www.samajalive.in
Monday, December 8, 2025
27.1 C
Bhubaneswar

‘ଶିଶୁଙ୍କୁ ଲୋଡ଼ା ନାହିଁ କରୋନା ଟିକା’

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ତୃତୀୟ ଲହର ଖୁବ୍‌ଶୀଘ୍ର ଆସିବାକୁ ଯାଉଛି। ଏ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇସାରିଲେଣି। ସମ୍ଭବତଃ ୪ରୁ ୬ ସପ୍ତାହ ମଧ୍ୟରେ ଏହି ଲହର ଆସିବ ବୋଲି ପୂର୍ବାନୁମାନ କରାଯାଇଛି। କରୋନାର ଏହି ତୃତୀୟ ଲହରରେ ଶିଶୁମାନେ ପ୍ରଭାବିତ ହେବେ ବୋଲି କୁହାଯାଇଛି। ତେଣୁ ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ ଲାଗି ବିଭିନ୍ନ କମ୍ପାନୀ ଉଦ୍ୟମ ଚଳାଇଛନ୍ତି। ଏପରିସ୍ଥିତିରେ ଶିଶୁଙ୍କ ଲାଗି ଟିକାର ଆବଶ୍ୟକତାକୁ ନେଇ ସରକାରୀ ଅଧିକାରୀଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। ଶିଶୁଙ୍କ ପାଇଁ ଟିକା ପ୍ରସ୍ତୁତ ଲାଗି ସରକାର ଓ ଔଷଧ କମ୍ପାନୀ ମଧ୍ୟରେ ତତ୍ପରତା ଦେଖାଯାଇଥିବାବେଳେ ଆଇସିଏମ୍‌ଆର ମୁଖ୍ୟ ଡାକ୍ତର ବଳରାମ ଭାର୍ଗବ କହିଛନ୍ତି ଯେ ଶିଶୁଙ୍କ ପାଇଁ ଟିକାର ଆବଶ୍ୟକତା ନାହିଁ। ସେହିପରି ମଙ୍ଗଳବାର ଦିଲ୍ଲୀ ଏମ୍ସ ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ୨ବର୍ଷର ଶିଶୁଙ୍କ ପାଇଁ ଦେଶରେ ଟିକା ଆସିଯିବ। ବୁଧବାର ଆଇସିଏମ୍‌ଆର ମହାନିର୍ଦେଶକ ଡାକ୍ତର ଭାର୍ଗବ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ କହିଛନ୍ତି​‌ ଯେ ଛୋଟ ପିଲାଙ୍କ ପାଇଁ ଟିକାର ଆବଶ୍ୟକତା ନାହିଁ। ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ଡାକ୍ତର ଭାର୍ଗବ କହିଛନ୍ତି ଯେ ଛୋଟ ଶିଶୁମାନେ ସ୍ବତଃ ସୁରକ୍ଷିତ। ସେମାନଙ୍କ ପାଇଁ ଟିକାର ଆବଶ୍ୟକତା ନାହିଁ। ବ୍ରିଟେନ, ଡେନମାର୍କ, ସ୍ବିଡେନ ଓ ନରୱେ ଭଳି କେତେକ ରାଷ୍ଟ୍ରରେ ୧୨ରୁ ୧୮ବର୍ଷର ପିଲାଙ୍କୁ ଟିକା ଦିଆଯାଉଛି। ଅନ୍ୟ ରାଷ୍ଟ୍ର ପିଲାମାନଙ୍କ ଟିକାକରଣ କରି ନାହାନ୍ତି। ଏହିସବୁ ରାଷ୍ଟ୍ରରେ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଆରମ୍ଭ ହୋଇଛି। ଦେଶର ପ୍ରଥମ ଓ ଦ୍ବିତୀୟ ଲହରରେ ଯଥାକ୍ରମେ ୩.୪% ଓ ୪.