନର ଆଉଟ ହୋଇ ଯାଇଥିଲେ। ରୋହିତ ଶର୍ମା ୪ ରନ୍‍କରି ବିଦାୟ ନେଇଥିଲେ। ଆସ୍‍ଲେ ନର୍ସଙ୍କ ବଲ୍‍ରେ ଆଉଟ୍‍ହେବା ପୂର୍ବରୁ ଶିଖର ଧାୱନ ୩୦ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୨୯ ରନ୍‍ କରିଥିଲେ। ପରେ କୋହଲି ଓ ଅମ୍ବତି ରାୟୁଡୁ ୩ୟ ୱିକେଟ ପାଇଁ ଚମତ୍କାର ଭାଗିଦାରୀ କରିଥିଲେ। ୩ୟ ୱିକେଟ ପାଇଁ ୨୪ ଓଭରରୁ ୧୩୯ ରନ୍‍ ଆସିଥିଲା। ରାୟୁଡୁ ୮୦ ବଲ୍‍ରୁ ୮ଟି ଚୌକା ସହ ୭୩ ରନ୍‍କରି ଆଉଟ ହୋଇ ଯାଇଥିଲେ। ପରେ ମହେନ୍ଦ୍ର ସିଂହ ଧୋନି ୨୫ ବଲ୍‍ରୁ ୨୦ ରନ୍‍ କରିଥିଲେ। ଋଷଭ ପନ୍ତ୍‍ ୧୩ ବଲ୍‍ରୁ ୨ଟି ଚୌକା ସହ ୧୭ ରନ୍‍କରି ଆଉଟ ହୋଇଥିଲେ। ଅନ୍ୟପଟେ ଅଧିନାୟକ କୋହଲି ଦୃଢ଼ତାର ସହ ବ୍ୟାଟିଂ କରିଥିଲେ। ତେବେ ସେ ୪୪ ରନ୍‍ କରିଥିବା ବେଳେ ସହଜ କ୍ୟାଚ୍‍ ଦେଇଥିଲେ ହେଁ ପ୍ରତିପକ୍ଷ ଅଧିନାୟକ ଜେସନ୍‍ ହୋଲ୍‍ଡର ଏହାକୁ ଛାଡ଼ି ଦେଇଥିଲେ। ଏହାର ବହୁମୂଲ୍ୟ ଇଣ୍ଡିଜ୍‍କୁ ଦେବାକୁ ପଡ଼ିଥିଲା। ୧୦ ହଜାର ଦିନିକିଆ ରନ୍‍ ପୂରଣ କରିବା ପରେ କୋହଲି ୩୭ତମ ଦିନିକିଆ ଶତକ ପୂରଣ କରିଥିଲେ। ଏହି ମାଇଲଖୁଣ୍ଟ ପାରକରିବା ପରେ କୋହଲି ଗିଅର ବଦଳାଇ ଆକ୍ରମଣାତ୍ମକ ସଟ୍‍ ଖେଳିବା ଆରମ୍ଭ କରିଥିଲେ। ଫଳରେ ଶେଷ ୪ ଓଭରରୁ ୫୪ ରନ୍‍ ହୋଇଥିଲା। କୋହଲି ୧୨୯ ବଲ୍‍ରୁ ୪ଟି ଛକା ଓ ୧୩ଟି ଚୌକା ସହ ୧୫୭ ରନ୍‍କରି ଅପରାଜିତ ଥିଲେ। ଦିନିକିଆରେ ୪ର୍ଥ ଥର ପାଇଁ କୋହଲି ଦେଢ଼ଶହ ରନ୍‍ ପାର କରି ପାରିଛନ୍ତି। ଆସ୍‍ଲେ ନର୍ସ ଓ ଓବେଦ୍‍ ମ୍ୟାକ୍‍କୟ ୨ଟି ଲେଖାଏଁ ୱିକେଟ ପାଇଥିଲେ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories