www.samajalive.in
Friday, December 5, 2025
23.1 C
Bhubaneswar

ତେଲେଙ୍ଗାନା ଢାଞ୍ଚାରେ ବିଧାନ ପରିଷଦ

ଭୁବନେଶ୍ୱର : ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ୪ଟି ରାଜ୍ୟ ଗସ୍ତ ପରେ ପର୍ଯ୍ୟବେକ୍ଷକ କମିଟି ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି। କମିଟିର ଅଧ୍ୟକ୍ଷ ଡ.ନୃସିଂହଚରଣ ସାହୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଏହି ରିପୋର୍ଟ ପ୍ରଦାନ କରି ତେଲେଙ୍ଗାନା ଢ଼ାଞ୍ଚାରେ ରାଜ୍ୟର ବିଧାନ ପରିଷଦ ଗଠନ ନେଇ ସୁପାରିସ କରିଛନ୍ତି। ସମ୍ବିଧାନର ୧୭୧ ଧାରା ଅନୁଯାୟୀ ବିଧାନସଭାର ଏକ ତୃତୀୟାଂଶ ଅଥବା ଅତି କମରେ ୪୦ଜଣ ସଭ୍ୟ ବିଧାନ ପରିଷଦରେ ରହିପାରିବେ। କମିଟିର ରିପୋର୍ଟ ଅନୁଯାୟୀ ଓଡ଼ିଶା ବିଧାନ ପରିଷଦରେ ୪୯ ଜଣ ସଭ୍ୟ ରହିବେ। ଏଥିମଧ୍ୟରୁ ବିଧାୟକଙ୍କ ଦ୍ୱାରା ୧୬ଜଣ, ଜିଲା ପରିଷଦ ଓ ପୌରାଞ୍ଚଳରୁ ୧୬ଜଣ, ୪ଜଣ ସ୍ନାତକ ଏବଂ ୪ଜଣ ଶିକ୍ଷକ ନିର୍ବାଚିତ ହେବେ। ପରିଷଦକୁ ରାଜ୍ୟପାଳ ୯ଜଣ ସଦସ୍ୟଙ୍କୁ ମଧ୍ୟ ମନୋନୀତ କରିବେ। ବିଧାନ ପରିଷଦ ସଦସ୍ୟଙ୍କ କାର୍ଯ୍ୟକାଳ ୬ବର୍ଷ ରହିବ। ରାଜ୍ୟସଭା ଭଳି ପ୍ରତି ଦୁଇ ବର୍ଷରେ ଏହାର ଏକ ତୃତୀୟାଂଶ ସଭ୍ୟଙ୍କ ଅବଧି ଶେଷ ହେବ। ବିଧାନ ପରିଷଦ ପାଇଁ ଆସନ ସଂରକ୍ଷଣ ବ୍ୟବସ୍ଥା ନାହିଁ। ବିଧାନସଭା ଅଧିବେଶନ ବସିବାବେଳେ ଏକ ସଙ୍ଗରେ ବିଧାନ ପରିଷଦର ମଧ୍ୟ ବୈଠକ ବସିବ। ବିଧାନସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟଙ୍କୁ ଦରମା, ଭତ୍ତା, ବିଧାୟକ ପାଣ୍ଠି ଅର୍ଥ, ସରକାରୀ ଘର ଆଦି ସମସ୍ତ ସୁବିଧା ସୁଯୋଗ ମିଳିବ। ସେମାନେ ପେନ୍‍ସନ ମଧ୍ୟ ପାଇବେ, କିନ୍ତୁ ସମ୍ବିଧାନର ୧୭୮ ଧାରା ଅନୁଯାୟୀ ପରିଷଦରେ କୌଣସି ଆର୍ଥିକ ବିଲ ପ୍ରସ୍ତୁତ ହୋଇପାରିବ ନାହିଁ। ଯେଉଁ ବ୍ୟୟମଞ୍ଜୁରି ବିଲ ବିଧାନସଭାରେ ପାରିତ ହେବ ତାହାକୁ ପରିଷଦ ୧୪ ଦିନ ମଧ୍ୟରେ ମଞ୍ଜୁରି ଦେବ। ବିଧାନ ପରିଷଦର ସଭ୍ୟମାନେ ପରିଷଦର ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ବାଛିବେ। ବିଧାନ ପରିଷଦର ନେତାଙ୍କୁ ମୁଖ୍ୟମନ୍ତ୍ରୀ ବାଛିବେ। ପରିଷଦର ନେତା କ୍ୟାବିନେଟ ମନ୍ତ୍ରୀ ପାହ୍ୟାର ହେବେ।
ପ୍ରାଥମିକ ପର୍ଯ୍ୟାୟରେ ବିଧାନ ପରିଷଦର କାର୍ଯ୍ୟକାରିତା ପାଇଁ ୩୫କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କମିଟି ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।
ଶୁକ୍ରବାର ସଚିବାଳୟରେ ପର୍ଯ୍ୟବେକ୍ଷକ କମିଟି ଅଧ୍ୟକ୍ଷ ନୃସିଂହ ଚରଣ ସାହୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ଗଣମାଧ୍ୟମକୁ କହିଛନ୍ତି ଯେ ସରକାରଙ୍କ ନିର୍ଦେଶକ୍ରମେ ବିଧାନ ପରିଷଦର ଗଠନ ପ୍ରଣାଳୀ ଓ କାର୍ଯ୍ୟଶୈଳୀ ସମ୍ପର୍କରେ ଅନୁଧ୍ୟାନ ପାଇଁ ୨୦୧୫ ଫେବୃଆରୀରେ କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରାଯାଇଥିଲା। ମାତ୍ର ଅଧିକ ଅଭିଜ୍ଞତା ହାସଲ ପାଇଁ ଚଳିତ ବର୍ଷ ଜୁଲାଇରେ ବିହାର ଓ ତେଲେଙ୍ଗାନା ଗସ୍ତ କରାଯାଇ ବିଧାନ ପରିଷଦ ସଂକ୍ରାନ୍ତରେ ଯେଉଁ ତଥ୍ୟ ହାସଲ ହୋଇଛି ସେ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।
ଆସନ୍ତା ବିଧାନସଭାରେ ବିଧାନ ପରିଷଦ ଗଠନ ନେଇ ସଂକଳ୍ପ ପାରିତ ହେବ। ଏହା ପରେ ଉକ୍ତ ସଂକଳ୍ପ ଲୋକସଭା ଓ ରାଜ୍ୟସଭାରେ ବିଧେୟକ ଭାବେ ଉପସ୍ଥାପିତ ହେବ। ସଂସଦର ଉଭୟ ଗୃହରେ ପାରିତ ହେବା ପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ। ସ୍ୱୀକୃତି ମିଳିବା ପରେ ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି କମିଟିର ଅଧ୍ୟକ୍ଷ ତଥା ପରିବହନ ମନ୍ତ୍ରୀ ଡ.ସାହୁ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ସହିତ ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କମିଟିର ଅଧ୍ୟକ୍ଷ, ସଭ୍ୟା ପ୍ରମିଳା ମଲ୍ଲିକ ଓ ସଭ୍ୟ ମନୋହର ରନ୍ଧାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories