ଭୁବନେଶ୍ବର: କୃଷି ଭିତ୍ତିଭୂମିର ବିକାଶ ସହ କୃଷକଙ୍କ ରୋଜଗାର ବୃଦ୍ଧି ନିମନ୍ତେ ଶନିବାର ସରକାର ୨୦ଟି ନୂଆ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକୁ ଅନୁମୋଦନ ଦିଆଯାଇଛି। ଏଥିପାଇଁ ପ୍ରାୟ ୩୫୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି। ପ୍ରକଳ୍ପ ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରି କୃଷକଙ୍କୁ ସେବା ଯୋଗାଣ ନିଶ୍ଚିତ କରିବା ନିମନ୍ତେ ଶ୍ରୀ ପାଢ଼ୀ ସଂପୃକ୍ତ ବିଭାଗ ଏବଂ ପ୍ରକଳ୍ପ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି।
ବୈଠକ ପରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, ବୈଠକରେ ବିଭିନ୍ନ ବିଭାଗରୁ ମିଳିଥିବା ୨୮ଟି ପ୍ରକଳ୍ପ ବାବଦରେ ଆଲୋଚନା ହୋଇଥିଲା। ସେଥିରୁ ୨୦ଟି ପ୍ରକଳ୍ପକୁ ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ କୀଟ ନିରୀକ୍ଷଣ ବ୍ୟବସ୍ଥା, ଆଧୁନିକ କୃଷି ଯନ୍ତ୍ରପାତି ଯୋଗାଣ, ବିପର୍ଯ୍ୟୟ ନିରୋଧ ତଥା ଅଧିକ ଉତ୍ପାଦନକ୍ଷମ କୃଷି ବିହନ ଯୋଗାଣ, ଜୈବ ନିୟନ୍ତ୍ରଣ ପରୀକ୍ଷାଗାରର ସୁଦୃଢ଼ୀକରଣ, କୃଷି ବର୍ଜ୍ୟରୁ ଜୈବ ସାର ପ୍ରସ୍ତୁତି, କୀଟନାଶକର ଉପଯୁକ୍ତ ଓ ନିରାପଦ ଉପଯୋଗ, ଖରିଫ୍ ଋତୁରେ ଆଳୁ ଉତ୍ପାଦନ ଓ ପ୍ରକ୍ରିୟାକରଣ, କୃଷକଙ୍କ ଦକ୍ଷତା ବିକାଶ, ମାଛ ଯାଆଁଳ ଉତ୍ପାଦନ, ଫିସ୍-ଫେଡ୍ ପ୍ଲାଣ୍ଟ୍ ପ୍ରତିଷ୍ଠା ଏବଂ ଆଦିମ ଅଧିବାସୀଙ୍କ ପାଇଁ ଜଳଛାୟା ପ୍ରକଳ୍ପ ମାଧ୍ୟମରେ ନୂତନ ଜୀବିକା ସୃଷ୍ଟି ଆଦି ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୬୦% ଏବଂ ୪୦% ଅନୁପାତରେ ପାଣ୍ଠି ଯୋଗାଇବେ। ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଗୁଡିକରେ ପ୍ରାୟ ୧୨୦ କୋଟି ଟଙ୍କା ବିନିଯୋଗ ହେବ।
ବୈଠକରେ କୃଷି ଉତ୍ପାଦନ କମିଶନର, ଅର୍ଥ ବିଭାଗ ପ୍ରମୁଖ ସଚିବ, ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। କୃଷି ନିର୍ଦେଶକ ପ୍ରକଳ୍ପ ଉପରେ ଆବଶ୍ୟକ ତଥ୍ୟ ଉପସ୍ଥାପନ କରିଥିଲେ।
କୃଷକଙ୍କ ରୋଜଗାର ବୃଦ୍ଧି: ୩୫୦ କୋଟିର ୨୦ଟି ନୂଆ ପ୍ରକଳ୍ପ ମଞ୍ଜୁର
Popular Categories



