ସୁଆଣ୍ଡୋ: ପବିତ୍ର ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ ସଂପର୍କରେ କପିଳ ସଂହିତା ଓ ବାରୁଣୀ ପୁରାଣରେ ବର୍ଣ୍ଣନା ରହିଛି। ପୁରୀ ଜିଲାର ଭାର୍ଗବୀ ନଦୀରେ ବାରୁଣୀ ସ୍ନାନ ଉପଲକ୍ଷେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ। ସୁସଜ୍ଜିତ ବିମାନରେ ବରାଳ ବାଲୁଙ୍କେଶ୍ୱର ବଳପୁର ବାଲୁଙ୍କେଶ୍ୱର ନଦୀର ପଶ୍ଚିମ ପଟରେ ଓ ପୂର୍ବ ପଟରେ ସୁଆଣ୍ଡୋ ଲୋକେଶ୍ୱର ଏବଂ ବିଦ୍ୟାଧରପୁର କୁଣ୍ଡଳେଶ୍ୱର ମହାଦେବ ତୀର୍ଥ ମଣ୍ଡପରେ ବିଜେ କରିଥିଲେ। ଚତୁଶମ୍ଭୁଙ୍କ ଏକ ସଙ୍ଗରେ ତୀର୍ଥଜଳରେ ସ୍ନାନ କରିବା ସହ ଆଳତୀ ହୋଇଥିଲା। ଏହାପରେ ଶ୍ରଦ୍ଧାଳୁ ମାନେ ନଦୀରେ ବୁଡ ପକାଇଥିଲେ। ଶ୍ରଦ୍ଧାଳୁ ମାନେ ଚୁଡାଘଷା ଖଇ କୋରା କଦଳୀ ଆଦି ଫଳମୂଳ ଠାକୁରଙ୍କୁ ଭୋଗ ଲଗାଇ ଥିଲେ। ସେହିପରି ମାନସିକଧାରୀ ଓ ସାକ୍ଷୀଗୋପାଳର ଶାସନଗ୍ରାମ କୋଠ ଗୁଡିକରୁ ମଧ୍ୟ ଭୋଗ କରାଯାଇ ଥିଲା। ଏହି ଅବସରରେ ଶିଶୁମାନଙ୍କର ମାନସିକ ଚୁଟି ପଡିବା ସହିତ ବିବାହ ନିର୍ବନ୍ଧମାନ କରାଯାଉଥିବା ଦେଖିବାକୁ ମିଳିଥିଲା।
କରୋନା କଟକଣା ଚଳିତ ବର୍ଷ ଉଠିଯାଇ ଥିବାରୁ ଅସମ୍ଭବ ଜନଗହଳି ପରିଲକ୍ଷିତ ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା କରବାରେ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷିରୋଦ କୁମାର ବେହେରା ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ରହିଥିବା ବେଳେ ଥାନା ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିଥିଲେ। ଅଗ୍ନିଶମ ବିଭାଗ ପକ୍ଷରୁ ନଦୀରେ ଦୁର୍ଘଟଣା ରୋକିବା ଲକ୍ଷ୍ୟ ରେ ମଟରବୋଟ ନିୟୋଜିତ କରାଯାଇ ଥିଲା।



