ମାଙ୍କଡ଼ ହାତେ ଶାଳଗ୍ରାମ

ଉପେନ୍ଦ୍ର ବିଶ୍ବାଳ

‘ଲୋକଙ୍କୁ କାଳର କରାଳ ଗର୍ଭକୁ ଠେଲିଦେଇ, ମରଣ ବିନିମୟରେ ଅମାପ ଅର୍ଥ ଅର୍ଜନକରି ଧନ-ସମ୍ପତ୍ତିର ସମ୍ରାଟ ବନିଥିବା ମତଲବଖୋର ମଣିଷ ଆଲଫ୍ରେଡ଼ ନୋବେଲ, ଶେଷରେ ନିଜେ ମରଣ ମୁହଁରେ ….।’ ‘ମୃତ୍ୟୁର ସୌଦାଗରଙ୍କର ଅକାଳ ମୃତ୍ୟୁ’ ଶୀର୍ଷକରେ ପ୍ରସିଦ୍ଧ ଏକ ଫରାସୀ କାଗଜରେ ଏହିପରି ବର୍ଣ୍ଣିତ ଖବରଟି ବିଚଳିତ କରିଦେଲା ପ୍ରସିଦ୍ଧ ବୈଜ୍ଞାନିକ ଆଲଫ୍ରେଡ଼ ନୋବେଲଙ୍କୁ ସେଦିନ। ଫ୍ରାନ୍ସର ବହୁପ୍ରସାରିତ ସମ୍ବାଦପତ୍ରଟି ବାସ୍ତବରେ ତାଙ୍କ ବଡ଼ଭାଇଙ୍କ ଅକାଳ ବିୟୋଗ ଜନିତ ଘଟଣାକୁ ଭୁଲବଶତଃ ଆଲଫ୍ରେଡ଼ଙ୍କ ମୃତ୍ୟୁ ହୋଇଥିବାର ଖବର ଛାପିଦେଇଥିଲା। ସମ୍ବାଦପତ୍ରଟିର ନିନ୍ଦାସୂଚକ ଖବରଟି ହିଁ ନୋବେଲଙ୍କୁ ସୂଚିତ କରିଥିଲା, ସାଧାରଣରେ ତାଙ୍କ ପ୍ରତି ଥିବା ଧାରଣାକୁ; ଯାହାକି ବିଦୀର୍ଣ୍ଣ କରିଥିଲା ତାଙ୍କ ହୃଦୟକୁ। ଅନୁସନ୍ଧିତ୍ସୁ ମନରେ ଲୋକକଲ୍ୟାଣ ପାଇଁ ସେ ଅବଶ୍ୟ ଉଦ୍ଭାବନ କରିଥିଲେ ବିସ୍ଫୋରକ ସାମଗ୍ରୀ ‘ଡିନାମାଇଟ’, ଯଦ୍ଦ୍ବାରା କେଉଁଠି ପାହାଡ଼ ଫଟେଇ ରାସ୍ତାଟିଏ ତିଆରି ହେଇପାରିବ ତ ଆଉ କେଉଁଠି ରେଳଲାଇନ ବିଛାହେବା ପାଇଁ ଟନେଲଟିଏ ଅବା ଆଉ କେଉଁଠି ଭୂମି ବିଦାରି ଖଣିରୁ ଉତ୍ତୋଳନ ହେବ ଖଣିଜ ପଦାର୍ଥମାନ; କିନ୍ତୁ ମାନବ ସମାଜ ଯେ ସେହି ବିସ୍ଫୋରକ ସାମଗ୍ରୀକୁ ହିଂସା ବା ଯୁଦ୍ଧକ୍ଷେତ୍ରରେ ପ୍ରୟୋଗକରି ଧ୍ବଂସର ବିଭୀଷିକା ରଚିବ ଏବଂ ସେଥିପାଇଁ ଉଦ୍ଭାବକଙ୍କୁ ଯେ ଦାୟୀ କରାଯିବ, ଏ କଥା ଥିଲା ତାଙ୍କ କଳ୍ପନାର ବାହାରେ। ବିଜ୍ଞାନୀଟିଏ ସର୍ବଦା ସମାଜର ହିତ ଚିନ୍ତକ। ସଦା ସେ ମଙ୍ଗଳମନସ୍କ। ଲୋକକଲ୍ୟାଣ ହିଁ ତା ସାଧନାର ସାର; କିନ୍ତୁ ବିଜ୍ଞାନର ଏମିତି ଦୁରୁପଯୋଗ ଓ ବାଟବଣା ହେବାଟାକୁ ସହଜେ ସେ ଗ୍ରହଣ କରିପାରିନଥିଲେ। ବିଜ୍ଞାନର ବରଦାନକୁ ସଦୁପଯୋଗ ନକରି କେତେକ ବ୍ୟକ୍ତି ମାଙ୍କଡ଼ ପରି ତା’ର ଦୁରୁପଯୋଗ କରୁଥିବାରୁ ମାନସିକସ୍ତରରେ ଖୁବ କ୍ଷତାକ୍ତ ହୋଇଥିଲେ ସେ।

ଆଲଫ୍ରେଡ଼ ନୋବେଲଙ୍କ ପରି, ଗଭୀର ବିଷାଦଗ୍ରସ୍ତ ଆଜି ‘ମୋବାଇଲ ମଣିଷ’, ମାର୍ଟିନ କୂପର। ମୋବାଇଲର ଏହି ଉଦ୍ଭାବକ ଗଭୀର ମାତ୍ରାରେ ମ୍ରିୟମାଣ ଆଜି ମୋବାଇଲ-ମାରଣାସ୍ତ୍ରରେ ଶିକାର ହେଉଥିବା ଆଧୁନିକ ମଣିଷମାନଙ୍କୁ ଦେଖି। ଅନେକ ଆଶା-ଆକାଂକ୍ଷା, ଉତ୍ସାହ-ଉତ୍କଣ୍ଠାର ସହିତ ଯେଉଁ ବିରଳ ଯନ୍ତ୍ରଟିକୁ ସେ ଉଦ୍ଭାବନ କରିଥିଲେ, ଏହା ଯେ ଦିନେ ଅସଦ୍‌ବ୍ୟବହାର ଯୋଗୁଁ ଅନେକ ଅଶାନ୍ତି, ଅମଙ୍ଗଳର କାରଣ ସାଜିବ, ତାହା ବି ଥିଲା ତାଙ୍କର କଳ୍ପନାର ବାହାରେ। ନିଜ ଆଖିସାମ୍ନାରେ ସେ ଦେଖୁଛନ୍ତି, ଦେଶ-ଦୁନିଆର ଦୁଃସ୍ଥିତି ଓ ଦୁର୍ଗତିକୁ। ପରକୀୟା ପ୍ରୀତି ଯୋଗୁଁ କେଉଁଠି ଘର-ସଂସାର ଉଜୁଡି ଗଲାଣି ତ ଆଉ କେଉଁଠି ତଜ୍ଜନିତ ହିଂସା ଓ ହତ୍ୟାକାଣ୍ଡ ସଂଘଟିତ ହେଲାଣି। ଭାରତବର୍ଷ ଭଳି ସଂସ୍କୃତି ସମ୍ପନ୍ନ ଦେଶରେ ମୋବାଇଲ ସାହାରାରେ କେଉଁଠି ୧୨/୧୩ ବର୍ଷର କନ୍ୟାଟିଏ ପ୍ରେମ ଜାଲରେ ଫସି କୁଆଁରୀ-ମାଆ ହେଲାଣି ତ ଆଉ କେଉଁଠି ପ୍ରେମରେ ଧୋକା ଖାଇ, ଦୁର୍ବଳ ମୁହୂର୍ତ୍ତର ଫଟୋ, ଅଡିଓ, ଭିିଡିଓ ପ୍ରଘଟ ହେବାଯୋଗୁଁ ଲୋକଲଜ୍ଜା ଭୟରେ ମେଧାବୀ ଝିଅଟିଏ ଆତ୍ମହତ୍ୟାକୁ ଆଦରି ନେଲାଣି। କେଉଁଠି ବେଦୀ ଉପରୁ କନ୍ୟା ଫେରାର ହେଲାଣି ତ ଆଉ କେଉଁଠି ସ୍ୱାମୀ ଓ ଛୁଆଙ୍କୁ ଛାଡି ନୂଆ ପ୍ରେମିକ ସହିତ ମହିଳାଟି ଫେରାର ହେଲାଣି। କେଉଁଠି ୨୦ବର୍ଷୀୟା କଲେଜ ଛାତ୍ରୀଟି ଗଭୀର ରାତ୍ରିରେ ଭିଡିଓ ବାର୍ତ୍ତାଳାପ କରୁକରୁ ୫୦ବର୍ଷୀୟ ଅଧ୍ୟାପକ ସହିତ ଚମ୍ପଟ ମାରିଲାଣି ତ ଆଉ କେଉଁଠି ୪୦ବର୍ଷୀୟା ମହିଳାଟି ପୁଅ ସମ ୨୦ବର୍ଷୀୟ ଯୁବକ ପ୍ରେମରେ ପାଗଳୀ ହୋଇ ସ୍ୱାମୀ-ସଂସାର ବି ଛାଡିଦେଲାଣି। ଚୋରି, ଡକାୟତି, ରାହାଜନିଠୁ ଆରମ୍ଭ କରି ହତ୍ୟା ଓ ଲୁଟପାଟ ଆଦି ଯାବତୀୟ ସୈତାନୀ କାଣ୍ଡର ସୂତ୍ରଧର, ଅରାଜକତାର ଅସଲ ଅବଲମ୍ବନ ହେଉଛି ଏହି ମୋବାଇଲ। ପୁଣି ମୋବାଇଲ ଭିତରେ ପଶି, ପେଷିହୋଇ ଅନେକ କିଶୋର-କିଶୋରୀ, ତରୁଣ-ତରୁଣୀ ନିଜର ସୁନ୍ଦର ଭବିଷ୍ୟତକୁ ବିପନ୍ନ କରିବାରେ ଲାଗିଛନ୍ତି। ଦୁନିଆକୁ ଯୋଡିବା ବଦଳରେ ଏହି ମୋବାଇଲଟି ଏତାଦୃଶଭାବେ ଦୁନିଆକୁ ଭାଙ୍ଗିବାରେ ଉପଯୋଗ ହେଉଥିବା ଦେଖି ଅତିମାତ୍ରାରେ ସେ ବିଚଳିତ ଆଜି। ସତେଯେମିତି ତାଙ୍କର ସମସ୍ତ ଶ୍ରମ-ସାଧନା ଆଜି ବ୍ୟର୍ଥ ହେବାରେ ଲାଗିଛି। ମୋବାଇଲଟି ମାରଣାସ୍ତ୍ର ସାଜି ଯେଉଁ ହାରରେ ଯୁବସମାଜକୁ ଆକ୍ରମଣ କରିଚାଲିଛି, ଆଗାମୀ ଦୁନିଆ ଆହୁରି ଅଧିକ ସଂକଟର ଗହ୍ୱର ମଧ୍ୟକୁ ଠେଲିହେଉଥିବାର ଦେଖି, ଅତିମାତ୍ରାରେ ସେ ବ୍ୟଥିତ ଓ ବିବ୍ରତ। ଏଇ ନିକଟରେ ଏକ ସାକ୍ଷାତକାରରେ ଅତି ବିନୟର ସହିତ ସେ ନିବେଦନ କରିଛନ୍ତି ସାରାବିଶ୍ୱକୁ, ମୋବାଇଲର ଅପବ୍ୟବହାର ନକରିବାକୁ। ଆବେଗର ସହିତ ଆହ୍ୱାନ କରିଛନ୍ତି, ମୋବାଇଲରେ ଘାଣ୍ଟିହୋଇ ନିିଜନିଜର ମହାର୍ଘ ଜୀବନ ତଥା ସୁନ୍ଦର ଏ ସମାଜକୁ ଆଉ ବରବାଦ ନ କରିବାକୁ। ‘ଜୀବନକୁ ଭଲପାଅ। ଜୀବନକୁ ଖୋଜ ଓ ବୁଝ। ଜୀବନକୁ ଜାଣ ଓ ଜିଣ। ସମୟର ସମାହାରରେ ହିଁ ତ ଜୀବନ ଗଢ଼ା। ସମୟକୁ ନଷ୍ଟ କରିବା ଅର୍ଥ ଜୀବନକୁ କ୍ଷୟ କରିବା। ଅର୍ଥାତ୍‌ ସମୟର ଅଯଥା ଅପଚୟ ହେଉଛି ଏକପ୍ରକାର ଅପମୃତ୍ୟୁ। ମୋବାଇଲ ଯନ୍ତ୍ରଟିରେ ଖେଳିବା-ବୁଲିବା ଅପେକ୍ଷା, ପ୍ରକୃତି କୋଳରେ ଖେଳ। ସମ୍ପର୍କକୁ ଶିଥିଳ ନକରି ତାକୁ ସୁଦୃଢ କର। ସମ୍ବେଦନଶୀଳ ହୁଅ। ମୋଟଉପରେ, ମଣିଷ ପରି ମଣିଷଟିଏ ହୁଅ; କିନ୍ତୁ କଦାପି ଏକ ଯନ୍ତ୍ରମାନବରେ ପରିଣତ ହୁଅନି।’ ଜଣେ ମହିଳା ସାମ୍ବାଦିକଙ୍କ ସହିତ ଏକ ସାକ୍ଷାତ୍‌କାରରେ ଦୁନିଆର ଏହି ବିଶିଷ୍ଟ ବୈଜ୍ଞାନିକ ଜଣକ ଦୈନିକ ସର୍ବମୋଟ ଘଣ୍ଟାଏରୁ କମ ସମୟ ମୋବାଇଲ ବ୍ୟବହାର କରୁଥିବାର ସ୍ପଷ୍ଟ କରିଥିଲେ। ସାମ୍ବାଦିକା ଜଣଙ୍କ ଦୈନିକ ୫ଘଣ୍ଟାରୁ ଉର୍ଦ୍ଧ୍ବ ମୋବାଇଲ ବ୍ୟବହାର କରୁଥିବା ଜାଣି, ୯୩ ବର୍ଷୀୟ ଆମେରିକୀୟ ଯନ୍ତ୍ରୀ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଥିଲେ – ‘କ୍ଷଣଭଙ୍ଗୁର ମହାର୍ଘ ଏହି ମାନବ ଜୀବନର ମାନେ କଣ ଏଇୟା ? ଜୀବନର ମାନେ ହେଉଛି ସମ୍ପନ୍ନତା। ଯେହେତୁ କର୍ମ ହେଉଛି ଜୀବନ, ଏଣୁ ଜୀବନରେ ନିହାତି କିଛି ନା କିଛି କରିବା। ମୋତେ ଯଦି ଜଣେ କେହି ପଚାରେ ଯେ ତୁମ ଜୀବନର ମୁଖ୍ୟକଥା କ’ଣ ବୋଲି, ତେବେ ମୁଁ କହିବି – ପଢିବା ଓ ବଢିବା। ଜାଣିବା ଓ ଜିଣିବା। ମୋ ଜୀବନ ଅଧୁରା, ଅଧ୍ୟୟନ ଓ ଅଧ୍ୟବସାୟ ବିନା।’

ଯେଉଁ ଯୁବ ସମାଜକୁ ନେଇ ଭାରତଭୂମି ଗର୍ବ ଅନୁଭବ କରେ, ସେହି ଯୁବ ସମାଜ ଆଜି ମାଦକ ଓ ମୋବାଇଲ ନିଶାରେ ବିଭୋର। ତଥ୍ୟ କହେ ଯେ ଆମେରିକା ପରି ସାମନ୍ତବାଦୀ ଦେଶର ନାଗରିକମାନେ ଦୈନିକ ହାରାହାରି ୩ଘଣ୍ଟା ବି ମୋବାଇଲ ଫୋନ୍‌ ବ୍ୟବହାର କରୁନଥିବାବେଳେ ଭାରତୀୟମାନେ ୫ଘଣ୍ଟାରୁ ଅଧିକ ବ୍ୟବହାର କରିଥାନ୍ତି। ମୋବାଇଲ ବ୍ୟବହାରୀଙ୍କ ଭିତରେ ଶତକଡା ୮୦ ଭାଗରୁ ଊର୍ଦ୍ଧ୍ବ ହେଉଛନ୍ତି ୧୬ରୁ ୪୦ବର୍ଷ ବୟସର ଯୁବା। ଏକ ଚତୁର୍ଥାଂଶରୁ ଊର୍ଦ୍ଧ୍ବ ଯୁବା ତ ଦୈନିକ ହାରାହାରି ୭ଘଣ୍ଟାରୁ ଅଧିକ କାଳ ମୋବାଇଲ ଭିତରେ ପଶି ରହିଥାନ୍ତି। ଅର୍ଥାତ୍‌ ଦୈନିକ କାର୍ଯ୍ୟ ଅବଧି ୧୫/୧୬ଘଣ୍ଟାର ହେଇଥିଲା ବେଳେ ଆମର ୨୫ଭାଗ ଯୁବା ତାହାର ଅଧାଅଧି ସମୟକୁ ମୋବାଇଲରେ ହିଁ ଅତିବାହିତ କରିଥାନ୍ତି। ଏପରି ପରିସ୍ଥିତିରେ ଭାରତର ଉଳ ଭବିଷ୍ୟତ ସମ୍ଭବ କି? ଆମ ଯୁବାବର୍ଗ ଜାଣି ରଖିବା ଉଚିତ ଯେ – Mobile is a good servant but bad master. ଅର୍ଥାତ୍‌ ସଂଯମପୂର୍ବକ ମୋବାଇଲଟିକୁ ଆମେ ନିୟନ୍ତ୍ରଣରେ ରଖିଲେ ସେ ଆମର ଖୁବ ସେବା କରିଥାଏ; ମାତ୍ର ସେ ଯଦି ମୁନିବ ସାଜି ଆମକୁ ନିୟନ୍ତ୍ରଣ କଲା, ତେବେ ଆମର ସର୍ବନାଶ ହେଲା ବୋଲି ବୁଝିବାକୁ ପଡ଼ିବ। ଚେନ୍ନଇର ଜଣେ କୁଲି ମୋବାଇଲର ଯଥାର୍ଥ ଉପଯୋଗ କରି ଆଇଏଏସ ପାଇଲାପରି, ମୋବାଇଲର ସଦୁପଯୋଗ କଲେ ସେ ଆମର ପ୍ରଭୂତ ଉନ୍ନତି ସାଧନ କରିଥାଏ। ମାତ୍ର ଦୁରୁପଯୋଗ କଲେ ଆମର ଭୟଙ୍କର କ୍ଷତି ସାଧନ କରେ। ଏଣୁ ବହୁ ଉପକାରୀ ଏହି ଯନ୍ତ୍ରଟିର ଯଥାର୍ଥ ଉପଯୋଗ ନକରି ମାଙ୍କଡ଼ଙ୍କ ପରି ଦୁରୁପଯୋଗ କଲେ ସତ୍ୟାନାଶ ହେବ ହିଁ ହେବ।

Comments are closed.