www.samajalive.in
Monday, December 8, 2025
27.1 C
Bhubaneswar

ଭର୍ଚୁଆଲରେ ଆରମ୍ଭ ହେଲା ରାଜ୍ୟ ସଗ୍ରହାଳୟର ଧାରାବାହିକ କାର୍ଯ୍ୟକ୍ରମ ‘ଇନ୍ଦ୍ରଧନୁ – ଆଶାର କିରଣ’

କୋଭିଡ ମହାମାରୀ ଜନିତ ଭୟାବହ ପରିସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଭିନବ ପ୍ରୟାସ ‘ଇନ୍ଦ୍ରଧନୁ- ଆଶାର କିରଣ’ ଶୀର୍ଷକ ଧାରାବାହିକ ଆଲୋଚନା ଚକ୍ର ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଛି। ସମଗ୍ର ବିଶ୍ବରେ ଏହି ମହାମାରୀର ଭୟାବହ ରୂପ ପରିଲକ୍ଷିତ ହେଉଥିବା ବେଳେ ସଂଗ୍ରହାଳୟଗୁଡିକ ମଧ୍ୟ ଏଥିରୁ ବାଦ୍ ପଡି ନାହାଁନ୍ତି। ବିଶ୍ବର ଅନ୍ୟାନ୍ୟ ସମସ୍ତ କ୍ଷେତ୍ର ସହିତ ସଂଗ୍ରହାଳୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ କାଳ ଧରି ସଂରହାଳୟଗୁଡିକ ବନ୍ଦ ରହିଛି। ସମ୍ପ୍ରତି ଏହି ଆତଙ୍କିତ ପରିବେଶରେ ବିଶ୍ବର ସମସ୍ତ ସଂଗ୍ରହାଳୟ ନିଜ ଅସ୍ତିତ୍ବର ଉପଲବ୍ଧି ସହିତ ସଂଗ୍ରହାଳୟରେ କାର୍ଯ୍ୟରତ କର୍ମକର୍ତ୍ତାମାନଙ୍କ ସୁରକ୍ଷା ଓ ନିୟୋଜନ ନିମନ୍ତେ ଅନେକ ଭର୍ଚୁଆଲ ପଦକ୍ଷେପ ଗ୍ରହଣ କରିଛନ୍ତି। ଡିଜିଟାଲ ମାଧ୍ୟମରେ ଦର୍ଶକ, ଗବେଷକ ଏବଂ ସାଧାରଣ ପରିବ୍ରାଜକଙ୍କୁ ପାଇଁ ସଂଗ୍ରହାଳୟ ପରିଦର୍ଶନ ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ରୂପାୟନ କରାଯାଇଛି।

ଏହି କ୍ରମରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ଆଜି ଏକ ଆନ୍ତର୍ଜାତୀୟ ଆଲୋଚନାଚକ୍ରର ଆୟୋଜନ କରାଯାଇଥିଲା। ରାଜ୍ୟ ପର୍ଯ୍ୟଟନ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଲେ ଯେ ରାଜ୍ୟ ସଂଗ୍ରହାଳୟ ଓଡ଼ିଆ ପରମ୍ପରା, ଇତିହାସ, ଓ ବୀରତ୍ବର ପ୍ରତୀକକୁ ସଂରକ୍ଷିତ ଓ ପ୍ରଦର୍ଶିତ କରୁଛି। ଓଡ଼ିଆ ଜାତିର ଉଜ୍ବଳମୟ ପରମ୍ପରା ଓ ଇତିହାସର ପ୍ରତୀକକୁ ବିଶ୍ୱବ୍ୟାପୀ ପ୍ରସାର ଦିଗରେ ଯତ୍ନଶୀଳ ଉଦ୍ୟମ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେବା ସହ ସରକାର ଏଠି ପାଇଁ ସମସ୍ତ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

- Advertisement -

କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠି ତାଙ୍କର ବକ୍ତବ୍ୟରେ ରାଜ୍ୟ ସଂଗ୍ରହଳୟକୁ ବିଶ୍ୱସ୍ତରୀୟ କରି ଗଢ଼ି ତୋଳିବାକୁ ଅଧିକାରୀମାନଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ। ବିଭାଗ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ପ୍ରଶଂସା ସହିତ ସଂଗ୍ରହାଳୟକୁ ଡିଜିଟାଲରେ ରୂପାନ୍ତରିତ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ତାଙ୍କର ଲିଖିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ।। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ସମଗ୍ର ଆଲୋଚନାଚକ୍ରର ପରିକଳ୍ପନା କରିବା ସହିତ ସ୍ବାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଆଲୋଚନା ମାଧ୍ୟମରେ ରାଜ୍ୟ ସଂଗ୍ରହାଳୟର ଆଭିମୁଖ୍ୟ ଏବଂ କୋଭିଡ ମହାମାରୀ ସମୟରେ ନୂତନ ପ୍ରୟାସ ଯେପରିକି ନୂତନ ଗ୍ୟାଲେରୀର ପରିକଳ୍ପନା, ସମ୍ପୂର୍ଣ୍ଣ ସଂଗ୍ରହାଳୟକୁ ଡିଜିଟାଲ ପଞ୍ଜିକରଣ, ଗ୍ୟାଲେରୀଗୁଡିକର ଭର୍ଚୁଆଲ ୱକ ଥ୍ରୁ ଏବଂ ଅନ୍ୟାନ୍ୟ ସମସ୍ତ ଦିଗ ଉପରେ ଆଲୋକପାତ କରାଯାଇଥିଲା।

ଏହି ଆନ୍ତର୍ଜାତୀୟ ଆଲୋଚନାଚକ୍ର ବିହାରରେ ଅବସ୍ଥିତ ‘ଦି ହେରିଟେଜ କନ୍ସୋଟିୟମ’ ସଂସ୍ଥାର ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବିଭାଷ କୁମାର ଆଲୋଚନାଚକ୍ରର ବିଷୟବସ୍ତୁ ଓ ଦୃଷ୍ଟିକୋଣ ସମ୍ବନ୍ଧିତ ମନ୍ତବ୍ୟ ପ୍ରଦାନ କରିଥିଲେ।।ଏହି ଆନ୍ତର୍ଜାତୀୟ ଆଲୋଚନା ଚକ୍ରର ମୂଖ୍ୟ ଆଲୋଚକ ଭାବରେ କଲୋମ୍ବୋ ସାର୍କ ସାସ୍କୃତିକ କେନ୍ଦ୍ରର ଉପ ନିର୍ଦେଶିକା ଡ. ଅନାମିକା ବିଶ୍ୱାସ, ଚେନ୍ନାଇ ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷା ଏବଂ ସଂରକ୍ଷିକା ଜେ. ଏମ୍. ଗାନ୍ଧିମତୀ ଏବଂ ବିହାର ସଂଗ୍ରହାଳୟର ଆଞ୍ଚଳିକ ଉପ- ନିର୍ଦ୍ଦେଶକ ଡ. ଅରବିନ୍ଦ ମହାଜନ ପ୍ରମୁଖ ଏହି ଆଲୋଚନାରେ ଅଂଶ ଗ୍ରହଣ କରି ସାଂପ୍ରତିକ ପରିସ୍ଥିତିରେ ସଂଗ୍ରହାଳୟ ଗୁଡିକର ଭୂମିକା ଏବଂ ଗୁରୁତ୍ୱ ଉପରେ ଦୃଶ୍ୟଶ୍ରାବ୍ୟ ମାଧ୍ୟମରେ ତଥ୍ୟଭିତିକ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ। ରାଜ୍ୟ ସଂଗ୍ରହାଳୟର ସଂଗ୍ରହାଧ୍ୟକ୍ଷା ଶୁଚିସ୍ମିତା ମନ୍ତ୍ରୀ ଏହି ଭର୍ଚୁଆଲ ଆଲୋଚନା ଚକ୍ରର ସଂଯୋଜନା ଓ ବୈଷୟିକ ଅଧିବେଶନ ପରିଚାଳନା ଦାୟିତ୍ୱ ନିର୍ବାହ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜନା ଏବଂ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ୍।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଡ. ବିଷ୍ଣୁପଦ ସେଠି କହିଛନ୍ତି ଯେ ଏବେ ୨୦ ହଜାର ତାଳପତ୍ର ପୋଥିର ଡିଜିଟାଇଜେସନ ଓ ୧୬ ହଜାର ୮୭ଟି ସଂଖ୍ୟାର ତାଳପତ୍ର ପୋଥି ଅନ ଲାଇନରେ ଉପଲବ୍ଧ ହେଉଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ପରାମର୍ଶରେ ସମଗ୍ର ସଂଗ୍ରହଳୟକୁ ଭର୍ଚୁଆଲ ମୋଡରେ ଆଣିବା ବ୍ୟବସ୍ଥା କରାଯାଉଛି ଓ ଏଥିଲାଗି ବିଭାଗୀୟ ଅଧିକାରୀଙ୍କ ଉଦ୍ୟମକୁ ସଂସ୍କୃତି ସଚିବ ପ୍ରଶଂସା କରିଥିଲେ। ଇତି ମଧ୍ୟରେ ସବୁ ଗ୍ୟାଲେରିରେ ଓଡ଼ିଆ ପାରମ୍ପରିକ ସଂଗୀତ ପ୍ରସାରଣ ବ୍ୟବସ୍ଥା ହୋଇଛି ଓ ଏହା ଏକ ଅଭିନବ ପରିକଳ୍ପନା ବୋଲି ଶ୍ରୀ ସେଠୀ ମତବ୍ୟକ୍ତ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories