ସ୍ବପ୍ନର ସୌଦାଗରମାନେ

ସୁଜାତା ପ୍ରହରାଜ

ନିକଟରେ ସମକାଳୀନ ଦୁଇଟି ଘଟଣା ଦେଶ ଓ ରାଜ୍ୟରେ ଚହଳ ସୃଷ୍ଟି କରିଛି। ଘଟଣାଗୁଡିକୁ ଅନୁଧ୍ୟାନ କଲେ କେବଳ ଛାତ୍ରଛାତ୍ରୀ ଓ ତାଙ୍କ ପିତାମାତାମାନଙ୍କର ସ୍ୱପ୍ନପୂରଣ ପାଇଁ ବ୍ୟାକୁଳତା ଓ ଅସହାୟତା ଅନୁଭୂତ ହୁଏନି ବରଂ ଦେଶର ଅର୍ଥନୈତିକ ଓ ସାମାଜିକ ଅବସ୍ଥାର ଚିତ୍ର ସ୍ପଷ୍ଟ ହୁଏ ଯାହା ସ୍ୱପ୍ନର ସୌଦାଗରମାନଙ୍କୁ ସେମାନଙ୍କର ସାମ୍ରାଜ୍ୟ ବିସ୍ତାର କରିବାକୁ ସାହାଯ୍ୟ କରିଥାଏ। ତା’ ସହିତ ଜଣାପଡ଼େ ବ୍ୟକ୍ତିଚରିତ୍ର ଓ ଆମ ନ୍ୟାୟ ବ୍ୟବସ୍ଥାର ତ୍ରୁଟିବିଚ୍ୟୁତି। ଏସବୁର ଚକ୍ରବ୍ୟୂହ ଫସିଯାଏ ନିରୀହ ଅମୂଲ୍ୟ ଜୀବନ। ତୁଟିଯାଏ ସ୍ୱପ୍ନ, ଛାରଖାର ହୁଏ ଭବିଷ୍ୟତ।

କାନାଡ଼ା ସରକାର ସାତଶହ ଭାରତୀୟ ଶିକ୍ଷାର୍ଥୀଙ୍କୁ ନିଜ ଦେଶରୁ ବିତାଡ଼ିତ କରିଛନ୍ତି । ଶିକ୍ଷା ସମାପ୍ତି ପରେ ସେମାନେ ଯେତେବେଳେ ସେ ଦେଶରେ ନିଯୁକ୍ତି ଓ ସ୍ଥାୟୀବସତି ପାଇଁ ଆବେଦନ କଲେ ସେତେବେଳେ କାନାଡ଼ା ସରକାର ସେମାନଙ୍କୁ ଜଣେଇଦେଲେ ଯେ ସେମାନଙ୍କୁ ମିଳିଥିବା କଲେଜ ନାମଲେଖା ସୂଚନାପତ୍ର ନକଲି ବୋଲି। ଅର୍ଥାତ୍‌ କାନାଡ଼ାର କୌଣସି ମହାବିଦ୍ୟାଳୟ ତରଫରୁ ସେପରି ପତ୍ର ପ୍ରେରଣ ହୋଇ ନ ଥିଲା। ପଞ୍ଜାବର ଜଳନ୍ଧରସ୍ଥିତ ଏଜୁକେସନ୍ ମାଇଗ୍ରେସନ୍ ସର୍ଭିସ୍ ସେଣ୍ଟର ନାମକ ଏକ ସଂସ୍ଥାର ମାଲିକ ବ୍ରଜେଶ ମିଶ୍ର ଛାତ୍ରଛାତ୍ରୀଙ୍କ ଠାରୁ ସେମାନଙ୍କର ସମସ୍ତ କାଗଜପତ୍ର ନେଇ ସେମାନଙ୍କୁ କାନାଡ଼ାସ୍ଥିତ ଏକ ଶିକ୍ଷାଅନୁଷ୍ଠାନର ନକଲି ସୂଚନାପତ୍ର ଦେଇଥିଲେ ଏବଂ ସେହି ସୂଚନାପତ୍ର ଆଧାରରେ ସେମାନଙ୍କୁ ଭିସା ମିଳିଥିଲା। ପ୍ରତି ବିଦ୍ୟାର୍ଥୀ ପଢ଼ାଖର୍ଚ୍ଚ ବାବଦରେ ୧୬-୨୦ ଲକ୍ଷ ଏବଂ ବିମାନଭଡ଼ା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଆଉ ତିନି/ଚାରି ଲକ୍ଷ ଟଙ୍କା ଦେଇଥିଲେ। ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମନରେ କୌଣସି ସନ୍ଦେହ ଆସି ନ ଥିଲା କାରଣ ସଂସ୍ଥା ସରକାରଙ୍କ ଅଧୀନରେ ପଞ୍ଜୀକୃତ ହୋଇଥିଲା। କାନାଡ଼ାରେ ପହଞ୍ଚିବା ପରେ ନିର୍ଦ୍ଦିଷ୍ଟ କଲେଜଗୁଡ଼ିକ ସେମିତି ଡାକରାପତ୍ର ପଠେଇ ନ ଥିବା ଜଣା ପଡ଼ିଥିଲା। ଫଳରେ ବହୁତ ଖର୍ଚ୍ଚ କରି ଯାଇଥିବା ପିଲାମାନେ ଯେଉଁ କଲେଜ୍ ମିଳିଲା ସେଠି ପଢ଼ିଲେ। ଭିସା ସରିଗଲା ପରେ ବିତାଡ଼ିତ ହେଲେ କାରଣ ସେମାନଙ୍କର ଗସ୍ତର ଆଧାର ହିଁ ଠକାମି ଥିଲା । ଘଟଣା ପରେ ଯାହା ସ୍ୱାଭାବିକ ଭାବରେ ହୁଏ ତାହା ହିଁ ହେଲା – ବ୍ରଜେଶ ମିଶ୍ର ସଂସ୍ଥାରେ ତାଲା ପକେଇ ଫେରାର।

ସେହିପରି ରାଜ୍ୟର ବଲାଙ୍ଗିର ଜିଲା ଡାକ ବିଭାଗରେ ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି ହାତେଇବା ଘଟଣାରେ ଊଣେଇଶ ଜଣ ଗିରଫ ହୋଇଛନ୍ତି। ରିଲାଏନ୍ସ୍ ଏଜୁକେସନାଲ୍ କମ୍ପ୍ଲେକ୍ସ୍ ନାମକ କୋଚିଙ୍ଗ୍ ସେଣ୍ଟରରୁ ଲକ୍ଷାଧିକ ଜାଲ୍ ସାର୍ଟିଫିକେଟ୍ ଜବତ କରାଯାଇଛି ଏବଂ ଏହାର ମାଲିକଙ୍କୁ ଗିରଫ କରାଯାଇଛି। ପଚିଶରୁ ଅଧିକ ଚାକିରିଆ ଓ ଆଶାୟୀଙ୍କୁ ପଚରାଉଚରା କରାଯାଇଛି। ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ପ୍ରତି ସାର୍ଟିଫିକେଟର ମୂଲ୍ୟ ଦୁଇ ଲକ୍ଷ ଟଙ୍କା। ନିହାତି ଆବଶ୍ୟକତା ପାଇଁ ଏହାର ମୂଲ୍ୟ ପାଞ୍ଚଲକ୍ଷ ଟଙ୍କା। ରାଜ୍ୟରେ ଜିଲାପାଳ ସାର୍ଟିଫିକେଟ୍ ଦେଇ ଚାକିରୀ ପାଇବା ନୂଆ କଥା ନୁହେଁ । ଶହଶହ ଶିକ୍ଷକ ଏହି ଉପାୟ ଅବଲମ୍ବନ କରି ଚାକିରି ପାଇଛନ୍ତି। ୨୦୨୧ ମସିହାରେ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ଦେଶରେ ଚବିଶ ଜାଲ୍ ବିଶ୍ବବିଦ୍ୟାଳୟ ଅଛି ବୋଲି ଦର୍ଶାଇଛନ୍ତି, ସେଥିରୁ ଓଡ଼ିଶାରେ ଦୁଇଟି ।

ଏପରି ଘଟଣାମାନଙ୍କର ଅନ୍ତ ନାହିଁ। ଶହଶହ ଘଟଣା ଘଟୁଛି। ଏହା କେବଳ ପିଲାମାନଙ୍କର ଭବିଷ୍ୟତ ସହିତ ଖେଳ ନୁହେଁ। ଏହା ଦେଶର ଭାବମୂର୍ତ୍ତିରେ କଳଙ୍କ ଲଗାଇବା ସହିତ ଦେଶର ସମ୍ବଳହାନିର କାରଣ । ଦେଶର ଶିକ୍ଷା ଅନୁଷ୍ଠାନରେ ପଢ଼ିଥିଲେ ସେହି ଟଙ୍କା ଦେଶ ଭିତରେ ରହିଥାଆନ୍ତା। ଏହି ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ସଂଖ୍ୟକ ପିଲାଙ୍କର ଜାଲ୍ ଡାକରାପତ୍ର ଥିବା ସତ୍ତ୍ବେ କାନାଡ଼ା ଦୂତାବାସ ସେମାନଙ୍କୁ କିପରି ଭିସା ଦେଲେ। ଏହା କ’ଣ ସର୍ବନିମ୍ନ ସୁରକ୍ଷାର ନିୟମଭଙ୍ଗକୁ ଅଙ୍ଗୁଳି ନି​‌େ​‌ର୍ଦଶ କରୁନି ? ଏତଦ୍ ବ୍ୟତୀତ ରହିଛି ଏହି ସବୁ ଘଟଣା ଦ୍ବାରା ଅନ୍ୟ ମେଧାବୀ ପ୍ରାର୍ଥୀ ସେମାନଙ୍କର ନ୍ୟାଯ୍ୟ ଅଧିକାରରୁ ବଞ୍ଚିତ ରହୁଛନ୍ତି।

ଭାରତ ସରକାରଙ୍କ ବହିର୍ବ୍ୟାପାର ମନ୍ତ୍ରଣାଳୟ ନିକଟରେ ରାଜ୍ୟସଭାକୁ ଦେଇଥିବା ସୂଚନା ଅନୁସାରେ ଭାରତୀୟ ବିଦ୍ୟାର୍ଥୀ ପ୍ରାୟ ୨୪୦ ଦେଶକୁ ଉଚ୍ଚଶିକ୍ଷା ଲାଭ କରିବାକୁ ଯାଆନ୍ତି। ଅର୍ଥାତ୍‌ ସାରା ପୃଥିବୀରେ ଭାରତୀୟ ଛାତ୍ର ପରିଦୃଷ୍ଟ ଯଦିଓ ଆମେରିକା, ଇଂଲଣ୍ଡ, ଅଷ୍ଟ୍ରେଲିଆ, କାନାଡା, ରୁଷ୍ ଓ ଅନ୍ୟ ବଲ୍ଟିକ୍ ସାଗରୀୟ ଦେଶ ସେମାନଙ୍କର ଅଧିକ ପସନ୍ଦ। ଦେଶର ସାମଗ୍ରିକ ବିକାଶ ସତ୍ତ୍ବେ କରୋନାବର୍ଷକୁ ବିଗତ ଦଶବର୍ଷରେ ଏହି ସଂଖ୍ୟାରେ ଦ୍ରୁତ ଓ କ୍ରମାଗତ ବୃଦ୍ଧି ଘଟିଛି । କେବଳ ୨୦୨୨ ମସିହାରେ ୭୫୦୩୬୫ ଭାରତୀୟ ଛାତ୍ର ବିଦେଶ ଯାଇଛନ୍ତି ଯାହା ୨୦୨୧ ମସିହା ଅପେକ୍ଷା ୬୮% ଅଧିକା। ଏହି ସଂଖ୍ୟା ଚୀନ ଠାରୁ ମଧ୍ୟ ଅଧିକା। ପୃଥିବୀରେ ସବୁ ଦେଶ ଅପେକ୍ଷା ଭାରତୀୟ ଓ ଚୀନୀ ଛାତ୍ର ଅଧିକ ବିଦେଶକୁ ଯାଆନ୍ତି; କିନ୍ତୁ ଦୁଇ ଦେଶ ମଧ୍ୟରେ ପ୍ରଭେଦ ହେଲା ଚୀନୀ ଛାତ୍ର ନିଜ ଦେଶକୁ ଫେରି ଦେଶର ବିକାଶରେ ବିଦେଶଲବ୍ଧ ଜ୍ଞାନ କୌଶଳ ପ୍ରୟୋଗ କରୁଥିବା ବେଳେ ଭାରତୀୟ ଛାତ୍ର ବିଦେଶରେ ସ୍ଥାୟୀ ଭାବରେ ବସବାସ କରିବାକୁ ପସନ୍ଦ କରନ୍ତି । ଚାକଚକ୍ୟଭରା ଜୀବନ, ଉଚ୍ଚ ବେତନ ଓ ସାମାଜିକ ପ୍ରତିଷ୍ଠା ଆଗରେ ଦେଶର ମମତା ଓ ଦେଶ ପ୍ରତି କର୍ତ୍ତବ୍ୟ ଗୌଣ ହୋଇଯାଏ। ଏହା ହିଁ ଆଧାରଶିଳା ଶିକ୍ଷାଦଲାଲମାନଙ୍କର।

ଶିଶୁଟିଏର ଜନ୍ମ ସମୟରୁ ପିତାମାତା ସ୍ୱପ୍ନ ଦେଖନ୍ତି ପିଲାଟି ବଡ଼ ହୋଇ ଭଲ ପଢ଼ିବ, ଭଲ ନିଯୁକ୍ତି ପାଇ ତା’ ଜୀବନପଥରେ ନିଜେ ସଂସାର ଗଢ଼ି ଚାଲିବ, ସମାଜରେ ପ୍ରତିଷ୍ଠା ଲାଭ କରିବ। କୌଣସି ପିତାମାତା ତାଙ୍କର ସନ୍ତାନ ବୃଦ୍ଧାବସ୍ଥାରେ ତାଙ୍କ ପାଖରେ ରହିବେ, ତାଙ୍କୁ ରୋଜଗାରର କିଛି ଅଂଶ ଦେବେ; ସନ୍ତାନମାନେ ବଡ଼ ହୋଇ ଯିବା ପରେ ସେ ପିତାମାତାଙ୍କ ଠାରୁ ସେ ସ୍ୱପ୍ନର ଧାରା ପ୍ରବାହିତ ହୋଇଯାଏ ସନ୍ତାନମାନଙ୍କ ପାଖକୁ। ଯୁଗ ସହିତ ତାଳ ଦେଇ ପରିବେଶ, ପରିସ୍ଥିତି, ଦୃଷ୍ଟିକୋଣ, ସାଧନ ବିସ୍ତାରିତ ଓ ବିକଶିତ ହୋଇଥିଲେ ମଧ୍ୟ ଯାହା ବଦଳିନି ତାହା ହେଉଛି ସେ ସ୍ୱପ୍ନ। ଏହି ସ୍ୱପ୍ନ ହିଁ ସେମାନଙ୍କୁ ଅସହାୟ କରି ଦେଇଥାଏ। ଏହି ସ୍ୱପ୍ନ ହିଁ ସୃଷ୍ଟି କରିଥାଏ ଅଗଣିତ ସୌଦାଗରମାନଙ୍କୁ। ଖୁବ୍ ସହଜରେ ସ୍ୱପ୍ନର ସୌଦାଗରମାନଙ୍କ ଦ୍ବାରା ସ୍ୱପ୍ନବିଭୋରତା କବଳିତ ହୋଇଯାଏ। ବିଶେଷ କରି ଶିକ୍ଷାକ୍ଷେତ୍ରରେ ଏମାନେ ସକ୍ରିୟ । ପ୍ରଥମ ଶ୍ରେଣୀରୁ ଉଚ୍ଚତର ଶିକ୍ଷା ପର୍ଯ୍ୟନ୍ତ, ସବୁ ଏମାନଙ୍କ କବଳରେ, ସବୁ ବେପାର। ଶିକ୍ଷା ସହିତ ତା’ର ଆନୁଷଙ୍ଗିକ ଦିଗ ପର୍ଯ୍ୟନ୍ତ ସେମାନଙ୍କର ବାଣିଜ୍ୟର ସୀମା ପରିବ୍ୟାପ୍ତ ।

ପିଲାମାନଙ୍କୁ ଡାକ୍ତର ଇଞ୍ଜିନିଅର କରିବା ନିଶା ପିତାମାତାଙ୍କୁ ଏମିତି ଘାରିଛି ଯେ ପିଲାମାନେ ସେଥିପାଇଁ ବୌଦ୍ଧିକ ସ୍ତରରେ ଯୋଗ୍ୟ ଓ ମାନସିକସ୍ତରରେ ପ୍ରସ୍ତୁତ କି ନୁହେଁ ସେମାନେ ବୁଝିବା ଅବସ୍ଥାରେ ରହୁନାହାନ୍ତି। ଶୈଶବରୁ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଉଛନ୍ତି। ପିଲାର ଶିଶୁସୁଲଭତା,ପରିବେଶ ସହିତ ଖାପଖୁଆଇ ଚାଲିବା,ସମାଜରେ ସମସ୍ତଙ୍କ ସହିତ ମିଶିବା ଏବଂ ସ୍ନେହ, ଶ୍ରଦ୍ଧା, ଦୟା, କରୁଣା, ସହାନୁଭୂତି,ସମବେଦନା ଓ ସମ୍ବେଦନଶୀଳତା ପରି ମାନବିକ ଗୁଣଗୁଡିକ ଗୌଣ ହୋଇ ଯାଉଛନ୍ତି । ସାମାଜିକ ପ୍ରତିଷ୍ଠା ଓ ଧନଅର୍ଜନ ମୁଖ୍ୟ ଅଭିଳାଷ ହୋଇଯାଉଛି ଯାହା ପରବର୍ତ୍ତୀ କାଳରେ ପାରିବାରିକ ଓ ସାମାଜିକ ବିଭ୍ରାଟର ରୂପ ନେଉଛି । କହିବା ବାହୁଲ୍ୟ ଏହାର ପ୍ରଭାବ ସୁଦୂରପ୍ରସାରୀ । ସଂପର୍କ ଓ ମୂଲ୍ୟବୋଧକୁ ସର୍ବୋଚ୍ଚ ସ୍ଥାନ ଦେଇଆସୁଥିବା ଭାରତୀୟ ପରିବାର ଓ ସମାଜ ଧୀରେଧୀରେ ଏହାର ପ୍ରଭାବରେ ଅନ୍ତଃସାରଶୂନ୍ୟ ହୋଇ ଆସୁଛି; କିନ୍ତୁ ଏହା ଖୋରାକ ଯୋଗାଇଛି ଶିକ୍ଷାର ସୌଦାଗରମାନଙ୍କୁ।

ନିଜର ଓ ନିଜ ସନ୍ତାନମାନଙ୍କର ସ୍ୱପ୍ନପୂରଣ ପାଇଁ ଅଧିକାଂଶ ପିତାମାତା ନିଜର କଷ୍ଟଅର୍ଜିତ ଧନ ତ୍ୟାଗ କରିଦେବାକୁ ପଛେଇ ନ ଥାଆନ୍ତି । ପ୍ରଥମ ଶ୍ରେଣୀରୁ ପ୍ରତିଯୋଗିତାମୂଳକ ପରୀକ୍ଷା ଓ ତା’ର ପ୍ରସ୍ତୁତି ପାଇଁ କୋଚିଙ୍ଗ୍ । ଶୈଶବ ଅପହୃତ। ପ୍ରକୃତ ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ବିଡ଼ମ୍ବିତ। କୋମଳମତି ଶିଶୁର ବିକାଶ କେବଳ ଟପ୍ପର ହେବାରେ ସୀମିତ, ତା’ ଜୀବନର ସଫଳତା ଡାକ୍ତର, ଇଞ୍ଜିନିଅର ଓ ଅନ୍ୟ ଉଚ୍ଚବେତନର ଚାକିରି ପାଇବାରେ ପ୍ରତିଫଳିତ। ଏହି ମାନସିକତାର ସୁଯୋଗ ନେଇ ଦେଶରେ ଗଢ଼ିଉଠିଛି ଲକ୍ଷଲକ୍ଷ କୋଚିଙ୍ଗ୍ ସେଣ୍ଟର୍ । ‘କୋଚିଙ୍ଗ୍ ହବ୍’ ନାମରେ ପରିଚିତ ଭାରତର ଏକ ନିର୍ଦ୍ଦିଷ୍ଟ ସହରରେ ଦୁଇ ତିନି ବର୍ଷ ତଳେ ଜାତୀୟସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଗୋଟିଏ କୋଚିଙ୍ଗ୍ ସେଣ୍ଟରର ଅନେକ ନିରୀହ ଛାତ୍ର ଆତ୍ମହତ୍ୟା କଲେ। କୌମାରାବସ୍ଥା ଏକ ଅବସ୍ଥାନ୍ତର ସମୟ ଯେଉଁ ସମୟରେ ଏକ ସରଳପ୍ରାଣ ସଂପର୍କ ଓ ସାମାଜର ଜଟିଳ ପରିବେଶରେ ପ୍ରବେଶ କରୁଥାଏ। ସେତେବେଳେ ପିତାମାତାଙ୍କୁ ଛାଡ଼ି ବାହାରେ ଏକୁଟିଆ ରହିବା କଷ୍ଟକର ହୋଇଥାଏ । ତା’ ଉପରେ ପ୍ରତିଯୋଗିତାର ଅତ୍ୟନ୍ତ ନିର୍ଦୟ ବାତାବରଣ। ସାମାନ୍ୟ ବିଫଳତାରେ କୋମଳ ମନ ମ୍ରିୟମାଣ ହୋଇଯିବା ସ୍ୱାଭାବିକ ଯାହା ରୂପାନ୍ତରିତ ହୁଏ ଆତ୍ମହତ୍ୟାରେ; କିନ୍ତୁ ଏସବୁର ପ୍ରଭାବ ପଡ଼େନି କୋଚିଙ୍ଗ୍ ସେଣ୍ଟରମାନଙ୍କ ଉପରେ। ଲକ୍ଷଲକ୍ଷ ଟଙ୍କା ଅଭିଭାବକଙ୍କ ଉପରେ ଲଦି ଦେଶ ଭିତରେ ଓ ବାହାରେ ନିଜର ବ୍ୟବସାୟ ସଂପ୍ରସାରଣ କରିବା ଏମାନଙ୍କର ଲକ୍ଷ୍ୟ।ସେହି ଅବସ୍ଥା ନକଲି (ଡମି)ବିଦ୍ୟାଳୟମାନଙ୍କ କ୍ଷେତ୍ରରେ।

ତା’ହେଲେ ଏସବୁ ରୋକିବାର ଉପାୟ କ’ଣ ? ଭାରତ ପରି ଦେଶରେ ଶିକ୍ଷାକୁ ଯଦି କେବଳ ଶିକ୍ଷାଲାଭ ବା ବୌଦ୍ଧିକବିକାଶର ମାଧ୍ୟମ ବୋଲି କୁହାଯାଏ ତାହା ନିଶ୍ଚିତଭାବରେ ଆତ୍ମପ୍ରବଞ୍ଚନା ହେବ। ଶିକ୍ଷା ବୌଦ୍ଧି କବିକାଶର କାରକ ହେବା ସହିତ ନିଯୁକ୍ତି ବା ରୋଜଗାରର ପାଥେୟ ହେବା ଆବଶ୍ୟକ । କେତେଜଣ ପିତାମାତା ନିଜର ମେଧାବୀ ଉଚ୍ଚଶିକ୍ଷିତ ସନ୍ତାନକୁ ବେକାର ହୋଇ ଘରେ ବସିବା ଦେଖିପାରିବେ ? ନିଯୁକ୍ତି ଆବଶ୍ୟକ- ତାହା ସରକାରୀ, ବେସରକାରୀ ବା ଆତ୍ମସୃଷ୍ଟ ହେଉ। ଏକ ବିରାଟ ଜନସଂଖ୍ୟାବିଶିଷ୍ଟ ବିକାଶଶୀଳ ଦେଶ ଭାରତ। ଏଠାରେ ସରକାରୀ ନିଯୁକ୍ତି ସୁଯୋଗ ଖୁବ୍ କମ୍ ଏବଂ ତାହା ଦିନକୁ ଦିନ ସଂକୁଚିତ ହେଉଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍,ବ୍ଲକ୍ ଚେନ୍, ରୋବୋଟିକ୍ସ୍, ଡେଟା ଆନାଲିଟିକ୍ସ୍, ଥ୍ରୀଡି ପ୍ରିଣ୍ଟିଙ୍ଗ୍,ଡ୍ରୋନ୍, କୋଡିଂ ପରି ନବଯୁଗୀୟ ପାଠ୍ୟକ୍ରମର ଆଗମନକୁ ଦେଶ ପ୍ରତିହତ କରିପାରିବ ନାହିଁ। ସମଗ୍ର ବିଶ୍ବ ଯେତେବେଳେ ବୈଷୟିକ ଜ୍ଞାନକୌଶଳର କ୍ରାନ୍ତିଧାରାରେ ସମ୍ମିଳିତ, ଦ୍ରୁତ ବିକାଶ ଓ ଅଭିବୃଦ୍ଧି ପାଇଁ ଭାରତକୁ ସେ ଧାରାରେ ପ୍ରବାହିତ ହେବାକୁ ପଡ଼ିବ। ତାହା ହେଲେ ଯନ୍ତ୍ର ମଣିଷର ଜାଗା ନେବ, ନିଯୁକ୍ତି ସୁଯୋଗ ଆହୁରି ହ୍ରାସ ପାଇବ । ତେଣୁ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଖରେ ଏକମାତ୍ର ପନ୍ଥା ନିଜେ ନିଜର ନିଯୁକ୍ତିଦାତା ହେବା : ଆତ୍ମନିଯୁକ୍ତି।

ଦେଶରେ ଆତ୍ମନିଯୁକ୍ତି ସୃଷ୍ଟି ପାଇଁ ଜ୍ଞାନକୌଶଳର ବିକାଶ ସହିତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଅର୍ଥନୀତିର ସମସ୍ତ କ୍ଷେତ୍ରରେ ପୁଞ୍ଜି ଓ କୌଶଳର ଅଧିକରୁ ଅଧିକ ପ୍ରୟୋଗ ହେଉଛି। ଏହାର ସାହାଯ୍ୟ ଓ ସୁଯୋଗ ନିଆଯିବା ଉଚିତ। ତା’ ସହିତ ସରକାର ପ୍ରତିଭା ପଳାୟନ (ବ୍ରେନ୍ ଡ୍ରେନ୍)କୁ ରୋକିବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକର ଗୁଣାତ୍ମକ ମାନ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ନୂତନ ଅନୁଷ୍ଠାନର ପ୍ରତିଷ୍ଠା ସହିତ କାର୍ଯ୍ୟକ୍ଷମ ଅନୁଷ୍ଠାନଗୁଡ଼ିକରେ ପ୍ରାଥମିକ ସ୍ତରରୁ ବିଶ୍ବସ୍ତରୀୟ ଶିକ୍ଷାର ପ୍ରଚଳନ ଓ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣା ଓ ବିକାଶ କ୍ଷେତ୍ରରେ ଅଧିକ ଆର୍ଥିକ ସହାୟତା ପ୍ରଦାନ କରି ସର୍ବନିମ୍ନ ସରକାରୀ ହସ୍ତକ୍ଷେପ ଦ୍ବାରା ଏହା ସମ୍ଭବ। ଭାରତୀୟ କୃଷିକ୍ଷେତ୍ରରେ ସବୁଠାରୁ ଅଧିକ ଲୋକ କାମ କରନ୍ତି; କିନ୍ତୁ ସେଠାରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ନଗଣ୍ୟ। ତେଣୁ ସରକାର ଏସବୁ ବାବଦରେ ପଦକ୍ଷେପ ଗ୍ରହଣ କରି ଭାରତୀୟ ଛାତ୍ରଙ୍କ ପାଇଁ ନିଜ ଦେଶରେ ସୁଯୋଗ ସୃଷ୍ଟି କରିବା ଆବଶ୍ୟକ । ତା’ହେଲେ ଯାଇ ଭାରତୀୟମାନେ ଭାରତରେ ପଢ଼ିବେ ଏବଂ ଦେଶର ବିକାଶ ଓ ପ୍ରଗତିର କର୍ଣ୍ଣଧାର ହୋଇପାରିବେ। ସେମାନଙ୍କର ସ୍ୱପ୍ନ ପୂରଣ ହେବ ଏବଂ ସୌଦାଗରମାନଙ୍କର ବଣିଜ ବନ୍ଦ ହେବ।

Comments are closed.