ନର୍ଲା ରେଞ୍ଜର ପ୍ରଶାନ୍ତ ପାଲୋଙ୍କୁ ଦଳି ଦେଲା ଦନ୍ତା, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର

ନର୍ଲା: ହାତୀ ପଲ ବାଗପୁର, କୁରମେଲ, ବାଲିସିଙ୍ଗା, ଭାନପୁର, ତୁଳାପଡା ପଞ୍ଚାୟତ ଆଦି ଅଞ୍ଚଳରେ ଲୋକଙ୍କ ଜୀବନ ଜିବୀକା ସହ ଖେଳ ଖେଳୁଛନ୍ତି । ନର୍ଲା ବନାଞ୍ଚଳ ଅଧିନସ୍ଥ କମେଁ ବିଟ୍ ଅଞ୍ଚଳ କମେଁ ଡଙ୍ଗର( ପାହାଡ) ତଳେ ହାତୀପଲ ଆଡ୍ଡା କରି ରହୁଥିବା ବେଳେ ରାତ୍ରି ସମୟରେ ବିଭିନ୍ନ ଅଞ୍ଚଳକୁ ଯାଇ ଚାଷ ଜମିରେ ପଶି ଧାନ ଚାଷ, କପା ଚାଷକୁ ଖାଇବା ସହ ଦଳି ମକଚି ଦେଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ବନ ବିଭାଗ କର୍ମଚାରୀମାନେ ଲୋକଙ୍କ ସୁରକ୍ଷା ଦୃଷ୍ଟି କୋଣରୁ ତଥା ହାତୀକୁ ଘଉଡାଇବା ପାଇଁ ନିଜର ପ୍ରୟାସ ଜାରୀ ରଖିଥିବା ବେଳେ ଆଜି ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାହା ସମସ୍ତଙ୍କୁ ହତଚକିତ କରିଦେଇଛି । ରବିବାର ପୂର୍ବାହ୍ନ ୧୦ ଟା ସମୟରେ ହାତୀ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ।

ସୂଚନାନୁଯାୟୀ ଆଜି ହାତୀପଲ ତୁଳାପଡା ଓ ବାଲିସିଙ୍ଗା ପଞ୍ଚାୟତର ସୀମା ଅଞ୍ଚଳରେ ଆସି ରହିଥିଲେ । ଏହି ଅଞ୍ଚଳକୁ ସ୍ଥାନୀୟ ଲୋକେ ବଡଗୁଭା କହିଲେ ଜାଣନ୍ତି । ଏହା ଏକ ପଡିଆ ଜମି ଓ ସାମାନ୍ୟ ଗଛପତ୍ର ରହିଛି । ତେବେ ନର୍ଲା ରେଞ୍ଜର ପ୍ରଶାନ୍ତ କୁମାର ପାଲୋ(୫୮) ସଦଳବଳେ ଆସି ପହଞ୍ଚି ହାତୀର ଗତିବିଧିକୁ ଲକ୍ଷ୍ୟ କରୁଥିଲେ । ବିଭିନ୍ନ ପଟୁ ଲୋକେ ହାତୀପଲକୁ ଘଉଡାଇବା ପାଇଁ ବାଟ ଓଗାଳିଥିବା କାରଣରୁ ହାତୀପଲରେ ଥିବା ଦଳପତି ଦନ୍ତା ଉଗ୍ର ହୋଇପଡିଥିବା ଜଣାପଡିଥିଲା। ହାତୀପଲରେ ୨୨ଟି ହାତୀଥିବା ବେଳେ ୧୨ ଟିହାତୀ ଜଙ୍ଗଲ ମୁହାଁ ହୋଇଥିବା ପ୍ରତ୍ୟକ୍ଷଦର୍ଶି ବନପାଳ ଭବାନୀ ନାଏକ ପ୍ରକାଶ କରିଛନ୍ତି । ବଳକା ୧୦ ଟି ହାତୀ ସ୍ଥାନ ଛାଡିନଥିଲେ । ତେବେ ରେଞ୍ଜର ଶ୍ରୀ ପାଲୋ ହାତୀର ନିକଟବର୍ତ୍ତୀ ହୋଇଥିଲେହେଁ ହାତୀକୁ ଦେଖି ପାରିନଥିଲେ । ଅଚାନକ ଦନ୍ତା ଶ୍ରୀ ପାଲଙ୍କ ଆଡକୁ କ୍ଷୀପ୍ର ଗତିରେ ଦୌଡିବା କିଛି ପ୍ରତ୍ୟକ୍ଷଦର୍ଶି ଦେଖିଥିବା ଲୋକଙ୍କ ଆଲୋଚନାରୁ ଜଣାପଡିଛି । ହାତୀ ନିଜ ଆଡକୁ ଦୌଡିବା ପରେ ଓ ଶ୍ରୀ ପାଲୋଙ୍କ ନଜରକୁ ଆସିବା ପରେ ଦୌଡି ଫେରି ଆସିବା ସମ୍ଭବ ନଥିଲା । ଦୁଇଥର ରଡି ପକେଇ ଦନ୍ତା ଶ୍ରୀ ପାଲଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ତାଙ୍କର ଡାହାଣ ପଟ ପେଟ ଫାଟି ଅନ୍ତବୁଜୁଳା ବାହାରି ପଡିଥିଲା । ଘଟଣା ଘଟିବା ପରେ ହାତୀ ଘଟଣାସ୍ଥଳରୁ ସାମାନ୍ୟ ଦୂରକୁ ଯାଇଥିଲେ ହେଁ,କେହି ଆହତ ଶ୍ରୀ ପାଲଙ୍କ ପାଖକୁ ଯିବାକୁ ସାହାସ କରିନଥିଲେ । ପରେ ସ୍ଥାନୀୟ ଅଞ୍ଚଳର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ପରେ ସମସ୍ତେ ମିଶି ପାଲଙ୍କ ପାଖକୁ ଯାଇଥିଲେ ଓ ସେ ଜିବୀତ ଥିବା ଅନୁମାନ କରି ତାଙ୍କୁ ତୁରନ୍ତ ଉଦ୍ଧାର କରି ରାଜରାସ୍ତାକୁ ଆଣିଥିଲେ ଓ ବିଭାଗୀୟ ଗାଡିରେ ନର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ ।  ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଘଟଣାସ୍ଥଳରେ ବନବିଭାଗର ଏସିଏଫ, ରେଞ୍ଜର, ଫରେଷ୍କର ଆଦି ଉଚ୍ଚପଦସ୍ଥ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ନର୍ଲା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ମ.ରାମପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଶ୍ରୀ ପାଲୋଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି । ଘରେ ତାଙ୍କର ଏକମାତ୍ର ପୁଅ ଓ ପତ୍ନୀ ରହିଛନ୍ତି ।

Comments are closed.