ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ତ୍ୟାଗ, ସେବା, ସଂଗ୍ରାମ ଓ ସାଧନାର ଏକ ଅଲିଭା ସ୍ବାକ୍ଷର। ଏହା କର୍ମଯୋଗୀ ଦେଶ ପାଇଁ ଆପଣାକୁ ଉତ୍ସର୍ଗ କରିଥିବା, ଜଗତଜନଙ୍କ ପାଇଁ ଅାପଣାକୁ ସମର୍ପି ଦେଇଥିବା ଜଣେ ଉଜ୍ଜ୍ବଳ ଜ୍ୟୋତିଷ୍କ; ଯାହାଙ୍କର ପ୍ରଭା ଓ ଆଭା ଆଜି ମଧ୍ୟ ଜାଜୁଲ୍ୟମାନ ହୋଇ ସାରା ସଂସାରକୁ ବାଟ ଦେଖାଉଛି। ସେହି ଦେଶପ୍ରାଣ, ଜାତି ମନସ୍କ ଉତ୍କଳମାଟିର ସୁଯୋଗ୍ୟ ସନ୍ତାନଙ୍କ ୧୪୮ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ପାଦଯୁଗଳରେ ପ୍ରଣିପାତ ପୂର୍ବକ, ତାଙ୍କ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଜୟଗାନ କରୁଛୁ।
ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ: ପ୍ରଣମ୍ୟ ଗୋପବନ୍ଧୁ
ଜୀବନ ବୃତ୍ତାନ୍ତ :
୧୮୭୭ ଅକ୍ଟୋବର୯: ପୁରୀ ଜିଲା ସୁଆଣ୍ଡୋ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ।
୧୮୯୩: ପୁରୀ ଜିଲା ସ୍କୁଲରେ ଅଧ୍ୟୟନ। ମୋତିଦେବୀଙ୍କୁ ବିବାହ।
୧୮୯୯: ପୁରୀ ଜିଲା ସ୍କୁଲରୁ ମାଟ୍ରିକ୍ ପାସ୍।
୧୯୦୪: ରେଭେନ୍ସା କଲେଜରୁ କଳାରେ ସ୍ନାତକ ଡିଗ୍ରୀ ହାସଲ।
୧୯୦୬: କଲିକତା ବିଶ୍ବବିଦ୍ୟାଳୟରୁ ଆଇନ୍ରେ ଡିଗ୍ରୀ ହାସଲ।
୧୯୦୯: ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା।
୧୯୧୦: ମୟୂରଭଞ୍ଜ ରାଜ୍ୟ ସରକାରୀ ଓକିଲ ଭାବେ ନିଯୁକ୍ତ।
୧୯୧୫: ‘ସତ୍ୟବାଦୀ’ ସାହିତ୍ୟ ପତ୍ରିକା ପ୍ରକାଶନ ଆରମ୍ଭ।
୧୯୧୭: ବିହାର ଓଡ଼ିଶା ବିଧାନ ପରିଷଦକୁ ନିର୍ବାଚିତ।
୧୯୧୯: ଉତ୍କଳ ସମ୍ମିଳନୀର ସଭାପତି ଭାବେ ମନୋନୀତ।
୧୯୧୯: ‘ସମାଜ’ ସାପ୍ତାହିକ ସମ୍ବାଦପତ୍ରର ପ୍ରକାଶନ ଆରମ୍ଭ।
୧୯୨୦: ଉତ୍କଳ ପ୍ରଦେଶ କଂଗ୍ରେସ ସଭାପତି ଭାବେ ନିର୍ବାଚିତ।
୧୯୨୨: ଗିରଫ ହୋଇ ଦୁଇବର୍ଷ ପାଇଁ କାରାଦଣ୍ଡ।
୧୯୨୬: ‘ଲୋକସେବକ ମଣ୍ଡଳ’ରେ ଯୋଗଦାନ।
୧୯୨୮: ‘ଲୋକସେବକ ମଣ୍ଡଳ’ର ଉପ ସଭାପତି ମନୋନୀତ।
୧୯୨୮ ଜୁନ୍ ୧୭: ଟାଇଫଏଡ୍ ଜ୍ବରରେ ଆକ୍ରାନ୍ତ ହୋଇ ଦେହତ୍ୟାଗ।
ଲାଲା ଲଜପତ୍ ରାୟ
‘‘ଓଡ଼ିଶାର ସ୍ବର୍ଗତ ପଣ୍ଡିତ ଗୋପବନ୍ଧୁ ଦାସ ବାସ୍ତବ ଦୃଷ୍ଟିରୁ ମଣିଷଙ୍କ ଭିତରେ ରାଜପୁତ୍ର ଭଳି ଥିଲେ। xxx
ଏଭଳି ଏକ ସନ୍ତାନର ମୃତ୍ୟୁରେ ଦେଶ ଆଜି ଆହୁରି ଦରିଦ୍ର ହୋଇଗଲା ଏବଂ ଲୋକସେବକ ମଣ୍ଡଳ ଏଭଳି ଜଣେ ନେତାଙ୍କୁ ହରାଇଲା ଯାହାଙ୍କ ନେତୃତ୍ବ ଓ ମର୍ଯ୍ୟାଦା ବିକଶିତ ହୋଇ ଆସୁଥିଲା।’’
ଦେଶବନ୍ଧୁ ସି.ଏଫ୍. ଆଣ୍ଡ୍ରୁଜ
‘‘ଆମେ ଦୁହେଁ ପରସ୍ପର ପାଖକୁ ଯାଉ ଏବଂ ଏକାଠି ରହୁ। ପରସ୍ପର ପ୍ରତି ଆମ ଦୁହିଁଙ୍କର ଏତେ ଅନୁରକ୍ତି ଯେ ଅଲଗା ଅଲଗା ରହିବା ଅସମ୍ଭବ ହୁଏ।’’
ନେତାଜୀ ସୁଭାଷ ଚନ୍ଦ୍ର ବୋଷ
‘‘ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ଜାତୀୟ ଆନ୍ଦୋଳନର ଜନକ ରୂପେ ବିବେଚିତ। xxx ନାମ ଓ ଖ୍ୟାତି ଅର୍ଜନ ତାଙ୍କର ଲକ୍ଷ୍ୟ ନଥିଲା। ରାଜ୍ୟରେ ଯେତେବେଳେ ବନ୍ୟା ଓ ଦୁର୍ଭିକ୍ଷ ଉପୁଜିଥିଲା, ସେତେବେଳେ ଜାତୀୟ ଉଦ୍ଧାରକର୍ତ୍ତା ଗୋଷ୍ଠୀରେ ଓ ସେବାଦଳ ଭିତରେ ପଣ୍ଡିତ ଗୋପବନ୍ଧୁ ପ୍ରଥମେ ଆଗୁଆ ହୋଇପାରୁଥିଲେ।’’
ମହାତ୍ମା ଗାନ୍ଧୀ
‘‘ଓଡ଼ିଶାର କଲ୍ୟାଣ ପାଇଁ ଗୋପବନ୍ଧୁ ବାବୁ ତାଙ୍କର ସବୁକିଛି ଦେଇଯାଇଛନ୍ତି। xxx ଓଡ଼ିଶାରେ କାମ କରୁଥିବା କର୍ମୀମାନଙ୍କୁ ତାଙ୍କ ଉଦାର ଓ ମହାନ ଭାବଧାରା ବାଟ ଦେଖାଉ ଏବଂ ଜାତୀୟ ପ୍ରୟୋଜନ ଦୃଷ୍ଟିରୁ ଓଡ଼ିଶାରେ ଇତସ୍ତତଃ ବିକ୍ଷିପ୍ତ ଭାବରେ ଥାଇ କାମ କରୁଥିବା କର୍ମୀମାନଙ୍କ ମଧ୍ୟରେ ସେଥିପାଇଁ ବୃହତ୍ତର ଆତ୍ମୋତ୍ସର୍ଗ, ବୃହତ୍ତର ଉଦ୍ୟମ, ବୃହତ୍ତର ଆତ୍ମବିସ୍ମୃତି ଓ ବୃହତ୍ତର ସଂହତି ପ୍ରକାଶ ପାଉ, ଏହି ସ୍ବର୍ଗତ ଦେଶପ୍ରେମୀଙ୍କର ଆତ୍ମୀୟସ୍ବଜନମାନଙ୍କୁ ଓ ତାଙ୍କର ବହୁ ଶିଷ୍ୟପ୍ରଶିଷ୍ୟଙ୍କୁ ଏହି ଅବସରରେ ମୁଁ ମୋର ଶୋକୋଚ୍ଛ୍ବାସ ଜ୍ଞାପନ କରୁଛି।’’
ପଣ୍ଡିତ ନୀଳକଣ୍ଠ ଦାସ
‘‘କେବଳ ସେ ମଧୁର ପ୍ରୀତିଶୀଳ ବ୍ୟକ୍ତି ନୁହେଁ, ତା’ ଭିତରେ ଥାଏ ଭବିଷ୍ୟତର ପୁଣ୍ୟ ସାଧନ ଚରିତ୍ର ଗଠନର ସବେଗ ଦେଶସେବା। ସେଭଳି ମଣିଷ ଆଉ ମିଳିବାର ନୁହେଁ।’’
ପଣ୍ଡିତ ଗୋଦାବରୀଶ ମିଶ୍ର
‘‘ଏ ଭବପାରାବାରରେ ମୋ କ୍ଷୁଦ୍ର ଜୀବନ ତରୀର କର୍ଣ୍ଣଧାର ସେ। ମୋ ପ୍ରାଣର ଉପାସ୍ୟ ଦେବତା ସେ। ଦୁର୍ବଳ ମୁହୂର୍ତ୍ତମାନଙ୍କରେ ଆଜି ସୁଦ୍ଧା ମୁଁ ତାଙ୍କର ମୂର୍ତ୍ତି ଆଖି ଆଗରେ କଳ୍ପନାରେ ଦେଖି ସାନ୍ତ୍ବନା ପାଏ। ଗୋପବନ୍ଧୁଙ୍କ ପରି ସୁହୃଦ, ପଥପ୍ରଦର୍ଶକ ଓ ଦର୍ଶନଗୁରୁ ନିତାନ୍ତ ବିରଳ। ମନୁଷ୍ୟ ଜୀବନରେ ସର୍ବସ୍ବ ହରାଇ ଦାଣ୍ଡର ଭିକାରି ହେବ ତ ହେବ ଗୋପବନ୍ଧୁଙ୍କ ସଙ୍ଗରେ ପଡ଼ି।’’
ସମାଜସେବୀ ଗୋପବନ୍ଧୁ
ଛାତ୍ରାବସ୍ଥାରେ ସହପାଠୀଙ୍କ ସହ ରଥାଯାତ୍ରା ପରେ କଲେରାର ପ୍ରତିକାର ପାଇଁ ଉଦ୍ୟମ। ‘ପୁରୀ ସେବା ସମିତି’ ମାଧ୍ୟମରେ ଜନସେବା କାର୍ଯ୍ୟ। ବନ୍ୟା, ବାତ୍ୟା, ମରୁଡ଼ିବେଳେ ତ୍ରାଣ ସେବା। ବିଧାନସଭା ପ୍ରତିନିଧିଭାବେ ଦୁଃସ୍ଥ ଓଡ଼ିଆଙ୍କର ଦୁଃଖ ଦୂର ଉଦ୍ୟମ। ଲୋକସେବକ ମଣ୍ଡଳରେ ଯୋଗଦାନ କରି ଗୋପବନ୍ଧୁ ତାଙ୍କ ସେବକ ଭାବକୁ ପ୍ରସାରିତ କରିଛନ୍ତି।
Popular Categories



