ପାଣିପାଇଁ ଛଟପଟ : ଜଳଯୋଗାଣ ପ୍ରକଳ୍ପରେ ତାଲା ପକାଇଲେ ସ୍ଥାନୀୟ ମହିଳା

ଗଡ଼ମଧୁପୁର : ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ଏବେ ଲୋକେ ନାହିଁ ନଥିବା ଜଳକଷ୍ଟ ଭୋଗୁଛନ୍ତି। ବିଶେଷ କରି ଏହି ବ୍ଲକର ୧୧ ନଂ ଓ ୧୨ ନଂ ଜୋନରେ ରହିଥିବା ପାହାଡିଆ ଅଞ୍ଚଳରେ ଏହି ଜଳାଭାବ ଅଧିକ ମାତ୍ରାରେ ଅନୁଭୁତ ହେଉଛି। ବିଭିନ୍ନ କାରଣରୁ ଜଳସ୍ତର କମିଯିବା ଫଳରେ ଏବେ କୂଅ ପୋଖରୀ ସୁଖିଲା ପଡ଼ିଛି। ଏ ଭଳି ପରିସ୍ଥିତିରେ ପାନୀୟ ଜଳଯୋଗାଣ ବିଭାଗର କର୍ତ୍ତବ୍ୟରେ ଅବହେଳା କାରଣରୁ ପ୍ରକଳ୍ପ ଥାଇ ଲୋକେ ହିନସ୍ତା ହେଉଛନ୍ତି। ଏହି ବ୍ଲକର ଅଣ୍ଟିଆ ପଞ୍ଚାୟତରେ ଆଜକୁ କେତେଦିନ ହେବ ପାନୀୟ ଜଳପାଇଁ ପଛୁକୁଣ୍ଡି ଗାଁର ଶତାଧିକ ମହିଳା ଅଣ୍ଟିଆ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ଉଚ୍ଚ କ୍ଷମତା ସମ୍ପନ୍ନ ପାଣିଟାଙ୍କି ସମ୍ମୁଖରେ ଧାରଣା ଦେବା ସହିତ ତାଲା ପକାଇବା କାରଣରୁ ବିଭାଗ ଚେଇଁ ଉଠିଥିଲା। ଖୁବ କମ ସମୟ ମଧ୍ୟରେ ସେଠାରେ ପାଣି ପାଉନଥିବା ଲୋକଙ୍କୁ ପାଣି ଯୋଗଇ ଦେବାକୁ ଚେଷ୍ଠା କରି ପାଣି ଦେଇଥିଲା। ସେହି ପଞ୍ଚାୟତର ଶ୍ରଚନ୍ଦନପୁର(ଖରିଲୋ) ଗାଁରେ ଏକ ପ୍ରକଳ୍ପ ରହିଛି। ଲକ୍ଷାଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା କାରଣରୁ ସେଠାରେ ପୋଡି ଯାଇଥିବା ଟ୍ରାନ୍ସଫରମର  ବିଦ୍ୟୁତ ବିଭାଗ ବଦଳାଇ ନଥିଲା। ଫଳରେ ଅନେକ ଦିନ ଅଚଳ ପଡ଼ିରହିବା ପରେ ଗଣମାଧ୍ୟମର ହସ୍ତକ୍ଷେପ ହେବାରୁ ତୁରନ୍ତ ଟଙ୍କା ଜମା କରିବାରୁ ସେଠାରେ ଅଚଳ ପ୍ରକଳ୍ପ ସଚଳ ହୋଇଥିଲା। କିନ୍ତୁ ଦୁଖ ଓ ପରିତାପର ବିଷୟ ଏହି ଗାଁର ଶେଷ ପ୍ରାନ୍ତରେ ଥିବା କିଛି ଦଳିତ ସମ୍ପ୍ରଦାୟର ଲୋକମାନଙ୍କୁ ଅଣଦେଖା କରାଯାଇ ସେମାନଙ୍କ ପର୍ଯ୍ୟନ୍ତ ପାଇପ ଯୋଗାଣ ହୋଇନଥିବାରୁ ସେମାନେ ଏହି ଗ୍ରୀଷ୍ମରେ ପାଣି ନପାଇ ବାରଦ୍ୱାର ହୋଇଥିଲେ। ଅଭିଯୋଗ ପରେ ବିଭାଗ କିଛି ନଶୁଣିବାରୁ ଆଜି ସେଠାରେ ସ୍ଥାନୀୟ ମହିଳାମାନେ ସକାଳୁ ଆସି ପ୍ରକଳ୍ପରେ ତଲାପକାଇ ବସିରହିଥିଲେ। ଦୀର୍ଘ ସମୟ ପରେ ବିଭାଗୀୟ ଅଧିକାରୀ ଜନୈକ ଠିକାଦାରକୁ ସେଠାକୁ ପଠାଇ ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ କାମ ଆରମ୍ଭ ହେବାର ପ୍ରତିଶୃତି ଦେବାରୁ ମହିଳାମାନେ ତାଲା ଖୋଲିଥିଲେ। ବେଳ ଥାଉ ସଜାଗ ନହେବା କାରଣରୁ ଅନେକ ସ୍ଥାନରେ ଏବେ ତାଲା ପଡ଼ିବା ସହିତ ଗରା ମାଣ୍ଡିଆ ଧରି ଧାରଣା ଦେବା ବିଭାଗୀୟ ଅପାରଗତାକୁ ପଦାରେ ପକାଇ ଦେଇଛି।

Comments are closed.