ଭୁବନେଶ୍ୱର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ କୋଟିଏ ଟଙ୍କା ବ୍ୟୟ ଅଟକଳରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’(ଓଭିଏ) ପୁରୁଣା ୱେବ୍ସାଇଟ୍କୁ ବନ୍ଦ କରିଦିଆଯାଇଛି। ‘ସୃଜନିକା’ ଦ୍ୱାରା ଡିଜିଟାଇଜେସନ୍ କରାଯାଇଥିବା ପୂର୍ବରୁ ପ୍ରକାଶିତ ପତ୍ରପତ୍ରିକା, ଭାଷାକୋଷ ଓ ୫ଲକ୍ଷ ପୃଷ୍ଠା ସମ୍ବଳିତ ତଥ୍ୟ ଚୋରି କରି ଓଭିଏରେ ରଖାଯାଇଥିଲା। ଏପରିକି ଓଡ଼ିଆ ଭାଷାର ବହୁ ପ୍ରାଚୀନ ପାରମ୍ପରିକ, ଶାସ୍ତ୍ରୀୟ ଓ କାଳଜୟୀ ସାହିତ୍ୟକୃତିକୁ ଡିଜିଟାଇଜେସନ୍ ମାଧ୍ୟମରେ ସଂଗ୍ରହ କରିଥିବା ତଥ୍ୟ ଏହି ୱେବ୍ସାଇଟରେ ସ୍ଥାନିତ ହୋଇଥିଲା। ଏଥିରେ ଡିଜିଟାଇଜ୍ ସିଡି/ଡିଭିଡିର ସମସ୍ତ ପୃଷ୍ଠାକୁ ବ୍ୟବହାର କରାଯାଇଥିବାବେଳେ କୌଣସି ସ୍ଥାନରେ ‘ସୃଜନିକା’ର ପ୍ରାପ୍ତିସ୍ୱୀକର କିମ୍ବା ସୌଜନ୍ୟ ଉଲ୍ଲେଖ କରାଯାଇନାହିଁ।
ଏହା ଜିଏନ୍ୟୁ ପବ୍ଲିକ ଲାଇସେନ୍ସ(ଜିପିଏଲ୍) ଏବଂ କପିରାଇଟ୍ ଉଲ୍ଲଙ୍ଘନ ବୋଲି ‘ସୃଜନିକା’ର ମୁଖ୍ୟ ଡ. ନିଖିଳ ମୋହନ ପଟ୍ଟନାୟକ ଅଭିଯୋଗ କରିଛନ୍ତି। ଓଡ଼ିଆ ଭର୍ଚୁଆଲ୍ ଏକାଡେମୀର ଏଭଳି କାର୍ଯ୍ୟ ବିରୋଧରେ ଡ. ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟଶାସନ ସଚିବଙ୍କ ନିକଟକୁ ପତ୍ର ଲେଖିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି ଯେ ‘ସୃଜନିକା’ର କୌଣସି ତଥ୍ୟ ଚୋରି କରାଯାଇନାହିଁ। ଡ. ପଟ୍ଟନାୟକଙ୍କ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ। ସଂସ୍କୃତି ବିଭାଗ ଅଧୀନରେ ଥିବା ଓଡ଼ିଶା ରାଜ୍ୟ ଅଭିଲେଖାଗାର, ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର, ରାଜ୍ୟ ସଂଗ୍ରହାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନରେ ପୁରାତନ ବହି, ପତ୍ରପତ୍ରିକା, ଗ୍ରନ୍ଥାବଳୀ ଆଦି ‘ସୃଜନିକା’ ଡିଜିଟାଇଜେସନ୍ କରିଥିଲା। ଏଥିପାଇଁ ‘ସୃଜନିକା’କୁ ୨୬, ୫୫୦ଟଙ୍କା ଅର୍ଥରାଶି ପ୍ରଦାନ କରାଯାଇଥିଲା। ସରକାର ତାଙ୍କଠାରୁ ଆଣି ଓଭିଏ ୱେବ୍ସାଇଟ୍ରେ ତାହା ରଖିଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳ ଓ ନିରାପତ୍ତା ଦୃଷ୍ଟିକୋଣରୁ ସରକାର ଓଭିଏ ନୂଆ ୱେବ୍ସାଇଟ୍ ତିଆରି କରିଛନ୍ତି। ସରକାରୀ ଅର୍ଥରେ ପ୍ରସ୍ତୁତ ଡିଜିଟାଇଜେସନ୍ ଚୋରି ହୋଇଛି ବୋଲି କୁହାଯିବା ସମୀଚୀନ ନୁହେଁ। କେବଳ ‘ସୃଜନିକା’ ନୁହେଁ, ବହୁ ଅନୁଷ୍ଠାନରୁ ପୁରୁଣା ପତ୍ରପତ୍ରିକା, ପୋଥି, ଗ୍ରନ୍ଥାବଳୀ, ପୁରାତନ ରଚନା ଆଦି ସରକାର ସଂଗ୍ରହ କରିଛନ୍ତି। ଓଭିଏ ପୁରୁଣା ୱେବ୍ସାଇଟ୍ ସଂସ୍କୃତି ବିଭାଗ ଅଧୀନରେ ଥିବାବେଳେ ନୂଆ ୱେବ୍ସାଇଟ୍ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପରିଚାଳନା କରିବ।
ଏକାଡେମୀର ଓଏସ୍ଡି ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି ଯେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ‘ଭର୍ଚୁଆଲ୍ ଏକାଡେମୀ’ର ପୁରୁଣା ୱେବ୍ସାଇଟ୍କୁ ନବକଳେବର କରାଯାଇଛି। ପୁରୁଣା ୱେବ୍ସାଇଟରେ ଥିବା ତ୍ରୁଟିକୁ ସୁଧାରି ଏହାକୁ ଅଧିକ ଶୃଙ୍ଖଳିତ, ପଠନଯୋଗ୍ୟ କରାଯାଇଛି।
ପ୍ରାଚୀନ ଲେଖକଙ୍କ ଉତ୍ତରାଧିକାରୀଙ୍କଠାରୁ ଅନୁମତି ନିଆଯାଇ ପୁସ୍ତକଗୁଡ଼ିକୁ ସ୍କାନିଂ/ଫଟୋକପି ପରିବର୍ତ୍ତେ ୟୁନିକୋଡ୍ରେ ଟାଇପ୍ କରାଯାଇଛି। ‘ସୃଜନିକା’ର ଡିଜିଟାଇଜେସନ୍ ସ୍କାନିଂ/ଫଟୋକପି ପ୍ରଣାଳୀରେ ହେଉଥିବାବେଳେ ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ବହିଗୁଡ଼ିକୁ ଟାଇପିଂ ପଦ୍ଧତିରେ ସଂରକ୍ଷଣ କରାଯାଉଛି। ଏଣୁ ‘ସୃଜନିକା’ର ସ୍କାନିଂ ପୃଷ୍ଠା ଓ ବହିକୁ ଚୋରି କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।
‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ର ନିର୍ଦେଶିକା ଡ. ତମସାରାଣୀ ଦାସମହାପାତ୍ର କହିଛନ୍ତି ଯେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ପ୍ରଥମେ ଓଡ଼ିଆ ଭାଷା ପ୍ରତିଷ୍ଠାନରେ କାର୍ଯ୍ୟ ଆରମ୍ଭ କରିଥିଲା। ପୁରାତନ ପତ୍ରପତ୍ରିକା, ରଚନା ଓ ବହି ଡିଜିଟାଇଜେସନ୍ ପାଇଁ ଡକାଯାଉଥିବା ପ୍ରତ୍ୟେକ ବୈଠକରେ ‘ସୃଜନିକା’ର ମୁଖ୍ୟ ଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ। ବିଭିନ୍ନ ଲାଇବ୍ରେରୀରୁ ପତ୍ରପତ୍ରିକା ଓ ବହିଗୁଡ଼ିକ ଡିଜିଟାଇଜ୍ କରି ଦେବାକୁ ବାରମ୍ବାର ଚିଠି ଲେଖିଥିଲେ।
୧୯୫୦ ପୂର୍ବର ପତ୍ରପତ୍ରିକା ଓ ପୁରୁଣା ବହିଗୁଡ଼ିକର ଡିଜିଟାଇଜେସନ୍ ଡିଭିଡି ଓ ସିଡି ପାଇଁ ‘ସୃଜନିକା’କୁ ପାରିଶ୍ରମିକ ଦିଆଯାଇଛି। ଅଳ୍ପକିଛି ଅପ୍ଲୋଡ୍ ପରେ ଓଡ଼ିଆ ଭାଷା ପ୍ରତିଷ୍ଠାନରୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗକୁ ଓଭିଏ ସ୍ଥାନାନ୍ତର ହୋଇଯାଇଛି।
ଏଠାରେ ତଥ୍ୟ ଚୋରି କଥା କେଉଁଠୁ ଆସିଲା? ମନ୍ଦ ଉଦ୍ଦେଶ୍ୟ ରଖି ‘ସୃଜନିକା’ ମୁଖ୍ୟ ଓଭିଏ ବିରୋଧରେ ଅପପ୍ରଚାର କରୁଛନ୍ତି, ଯାହା ଠିକ୍ ନୁହେଁ। କାରଣ ‘ସୃଜନିକା’ର କୌଣସି ଡିଜିଟାଲ୍ ପେଜ୍ କିମ୍ବା ବହିକୁ ଚୋରି କରାଯାଇନାହିଁ। ଜଣେ ଓଡ଼ିଆ ହୋଇ ଓଭିଏ ଏବଂ ଓଡ଼ିଆ ଭାଷାର ଡିଜିଟାଇଜେସନ୍କୁ ବିରୋଧ କରିବା ଦୁଃଖଦାୟକ।
ନୂଆ ୱେବ୍ସାଇଟ୍ ଉଦ୍ଘାଟନ ଆଜି
ଭୁବନେଶ୍ୱର: ବିଶ୍ୱର କୋଣ ଅନୁକୋଣରେ ଓଡ଼ିଆ, ଭାଷା, ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ପାଇବେ ବିଶ୍ୱବାସୀ। ଓଡ଼ିଆ ଭାଷା, ସାହିତ୍ୟ ଓ ଶବ୍ଦକୋଷ ଆଦିର ଦ୍ରୁତ ବିକାଶ ସାଧନ, ପ୍ରୋତ୍ସାହନ ଓ ଏହାକୁ ଲୋକପ୍ରିୟ କରିବା ତଥା ସେଗୁଡ଼ିକୁ ଜନସାଧାରଣଙ୍କ ବ୍ୟବହାର ଉପଯୋଗୀ କରିବା ଲାଗି ଗଠନ କରାଯାଇଛି ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’(ଓଭିଏ)। ଡିଜିଟାଲ୍ ତଥ୍ୟକୁ ନେଇ ଦେଶ ବିଦେଶରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ପହଞ୍ଚାଇବାରେ ଏକାଡେମୀ କାମ କରିବ। ବିଶ୍ୱର କୋଣ ଅନୁକୋଣେ ଓଡ଼ିଆ ଭାଷା ପହଞ୍ଚାଇବାରେ ଏହା ପ୍ରୟାସ ଜାରି ରଖିବ ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ କୁହାଯାଇଛି।
ପୁରୁଣା ୱେବ୍ସାଇଟରେ ଅନେକ ପରିବର୍ତ୍ତନ ଅଣାଯାଇଛି। ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ର ନୂଆ ୱେବ୍ସାଇଟ୍ ଙ୍ଗଙ୍ଗଙ୍ଗ. କ୍ଟଙ୍ଖବ.ଶକ୍ଟଙ୍ଖ.ସଦ୍ଭ ନିର୍ମାଣ ଶେଷ ହୋଇଛି। ଏହାକୁ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିବେ। ଏଥିରେ ଡିଜିଟାଇଜେସନ୍ କରାଯାଇଥିବା ଓଡ଼ିଆ ଭାଷାର ପୁରାତନ ରଚନା, ଅଭିଧାନ, ଦୁର୍ଲଭ କାଳଜୟୀ ପୁସ୍ତକ, ପତ୍ରପତ୍ରିକା, ଐତିହାସିକ ଦଲିଲ ଓ ନଥିପତ୍ର, ଶ୍ରୀଜଗନ୍ନାଥ ସଂସ୍କୃତି, ଜନଜାତି ସଂସ୍କୃତି, ୧୮୫୬ରୁ ୧୯୫୦ ପତ୍ରପତ୍ରିକା, ମନ୍ଦିର ଓ ସ୍ଥାପତ୍ୟ, ଓଡ଼ିଶାର ପର୍ଯ୍ୟଟନସ୍ଥଳୀ, ନୃତ୍ୟ ଓ ସଙ୍ଗୀତ ଆଦିର ତଥ୍ୟକୁ ଅପ୍ଲୋଡ୍ କରାଯିବ। ପାଠକ ୱେବ୍ସାଇଟ୍ରୁ କପି ଡାଉନ୍ଲୋଡ୍ କରିପାରିବେ ଏବଂ ନିଜ ଆବଶ୍ୟକତା ଅନୁଯାୟୀ ସମ୍ପାଦନା ମଧ୍ୟ କରିପାରିବେ। ସମଗ୍ର ବିଶ୍ୱ ଡିଜିଟାଲ୍ସ୍ତରକୁ ଉନ୍ନୀତ ହେଉଥିବାବେଳେ ସଭ୍ୟତାର ଏହି ଯାତ୍ରାକୁ ଭବିଷ୍ୟତର ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତିତ କରିବା ଅନିର୍ବାଯ୍ୟ ହୋଇପଡ଼ିଛି। ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ ଏ ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛି ବୋଲି ସୂଚନା ଓ ପ୍ରଯୁକ୍ତି ବିଭାଗର ଯୁଗ୍ମ ସଚିବ ତଥା ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ ଓଏସ୍ଡି ସଂଗ୍ରାମ କେଶରୀ ମହାପାତ୍ର କହିଛନ୍ତି। ନୂଆ ୱେବ୍ସାଇଟ୍ରେ ୱିକି ସୋର୍ସ ଭଳି ଡିଜିଟାଇଜ୍ଡ୍ ତଥ୍ୟ ଅପ୍ଲୋଡ୍ କରାଯାଇଛି।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବନ୍ଦୀର ଆତ୍ମକଥା, ସାରଳା ଦାସଙ୍କ ମହାଭାରତ ସମେତ ବହୁ ପୁରାତନ ରଚନା ଡିଜିଟାଇଜ୍ ଏଥିରେ ଉପଲବ୍ଧ ହେବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।



