www.samajalive.in
Tuesday, December 9, 2025
17.1 C
Bhubaneswar

ଶାବରୀମାଳା ବିବାଦ: ବିମାନ ବନ୍ଦରରେ ସାମାଜିକକର୍ମୀ ତୃପ୍ତି ଦେଷାଇ ହଟହଟା

ନୂଆଦିଲ୍ଲୀ : ଶାବରୀମାଳା ମନ୍ଦିରରେ ସବୁବର୍ଗର ମହିଳାଙ୍କୁ ପ୍ରବେଶର ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାରେ କେରଳ ସରକାର ବିଫଳ ରହିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଆୟାପ୍ପା ଭକ୍ତ ଘୋର ବିରୋଧ କରିବା ସହ ମନ୍ଦିର ମଧ୍ୟରେ ମହିଳାଙ୍କୁ ପ୍ରବେଶ କରାଇ ଦେବେ ନାହିଁ ବୋଲି ସଂକଳ୍ପ ନେଇଛନ୍ତି। ଏଭଳି ସମୟରେ ଶାବରୀମାଳା ମନ୍ଦିରରେ ପ୍ରବେଶ କରିବା ପାଇଁ ସାମାଜିକ କର୍ମୀ ତୃପ୍ତି ଦେଷାଇ ଶୁକ୍ରବାର କୋଚି ବିମାନ ବନ୍ଦରରେ ପହଞ୍ଚି ହଟହଟା ହୋଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିର୍ଦେଶକୁ ବିରୋଧ କରୁଥିବା ୫୦୦ରୁ ଊର୍ଦ୍ଧ୍ବ ବିକ୍ଷୋଭକାରୀ କୋଚି ବିମାନବନ୍ଦରର ପ୍ରସ୍ଥାନ ଫାଟକକୁ ଅବରୋଧ କରି ତୃପ୍ତିଙ୍କୁ ବାହାରିବାକୁ ଦେଇନଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ତାଙ୍କୁ ଶାବରୀମାଳା ପର୍ଯ୍ୟନ୍ତ ବାଟ କଢାଇ ନେବା ସମ୍ଭବ ହେବ ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା। ପୁଲିସ୍‍ କହିଥିଲା ଯେ ଶାବରୀମାଳା ଗସ୍ତ ସମ୍ବନ୍ଧୀୟ ତାରିଖ ଏବଂ ସମୟ ପ୍ରକାଶ କରି ତୃପ୍ତି ନିଜ ପାଇଁ ସମସ୍ୟା ସୃଷ୍ଟି କରିଛନ୍ତି। ଏଥିସହ ବିମାନ ବନ୍ଦରର ଅନ୍ୟ ଯାତ୍ରୀଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି ହୋଇଛି। ତୃପ୍ତି ଅନ୍ୟ ୬ ଜଣ ୫୦ ବର୍ଷ ବୟସ୍କ ମହିଳାଙ୍କ ସହିତ ପୁଣେରୁ ଆସି ଶୁକ୍ରବାର ପୂର୍ବାହ୍ଣ ୪ଟା୪୦ରେ କୋଚିରେ ପହଞ୍ଚିଥିଲେ। ମାତ୍ର ତାଙ୍କୁ ଆରାଇଭାଲ ଟର୍ମିନାଲରୁ ବାହାରକୁ ଯିବାକୁ ଦିଆଯାଇ ନ ଥିଲା। ବିମାନ ବନ୍ଦରର ଟ୍ୟାକ୍ସି ଡ୍ରାଇଭର ମଧ୍ୟ ଭୟରେ ସେମାନଙ୍କୁ ଶାବରୀମାଳା ନେଇ ଯିବାକୁ ମନା କରିଥିଲେ। ଏହି ସମୟରେ ବିକ୍ଷୋଭକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ବିରୋଧ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ଲାଗି ଶତାଧିକ ପୁଲିସ୍‍ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ତୃପ୍ତି ବିମାନ ବନ୍ଦରରରୁ ପଦାକୁ ବାହାରି ପାରିନଥିଲେ। ଦୀର୍ଘ ସମୟ ଅଟକି ରହିବା ପରେ ସେ ମୁମ୍ବଇ ଫେରିବାକୁ ବାଧ୍ୟ ହୋଇଛନ୍ତି । ଏହି ବିକ୍ଷୋଭକାରୀମାନେ ବିଜେପି ଏବଂ ଆର୍‍ଏସ୍‍ଏସ୍‍ର ସଦସ୍ୟା ବୋଲି ସେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଶୁକ୍ରବାର ସନ୍ଧ୍ୟାରେ ଶାବରୀମାଳା ମନ୍ଦିର ଖୋଲାଯାଇଛି। ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ତୃତୀୟ ଥର ପାଇଁ ମନ୍ଦିରର ଦ୍ୱାରା ଖୋଲିଛି; କିନ୍ତୁ ଏଯାବତ୍‍ ୧୦ରୁ ୫୦ ବର୍ଷ ବୟସ୍କ କୌଣସି ମହିଳାଙ୍କୁ ମନ୍ଦିରରେ ପ୍ରବେଶ ସୁଯୋଗ ଦିଆଯାଇନାହିଁ। ତୃପ୍ତି ଏବଂ ତାଙ୍କ ସହଯୋଗୀମାନେ ଦେଶର ସହସ୍ରାଧି ବର୍ଷ ପୁରୁଣା ପରମ୍ପରା ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ଦର୍ଶନ ଉଦ୍ଦେଶ୍ୟରେ ନୁହେଁ; ବରଂ ସେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ଶାବରୀମାଳାର ତୀର୍ଥ କାର୍ଯ୍ୟକ୍ରମରେ ଅଶାନ୍ତି ସୃଷ୍ଟି କରିବାକୁ ଆସିଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।
ଉଲ୍ଲେଖ ଯେ ତୃପ୍ତି ଏବଂ ତାଙ୍କ ସହଯୋଗୀମାନେ ଶନି ସିଗ୍ନାପୁର, ହାଜି ଅଲ୍ଲୀ ଦରଘା, ମହାଲକ୍ଷ୍ମୀ ମନ୍ଦିର ଏବଂ ତ୍ରିବଙ୍କେଶ୍ୱର ଶିବ ମନ୍ଦିର ଭଳି ବହୁ ଧାର୍ମିକ ପୀଠ ବୁଲିବାକୁ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories