ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ମନ୍ଦିର ଭିତରକୁ ସାଧାରଣ ଭକ୍ତ ଆହୁରି ଏକ ମାସ ପର୍ଯ୍ୟନ୍ତ ପ୍ରବେଶ କରିପାରିବେ ନାହିଁ। କରୋନା କଟକଣାକୁ ନିୟନ୍ତ୍ରଣ ପାଇଁ ଜିଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ପହିଲା ପର୍ଯ୍ୟନ୍ତ ମନ୍ଦିର ଗୁଡିକ ଖୋଲାଯିବ ନାହିଁ। ଗଞ୍ଜାମ ଜିଲାରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ମନ୍ଦିର। ସେହିପରି ପିକ୍ନିକ୍ ସ୍ପଟ୍ଗୁଡ଼ିକ ଲାଗି ଗାଇଡ୍ଲାଇନ୍ ଜାରି ହୋଇଥିବାବେଳେ ପିକ୍ନିକ୍ ସ୍ପଟ୍ରେ ମ୍ୟୁଜିକ୍ ବଜାଇବା ବାରଣ କରାଯାଇଛି। ଜିଲାର ସରକାରୀ ଅଧିକାରୀ ସରକାରୀ ଅଧିକାରୀ ୫୦% ଅଫିସରେ ଓ ବାକି ସମୟ କ୍ଷେତ୍ର ପରିଦର୍ଶନ କରିବେ। ୩ ମାସ ଲାଗି ସବୁ ଗାଁରେ କାର୍ଯ୍ୟକାରୀ ହେବ ‘ମୋ ଗାଁରେ ତହସିଲ୍’ କାର୍ଯ୍ୟକ୍ରମ। ଗାଁ ଲୋକେ ସେଇଠି ପ୍ରମାଣପତ୍ର, ରାଜସ୍ବ ଆଦାୟ, ମ୍ୟୁଟେସନ୍ ସୁବିଧା ପାଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି।
କରୋନାର ଦ୍ବିତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନାର ଦ୍ବିତୀୟ ପ୍ରବାହ ରୋକିବାକୁ ସତର୍କତା ଅବଲମ୍ବନ ଉପରେ ବୈଠକରେ ଗୁରୁତ୍ବ ଦିଆଯାଇଛି। ଗଞ୍ଜାମ ଜିଲାବାସୀଙ୍କୁ ସତର୍କତା ଏବଂ ସଚେତନତା ସୃଷ୍ଟି ଦିଗରେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ବ୍ଲକ୍ ସ୍ତରୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଜିଲାସ୍ତରୀୟ ଅଧିକାରୀମାନଙ୍କ ସହିତ ଆଲୋଚନା ପରେ ସୂଚନା ଦେଇଛନ୍ତି।
ସେହିପରି ପିକ୍ନିକ୍ ସ୍ପଟ କିମ୍ବା ବଣଭୋଜି ସ୍ଥଳରେ ଅଧିକ ଲୋକଙ୍କ ସମାଗମ ଏବଂ ସେଠାରେ ମ୍ୟୁଜିକ୍ ବଜାଇବା ଉପରେ ଜିଲା ପ୍ରଶାସନ କଟକଣା ଜାରି କରିଛି। ପିକନିକ୍ ସ୍ପଟ୍କୁ ସ୍ୱଳ୍ପ ସଂଖ୍ୟକ ଲୋକଯାଇ ସେଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିପାରିବେ। ଏହାକୁ ତହସିଲଦାର ତଦାରଖ କରିବେ। ବଣଭୋଜି ଓ ପିକ୍ନିକ୍ ସ୍ପଟ୍ ପାଇଁ ଗୋଟିଏ ଫୋନ୍ ନମ୍ବର ଜାରି କରାଯିବ। ଯଦି ପିକନିକ୍ ସ୍ପଟ୍ କିମ୍ବା ବଣଭୋଜି ସ୍ଥଳରେ ଗହଳି ହୋଇଥାଏ ଏବଂ ଲୋକେ କୋଭିଡ୍ ନିୟମର ପାଳନ କରୁନଥାନ୍ତି ତାହେଲେ ସେହି ନମ୍ବରକୁ ଫୋନ୍ କରି ଜଣାଇପାରିବେ।
ଜିଲାପାଳ କହିଥିଲେ ଯେ ଅଧିକାଂଶ ଦେଶରେ ଦ୍ବିତୀୟ ଏବଂ ତୃତୀୟ କୋଭିଡ୍ ସଂକ୍ରମଣ ପ୍ରବାହ ଆରମ୍ଭ ହୋଇଯାଇଛି, ଯାହାକି ଭିନ୍ନ ଧରଣର ପ୍ରବାହ ଏବଂ ଏହି ପ୍ରବାହ ସଂକ୍ରମିତ ହେଲେ ନିଶ୍ଚିତରୂପେ ଜୀବନ ପ୍ରତି ବିପଦ ଦେଖା ଦେଉଛି। ଯଦି ଏହି ପ୍ରବାହ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୁଏ ତେବେ ତାହାକୁ ସମ୍ଭାଳିବା କଷ୍ଟକର ହୋଇ ପଡିବ। ଏଣୁ ପ୍ରବାହକୁ ରୋକିବା ଦିଗରେ ସତର୍କତା ହିଁ ମୁଖ୍ୟ ଆୟୁଧ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଯେ ପର୍ୟ୍ୟନ୍ତ ଟିକା କିମ୍ବା ଔଷଧ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ନାହିଁ, ସେ ପର୍ଯ୍ୟନ୍ତ ପ୍ରଥମେ ସଚେତନତା କରାଯିବ ଏବଂ ଦ୍ବିତୀୟରେ ଚଢାଉ କାର୍ଯ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ହାତ ଧୋଇବା, ସାନିଟାଇଜର୍ ବ୍ୟବହାର କରିବା ଅଭ୍ୟାସ ଦ୍ବାରା ହିଁ ଗଞ୍ଜାମ ଜିଲାବାସୀ ସଂକ୍ରମଣରୁ ବର୍ତ୍ତି ପାରିଛନ୍ତି। ଏହି ଅଭ୍ୟାସ ଜାରି ରଖିବାକୁ ହେବ। ସେଥିପାଇଁ ସତର୍କ କରାଇବାକୁ ସମସ୍ତ ଅଧିକାରୀଙ୍କୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି।
ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଡ.ସିଦ୍ଧେଶ୍ୱର ବଳିରାମ ବନ୍ଦାର, ପ୍ରକଳ୍ପ ନିର୍ଦେଶକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ବ୍ରହ୍ମପୁର ଉପଜିଲାପାଳ କୀର୍ତ୍ତିୱାସନ ଭି, ଅତିରିକ୍ତ ଜିଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ଡୁଡାର ପ୍ରକଳ୍ପ ନିର୍ଦେଶକ ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପ ଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ମୁଖ୍ୟ ଜିଲା ଚିକିତ୍ସା ଅଧିକାରୀ ଡା.ଊମା ଶଙ୍କର ମିଶ୍ର ଏବଂ ସମସ୍ତ ଜିଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ଗଞ୍ଜାମରେ ଡିସେମ୍ବର ପହିଲା ପର୍ଯ୍ୟନ୍ତ ବନ୍ଦ ରହିବ ସମସ୍ତ ମନ୍ଦିର: ଜିଲାପାଳ
Popular Categories



