ଜାମ୍ମୁ: ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପ୍ରଶାସନକଳ ପ୍ରତିଶ୍ରୁତିବଦ୍ଧ ରହିଛି। ଏଥିପାଇଁ ପୁଲିସ୍ ଦିନରାତି କାମ କରୁଛି ବୋଲି ଶ୍ରୀନଗର ଆଇ.ଜି. ସ୍ୱୟଂପ୍ରକାଶ ପାଣି କହିଛନ୍ତି। ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଇଦ୍ନମାଜ ପାଠ କରାଯାଇଥିଲା ଏବଂ ଲୋକମାନେ ଶାନ୍ତିର ସହ ଫେରି ଯାଇଥିଲେ। କେତେକ ସ୍ଥାନରେ ସାମାନ୍ୟ ଧରଣର ବିକ୍ଷୋଭ ଓ ଟେକାପଥର ଫିଙ୍ଗା ଘଟଣାକୁ ପୁଲିସ୍ ନିୟନ୍ତ୍ରଣ କରିଥିବା ଆଇ.ଜି. ସ୍ୱୟଂପ୍ରକାଶ ଜଣାଇଛନ୍ତି। ନିରାପତ୍ତା ବାହିନୀ ଦ୍ୱାରା ଗୁଳିଚାଳନା ହୋଇଥିବା ଖବରକୁ ଜାମ୍ମୁ କାଶ୍ମୀରର ଯୋଜନା ପ୍ରମୁଖ ସଚିବ ରୋହିତ କଂସଲ୍ ଖଣ୍ଡନ କରିଛନ୍ତି।
ଅନ୍ୟ ପକ୍ଷରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କାଶ୍ମୀର ଗସ୍ତ କରି ନିଜେ ପରିସ୍ଥିତି ଦେଖିଲା ପରେ ବୟାନ ଦିଅନ୍ତୁ ବୋଲି କହିଛନ୍ତି। ଦୂରଦର୍ଶନ ସହିତ ଏକ ବିଶେଷ ସାକ୍ଷାତକାର ବେଳେ ରାଜ୍ୟପାଳ କହିଛନ୍ତି, ଗତ ସପ୍ତାହରୁ ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତି ବିରାଜମାନ କରୁଛି ଏବଂ ଜଣେ ହେଲେ କେହି ଆହତ ହୋଇନାହାନ୍ତି। ଜାମ୍ମୁ କାଶ୍ମୀରରେ ପରିସ୍ଥିତି ସ୍ୱାଭାବିକ ନୁହେଁ ବୋଲି ପାଶ୍ଚାତ୍ୟ ଦେଶର କେତେକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ସେ ଖଣ୍ଡନ କରିଛନ୍ତି। ରାଜ୍ୟର ୩୭୦ ଧାରା ସବୁ ଦିନ ପାଇଁ ଉଚ୍ଛେଦ ହେଲା ବୋଲି ବାସ୍ତବତାକୁ ଯୁବକମାନେ ମାନିନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି। ଏହାଦ୍ୱାରା ରାଜ୍ୟ ଉନ୍ନତି ପଥରେ ଆଗେଇ ଚାଲିବ ବୋଲି ସେ କହିଛନ୍ତି।



