ଟୋକିଓ: କରୋନା ଭୂତାଣୁର ମହାମାରୀ ରୂପକୁ ଦୃଷ୍ଟିରେ ରଖି ଟୋକିଓରେ ହେବାକୁ ଥିବା ଆଗାମୀ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ କରାଯାଇପାରେ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟି(ଆଇଓସି) ଉପରେ ଚାପ ବଢୁଥିବାରୁ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ନିଆଯାଇପାରେ ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର କହିଛନ୍ତି। ଆଇଓସି ଉପରେ ଅନେକ ଦେଶର କ୍ରୀଡ଼ା ସଂଘ ଏବଂ କ୍ରୀଡ଼ାବିତଙ୍କ ଚାପ ପଡ଼ିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ଟୋକିଓ ଅଲିମ୍ପିକ୍ସ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇପାରିବ ନାହିଁ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଛି।
କରୋନା ଭୂତାଣୁ ଯୋଗୁ କାନାଡ଼ା ନିଜର କ୍ରୀଡ଼ାବିତ୍ଙ୍କୁ ଅଲିମ୍ପିକ୍ସକୁ ପଠାଇବ ନାହିଁ ବୋଲି ସିଧାସଳଖ ମନା କରିଦେଇଛି। ତେବେ ଆଇଓସି ଏ ସମ୍ପର୍କରେ ଜାପାନ ସରକାର, ବିଶ୍ଵ ସ୍ତରର କ୍ରୀଡ଼ା ଅଧିକାରୀ ଏବଂ ପ୍ରସାରକ ଓ ପ୍ରାୟୋଜକମାନଙ୍କ ସହିତ ଆଲୋଚନା କରି ଏ ଦିଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୨୪ରୁ ଜାପାନର ରାଜଧାନୀ ଟୋକିଓରେ ଅଲିମ୍ପିକ୍ସ କ୍ରୀଡ଼ା ଆୟୋଜନ କରାଯିବା ଲାଗି ଦିନ ଧାର୍ଯ୍ୟ ହୋଇଛି।



