ବିଗୁଡୁଛି ଆର୍ଥିକ ସ୍ଥିତି : ୟେସ୍‌ ବ୍ୟାଙ୍କ ସଂକଟ ଭାତ ହାଣ୍ଡିରୁ ଗୋଟିଏ

ମାନ୍ଦାବସ୍ଥା ଓ କରୋନା ଆତଙ୍କ ଯୋଗୁଁ ବିଶ୍ବ ଅର୍ଥନୀତି ଭୁଶୁଡି ପଡ଼ୁଥିବାବେଳେ ଭାରତର ଅର୍ଥନୀତି ଏଠାକାର ସରକାରଙ୍କ କେତେକ ଅପରିଣାମଦର୍ଶୀ କାର୍ଯ୍ୟଯୋଗୁଁ ବିଗିଡ଼ିବାରେ ଲାଗିଛି। ମୋଦୀ ସରକାର କ୍ଷମତାକୁ ଆସିବା ଦିନଠାରୁ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସ୍ଥିତି କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଲକ୍ଷଲକ୍ଷ କୋଟିଟଙ୍କା ଠକି ନେଇ ଅନେକ ପ୍ରଭାବଶାଳୀ ବ୍ୟକ୍ତିବିଶେଷ ଓ ଉଦ୍ୟୋଗପତି ଭାରତୀୟ ବ୍ୟାଙ୍କ ବ୍ୟବସ୍ଥାକୁ ଖୋଳ କରି ଦେଇଥିବାବେଳେ ସରକାର ଜନତାଙ୍କ କଷ୍ଟଲବ୍ଧ ଆୟରୁ ସଂଗୃହୀତ ଟିକସକୁ ଦୁର୍ବଳ ବ୍ୟାଙ୍କଗୁଡ଼ିକ ଦେଇ ତାହାର ଆର୍ଥିକ ସ୍ଥିତିକୁ ବାଗେଇବାକୁ ଯେଉଁ ପ୍ରୟାସ କରୁଛନ୍ତି ତାହାର ଭବିଷ୍ୟତ ମଧ୍ୟ ଭଲ ଦେଖାଯାଉ ନାହିଁ। ବ୍ୟାଙ୍କ ଉଦ୍ୟୋଗର କାରବାର ମାନ୍ଦା ସହିତ ବିପୁଳ ଅନାଦାୟ ଋଣବୋଝ ଏ କ୍ଷେତ୍ର ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି। ଘରୋଇ ବ୍ୟାଙ୍କଗୁଡ଼ିକର ଅବସ୍ଥା ମଧ୍ୟ ବିପୁଳ ଅନାଦାୟ ଋଣବୋଝ ଓ ପରିଚାଳନାଗତ ବିଭ୍ରାଟ ଯୋଗୁଁ ବାରଣ୍ଡା ଦି’କଡ଼ା ଅବସ୍ଥାରେ ପହଞ୍ଚିଛି। ପିଏମ୍‌ସି ବ୍ୟାଙ୍କ ଦେବାଳିଆ ହେବାପରେ ଲକ୍ଷଲକ୍ଷ ଜମାକାରୀ ଏବେ ଅର୍ଥ ଫେରି ନ’ପାଇ ଦାଣ୍ଡର ଭିକାରି ସାଜିଛନ୍ତି। ସଦ୍ୟତମ ଝଟକା ଆସିଛି ଘରୋଇ ୟେସ୍‌ବ୍ୟାଙ୍କରୁ। ଏଇ ବ୍ୟାଙ୍କ ଏବେ ପରିଚାଳନାଗତ ବିଭ୍ରାଟ ଓ ବିପୁଳ ଋଣବୋଝ ଯୋଗୁ ଦେବାଳିଆ ପ୍ରାୟ। ୨୦୧୪ରେ ୟେସ୍‌ ବ୍ୟାଙ୍କର ଅନାଦାୟ ଋଣ ପରିମାଣ ୪୫ହଜାର କୋଟି ଟଙ୍କା ଥିବାବେଳେ ୨୦୧୯ରେ ଏହା ୨,୪୧,୦୦୦ କୋଟିଟଙ୍କାରେ ପହଞ୍ଚିଛି। ଆର୍ଥିକ କାରବାରରେ କ୍ରମାଗତ ବିଫଳ ହେଉଥିବା ଏଇ ବ୍ୟାଙ୍କ କାହିଁକି ଓ କିପରି ଅଧିକରୁ ଅଧିକ ଋଣ ଦେଉଥିଲା ଓ କ୍ଷତିରେ ଚାଲୁଥିଲା ତାହା ବୁଝିହେଉନାହିଁ। ବ୍ୟାଙ୍କର ଜମାକାରୀଙ୍କ ପାଇଁ ରିଜର୍ଭବ୍ୟାଙ୍କ ଏବେ ଟଙ୍କାଉଠାଣ ମାସିକ ୫୦ହଜାରରୁ ସୀମିତ ରଖିବା ସହ ଏହାର ପରିଚାଳନା ବୋର୍ଡ଼କୁ ଭାଙ୍ଗିଦେଇ ସେ ଦାୟିତ୍ବ ନିଜ ହାତକୁ ନେଇଛି। ରିଜର୍ଭବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ୟେସ୍‌ ବ୍ୟାଙ୍କ ଜମାକାରୀଙ୍କ ଅର୍ଥ ସୁରକ୍ଷିତ ଏବଂ ସେମାନେ ଆତଙ୍କିତ ହେବାର କିଛି ନାହିଁ। ରିଜର୍ଭବ୍ୟାଙ୍କ ମାର୍ଫତରେ ଏଇ ବ୍ୟାଙ୍କର ସ୍ଥିତି ସୁଧାରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲେ ମଧ୍ୟ ତାହା କେତେ ଫଳବତୀ ହେବ କହିବା କଷ୍ଟ। ବୁଡ଼ିଗଲା ଗୋଡ଼ ତଳକୁ ତଳକୁ।
ଦେଖାଯାଉଛି ଯେ ବ୍ୟାଙ୍କଗୁଡ଼ିକର ଆର୍ଥିକ ଅବସ୍ଥା ଥରେ ବିଗିଡ଼ିଲେ ତାହା ସହଜରେ ସୁଧୁରୁ ନାହିଁ। ବ୍ୟାଙ୍କ ସମୂହଙ୍କ ଏଭଳି ସ୍ଥିତି ପାଇଁ ଶାସକ ଏନ୍‌ଡିଏ ଚିରାଚରିତ ଭାବେ କଂଗ୍ରେସକୁ ଦୋଷାରୋପ କରୁଛି। ୟେସ୍‌ ବ୍ୟାଙ୍କ ଦୁର୍ଗତି ପାଇଁ କଂଗ୍ରେସ ଦାୟୀ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସାମ୍ବାଦିକ ସମ୍ମିଳନୀରେ ତରବରିଆ ଭାବେ କହିଥିବାବେଳେ ଜମାକାରୀଙ୍କ ଅର୍ଥର ସୁରକ୍ଷା ସମ୍ପର୍କରେ ନିର୍ଦିଷ୍ଟ ଭାବେ କିଛି କହିନାହାନ୍ତି। ଏନ୍‌ଡିଏ ଶାସନକାଳରେ ଗତ ଛ’ବର୍ଷ ମଧ୍ୟରେ ୟେସ୍‌ ବ୍ୟାଙ୍କର ଅନାଦାୟ ଋଣ ୫୫ହଜାର କୋଟିରୁ ୨୪୧ ହଜାର କୋଟିକୁ କିପରି ବଢ଼ିଲା ଏବଂ ଏ ସବୁ ଋଣ ନେଇଥିବା ବ୍ୟକ୍ତିବିଶେଷ କିଏ ତାହାର ଉତ୍ତର ଅର୍ଥମନ୍ତ୍ରୀ ସର୍ବସାଧାରଣରେ ରଖିବା ଉଚିତ। ଦେବାଳିଆ ପ୍ରାୟ ୟେସ୍‌ ବ୍ୟାଙ୍କରେ ପୁଞ୍ଜି ନିବେଶ କରିବାକୁ ଷ୍ଟେଟ୍‌ବ୍ୟାଙ୍କକୁ ସରକାର ଓ ରିଜର୍ଭବ୍ୟାଙ୍କ ନିର୍ଦେଶ ଦେଇଛନ୍ତି। ଏକ ଘରୋଇ ବ୍ୟାଙ୍କରେ ସରକାରଙ୍କ ନିଜସ୍ବବ୍ୟାଙ୍କ ଷ୍ଟେଟବ୍ୟାଙ୍କ କାହିଁକି ଅର୍ଥ ଲଗାଇବ? ଯେଉଁ ପୁଞ୍ଜି ଷ୍ଟେଟବ୍ୟାଙ୍କ ନିବେଶ କରିବ ତାହାର ଫେରସ୍ତ ଓ ସୁରକ୍ଷାର ଗ୍ୟାରେଣ୍ଟି ନାହିଁ। ସେଇଭଳି ଏଇ ପୁଞ୍ଜି ଲଗାଣ କରି ଷ୍ଟେଟବ୍ୟାଙ୍କ କାହିଁକି ସେୟାର ବଜାରରେ ୟେସ୍‌ ବ୍ୟାଙ୍କର ଷ୍ଟକ୍‌ ଓ ଇକ୍ୟୁଇଟି ଭାଉ ବଢ଼ାଇବାକୁ ପ୍ରୟାସ କରିବ? ଆଇଡିବିଆଇ ରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର କଷ୍ଟାର୍ଜିତ ଧନ ଜମାରହିଛି। ସେଇଭଳି ଇନ୍‌ଫ୍ରାଷ୍ଟକଚର ଲିଜିଂ ଓ ଫାଇନାନ୍ସିଆଲ ସର୍ଭିସ (ଆଇଏଲଏଫଏସ୍‌)ରେ ବିପୁଳ ସରକାରୀ ପୁଞ୍ଜି ଲାଗିଛି। ଉଭୟ ସଂସ୍ଥାର ଆର୍ଥିକ ସ୍ଥିତି କୁପରିଚାଳନା ଓ ଅନାଦାୟ ଋଣବୋଝ ଯୋଗୁଁ କ୍ରମଶଃ ଖରାପ ହେଉଛି। ସରକାରୀ ନିୟନ୍ତ୍ରଣରେ ଥିବା ବିତ୍ତୀୟ ସଂସ୍ଥାଗୁଡ଼ିକର ଯଦି ଏଭଳି ସ୍ଥିତି ହୁଏ ଘରୋଇ ବ୍ୟାଙ୍କ ଓ ଆର୍ଥିକ ପ୍ରତିଷ୍ଠାନଗୁଡ଼ିକର ସ୍ଥିତି ଏବେ କ’ଣ ତାହା ଅନୁମାନ କରିବା କଷ୍ଟ ନୁହେଁ।
ୟେସ୍‌ ବ୍ୟାଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ପ୍ରାୟ ୫୫୦କୋଟି ଟଙ୍କା ଜମା ରହିଛି। ଅଧିକ ସୁଧ ଆଶାରେ ଏଇ ସ୍ଥାୟୀ ଜମା କରାଯାଇଥିଲେ ମଧ୍ୟ ଏକ ବେସରକାରୀ ବ୍ୟାଙ୍କରେ ଏତେ ଅର୍ଥ ସରକାରୀ ନୀତିନିୟମ ଉଲ୍ଲଙ୍ଘନ କରି କିଏ ରଖିଲା ତାହାର ତଦନ୍ତ ହେବାସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ୟେସ୍‌ ବ୍ୟାଙ୍କ ଯଦି ଦେବାଳିଆ ହୋଇଯାଏ କିମ୍ବା ଅନ୍ୟ କୌଣସି ସରକାରୀ ବ୍ୟାଙ୍କ ସହିତ ମିଶେ ଏହି ଜମା ଅର୍ଥର ଭବିଷ୍ୟତ କ’ଣ ହେବ ତାହା କହିବା କଷ୍ଟ।
ବ୍ୟାଙ୍କ ଉଦ୍ୟୋଗରେ ଏଭଳି ଦୁଃସ୍ଥିତି କ୍ରମାଗତ ଘଟୁଛି ଏବଂ ମୋଦୀ ସରକାରଙ୍କ ଆସିବା କାଳରୁ ଏହା ନିରନ୍ତର ନିମ୍ନଗାମୀ ହେଉଥିବା ଦେଖାଯାଉଛି। ଏଥିରୁ ମନେ ହେଉଛି ମୋଦୀ ସରକାରଙ୍କ ବ୍ୟାଙ୍କ ଓ ଆର୍ଥିକ ନୀତି ଦୁର୍ବଳ। ସବୁ କଥାରେ କଂଗ୍ରେସ ବା ପୂର୍ବ ସରକାରଙ୍କୁ ଦୋଷ ଦେଲେ ବିଗିଡ଼ି ଯାଉଥିବା ଆର୍ଥିକ ନୀତି ଓ ବ୍ୟାଙ୍କ ବ୍ୟବସ୍ଥା ସୁଧୁରିବ ନାହିଁ। ଏଥିପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଓ ଉପଯୁକ୍ତ ପଦକ୍ଷେପ ଲୋଡ଼ା। ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରିତ୍ବ କାଳର ଦେଶର ଆର୍ଥିକ ଅବସ୍ଥା ଓ ବିତ୍ତୀୟ ନୀତି ବର୍ତ୍ତମାନଠାରୁ ଯେ ଅପେକ୍ଷାକୃତ ଭଲ ଥିଲା, ତାହାକୁ ଅସ୍ବୀକାର କରାଯାଇ ନ’ପାରେ। ଛ’ ବର୍ଷ ତଳେ ଭାରତୀୟ ଅର୍ଥନୀତି ଓ ଅର୍ଥବ୍ୟବସ୍ଥା ବିଶ୍ବର ଏକ ଆଦର୍ଶ ଥିଲା। ଏବେ କ୍ରମଶଃ ଏହା ବିଗିଡ଼ିବାରେ ଲାଗିଛି। ବିଗୁଡ଼ୁଥିବା ବ୍ୟାଙ୍କ ବ୍ୟବସ୍ଥା ଓ ଆର୍ଥିକ ନୀତିକୁ ସୁଧାରିବା ପାଇଁ ଯଥାର୍ଥ ବିତ୍ତଡାକ୍ତରଙ୍କ ଆବଶ୍ୟକତା ରହିଛି। ହାଡ଼ୁବଇଦଙ୍କ ତୁଟୁକାରେ ଏହା ସୁଧୁରିବ ନାହିଁ, ପ୍ରଧାନମନ୍ତ୍ରୀ ଓ ତାଙ୍କ ଅର୍ଥମନ୍ତ୍ରୀ ଏହା ଜାଣିବା ଉଚିତ।

kalyan agarbati

Comments are closed.