ବୃଦ୍ଧ ବୟସର ଅନୁଚିନ୍ତା

ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ

ଆମର ଗୋଟେ ଖଟି ଅଛି। ଖଟିର ସଦସ୍ୟମାନଙ୍କ ବୟସ ଅଶୀ ସେପାରି। ସମସ୍ତେ ଅବସରପ୍ରାପ୍ତ କର୍ମଚାରୀ। କିଏ ଆଇଏଏସ ତ କିଏ ଓଏଏସ ଅଥବା ଇଂଜିନିୟର। ସମସ୍ତେ ପ୍ରଥମ ଶ୍ରେଣୀ ପାହିଆରୁ ଅବସର ପ୍ରାପ୍ତ। ଆରମ୍ଭ ହୋଇଥିଲା ସାନ୍ଧ୍ୟ ଭ୍ରମଣରୁ ଚିହ୍ନା ପରିଚୟରେ। ଖଟି ଆରମ୍ଭ ହୋଇଥିଲା ବାର ଜଣ ସଦସ୍ୟଙ୍କ ସମାବେଶରେ। ସମୟ ଗର୍ଭରୁ ବତ୍‌‌ର୍ି ଏବେ ଅଛୁ ମାତ୍ର ଛ ଜଣ। ପୁନଶ୍ଚ, ଆମମାନଙ୍କ ମଧ୍ୟରୁ କେତେକ ବିପତ୍ନୀକ ତ କାହାର ପିଲାମାନେ ବାହାରେ, କିଏ ​‌େ​‌ଦଶରେ ତ କିଏ ବିଦେଶରେ। ବିପତ୍ନୀମାନଙ୍କର ଶୋଇବା ସମୟ ବାଦ୍‌‌ ବାକି ସମୟତକ କାଟିବା ବଡ ଦୁର୍ବିସହ ହୋଇପଡେ। ଭାବୁଥିଲି ସପତ୍ନୀକ ମାନଙ୍କ ଜୀବନ ସୁଖରେ କଟୁଥିବ। ମାତ୍ର ବୁଝିଲି ଯେ ପତ୍ନୀ ସକାଳୁ ଦିନ ବାରଟା ପର୍ଯ୍ୟନ୍ତ ଠାକୁର କାର୍ଯ୍ୟରେ ବ୍ୟସ୍ତ। ସନ୍ଧ୍ୟା ହେଲେ ମନ୍ଦିରରେ। ବିଦେଶ ଗସ୍ତ ସମୟରେ ଦେଖିଥିଲି ପାରିବାରିକ ସମ୍ପର୍କ ବଡ ଦୁର୍ବଳ। ଅର୍ଥାତ ପିଲାମାନେ, ପୁଅ ହେଉ କି ଝିଅ, ପ୍ରାପ୍ତ ବୟସ୍କ ହୋଇଗଲେ ପିତା ମାତାଙ୍କଠାରୁ ଅଲଗା ହୋଇ ସ୍ୱାଧୀନ ଭାବରେ ଚଳନ୍ତି। ତେଣୁ ବୃଦ୍ଧ ବୟସରେ ପିତାମାତା ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ପଡ଼ିଥାଏ। ଆମଦେଶରେ ବି ଆରମ୍ଭ ହେଲାଣି ବୃଦ୍ଧାଶ୍ରମ ସଭ୍ୟତା। ମାତ୍ର ସମୁଦ୍ରକୁ ଶଙ୍ଖେ ପାଣି ପରି। ଦିନେ ମନ ବଳିଲା ଆମଦେଶର ବୃଦ୍ଧମାନଙ୍କ ବିଷୟରେ କିଛି ସୂଚନା ସଂଗ୍ରହ କରିବି। ଏ ଦିଗରେ ମନ ବଳିବାର କିଛି ବଳିଷ୍ଠ କାରଣ ଅଛି ବି। ଦିନେ ଖବର କାଗଜରେ ଏକ ଅତ୍ୟନ୍ତ କରୁଣ ଖବର ପଢ଼ିବାକୁ ମିଳିଲା-ଜଣେ କୋଟିପତି ଶିଳ୍ପମାଲିକ ଗୌତମ ସିଘାଂଣିଆ ତାଙ୍କର ବୃଦ୍ଧ ପିତାଙ୍କୁ ଘରୁ ତଡିଦେଇ ଆଠ ହଜାର ତିନି ଶହ କୋଟିର ଶିଳ୍ପକୁ ହାତେଇବାରେ ସକ୍ଷମ ହୋଇଛନ୍ତି। ତେଣୁ ତାଙ୍କ ପିତାଙ୍କୁ ବମ୍ବେର ଗୋଟିଏ ଛୋଟିଆ ଆପାର୍ଟମେଣ୍ଟରେ ଜୀବନ ବିତାଇବାକୁ ପଡୁଛି। ଖବରଟି ପଢ଼ି ମର୍ମାହତ ହେଲି। ପୁନଶ୍ଚ ଭାରତୀୟ କ୍ରିକେଟଦଳର ଜଣେ ସଦସ୍ୟ, ତାଙ୍କ ପିତାଙ୍କ ପ୍ରତି ସେହିପରି ବ୍ୟବହାର କରିବା ସମ୍ବାଦ ମିଳିଲା। ସେହି କାରଣରୁ ଏହି ଆଲେଖ୍ୟ ପ୍ରସ୍ତୁତି ପାଇଁ ମନ ବଳିଲା। କିଛି ସୂଚନା ବି ମିଳିଲା। ତାହାର ଆଧାରରେ ନିମ୍ନର ଆଲେଖ୍ୟ।

ଜାତିସଂଘର ସୂଚନା ମୁତାବକ ଦୁଇହଜାର ବାଇଶି ମସିହା ବେଳକୁ ଆମଦେଶରେ ଥିଲେ ଚଉଦ କୋଟି ନବେ ଲକ୍ଷ ବୃଦ୍ଧ (ସିନିୟର ସିଟିଜନ୍‌‌)ା ଏହି ସଂଖ୍ୟା ଦୁଇ ହଜାର ପଚାଶ ମସିହା ବେଳକୁ ବଢ଼ି ଚଉସ୍ତରି କୋଟିରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଛି। ସମ୍ଭବ ମଧ୍ୟ। କାରଣ ଲୋକ କ୍ରମଶଃ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ବାବଦରେ ସଚେତନ ହେବା ସହିତ ଡାକ୍ତରୀ ସୁବିଧା ସୁଯୋଗ ବଢ଼ି ଚାଲିଛି। ରୋଜଗାର ବଢ଼ିବାରୁ ଲୋକେ ସୁଷମ ଖାଦ୍ୟପ୍ରତି ସଜାଗ ହେଲେଣି। ଏତତ୍‌‌ବ୍ୟତୀତ ରୋଗୀଙ୍କ ଚିକିସ୍ଥା ନିମନ୍ତେ ସରକାରୀ ଓ ବେସରକାରୀ ସ୍ତରରେ ସୁବିଧା ସୁଯୋଗ ଓ ପ୍ରୋତ୍ସାହନର ଉନ୍ନତି ଘଟିଛି ଓ ଘଟୁଛି। ଏହିସବୁ କାରଣରୁ ସମାଜରେ ବୃଦ୍ଧଙ୍କ ସଂଖ୍ୟା ବଢ଼ୁଛି। ଏହା ସହିତ ବୃଦ୍ଧଙ୍କ ଦୁର୍ଦଶା ମଧ୍ୟ ତାଳଦେଇ ଚାଲିଛି।

ପାଶ୍ଚାତ୍ୟ ଦେଶର ପ୍ରଭାବ କ୍ରମଶଃ ଆମ ଦେଶକୁ ଗ୍ରାସ କରିବାରେ ଲାଗିଛି। ତେଣୁ ପିଲାମାନେ ରୋଜଗାରକ୍ଷମ ହୋଇଗଲେ ପିତା, ମାତାଙ୍କ ଠାରୁ ଦୂରେଇ ଯାଉଛନ୍ତି। ଏଣେ ପାଶ୍ଚାତ ଦେଶ ପରି ଆମଦେଶରେ ଉତ୍ତମ ବୃଦ୍ଧାଶ୍ରମ ନାହିଁ। ଏଠାରେ ସୂଚନାଯୋଗ୍ୟ ଯେ ପିଲା ମାନଙ୍କ ଲାଳନ ପାଳନ ଠାରୁ ଆରମ୍ଭ କରି ଯୋଗ୍ୟ ହେଲା ପର୍ଯ୍ୟନ୍ତ, ସବୁ ଖର୍ଚ୍ଚ ପିତାମାତା ତୁଲାଇ ଥାଆନ୍ତି। ସ୍ନେହ, ଶ୍ରଦ୍ଧା କଥା ଛାଡି ଦିଆଯାଉ। ଯୋଗ୍ୟ ହେଲା ପରେ ପିତାମାତାଙ୍କ କଥା ପଚାରେ କିଏ ! ସମ୍ପର୍କ ଦୂରେଇ ଦୂରେଇ ଯାଏ। ଯେଉଁମାନେ ପିତାମାତାଙ୍କ ସହ ରହନ୍ତି କୋଚିତ୍‌‌ ସ୍ନେହ, ଶ୍ରଦ୍ଧାରେ ପାଳନ୍ତି। ବରଂ ବିପରୀତ କାହାଣୀର ଅଭାବ ନାହିଁ। ଅର୍ଥାତ ଅଯୋଗ୍ୟ ପିଲାମାନେ ପିତାମାତାଙ୍କୁ ଏକ ବୋଝ ରୂପେ ବ୍ୟବହାର କରନ୍ତି। ଆହୁରି ଅଯୋଗ୍ୟ ସନ୍ତାନମାନେ ବୃଦ୍ଧ ପିତା ଅବା ମାତାଙ୍କୁ ହତ୍ୟା କରିବା ଖବର ଆଜି କାଲି କମ୍‌‌ ମିଳୁ ନାହିଁ। ଏ ବାବଦରେ ପିଲାବେଳେ ପଢ଼ିଥିବା ଏକ କାହାଣୀ ମନେପଡୁଛି। ଗୋଟେ ରାଜ୍ୟରେ ଜଣେ ରଜା ଥିଲେ। ରଜାଙ୍କ ମୁଣ୍ଡରେ ଗୋଟେ ଅଜବ ଚିନ୍ତା ପଶିଲା। ଭାବିଲେ, ରାଜ୍ୟରେ ଥିବା ବୃଦ୍ଧମାନେ କେବଳ ଅନ୍ନ ଧଂ୍ୱସ କରୁଛନ୍ତି। ରାଜ୍ୟକୁ ତାଙ୍କର ଅବଦାନ ଶୂନ। ରାଜ୍ୟର ବୃଦ୍ଧମାନଙ୍କୁ ଶେଷ କିରିଦେବା ପାଇଁ ଗୋଟାଏ ଉପାୟ ପାଞ୍ଚିଲେ। ରାଜ୍ୟସାରା ଡେଙ୍ଗୁରା ଦିଆଗଲା, ରାଜନଅର ପୋଖରୀରେ ରଜାଙ୍କର ଗୋଟେ ମୂଲ୍ୟବାନ ଗରା ପଡ଼ିଯାଇଛି। ସେଇଟାକୁ ଯେଉଁ ଭେଣ୍ଡା ଉଦ୍ଧାର କରିଦେବ ତାକୁ ରଜା ଅନେକ ଧନ ରତ୍ନ ପୁରସ୍କାର ଦେବେ। ମାତ୍ର ଗୋଟାଏ ସର୍ତତ ରହିଲା। ଗରାଟିକୁ ଉଦ୍ଧାର କରିନପାରିଲେ ଘରର ବୃଦ୍ଧକୁ ମୃତ୍ୟୁ ଦଣ୍ଡ ମିଳିବ। ଏ ଡେଙ୍ଗୁରା ଶୁଣି ରାଜ୍ୟର ଭେଣ୍ଡିଆମାନେ ପୋଖରୀ କୂଳକୁ ଆସି ଦେଖିଲେ ଗରାଟି ନିର୍ମଳ ପାଣିରେ ଉଳ ଭାବରେ ଦେଖାଯାଉଛି। ତେଣୁ ଅନେକ ଭେଣ୍ଡା ଲୋଭରେ ଗରାକୁ ଉଦ୍ଧାର କରିବା ପାଇଁ ପୋଖରୀକୁ ଡିଆଁ ମାରିଲେ, ମାତ୍ର ଗୋଳିଆ ପାଣିରେ ଗରାଟି ମିଳିଲା ନାହିଁ। ସର୍ତତ ଅନୁସାରେ ବୁଦ୍ଧମାନଙ୍କୁ ଫାଶୀଦଣ୍ଡ ମିଳିଲା।

ସେହି ରାଜ୍ୟରେ ଗୋଟେ ଭେଣ୍ଡା ଥିଲା। ଏ ଘଟଣା ଦେଖି ସେ ତା ବୁଢା ବାପାକୁ ରାତାରାତି ନେଇ ରାଇଜ ସୀମା ବାହାରେ ରଖିଦେଲା। ରାତି ପାହି ହେଲା ସକାଳ। ବୁଢା ଏହାର କାରଣ ପଚାରିଲା। ବୁଢା ସବୁ ଶୁଣି ପୁଅକୁ କହିଲା, ଯାଇ ଦେଖ୍‌ତ ପୋଖରୀ କୂଳରେ ଗଛ ଅଛି କି! ପୁଅ ଯାଇ ଦେଖିଲା ଗଛଟାଏ ଅଛି। ତା’ ପର ଦିନ ବାପାକୁ କହିବାରୁ ବାପା ଗରାର ରହସ୍ୟ ବତାଇ ଦେଲା। ତେଣୁ ପୁଅ ଯାଇ ରଜାଙ୍କୁ କହିଲା ଗରାଟିକୁ ଉଦ୍ଧାର କରିବା ପାଇଁ। ତା’ କଥା ଶୁଣି ରଜାଙ୍କ ଲୋକେ କୁହାକୁହି ହେଲେ, ଆଜି ରାଜ୍ୟର ଶେଷ ବୁଢାର ଜୀବନ ଯିବ। ଦେଖିବା ପାଇଁ ଲୋକେ ପୋଖରୀ କୂଳରେ ଜମା ହୋଇଗଲେ। ଭେଣ୍ଡାଟା ପୋଖରୀକୁ ନ ଡେଇଁ ପୋଖରୀ କୂଳରେ ଥିବା ଗଛକୁ ଚଢିଲା। ଗଛରେ ଝୁଲୁଥିବା ଗରାଟିକୁ ଆଣି ରଜାଙ୍କ ପାଖରେ ରଖିଦେଲା। ରଜା କାବା ହୋଇଗଲେ। କିଏ ଏହାର ରହସ୍ୟ ବତାଇଲା ବୋଲି ପଚାରିବାରୁ ଭେଣ୍ଡା କହିଲା ବୁଢା ବାପା ବାତାଇଛନ୍ତି। ବୃଦ୍ଧଙ୍କ ଶାରୀରୀକ ଶକ୍ତି କମି କମି ଯାଏ। ମାତ୍ର ବୁଦ୍ଧି କମିଯାଏ ନାହିଁ। ଆଜିର ଯୁବ ସମ୍ପ୍ରଦାୟ ବୃଦ୍ଧ ମାନଙ୍କୁ ବୋଝ ବୋଲି ଭାବିବା ଉଚିତ୍‌‌ ନୁହେଁ। ବରଂ ଘରର ବଡରୁ ବଡ ସମସ୍ୟା ଉପୁଜିଲେ ସେମାନଙ୍କ ପରାମର୍ଶ ଅତି ମୂଲ୍ୟବାନ ପ୍ରମାଣିତ ହୁଏ।

ଆମ ଦେଶରେ ବୃଦ୍ଧମାନଙ୍କ ନିମନ୍ତେ ଉପଯୁକ୍ତ କଲ୍ୟାଣକର ଯୋଜନା କିଛି ନାହିଁ। ଯାହା ବି ଅଛି ତାହା ଆଜିକା ମହରଗ ଯୁଗରେ ସମୁଦ୍ରକୁ ଶଙ୍ଖେ ପାଣି ପରି; କିନ୍ତୁ ଥରେ ଏମ୍‌‌ପି ବା ଏମ୍‌‌ଏଲ୍‌‌ଏ ହୋଇଗଲେ, ଜୀବନସାରା ପେନ୍‌ସନ ପାଇବାକୁ ହକ୍‌‌ଦାର। ଦେଶରେ ସାତଶହ ତିରିଶ ଏମପି ଓ ଚାରି ହଜାର ଦୁଇଶହରୁ ଊର୍ଦ୍ଧ୍ବ ଏମଏଲଏ ଏହି ସୁବିଧା ଜୀବନ ବ୍ୟାପୀ ପାଆନ୍ତି। ବୃଦ୍ଧମାନଙ୍କ ନିମନ୍ତେ ବିଶେଷକରି ଭୁବନେଶ୍ୱରରେ ଅନ୍ୟଏକ ବିପଦ ବଢ଼ିବାରେ ଲାଗିଛି। ଦୁର୍ଦାନ୍ତ ଅପରାଧୀଙ୍କ ଶିକାରହେବା ଦୃଷ୍ଟାନ୍ତ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାର ଏକ ମୁଖ୍ୟ କାରଣ ହେଉଛି ଏଠାରେ ସାମାଜିକ ସମ୍ପର୍କ ବଡ ଦୁର୍ବଳ। ତୁମର ପଡ଼ିଶା ଘରେ, ଏପରିକି ଗୋଟିଏ ଆପାର୍ଟମେଣ୍ଟର ସାମ୍ନାସାମ୍ନି ଘରେ କିଏ ରହନ୍ତି ବୋଲି ପଚାରିଲେ, ଜାଣି ନାହିଁ ବୋଲି ଉତ୍ତର ମିଳେ। ଆଗକାଳେ ଆମ ସମାଜର ଚିତ୍ର ଭିନ୍ନ ଥିଲା। ମୋର ଘର ପୁରୀ ଜିଲାର ଏକ ନିକଟ ମଫସଲରେ। ଦେଖିଛି ଘରକୁ ଦୈବାତ୍‌‌ କୁଣିଆ ଆସିଗଲେ, ଘରେ ଯଦି ଚର୍ଚ୍ଚା ପାଇଁ କିଛି ନଥାଏ ପଡ଼ିଶା ଘରୁ ସବୁ ଚାଲି ଆସେ ଓ କୁଣିଆ ଉପଯୁକ୍ତ ଚର୍ଚ୍ଚାର ସହିତ ବିଦାୟ ନିଅନ୍ତି। ଆମ ସମାଜର ଚିତ୍ର ଓ ଐତିହ୍ୟ ଏହାହିଁ ଥିଲା। ବର୍ତ୍ତମାନ ନିଜର ପିତାମାତା ହିଁ ପରିତ୍ୟକ୍ତ ଯାହା ପ୍ରସିଦ୍ଧ ରେମଣ୍ଡ କମ୍ପାନୀର ମାଲିକଙ୍କୁ ଭୋଗିବାକୁ ପଡୁଛି। ବର୍ତ୍ତମାନ ଭୁବନେଶ୍ୱରର ସାମାଜିକ ସମ୍ପର୍କର ଏହା ଏକ ବଡ ଦୁର୍ବଳତା। ପୂର୍ବରୁ ଆମ ସମାଜର ଚିତ୍ର ଏପରି ନଥିଲା। ଆମ ଐତିହ୍ୟ କହେ ପିତାଙ୍କ ସର୍ତ୍ତ ପାଳନ କରିବାପାଇଁ ପୁତ୍ର ରାମଚନ୍ଦ୍ର ଚଉଦବର୍ଷ ବନବାସ କରିଥିଲେ।

Comments are closed.