ୱାଶିଙ୍ଗଟନ: ଲେବାନନ ସଂସଦର ଦୁଇ ଜଣ ହିଜବୁଲ ସଦସ୍ୟଙ୍କୁ ଆମେରିକା ବିତ୍ତ ମନ୍ତ୍ରାଳୟ କଳା ତାଲିକାଭୁକ୍ତ କରିଛି। ପ୍ରଥମ ଥର ପାଇଁ ଆମେରିକା ଇରାନ ସମର୍ଥିତ ନିର୍ବାଚିତ ନେତାଙ୍କୁ କଳା ତାଲିକାଭୁକ୍ତ କରିଛି। ଆମେରିକା ବିତ୍ତ ମନ୍ତ୍ରାଳୟ କହିଛି, ହିଂସାତ୍ମକ ଗତିବିଧି ସୃଷ୍ଟି ପାଇଁ ଲେବାନନ ସାଂସଦ ଅମିନ ସେରି ଓ ମହମ୍ମଦ ହସନ ରଡ ରାଜନୈତିକ ଶକ୍ତିର ଅପପ୍ରୟୋଗ କରିଛନ୍ତି। ଲେବାନନରେ ଚାଲିଥିବା ଶକ୍ତିଶାଳୀ ସିୟା ଆନ୍ଦୋଳନକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ସମ୍ପୃକ୍ତ ସଂଗଠନର ମହାସଚିବ ହସନ ନସରଲାର ନିକଟ ସମ୍ପର୍କୀୟ ହିଜବୁଲ ଅଧିକାରୀ ୱାଫିକ ସଫାକୁ ମଧ୍ୟ କଳା ତାଲିକାଭୁକ୍ତ କରାଯାଇଛି।
ଆମେରିକା ବିଦେଶ ମନ୍ତ୍ରୀ ମାଇକ ପମ୍ପିଓ କହିଛନ୍ତି, ହିଜବୁଲ ପାଇଁ କ୍ଷମତାର ଅପପ୍ରୟୋଗ ହେତୁ ସେହି ୩ ଜଣଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆଗାମୀ ଦିନରେ ହିଜବୁଲକୁ ଆତଙ୍କବାଦୀ ସଂଗଠନ ଘୋଷଣା ପାଇଁ ଆମେରିକା ପଦକ୍ଷେପ ଗ୍ରହଣ କରିବା ନେଇ ସମ୍ଭାବନା ରହିଥିବା ସେ କହିଛନ୍ତି।
ଲେବାନନ ସଂସଦ ବାଚସ୍ପତି ନବୀହ ବେରି ଆମେରିକାର ପ୍ରତିବନ୍ଧକ ନିଷ୍ପତ୍ତିକୁ ନିନ୍ଦା କରି କହିଛନ୍ତି, ଏହା ଲେବାନନ ସଂସଦ ପ୍ରତି ଅପମାନ।



