www.samajalive.in
Monday, December 8, 2025
27.1 C
Bhubaneswar

ଇସ୍ତଫା ଦେଲେ ଏମ୍‍.ଜେ ଆକବର: ସୂତ୍ର

ନୂଆଦିଲ୍ଲୀ : ‘ମି ଠୁ’ ଅଭିଯାନ କ୍ରମେ ୧୨ ମହିଳାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍‍.ଜେ ଆକବର ରବିବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ବିଶେଷ ସୂତ୍ରରୁସୂଚନା ମିଳିଛି । ସେ ଇମେଲ ଯୋଗେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ)କୁ ଇସ୍ତଫା ପତ୍ର ପଠାଇଥିବା ଜାଣିବାକୁ ମିଳିଛି। ଇମେଲରେ ଇସ୍ତଫା ପତ୍ର ପଠାଇବା ପରେ ଆକବର କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାପଡିଛି।
ଏହାସହ ମନ୍ତ୍ରୀ ଏମ୍‍.ଜେ ଆକବର ରବିବାର ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗକୁ ନିରାଧାର ଓ ଭିତ୍ତିହୀନ ବୋଲି କହିଛନ୍ତି। ଏନେଇ ସେ ଖୁବ ଶୀଘ୍ର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଂକେତ ଦେଇଛନ୍ତି।
‘ମି ଠୁ’ ଅଭିଯାନ ଓ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ସମୟକୁ ନେଇ ସେ ପ୍ରଶ୍ନ କରିଛନ୍ତି। ସାଧାରଣ ନିର୍ବାଚନର ଠିକ୍‍ କିଛି ଦିନ ପୂର୍ବରୁ କାହିଁକି ଏପରି ଅଭିଯୋଗ ଉଠୁଛି ବୋଲି ସେ କହିଛନ୍ତି।
ଆକବର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମନଗଢା ଓ ସମ୍ପୂର୍ଣ୍ଣ ମିଥ୍ୟା। ସରକାରୀ କାର୍ଯ୍ୟରେ ସେ ବିଦେଶରେ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେଇ ପାରିନଥିଲେ। ତାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିବା ମହିଳାଙ୍କ ବିରୋଧରେ ସେ ଖୁବ୍‍ଶୀଘ୍ର ଉଚିତ୍‍ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ। କିଛି ଲୋକଙ୍କ ବିନା କୌଣସି ପ୍ରମାଣରେ ଅଭିଯୋଗ କରିବାର ରୋଗ ଅଛି। ଆଗକୁ ତାଙ୍କ ଓକିଲ ଏହାର ଜବାବ ଦେବେ।
ସାଧାରଣ ନିର୍ବାଚନର ଠିକ୍‍ ପୂର୍ବରୁ ଏଭଳି ନିରାଧର ଅଭିଯୋଗ ଆସିବା ପଛରେ କ’ଣ ଏଜେଣ୍ଡା ଅଛି ବୋଲି ଆକବର ପ୍ରଶ୍ନ କରିଛନ୍ତି। ଏହି ନିରାଧାର, ମିଥ୍ୟା ଏବଂ କ୍ରୁର ଅଭିଯୋଗ ଯୋଗୁଁ ତାଙ୍କ ପ୍ରତିଷ୍ଠାର ଅପୂରଣୀୟ କ୍ଷତି ଘଟିଛି ବୋଲି ସେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରିୟା ରମାନି ବର୍ଷେ ପୂର୍ବେ ଏକ ପତ୍ରିକାରେ ସ୍ତମ୍ଭ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ। ସେତେବେଳେ ସେ ତାଙ୍କ ନାମ ନେଇନଥିଲେ। କାରଣ ଏଭଳି କୌଣସି କାହାଣୀ ହିଁ ନାହିଁ।
ଉଲ୍ଲେଖ ଯେ ମନ୍ତ୍ରୀ ଏମ୍‍.ଜେ ଆକବରଙ୍କ ବିରୋଧରେ ସାମ୍ବାଦିକା ପ୍ରିୟା ରମାନିଙ୍କ ସମେତ ଶୁତାପା ପଲ, ଶୁମା ରାହା, ଅଞ୍ଜୁ ଭାରତୀ ଏବଂ ଗଜାଲା ୱାହାବ ନାମକ ମହିଳା ‘ମି ଠୁ’ ଅଭିଯାନ କ୍ରମେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ। ଏହି ଭିତରେ ଶୁତାପା ପଲ ତାଙ୍କୁ କେବେ ଆକବର ଛୁଇଁ ନଥିବା ଓ ଶୁମା ରାହା ତାଙ୍କ ସହ ଆକବର କିଛି କରିନଥିବା ସ୍ପଷ୍ଟ କରିଛନ୍ତି। ଏକ ସୁଇମିଂ ପୁଲରେ ପହଁରୁଥିବା ସମୟରେ ଏମ୍‍.ଜେ ଆକବର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଞ୍ଜୁ ଭାରତୀ ଅଭିଯୋଗ କରିଥିଲେ। ଏପଟେ ଆକବର ପହଁରା ଜାଣିନଥିବା ସ୍ପଷ୍ଟ କରିଛନ୍ତି। ସାମ୍ବାଦିକା ପ୍ରିୟା ଏବଂ ଗଜାଲାଙ୍କ ଅଭିଯୋଗକୁ ଖଣ୍ଡନ କରି ଏମ୍‍.ଜେ ଆକବର କହିଛନ୍ତି ଯେ ତାଙ୍କ ଛବିକୁ ନଷ୍ଟ କରିବା ପାଇଁ ଏହା ଏକ ପ୍ରୟାସ। ଦୁଇ ସାମ୍ବାଦିକାଙ୍କ କହିବା ଅନୁସାରେ ଯୌନ ଶୋଷଣ ପରେ ବି ସେ ଆକବରଙ୍କ ସହ କାର୍ଯ୍ୟ କରିଥିଲେ। କାର୍ଯ୍ୟ କରିବା ସମୟରେ ସେମାନେ କୌଣସି ବିରୋଧ କିମ୍ବା ଚିନ୍ତା ପ୍ରକଟ କରିନଥିଲେ। ଦୀର୍ଘ ଦିନ ପରେ ଏଭଳି ଅଭିଯୋଗ ପଛରେ କିଛି ଏଜେଣ୍ଡା ରହିଛି ବୋଲି ସେ କହିଛନ୍ତି।
ପ୍ରକାଶଯୋଗ୍ୟ ଯେ ମନ୍ତ୍ରୀ ଏମ୍‍.ଜେ ଆକବରଙ୍କ ବିରୋଧରେ ୧୨ ଜଣ ମହିଳା ଅନୁଚିତ୍‍ ବ୍ୟବହାର ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ଆକବର ସାମ୍ବାଦିକ ଓ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ବେଳେ ଏହି ସବୁ ଘଟଣା ଭିଆଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି। ବିରୋଧୀ ଦଳ ଏହି ମାମଲାରେ ମନ୍ତ୍ରୀ ପଦରୁ ଆକବର ଇସ୍ତଫା ଏବଂ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories