ସାଗରରୁ ଆସିଲେଣି ଆମ ଅତିଥି
ଭାସ୍କର ରାଉତରାୟ
ଶୀତର କଅଁଳ ପରଶରେ ଆସିଲେଣି ଆମ ଅତିଥି। ଯୋଜନଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ଲକ୍ଷଲକ୍ଷ ମା’ ଓ ପୁରୁଷ ଅତିଥିମାନେ ଜଳକ୍ରୀଡ଼ାରେ ନିମଗ୍ନ ହେଲେଣି। ପ୍ରଜନନ ପ୍ରକ୍ରିୟାର ପ୍ରାରମ୍ଭିକ ଧାରାରେ ଏବେ ଯୋଡ଼ିଯୋଡ଼ି ହୋଇ ନୀଳ ଢ଼େଉ ଭିତରେ ସେମାନେ ଗାଇଲେଣି ପ୍ରୀତି ପ୍ରଣୟର ପ୍ରଥମ ଗଜଲ। ଆଉ ଦିନ କେଇଟା ପରେ ଅନ୍ତଃସତ୍ତ୍ବା ମା’ମାନେ ଗଭୀର ତଥା ନିଷିଦ୍ଧ ଇଲାକା ଛାଡ଼ି ବିସ୍ତୀର୍ଣ୍ଣ ବେଳାଭୂମିର ନରମ ବାଲୁକା ରାଶିରେ ପାଦ ଥାପିବେ। ସେଠାରେ ଗର୍ଭରେ ଧାରଣ କରିଥିବା ୮୦ରୁ ୧୦୦ଟି ଅଣ୍ଡାକୁ ସାଢ଼େ ଚାରିଫୁଟ ଗଭୀରର ଗାତ ଖୋଳି ସେଥିରେ ଅଣ୍ଡାଦାନ କରି ପୁଣି ଫେରିଯିବେ ସେମାନଙ୍କ ଅଜଣା ରାଇଜର କର୍ମକ୍ଷେତ୍ରକୁ।
ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ବଙ୍ଗୋପସାଗରର କଇଁଛ ତୀର୍ଥସ୍ଥଳୀ ଗହୀରମଥା। ନଭେମ୍ବର ୧ ତାରିଖଠାରୁ ମେ ୩୧ ଯାଏ ଏହି ତୀର୍ଥସ୍ଥଳୀ ସମସ୍ତଙ୍କ ପାଇଁ ନିଷିଦ୍ଧାଞ୍ଚଳ। ସମୁଦ୍ର ତଟଠାରୁ ସମୁଦ୍ର ଭିତରକୁ ଦୀର୍ଘ ୨୦ କି.ମି. ସାମୁଦ୍ରିକ ଅଞ୍ଚଳ ହେଉଛି ସମୁଦ୍ର ପରିବେଶ ସନ୍ତୁଳନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଗହୀରମଥା ନିଷିଦ୍ଧାଞ୍ଚଳ। ଯେଉଁଠି ଲକ୍ଷଲକ୍ଷ ମା’ ପୁରୁଷ ଅଲିଭ ରିଡଲେ କଇଁଛଙ୍କ ସବୁଠୁ ନିରାପଦ ସ୍ଥାନ। ଧାମରା ମୁହାଣଠାରୁ ଦେବୀ ମୁହାଣ ପର୍ଯ୍ୟନ୍ତ ଏହି ନିଷିଦ୍ଧାଞ୍ଚଳରେ ପାଦଥାପି ସାରିଥିବା ଅଲିଭ ରିଡଲେ କଇଁଛ ଆମ ଓଡ଼ିଶାବାସୀଙ୍କ ଅତିଥି ସଦୃଶ। ସେମାନଙ୍କ ସୁରକ୍ଷା, ପ୍ରଜନନ କ୍ଷେତ୍ରରେ ବାଧା ସୃଷ୍ଟି କରୁଥିବା ଦେଶବିଦେଶର ଶକ୍ତିଶାଳୀ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍ ଯେପରି ଏହି ନିଷିଦ୍ଧାଞ୍ଚଳରେ ପ୍ରବେଶ କରିନପାରିବେ ଏ ନେଇ ରାଜ୍ୟ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ଓ ପରିବେଶ ବିଭାଗ, ଉପକୂଳ ତଟରକ୍ଷୀ ବାହିନୀ ଏବଂ ରାଜ୍ୟ ମତ୍ସ୍ୟବିଭାଗ ତ୍ରିକୋଣୀୟ ମିଳିତ ପାଟ୍ରୋଲିଂ ମାଧ୍ୟମରେ ସେମାନଙ୍କୁ ଆକଟ କରିବାପାଇଁ ନିଷିଦ୍ଧାଞ୍ଚଳ ସୀମାରେ ସଜାଗ ରହିଛନ୍ତି। ଯାହା ନିଶ୍ଚିତ ଭାବରେ ଆମ ପାଇଁ ସନ୍ତୋଷଜନକ ଘଟଣା। ଏଥିପାଇଁ ରାଜନଗର ଡିଏଫଓ ସୁଦର୍ଶନ ଗୋପୀନାଥ ଯାଦବ, ଭଦ୍ରକ ଡି.ଏଫ.ଓ ଅଧୀର ରଞ୍ଜନ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବନବିଭାଗ ପୁଲିସ ଫୋର୍ସ କଇଁଛଙ୍କ ମିଳନ ପର୍ବରେ ଯେପରି ବାଧା ନଉପୁଜେ ସେଥିପାଇଁ ସତର୍କତା ଅବଲମ୍ବନ କରୁଛନ୍ତି। ପାଟ୍ରୋଲିଂ କରାଯିବା ଆଜିର ନୂଆକଥା ନୁହେଁ। ବର୍ଷବର୍ଷ ଧରି ଏହି ପ୍ରକ୍ରିୟା ଚାଲିଛି। ପ୍ରଚୁର ଅର୍ଥ ବ୍ୟୟବରାଦ କରାଯାଉଛି। ତଥାପି କେଉଁଠି ନା କେଉଁଠି ଟ୍ରଲର ମାଫିଆ ହୁଅନ୍ତୁ ବା ଜଳଦସ୍ୟୁ ହୁଅନ୍ତୁ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କ ସହିତ ମଧୁର ସମ୍ପର୍କ ରହୁଥିବାରୁ ଏହାର ଫାଙ୍କ ନେଇ ସେମାନେ ନିଷିଦ୍ଧାଞ୍ଚଳରେ ଅବାଧ ପ୍ରବେଶ କରି ପ୍ରଚୁର ମୂଲ୍ୟବାନ ମାଛ ଧରିବା ସମୟରେ ସେମାନେ ବ୍ୟବହାର କରୁଥିବା ଶକ୍ତିଶାଳୀ ଟ୍ରଲର ଆଘାତରେ ଆଗନ୍ତୁକ ନିରୀହ ଜଳଜୀବ ଅଲିଭ ରିଡଲେ ଅକାଳମୃତ୍ୟୁ ବରଣ କରି ବେଳାଭୂମିରେ ହଜାରହଜାର ସଂଖ୍ୟାରେ ଲାଗିବା ଆମ ପାଇଁ ଦାରୁଣ ଦୁଃଖ ଦେଇଥାଏ। ଦୀର୍ଘ କେତେବର୍ଷ ହେଲା ଜଳବାୟୁର ଅହେତୁକ ପରିବର୍ତ୍ତନ ସାଙ୍ଗକୁ ବିଶ୍ବତାପନ ଯୋଗୁଁ ମଣିଷ ଜୀବଜନ୍ତୁ ପ୍ରତି ବିପଦ ଘନେଇ ଆସୁଥିବାବେଳେ କଇଁଛଙ୍କ ସବୁଠୁ ନିରାପଦ ପ୍ରଜନନ ସ୍ଥାନ ‘ଗହୀରମଥା’ ଏବେ ବିପଦର ଦ୍ବାରଦେଶରେ ଛିଡ଼ା ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ। କଇଁଛଙ୍କ ଆଗମନରେ ମତ୍ସ୍ୟ ସଂପଦର ବୃଦ୍ଧି ଏବଂ ସାମୁଦ୍ରିକ ପରିବେଶକୁ ସଫାସୁତୁରା ରଖିବା କ୍ଷେତ୍ରରେ ଅଲିଭରିଡଲେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ତେଣୁ ସେମାନଙ୍କ ସୁରକ୍ଷା କେବଳ ବନବିଭାଗ ଓ ତଟରକ୍ଷୀ ବାହିନୀର ନୁହେଁ ବରଂ ଆମ ସମସ୍ତଙ୍କର ମାନବୀୟ ଧର୍ମ ହେବା ଜରୁରୀ ମନେହୁଏ।
ହିନ୍ଦୁ ସଂସ୍କୃତିରେ ଭଗବାନଙ୍କ ୧୦ ଅବତାର ମଧ୍ୟରୁ କଇଁଛ ଦ୍ବିତୀୟ ଅବତାର। ସମୁଦ୍ରମନ୍ଥନ ବେଳେ ଭଗବାନ ଶ୍ରୀକୃଷ୍ଣ କଚ୍ଛପ ଅବତାର ହୋଇ ବିଶାଳ ମନ୍ଦରାଚଳ ପର୍ବତର ଘର୍ଷଣକୁ ସହି ନେଇଥିଲେ ବିଶ୍ବ କଲ୍ୟାଣ ପାଇଁ। ଗହୀରମଥା ଇତିହାସର ପୃଷ୍ଠାକୁ ଯଦି ଓଲଟାଯାଏ, ତେବେ ଆମେରିକାର ୱାସିଂଟନ ଡି.ସି. ସହରଠାରେ ୧୯୭୫ ମସିହାରେ ବସିଥିବା ବିଶ୍ବସ୍ତରୀୟ ପ୍ରାଣୀଜଗତ ସମ୍ମିଳନୀରେ ଅବଲୁପ୍ତ ତାଲିକାରେ ଥିବା ବିଶ୍ବର ଏକମାତ୍ର ସ୍ଥାନ ପ୍ରକୃତିର ଗନ୍ତାଘର ଭିତରକନିକାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ବିସ୍ତାର କରିବାପାଇଁ ନିଷ୍ପତ୍ତି ନିଆଯାଇ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡଃ.ଏଚ.ଆର.ବଷ୍ଟାର୍ଡଙ୍କୁ ଦାୟିତ୍ବ ଦିଆଯାଇଥିଲା। ଡଃ.ବଷ୍ଟାର୍ଡ ଦୁର୍ଗମ ଘଞ୍ଚ ଅରଣ୍ୟରେ ପରିପୂର୍ଣ୍ଣ ଭିତରକନିକାରେ ଏଇ ଶୀତଦିନେ ପାଦ ରଖି ବିଶ୍ବର ସର୍ବପ୍ରଥମ କୃତ୍ରିମ କୁମ୍ଭୀର ପ୍ରଜନନ କେନ୍ଦ୍ର ସ୍ଥାପନ କରି ନଦୀକୂଳରୁ କୁମ୍ଭୀର ଦେଇଥିବା ବସାରୁ ଅଣ୍ଡା ସଂଗ୍ରହ କରି କୃତ୍ରିମ ଉପାୟରେ ପ୍ରଜନନ କରିବା ଆରମ୍ଭ କରିଥିଲେ। ଏହି ସମୟରେ ଡଃ. ବଷ୍ଟାର୍ଡ ଯେତେବେଳେ ବିସ୍ତୀର୍ଣ୍ଣ ଏକକୁଳାନାସି ବେଳାଭୂମି ପରିଦର୍ଶନରେ ଯାଇଥିଲେ ସେତେବେଳେ ଲକ୍ଷଲକ୍ଷ ମା’ କଇଁଛ ସମୂହ ଅଣ୍ଡାଦାନ କରୁଥିବା ଦେଖି ବିସ୍ମିତ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ଗହୀରମଥା ବିଶ୍ବର ସର୍ବଶ୍ରେଷ୍ଠ ଅଲିଭରିଡଲେ କଇଁଛଙ୍କ ତୀର୍ଥସ୍ଥଳୀ ଭାବରେ ଘୋଷଣା କରି ବିଶ୍ବ ଜୀବଜଗତରେ ନୂତନ ଦିଗନ୍ତର ପଥ ଉନ୍ମୋଚନ କରିଥିଲେ। ସେବେଠୁ ଏହି ରହସ୍ୟମୟୀ କଇଁଛର ପ୍ରକୃତ ଠିକଣା ଖୋଜି ପାଇବା ଆଜିର ବିଜ୍ଞାନୀ ମଣିଷ ପାଇଁ ଆହ୍ବାନ ସୃଷ୍ଟି କରିଛି।
ଅଲିଭ ରିଡଲେ ଆମ ସାମୁଦ୍ରିକ ଅତିଥି ସଦୃଶ। ପିତୃଦେେବା ଭବ, ମାତୃଦେେବା ଭବ ଓ ଅତିଥି ଦେେବାଭବ ନ୍ୟାୟରେ ଆସନ୍ତୁ ଆମ ରାଜ୍ୟକୁ ସାରା ଜଗତରେ ପରିଚିତ କରିଥିବା, ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ଆଲେଖ୍ୟ ଲେଖି ସାରିଥିବା ଅଲିଭ ରିଡଲେ କଇଁଛକୁ ସୁରକ୍ଷା ଦେବା ପାଇଁ ପ୍ରତିଟି ସଚେତନଶୀଳ ମଣିଷ ଛୋଟିଆ ସଂକଳ୍ପ ନେବା।
Comments are closed.