ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଣିଷ ଖିଆ ବାଘ ନୁହନ୍ତି। ଏଣୁ ସୁପ୍ରିମକୋର୍ଟରେ ବିଚାରାଧୀନ ମାମଲାଗୁଡିକୁ ନେଇ ରାଜ୍ୟଗୁଡିକ ଭୟଭୀତ ହେବ ଉଚିତ ନୁହେଁ। ବିଚାରପତି ଏମ୍. ବି. ଲୋକୁର ଏବଂ ବିଚାରପତି ଦୀପକ ଗୁପ୍ତାଙ୍କ ପୀଠ ଶୁକ୍ରବାର ବେଆଇନ ଖଣି କାରବାର ସମ୍ବନ୍ଧୀୟ ଏକ ମାମଲାର ଶୁଣାଣି ବେଳେ ଏହି ମତବ୍ୟକ୍ତ କରିଛନ୍ତି। ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଯୁକ୍ତି ବାଢିଥିଲେ ଯେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ରାଜ୍ୟର ଟ୍ରାଇମେକ୍ସ ଗ୍ରୁପ କମ୍ପାନୀ ବିରୋଧରେ ବେଆଇନ ଖଣି କାରବାର ମାମଲା ରୁଜୁ କରାଯାଇଛି। ଅନ୍ୟପଟେ ଟ୍ରାଇମେକ୍ସ ଗ୍ରୁପକୁ ଦିଆଯାଇଥିବା ଖଣି କାରବାର ଲାଇସେନ୍ସକୁ ରାଜ୍ୟ ସରକାର ନିକଟରେ ରଦ୍ଦ କରିଥିଲେ। ଏ ସମ୍ବନ୍ଧୀୟ ଦସ୍ତାବିଜ୍ ରାଜ୍ୟ ସରକାରଙ୍କ ଓକିଲ କୋର୍ଟରେ ଦାଖଲ କରିଥିଲେ। ଏହି ପରିପ୍ରେକ୍ଷୀରେ ରୋହତଗୀ ଯୁକ୍ତି ବାଢିଥିଲେ ଯେ ଏହା ଏକ ବେଆଇନ ଖଣି କାରବାର ହୋଇ ନ ଥିଲେ ମଧ୍ୟ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ରାଜ୍ୟ ସରକାର ଏହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ପୀଠ କହିଛନ୍ତି, କୌଣସି ରାଜ୍ୟ ସରକାର ଏଭଳି ଅସହାୟ ନୁହନ୍ତି ଯେ ଜଣେ କିମ୍ବା ଦୁଇ ଜଣ ଲୋକ ତାଙ୍କୁ ଅନିଚ୍ଛା ସତ୍ତ୍ବେ କାର୍ଯ୍ୟ କରିବାକୁ ବାଧ୍ୟ କରିପାରିବେ। ଅପରପକ୍ଷେ ରାଜ୍ୟ ସରକାର କମ୍ପାନୀର ଲାଇସେନ୍ସ ରଦ୍ଦ କରି ଏହାଠାରୁ କ୍ଷତିପୂରଣ ଆଦାୟ କରିବା ଉଚିତ ବୋଲି ମାମଲାର ଆବେଦନକାରୀ ତଥା ପୂର୍ବତନ ବରିଷ୍ଠ ଅମଲା ଅଧିକାରୀ ଇଏଏସ୍ ଶର୍ମାଙ୍କ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି। ଉଲ୍ଲେଖ ଯେ କମ୍ପାନୀ ଦ୍ୱାରା ବେଆଇନ ଖଣି କାରବାର ଅଭିଯୋଗର ଏସ୍ଆଇଟି କିମ୍ବା ସିବିଆଇ ତଦନ୍ତ ଦାବିରେ ହୋଇଥିବା ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ଜୁଲାଇ ୯ରେ କେନ୍ଦ୍ର, ଆନ୍ଧ୍ର ଏବଂ କମ୍ପାନୀଠାରୁ ଜବାବ ଲୋଡିଥିଲେ।
Popular Categories



