www.samajalive.in
Wednesday, December 10, 2025
18.1 C
Bhubaneswar

ପଡ଼ୋଶୀ ଘରେ ମୁଣ୍ଡ ଗୁଞ୍ଜିଛନ୍ତି ୩ ଅନାଥ

ଦାନଗଦି: ବାଲ୍ୟ ଚପଳତା ଛାଡ଼ିବା ପୂର୍ବରୁ ୩ କୁନି କୁନି ଶିଶୁଙ୍କ ଉପରୁ ହଟିଯାଇଛି ବାପା-ମା’ଙ୍କ ଅଭୟ ଆଶୀର୍ବାଦ। ଦୁନିଆକୁ ଭଲ ଭାବେ ବୁଝିବା ପୂର୍ବରୁ ସେମାନଙ୍କ ଅସହାୟତାକୁ ସେମାନେ ଭଲଭାବେ ବୁଝି ସାରିଛନ୍ତି। ସେଥିପାଇଁ ଖେଳିବା ବୁଲିବା ବୟସରେ ଏହି ଅନାଥ ଶିଶୁଙ୍କର ପାଦ ନିରବି ଯାଇଛି। ଗଣ୍ଡେ ଖାଇ ଦଣ୍ଡେ ଜିଇଁବା ପାଇଁ ପଡ଼ୋଶୀଙ୍କ ଘରେ ଆଶ୍ରିତ ଥିବା ୩ଜଣ ଶିଶୁଙ୍କ ବିଡ଼ମ୍ବିତ ଶୈଶବ ଏବଂ ସଂଘର୍ଷର କାହାଣୀ ଆଖିରେ ଲୁହ ଭରିଦେବା ଭଳି। ଏହି ୩ ଅନାଥଙ୍କୁ ଆଶ୍ରୟ ଓ ଅଭୟ ଦେଇଥିବା ଦାନଗଦି ବ୍ଲକ୍‍ ଉଲ୍ଲଳ ପଞ୍ଚାୟତର ରଗୁ କଲୋନୀ ଆଦିବାସୀ ସାହିର ରସାନନ୍ଦ ହନହଗାଙ୍କ ମଣିଷପଣିଆ ବେଶ୍‍ ପ୍ରଶଂସାଯୋଗ୍ୟ। ଯିଏକି ପଡ଼ୋଶୀ ଗାଲେନ୍ଦ୍ର ହାଁସଦାଙ୍କ ୩ ଅନାଥ ଶିଶୁଙ୍କୁ ନିଃସର୍ତ୍ତରେ ଆଦରି ନେଇଛନ୍ତି।
ଟାଟା କାରଖାନା ପାଇଁ ବିସ୍ଥାପିତ ହୋଇଥିବା ଗାଡପୁରର ମୂଳବାସିନ୍ଦା ଗାଲେନ୍ଦ୍ର ଗାଁର ଅନ୍ୟ ୨୦ ପରିବାର ସହ ରଘୁ ସାହିରେ ଘର କରି ରହୁଥିଲେ। ପାଖ କାରଖାନାରେ ଠିକା ଶ୍ରମିକ ଭାବେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ। ତେବେ ଯକ୍ଷ୍ମାରେ ଆକ୍ରାନ୍ତ ହେବା ପରେ ୪ବର୍ଷ ପୂର୍ବରୁ ଗାଲେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଉପରକୁ ଘନେଇ ଆସିଲା ଦୁଃଖର କଳାବାଦଲ। ଗୋଟିଏ ପୁଅ ଏବଂ ୨ ଝିଅଙ୍କ ଭରଣପୋଷଣ ପାଇଁ ଅକ୍ଷମ ଗାଲେନ୍ଦ୍ରଙ୍କ ପତ୍ନୀ ଜେମା ୨ବର୍ଷ ତଳେ ଜନ୍ମିତ ପିଲାଙ୍କ ମୁହଁକୁ ନ ଚାହିଁ ଘର ଛାଡି କେଉଁଆଡ଼େ ପଳାଇଗଲେ। ଅଭାବୀ ଏବଂ ଭୂମିହୀନ ଗାଲେନ୍ଦ୍ରଙ୍କ ଆବର୍ତ୍ତମାନରେ ଅନାଥ ୩ ଶିଶୁଙ୍କ ଦୁଃଖରେ ସାମିଲ ହେବାକୁ ଦେବଦୂତ ପାଲଟିଲେ ପଡ଼ୋଶୀ ସମ୍ପର୍କୀୟ ରସାନ। ନିଜର ବଡ଼ ପରିବାରରେ ୩ ଅନାଥ ପିଲାଙ୍କୁ ସାମିଲ କରି ସେମାନଙ୍କ ଦାୟିତ୍ୱ ନେଲେ। ରସାନନ୍ଦଙ୍କ ଘରେ ଗତ ୨ବର୍ଷ ତଳୁ ଆଶ୍ରିତ ହୋଇଥିବା ଗାଲେନ୍ଦ୍ରଙ୍କ ବଡପୁଅ ମୁନା ହାଁସଦା (୧୦) ଏବେ ଉଲ୍ଲଳ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ପଢୁଛି। ଝିଅ ନନ୍ଦିନୀ (୭) କଣ୍ଟିପୁର ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିବାବେଳେ ସାନ ଝିଅ ସୁଶିଳା(୫) ଅଙ୍ଗନବାଡି ଯାଉଛି। ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଏବଂ ଅଙ୍ଗନବାଡି କେନ୍ଦ୍ରର ଖାଦ୍ୟରେ ପିଲାଙ୍କର ଅଧା ଆହାର ବ୍ୟବସ୍ଥା ହେଉଥିବା ବେଳେ ଅନ୍ୟ ସମୟରେ ରସାନନ୍ଦଙ୍କ ପରିବାର ପିଲାଙ୍କ ମୁହଁରେ ଆହାର ଦେଇ ଆସୁଛନ୍ତି। ୨ବର୍ଷ ହେଲା ରସାନନ୍ଦଙ୍କ ପରିବାର ନିଜ ପେଟରୁ କାଟି ଗାଲେନ୍ଦ୍ରଙ୍କ ପିଲାଙ୍କର ପ୍ରତିପୋଷଣ କରୁଛନ୍ତି। ଏହା ବ୍ୟତୀତ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ମଧ୍ୟ ରସାନନ୍ଦ ନିଜ ଅଳ୍ପ ଆୟରୁ ତୁଲାଇ ଆସୁଛନ୍ତି।
ପିଲାଙ୍କ ସବୁ ଅଭାବ ଅସୁବିଧାକୁ ତୁଲାଇବାକୁ ଅକ୍ଷମ ହେଉଥିବା ସଦାନନ୍ଦଙ୍କୁ କୌଣସି ସରକାରୀ ସହଯୋଗ ଯୋଗାଇ ଦେଲେ ପିଲାଙ୍କ ଭବିଷ୍ୟତ ସୁରକ୍ଷିତ ଏବଂ ବ୍ୟବସ୍ଥିତ ହୋଇପାରନ୍ତା ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‍ ପିଲାଙ୍କୁ ଉଦ୍ଧାର କରି ସେମାନଙ୍କ ଭରଣପୋଷଣଙ୍କୁ ବ୍ୟବସ୍ଥିତ କରି ପାରିଲେ କୋମଳମତି ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟି ପାରନ୍ତା। ସରକାରୀ ଜମିରେ ଗାଲେନ୍ଦ୍ର ତିଆରି କରିଥିବା ଝାଟିମାଟି ଘରଟି ରକ୍ଷଣାବେକ୍ଷଣ ଅଭାବରୁ ମାଟିରେ ମିଶିବାକୁ ବସିଥିବାବେଳେ ବିସ୍ଥାପିତଙ୍କୁ ସରକାର ଯୋଗାଇ ଦେଉଥିବା ଘରଡିହ ପଟ୍ଟା ଯୋଗାଇ ଦେବା ସହ ଅନାଥ ପିଲାଙ୍କ ଭବିଷ୍ୟତକୁ ନିଶ୍ଚିତ କରିବାକୁ ପ୍ରଶାସନ ଆଗେଇ ଆସିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories