ମୁମ୍ବଇ : କରୋନା ବିରୋଧରେ ଲଢେଇ ଜାରି ରଖିବା ସହ ସାରା ଦେଶରେ ଜାରି ରହିଛି ଟିକାକରଣ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକେ କରୋନା ଟିକା ନେଉଛନ୍ତି। ଏହାମଧ୍ୟରେ ଟିକା କେନ୍ଦ୍ରରେ ଅବହେଳା ଘଟିଥିବା ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଥାଣେର କଲୱା ଅଞ୍ଚଳରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ବଦଳରେ ଜଣେ ବ୍ୟକ୍ତିଙ୍କୁ ରେବିଜ (ଜଳାନ୍ତକ) ଟିକା ଦିଆଯାଇଥିବା ନେଇ ଖବର ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଟିକା ଦେଇଥିବା ନର୍ସଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ଟିକା ନେଇଥିବା ବ୍ୟକ୍ତିଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି।
ସୂଚନା ଯୋଗ୍ୟ, ଉକ୍ତ ବ୍ୟକ୍ତି ଜଣଙ୍କ କରୋନା ଟିକା ନେବା ପାଇଁ ଡାକ୍ତରଖାନା ଯାଇଥିଲେ। ମାତ୍ର ସେ କରୋନା ଟିକା ନେବା ପାଇଁ ଥିବା ଧାଡି ବଦଳରେ ରେବିଜ ଟିକା ନେବା ପାଇଁ ଥିବା ଧାଡିରେ ଠିଆ ହୋଇଥିଲେ। ନର୍ସ ଜଣଙ୍କ ବ୍ୟକ୍ତିଙ୍କ କାଗଜପତ୍ର ଯାଞ୍ଚ ନକରି ତାଙ୍କୁ ରେବିଜ ଟିକା ଦେଇଥିଲେ। ଏବେ ଏହି ଘଟଣାରେ ନର୍ସକୁ ନିଲମ୍ବନ କରାଯିବା ସହ ଉକ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ସୂଚନା ମିଳିଛି।
କରୋନା ବଦଳରେ ନେଲେ ରେବିଜ ଟିକା – ନର୍ସ ନିଲମ୍ବିତ
Popular Categories



