www.samajalive.in
Tuesday, December 9, 2025
16.1 C
Bhubaneswar

ଶିଶୁ ମହୋତ୍ସବ ‘ସୁରଭି ୨୦୧୮’; ‘ଜାତି ଶିକ୍ଷିତ ହେଲେ ଦେଶର ପ୍ରଗତି ହେବ’

ଭୁବନେଶ୍ୱର : ଶିକ୍ଷାୟତନଗୁଡ଼ିକ ହେଉଛି ଜ୍ଞାନ କେନ୍ଦ୍ର। ଜାତି ଶିକ୍ଷିତ ହେଲେ ଦେଶର ପ୍ରଗତି ହେବ ନିଶ୍ଚିତ। ଏଥିପାଇଁ ବ୍ୟାପକ ପରିବର୍ତ୍ତନ କରାଯିବ। ବିଦ୍ୟାଳୟସ୍ତରରେ ଗୁଣାତ୍ମକ ଶିକ୍ଷାଦାନ ଓ ଖେଳକୁଦରେ ଉତ୍କର୍ଷ ହାସଲ ପାଇଁ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ବିକାଶ ହେବା ଦରକାର। ସେମାନଙ୍କ ସୃଜନଶୀଳତାର ପରିପ୍ରକାଶ ହୋଇପାରିଲେ ତାହା ରାଜ୍ୟ ତଥା ଦେଶର ବିକାଶରେ ସହାୟକ ହୋଇପାରିବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍‍ ୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଶିଶୁ ମହୋତ୍ସବ ‘ସୁରଭି ୨୦୧୮’ ଉଦ୍‍ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରକାଶ କରିଛନ୍ତି। ଆସନ୍ତାବର୍ଷ ବର୍ଷ ରାଜ୍ୟର ୩୧୪ଟି ବ୍ଲକ୍‍ରେ ଆଦର୍ଶ ବିଦ୍ୟାଳୟ ଖୋଲିବ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦିଆଯିବା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଥିଲେ ଯେ କଠିନ ପରିଶ୍ରମ କଲେ ଲକ୍ଷ୍ୟ ସାଧନ ନିଶ୍ଚିତ। କୌଣସି ବାଧାବିଘ୍ନ ପଥରୋଧ କରିପାରିବ ନାହିଁ। ଚଳିତ ବର୍ଷ ସରକାରୀ ବିଦ୍ୟାଳୟରେ ପାଠପଢୁଥିବା ଛାତ୍ରଛାତ୍ରୀଙ୍କୁ ଜୋତା ଯୋଗାଇ ଦେବାକୁ ବିଚାର କରୁଛନ୍ତି। ଏହାସହିତ ହାଇସ୍କୁଲ ପାଠାଗାରକୁ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକା ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି। ‘ମୋ’ ସ୍କୁଲ ଅଭିଯାନର ସଫଳ ରୂପାୟନ ପାଇଁ ପୂର୍ବତନ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି ପାଇଁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ।
ଭାରତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ନିର୍ଦେଶକ ହମିଦ୍‍ ନୁରୁ କହିଥିଲେ ଯେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସୁସ୍ଥ ପରିବେଶରେ ପାଠପଢ଼ିବା ଅଧିକାର ରହିଛି। ପଢ଼ିବା ସମୟରେ କୌଣସି ଛାତ୍ରଛାତ୍ରୀ ଯେଭଳି ଭୋକିଲା ନ ରୁହନ୍ତି ସେଥିପାଇଁ ପଦକ୍ଷେପ ନିଆଯାଇଛି। ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ପାଇଁ ସରକାରଙ୍କୁ ସହାୟତା ପ୍ରଦାନ କରାଯାଉଛି। ଓଡ଼ିଶାକୁ କ୍ଷୁଧା ଓ ଅପପୁଷ୍ଟିମୁକ୍ତ ରାଜ୍ୟରେ ପରିଣତ କରାଯିବାକୁ ଉଦ୍ୟମ ଜାରି ରହିଛି ବୋଲି ସେ କହିଥିଲେ।
ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ ନୈତିକ ଓ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆହରଣ ପାଇଁ ଛାତ୍ରଛାତ୍ରୀ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ଓଡ଼ିଶା କିଭଳି ଏକ ନମ୍ବର ରାଜ୍ୟ ହୋଇପାରିବ ଏବଂ ଜାତୀୟ ତଥା ଅନ୍ତର୍ଜାତୀୟ କ୍ଷେତ୍ରରେ କିଭଳି ସଫଳତା ପାଇପାରିବେ ସେଥିପାଇଁ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରିବାକୁ ମେୟର ଅନନ୍ତ ନାରାୟଣ ଜେନା ଆହ୍ୱାନ ଦେଇଥିଲେ।
ୟୁନିସେଫ୍‍ ଉପପ୍ରତିନିଧି ଫାରୁଗ୍‍ ଫୌଜତ୍‍ କହିଥିଲେ ଛାତ୍ରଛାତ୍ରୀ ହେଉଛନ୍ତି ରାଜ୍ୟ ତଥା ଦେଶର ଭବିଷ୍ୟତ। ସେମାନଙ୍କ ଲୁକ୍କାୟିତ ଲୋକଲୋଚନକୁ ଆସିବା ଦରକାର। ଏଥିପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ। ପିଲାଟି ଦିନରୁ ସେମାନେ କିଭଳି ଅଭ୍ୟାସ ଜାରି ରଖିବେ ଓ ସଫଳତା ପାଇପାରିବେ ସେଥିପାଇଁ ପ୍ରୟାସ କରିବା ଦରକାର।
ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୁପେନ୍ଦ୍ର ସିଂହ ପୁନିଆ ସ୍ୱାଗତ ଭାଷଣ ଦେଇଥିବାବେଳେ ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିରଞ୍ଚି ନାରାୟଣ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ‘ହ୍ୟାଣ୍ଡବୁକ୍‍ ଅଫ୍‍ ଲାଇବ୍ରେରି’ ଏବଂ ‘ସ୍ୱଚ୍ଛ ବିଦ୍ୟାଳୟ ସୁସ୍ଥ ବିଦ୍ୟାଳୟ’ ପୁସ୍ତକ ଉନ୍ମୋଚିତ ହୋଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories