କଥାରେ ଅଛି, ବଡ଼ଲୋକ ହେବ, ନୋହିଲେ ବଡ଼ଲୋକଙ୍କ ପାଖେପାଖେ ଥିବ। ଏଠାରେ ବଡ଼ଲୋକ କହିଲେ ଆମ୍ଭେ ଉଚ୍ଚପଦାସୀନମାନଙ୍କୁ କହୁଛୁ; ଯେଉଁମାନଙ୍କ ପାଖରେ ପ୍ରଚୁର ଅର୍ଥ, କ୍ଷମତା, ଖ୍ୟାତି, ସ୍ବୀକୃତି, ପ୍ରତିପତ୍ତି, ପଦମର୍ଯ୍ୟାଦା ରହିଥିବ, ଯେଉଁମାନଙ୍କ ହାତ ଖୁବ୍ ଲମ୍ବା ହୋଇଥିବ, (ଯେଉଁଠିକୁ ବଢ଼େଇଲେ ସେ ହାତ ଅକ୍ଲେଶରେ ପହଞ୍ଚି ଯାଉଥିବ), ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିବା, ଅଗମ୍ୟ ସ୍ଥାନକୁ ଗମି ପାରିବା, ଅଲଭ୍ୟ ବସ୍ତୁକୁ ଲଭି ପାରିବାର ତାକତ୍ ଯେଉଁମାନଙ୍କ ପାଖରେ ରହିଥିବ। ଜୀବନରେ ବଡଲୋକ ହେବା ପାଇଁ କାହାର ସ୍ବପ୍ନ, ଅଭିଳାଷ ନାହିଁ ଯେ? ବାଲ୍ୟକାଳରୁ ମୁଣ୍ଡରେ ସ୍ବପ୍ନ ଢୁକୁଛି ଯେ, ମୁଁ ଅମୁକ ହେବି, ସମୁକ ହେବି, ଐସା କରେଗା, ତୈସା କରେଗା, ଦଶ ପଚାଶ ଭିତରେ ଗଣାହୋଇ ଗଣ୍ୟମାନ୍ୟ ହେବି। ହେଲେ ଇଂରାଜୀରେ ଗୋଟିଏ କଥା ଅଛି, ମ୍ୟାନ୍ ପ୍ରପୋଜେସ୍ ଗଡ୍ ଡିସ୍ପୋଜେସ୍। ଅର୍ଥାତ୍, ଆମେ ସିନା ବଡ଼ଲୋକ ହେବା ପାଇଁ ଯୋଗାଡ଼ଯନ୍ତ୍ର କରୁଅଛୁ, ମାତ୍ର ସେ ସବୁକୁ ନିୟନ୍ତ୍ରଣ କରୁଛନ୍ତି ଖୋଦ୍ ଉପରବାଲା। ସେ ହିଁ ସବୁ ବିଧାନ ବ୍ୟବସ୍ଥା କରୁଛନ୍ତି। ଆମେ ନିମିତ୍ତ ମାତ୍ର। ଏ ନେଇ ଅବଶ୍ୟ ଉପରବାଲାଙ୍କର ଲାଭ ମଧ୍ୟ କିଛି କମ୍ ନୁହଁ। ସାରା ଜଗତରେ ସେ ତାଙ୍କର ଷ୍ଟାଣ୍ଡିଂ ସର୍କ୍ୟୁଲାର୍ ପ୍ରଚାର କରିଦେଇଛନ୍ତି, ‘କରି କରାଉଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।’ ତାଙ୍କର ଏମନ୍ତ ସର୍କ୍ୟୁଲାରକୁ ଚାଲେଞ୍ଜ କରିବା କ୍ଷମତା କାହାରି ନାହିଁ। କାହିଁକି ନା ସେ ହେଉଛନ୍ତି ସର୍ବଶକ୍ତିମାନ୍।
ଅତଏବ କହିବାର କଥା, ଆମ ଭିତରୁ କେହିକେହି ସେମାନଙ୍କର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରୁଛନ୍ତି, ସଫଳକାମୀ ହୋଇ ବଡ଼ଲୋକ ମାନ୍ୟତାଭୁକ୍ତ ହୋଇ ପାରୁଛନ୍ତି। ହେଲେ ଆଉ କିଛି ପଛରେ ପଡ଼ି ଯାଉଛନ୍ତି। ଶତଚେଷ୍ଟା କରି ମଧ୍ୟ ବିଫଳ ହେଉଛନ୍ତି। ତେବେ ଯେଉଁମାନେ ବିଫଳ ହେଉଛନ୍ତି ସେମାନଙ୍କ ପ୍ରତି ଆମ୍ଭର ସୁଚିନ୍ତିତ ପରାମର୍ଶ ହେଉଛି- “ପ୍ରିୟ ବନ୍ଧୁଗଣ, ବିଫଳ ହେଲ ବୋଲି କ’ଣ ଦୁଃଖରେ ଭାଙ୍ଗି ପଡ଼ିବା ଉଚିତ? ଜୀବନରେ ବିଫଳତା ନଥିଲେ କ’ଣ ସଫଳତା ମିଳିବ? ବିଫଳତା ହେଉଛି, ସଫଳତାର ମୂଳମନ୍ତ୍ର, ମାପକ !। ଏ କଥା ଆମ୍ଭେ କହୁନାହୁଁ, ମହାପୁରୁଷମାନେ ଆଗରୁ କହିଯାଇଛନ୍ତି। ଅତଏବ ଏଥିପାଇଁ ମନମାରି ବସିବା କ’ଣ ଦରକାର? କଥା କ’ଣ କି, ଯିଏ ଏବେ ବଡ଼ଲୋକ ହୋଇପାରିଛନ୍ତି, ତାଙ୍କ ପାଖରେ ଯେନତେନ ପ୍ରକାରେଣ ବ୍ୟବସ୍ଥା ବନ୍ଦୋବସ୍ତ କରି ରହିଯିବାକୁ ଅଛି। ତାଙ୍କ ସାଥେ ବନ୍ଧୁଭାବ ଯୋଡ଼ିକରି ହେଉ, ନୋହିଲେ ତାଙ୍କର ଗୁମାସ୍ତା, ପିଆଦା ଭାବରେ ହେଉ,ନୋହିଲେ ଅନୁଗତ କି ଚଣ୍ଡୀ ଚାମୁଣ୍ଡା ସାଜି ‘ହାଁ ଜୀ, ହାଁ ଜୀ’ କହିକରି ହେଉ, ପହିଲେ ତାଙ୍କ ପାଖଲୋକ ହେବାକୁ ପଡିବ। ତା’ପରେ ତ କାଣି ବିଲେଇର କୁଜି ଅସରପା ଉପରେ ଜୋର୍ ଜୁଲମ୍ ଜାହିର୍ କରିବା ନୀତି ଧରି ଚାଲିବାରେ କୌଣସି ଅସୁବିଧା ରହିବ ନାହିଁ। ଯୋଗକୁ ଯଦି ବଡ଼ଲୋକଙ୍କର ସମ୍ପର୍କୀୟ କିମ୍ବା ଆତ୍ମୀୟସ୍ୱଜନ ହେବା ସମ୍ଭବ ହୋଇ ପାରିଲା, ତେବେ ତ ଫୁଲ୍ ବୋବାଲ୍।
ବଡଲୋକଙ୍କର ଆଧିପତ୍ୟ, ଦୌରାତ୍ମ୍ୟ ଯେତିକି ନୁହେଁ, ଏମନ୍ତ ସମ୍ପର୍କୀୟ ଆତ୍ମୀୟସ୍ୱଜନଙ୍କର ଆଧିପତ୍ୟ, ଦୌରାତ୍ମ୍ୟ ଢେର୍ ଅଧିକ ଆମ ସମାଜରେ। ଏମାନେ ଯାହା ଚାହିଁବେ, ସେଇୟା କରିପାରିବେ, ଯାବତ ଅପରାଧ ଭିଆଇ, ଆଇନ୍ ଆଖିରେ ଧୂଳି ଦେଇ କୌଶଳରେ ଖସିଯିବେ। ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅନାୟାସରେ ଅଠା ବୋଳି ଦେଇପାରିବେ। ଏମାନଙ୍କ ପ୍ରକୋପ, ପ୍ରତାପରେ ପ୍ରଶାସନ ଫୁଲ୍ ଢିଲା। ଏମାନେ ମାଫିଆଗୋଷ୍ଠୀ ଗଢି ତହିଁରେ ସର୍ବେସର୍ବା ହୋଇପାରିବେ। ଅସାଧୁମେଣ୍ଟରେ ଥାଇ ବେଧଡକ ଗୁଣ୍ଡାଗର୍ଦ୍ଦି ପେଞ୍ଚପ୍ରପଞ୍ଚର ଖେଳ ଖେଳିପାରିବେ। ଅପରପକ୍ଷେ ଆଇନ ଧରିବସିବ ନିରୀହ ଜନତାଙ୍କୁ। ମାଫିଆଗୋଷ୍ଠୀ ଆଉ ଅସାଧୁମେଣ୍ଟର ଚକ୍ରବ୍ୟୂହ ଭେଦ କରି ନପାରି ନିରୀହ ଜନତା ଅଦାଲତରେ ଖୁଣୀ, ଅପରାଧୀ ସାବ୍ୟସ୍ତ ହେଉଥିବେ। କାହାର ବୁଝିବାକୁ ତର ଅଛି ଯେ, କିଏ ଅପରାଧୀ ଆଉ କିଏ ନିରପରାଧ। କିଏ ଖୁଣୀ ଆଉ କିଏ ମାନୀ?
ପ୍ରକୃତ କଥା ହେଉଛି, ଅପରାଧୀଙ୍କୁ ଧରିବା କଥା। ତେଣିକି ଅପରାଧୀ ସାଜି ଯିଏ ଆସୁଛି ଆସୁ। ଯଦି କେବେ କେମିତି କେହି ଦଣ୍ଠା ପୁଲିସ୍ ଅଫିସରଙ୍କର ଖପଖିଆ ତଦନ୍ତ ଜାଲରେ ଅସଲି ଅପରାଧୀ କି ଖୁଣୀ ଜଣକ ଧରା ପଡ଼ିଗଲା, ତେବେ ତ ପରିସ୍ଥିତି ପୂରା ଅଣାୟତ୍ତ ହୋଇପଡିବ। ତେବେ ଅପରାଧ ଜଗତର ରହସ୍ୟ ଉନ୍ମୋଚନ ହେବା ପୂର୍ବରୁ ସଂପୃକ୍ତ ଦଣ୍ଠା ଅଫିସର୍ ପାଖକୁ ତତ୍କାଳେ ସୁପରଡୁପର୍ ବଡଲୋକଙ୍କ ଟେଲିଫୋନ୍ ଆସିବ, ‘ହ୍ୟାଲୋ ଅଫିସର୍, କୈସେ ହୋ? ଆରେ ଆରେ ଏ କ’ଣ? ବିଷଧର ସର୍ପ ସାଥୀରେ ଖେଳିବାକୁ ତୋର ତ ଭାରି ସଉକ? ତୋ ଜୀବନ ପ୍ରତି ଟିକେହେଲେ ମମତା ନାହିଁ କିରେ? ଓହୋ ବିଚରା, ବର୍ଦ୍ଦି ପିନ୍ଧି କସମ୍ ଖାଇଛୁ କି, ଅନ୍ୟାୟ, ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ଲଢ଼ିବୁ? ନିରୀହ, ନିରପରାଧ ଜନତାଙ୍କୁ ନ୍ୟାୟ ଦେବୁ? ଆରେ ବାଃ, ତୋ’ପରି ଯଦି ଆଠ ଦଶଜଣ ସଚ୍ଚୋଟ ଦେଶପ୍ରେମୀ ଅଫିସର୍ ଦେଶରେ ମୁଣ୍ଡ ଟେକିଉଠିବେ ନା ତେବେ ତ ଦେଶରେ ଅଚିରେ ରାମରାଜ୍ୟର ଆରମ୍ଭ ହୋଇଯିବ। ଆବେ ଶୁଣ, ଜ୍ୟାଦା ସ୍ମାର୍ଟ ଦେଖେଇବୁ ତ ମୁଝସେ ବୁରା କୋଇ ନେହି ହୋଗା। ମୋ ଲୋକକୁ ଆରେଷ୍ଟ୍ କରିବାକୁ ତୋତେ କହିଲା କିଏ ? ଶୁଣ, ଭଲ ଦଶା ଅଛି ଯଦି, ମୋ ଲୋକଙ୍କୁ ତୁରନ୍ତ ଛାଡ଼ିଦେ। ତହୁଁ ଅଫିସର୍ ବାପୁଡ଼ାର ପିଳେହି ପାଣି; ଛାନିଆର ବଶବର୍ତ୍ତୀ ହୋଇ ବୋପାକୁ ମଉସା ଡାକିବା ଅବସ୍ଥା। ବଡ ଜୋଶରେ ଆରେଷ୍ଟ କରିଥିବା କୁଖ୍ୟାତ ଅପରାଧୀକୁ ସସମ୍ମାନ ଛାଡ଼ିଦେବାକୁ ବାଧ୍ୟ ହେବେ ସେ। ବିଚରା ଅଫିସର୍ ବାଧ୍ୟ ଶିଶୁ ଭଳି ବୁଝିଯିବ; “ଆରେ ହଁ ତ, ବଡଲୋକଙ୍କ ସାଥେ ଦୋସ୍ତି କରିବା ଭଲ, ଦୁଷ୍ମନି ନୁହଁ। ନୋହିଲେ, କେତେବେଳେ କେଉଁ କଥା!”