୪% ଶିଶୁ ସଂକ୍ରମିତ ହୋଇଛନ୍ତି। ଡାକ୍ତର ଭାର୍ଗବ କହିଛନ୍ତି ଯେ ଗୋଟିଏ ଟିକା ୬୦ରୁ ୯୦ ପ୍ରତିଶତ ପ୍ରଭାବୀ ରହିଲେ ଏହା ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବାରେ ସଫଳ ହୋଇଥାଏ। ଆଉ ମଧ୍ୟ ୩୦ ପ୍ରତିଶତ ଲୋକ ଯଦି ଗୋଟିଏ ଲେଖାଏଁ ପାନ (ଡୋଜ୍‌) ଟିକା ନିଅନ୍ତି ତେବେ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗାଯାଇପାରିବ। ଭାରତରେ ଏବେ ୧୭.୪୨% ଲୋକ ଗୋଟିଏ କିମ୍ବା ଦୁଇଟି ପାନ ଟିକା ନେଇଛନ୍ତି। ଶିଶୁଙ୍କୁ ଟିକା ଦେବା ନେଇ କୌଣସି ଭୟ ରହିଛି କି ବୋଲି ସଂସଦୀୟ କମିଟି ପ୍ରଶ୍ନ କରିଥିବାବେଳେ ଡାକ୍ତର ଭାର୍ଗବ କହିଥିଲେ ଯେ ବିଶ୍ବର କୌଣସି ରାଷ୍ଟ୍ରରେ ଛୋଟ ଶିଶୁଙ୍କୁ ଟିକା ଦିଆଯାଇ ନାହିଁ। ସଂସଦୀୟ କମିଟି ଡାକ୍ତର ଭାର୍ଗବଙ୍କ ସହିତ ଭାରତ ସରକାରଙ୍କୁ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟରାଘବନ, ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ଓ କରୋନା ଟିକାକରଣ ସମ୍ପର୍କିତ ଜାତୀୟ ବିଶେଷଜ୍ଞ କମିଟିର ଅଧ୍ୟକ୍ଷଙ୍କୁ ଡକାଇଥିଲା।
ମଙ୍ଗଳବାର ଏମ୍ସ ନିର୍ଦେଶକ ଡାକ୍ତର ଗୁଲେରିଆ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ୨ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ପିଲାଙ୍କ ନିମନ୍ତେ ‘କୋଭାକ୍ସିନ୍‌’ ଟିକା ମିଳିଯିବ। ଭାରତ ସରକାରଙ୍କ କୋଭିଡ୍‌-୧୯ ନୀତି ନିର୍ଦ୍ଧାରଣ କମିଟିର ସଦସ୍ୟ ଡାକ୍ତର ଗୁଲେରିଆ ଗଣମାଧ୍ୟମକୁ କହିଥିଲେ ଯେ, ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପରେ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ‘କୋଭାକ୍ସିନ୍‌’ର ତଥ୍ୟାବଳୀ ମିଳିଯିବ ଏବଂ ସେହି ମାସରେ ହିଁ ଟିକା ପ୍ରୟୋଗ ପାଇଁ ଅନୁମତି ମିଳିଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତରେ ଯଦି ‘ଫାଇଜର୍‌-ବାୟୋଟେକ୍‌’ ଟିକାକୁ ଅନୁମୋଦନ ମିଳିଯାଏ, ତେବେ ତାହା ପିଲାମାନଙ୍କ ପାଇଁ ବିକଳ୍ପ ହୋଇପାରିବ। ଟିକା ପରୀକ୍ଷା ନିମନ୍ତେ ଦିଲ୍ଲୀ ‘ଏମ୍‌ସ୍‌’ ଯେଉଁ ଶିଶୁଙ୍କୁ ମନୋନୟନ କରିଛି ସେମାନଙ୍କ ବୟସ ୨ ରୁ ୧୭ ବର୍ଷ। ଜୁନ୍‌ ୭ରୁ ଏହି ପରୀକ୍ଷା ଆରମ୍ଭ ହୋଇଛି। ସର୍ବନିମ୍ନ ଦୁଇ ବର୍ଷ ବୟସ୍କ ଶିଶୁଙ୍କ କ୍ଷେତ୍ରରେ ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ ‘କୋଭାକ୍ସିନ୍‌’ ପରୀକ୍ଷା ନିମନ୍ତେ ‘ଡିସିଜିଆଇ’ ମେ ୧୨ ତାରିଖ ଦିନ ‘ଭାରତ ବାୟୋଟେକ୍‌’କୁ ଅନୁମତି ଦେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories