କ୍ଷୁଧିତ ବିଶ୍ବ ପାଇଁ କୃଷି ଆହ୍ବାନ

ଜାନକୀଶ ବଡ଼ପଣ୍ଡା

ଆଜି ବି ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି ରୁଷ । ୟୁକ୍ରେନବାସୀ ଦେଶ ଛାଡିଛନ୍ତି, ମୃତାହତ ବି ହେଉଛନ୍ତି । କୋଭିଡ ପରବର୍ତ୍ତୀ ବିଶ୍ୱରେ ଜଗତୀକରଣ ଅନ୍ତର୍ଭୁକ୍ତ କୃଷି-ବ୍ୟବସ୍ଥା ଗୁରୁତର ପ୍ରଭାବିତ ହୋଇଛି । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ସୂଚନା ମୁତାବକ ବିଶ୍ୱ-ଖାଦ୍ୟ ବଜାର ଏବେ ସଙ୍କଟରେ । ଆମେ ଜାଣିଛେ ଯେ ପ୍ରାୟତଃ ଗରିବ ଦେଶଗୁଡିକ ଆମଦାନୀକାରୀ ଏବଂ ଉଚ୍ଚ ଆୟକାରୀ ଦେଶଗୁଡିକ ରପ୍ତାନିକାରୀ । ଉନ୍ନତ ଦେଶଗୁଡିକ ଖାଦ୍ୟ ବାବଦକୁ ନିଜ ଆୟର ମାତ୍ର ୧୭ ପ୍ରତିଶତ ଖର୍ଚ୍ଚ କଲାବେଳେ ଗରିବ ରାଷ୍ଟ୍ରମାନେ ୪୦ ପ୍ରତିଶତ ଖର୍ଚ୍ଚ କରନ୍ତି। ଫଳସ୍ୱରୂପ, କୃଷି-ବ୍ୟବସ୍ଥାରେ ସାମାନ୍ୟ ବିଘ୍ନ ଘଟିଲେ, ଗରିବ ଦେଶମାନଙ୍କରେ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଥାଏ, ଯାହା ବର୍ତ୍ତମାନ ଘଟି ଚାଲିଛି।

କୃଷ୍ଣସାଗର ଅଞ୍ଚଳ କହିଲେ ରୁଷ, ୟୁକ୍ରେନ ଓ କାଜାଖସ୍ତାନକୁ ବୁଝାଏ, ଯାହା ବିଶ୍ୱର ଛଅଗୋଟି ଶସ୍ୟଭଣ୍ଡାର ମଧ୍ୟରେ ଅନ୍ୟତମ। ରୁଷ ବିଶ୍ୱର ସର୍ବବୃହତ୍‌ ଗହମ ରପ୍ତାନିକାରୀ ଦେଶ ହୋଇଥିବାବେଳେ ୟୁକ୍ରେନ ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛି। ଏହି ଦୁଇ ଦେଶ ସମଗ୍ର ଗହମ ରପ୍ତାନିର ୨୯ ପ୍ରତିଶତ, ମକା ରପ୍ତାନିର ୧୯ ପ୍ରତିଶତ ଏବଂ ସୂର୍ଯ୍ୟମୁଖୀ ତେଲ ରପ୍ତାନିର ୭୮ ପ୍ରତିଶତ ନିୟନ୍ତ୍ରଣ କରନ୍ତି । ରୁଷ ମଧ୍ୟ ଯବକ୍ଷାରଜାନ ସାରରେ ପ୍ରଥମ, ପୋଟାସିୟମ୍ ସାରରେ ଦ୍ବିତୀୟ ଓ ଫସଫରସ୍ ସାରରେ ତୃତୀୟ ବୃହତ୍ତମ ରପ୍ତାନିକାରୀ । ପ୍ରାୟ ୫୦ ଟି ଦେଶ ଖାଦ୍ୟ ଆମଦାନୀ ପାଇଁ ରୁଷ-ୟୁକ୍ରେନ ଉପରେ ନିର୍ଭର କରନ୍ତି, ବିଶେଷତଃ ଗହମ, ମକା ଏବଂ ସୂର୍ଯ୍ୟମୁଖୀ ତେଲ ପାଇଁ । ଏଥିମଧ୍ୟରୁ ଅଧିକାଂଶ ହେଲେ ଏସିଆ ଏବଂ ଆଫ୍ରିକାର ଗରିବ ଦେଶ; ଯେଉଁମାନେ ଆମଦାନୀ ଉପରେ ନିର୍ଭରଶୀଳ । ଗତ ବର୍ଷ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିବା ୫୩ଟି ମଧ୍ୟରୁ ୩୬ଟି ଦେଶ ୟୁକ୍ରେନ ଓ ରୁଷରୁ ସେମାନଙ୍କ ସମୁଦାୟ ଗହମ ଅବଶ୍ୟକତାର ୧୦ ପ୍ରତିଶତରୁ ଅଧିକ ଆମଦାନୀ କରିଥିଲେ। ପୂର୍ବ ଆଫ୍ରିକୀୟ ଦେଶମାନେ ଆବଶ୍ୟକ କରୁଥିବା ଗହମର ୯୦ ପ୍ରତିଶତ କେବଳ ରୁଷ ଏବଂ ୟୁକ୍ରେନରୁ ରପ୍ତାନି ହୋଇଥାଏ ।

ଫେବୃଆରୀ ୨୪ ତାରିଖରେ ଯୁଦ୍ଧ ଆରମ୍ଭ ହେଲା ବେଳକୁ, ୟୁକ୍ରେନ ଗହମ କ୍ଷେତରେ ଠିଆ ହୋଇଥିଲା ପାଚିଲା ଫସଲ । ଏପ୍ରିଲରେ ଆସିବାକୁ ଥିଲା ବସନ୍ତଋତୁ । ଦ୍ବିତୀୟ ଫସଲ ପାଇଁ ବିହନ ବୁଣିବାକୁ ପ୍ରସ୍ତୁତ ହେଉଥିଲେ ୟୁକ୍ରେନ ଚାଷୀ। ବୋମାମାଡରେ ସ୍ତବ୍ଧ ହୋଇଗଲା ବସନ୍ତର ମଳୟପବନ । ଅଧିକାଂଶ ଅଞ୍ଚଳରେ ଚାଷ ଉଜୁଡ଼ିଗଲା। ମାତ୍ର ୨୦-୩୦ ପ୍ରତିଶତ ଫସଲ ଅମଳ ହୋଇପାରିଲା। ଏବେ ୟୁକ୍ରେନ କୃଷକ ଆଗରେ ଅନେକ ଆହ୍ବାନ – ଚାଷ ପାଇଁ ଟ୍ରାକଟର, ପରିବହନ, ଇନ୍ଧନ ଯୋଗାଣ ଠାରୁ ଆରମ୍ଭ କରି ଶ୍ରମିକଙ୍କ ଜୀବନର ନିରାପତ୍ତା। ଚାଷ ପାଇଁ ବିହନ, ସାର, କୀଟନାଶକ ଓ କୃଷି ଯନ୍ତ୍ରପାତି ମିଳିବାର ସମ୍ଭାବନା ଏବେ ଅନିର୍ଦ୍ଦିଷ୍ଟ। ଉଭୟ ରୁଷ ଏବଂ ୟୁକ୍ରେନରେ ପେଟ୍ରୋଲିୟମ ସାମଗ୍ରୀ ଯୁଦ୍ଧରେ ବ୍ୟବହୃତ ହେଉଛି। କୃଷକମାନଙ୍କୁ ଶସ୍ୟ ଉତ୍ପାଦନ କରିବାର ସୁବିଧା ସୁଯୋଗ ନ ମିଳିଲେ ସେଠାରୁ ଆଗାମୀ ଦିନରେ ଖାଦ୍ୟଶସ୍ୟ ରପ୍ତାନି ହୁଏତ ଅସମ୍ଭବ।

ଅନ୍ୟ ପକ୍ଷରେ ରୁଷ ବିରୋଧରେ ଜାରି ହୋଇଥିବା ଅର୍ଥନୈତିକ ପ୍ରତିବନ୍ଧକ ପରିବହନ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି। ପଶ୍ଚିମ ଏସୀୟ ଏବଂ ଆଫ୍ରିକୀୟ ଦେଶଗୁଡ଼ିକ ପାଇଁ ୟୁକ୍ରେନ ଏବଂ ରୁଷରୁ ଆମଦାନୀ କରିବା ସବୁବେଳେ ସୁବିଧାଜନକ। ସେମାନେ ଅପେକ୍ଷାକୃତ ଶସ୍ତା ମୂଲ୍ୟରେ କୃଷ୍ଣସାଗର ବାଟେ କମ୍ ପରିବହନ ଖର୍ଚ୍ଚରେ ଗହମ ଆମଦାନୀ କରିବା ସହଜ। ଯୁଦ୍ଧ ଚାଲିଥିବାରୁ, ବର୍ତ୍ତମାନ ଆମଦାନୀକାରୀ ଦେଶଙ୍କ ପାଇଁ ବୀମା ଦେୟ ଅତ୍ୟଧିକ ବୃଦ୍ଧି ପାଇଛି। ଚଳିତ ବର୍ଷ ରପ୍ତାନୀଯୋଗ୍ୟ ଗହମ ଉତ୍ପାଦନ କମିଯିବା ନିଶ୍ଚିତ । ୨୦୨୩ ମସିହାରେ ଏହା ୧୦ ନିୟୁତ ଟନକୁ ଖସିଯାଇପାରେ। ରୁଷ-ୟୁକ୍ରେନରୁ ସୀମିତ ରପ୍ତାନି ହେଲେ, ବିଶ୍ୱ ବଜାରରେ ୪୩ ନିୟୁତ ଟନ୍ ଗହମ ଅଭାବ ପଡିବ। ଗହମର ମୂଲ୍ୟ ୪୦ ପ୍ରତିଶତ ବୃଦ୍ଧି ହୋଇ ଚଳିତ ବର୍ଷ ସର୍ବକାଳୀନ ସ୍ତରରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଉଛି। ବିଶ୍ବବ୍ୟାଙ୍କ ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ସମଗ୍ର ବିଶ୍ବରେ ଖାଦ୍ୟପଦାର୍ଥର ବର୍ଦ୍ଧିତମୂଲ୍ୟ ୨୦୨୪ ଶେଷ ପର୍ଯ୍ୟନ୍ତ ଜାରି ରହିବ।

ରୁଷ-ୟୁକ୍ରେନ ଯୁଦ୍ଧ ତ୍ରିମୁଖୀ ସଙ୍କଟ ସୃଷ୍ଟି କରିଛି – ଖାଦ୍ୟ ମୂଲ୍ୟ ବୃଦ୍ଧି, ଇନ୍ଧନ ମୂଲ୍ୟ ବୃଦ୍ଧି ଏବଂ ଆର୍ଥିକ ଦୁରବସ୍ଥା। ୧୦୭ଟି ଦେଶରେ ୧୭ କୋଟି ନାଗରିକ ଏବଂ ୬୯ ଟି ଦେଶର ଅର୍ଥନୀତି ଗୁରୁତର ଭାବରେ ତ୍ରିମୁଖୀ ସଙ୍କଟର ସମ୍ମୁଖୀନ ହୋଇଛି। ୟୁକ୍ରେନ ସୀମାଠାରୁ ହଜାରେ କିଲୋମିଟର ଦୂରରେ ଅବସ୍ଥିତ ଆଫ୍ରିକାର ପ୍ରାୟ ୭୦% ଦେଶର ଅର୍ଥନୀତି ନଷ୍ଟ ହେବାରେ ଲାଗିଛି, ଲକ୍ଷ ଲକ୍ଷ ଲୋକ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଛନ୍ତି; କାହିଁକି ନା ସେମାନେ କେବଳ ରୁଷରୁ ସେମାନଙ୍କ ଆବଶ୍ୟକତାର ୬୦ ପ୍ରତିଶତ ଖାଦ୍ୟ ଆମଦାନୀ କରୁଥିଲେ। ପାରମ୍ପରିକ ଭାବେ ଗହମ ଉତ୍ପାଦନ କରୁନଥିବା ଅଙ୍ଗୋଲା ବାର୍ଷିକ ୬୫ ଲକ୍ଷ ଟନ୍ ବ୍ୟବହାର କରିଥାଏ; ଯାହାର ୩୦ ପ୍ରତିଶତ ଚାହିଦା ପୂରଣ କରନ୍ତି କେବଳ ରୁଷ ଓ ୟୁକ୍ରେନ। ଏବେ ସେଠାରେ ଗ୍ରାହକମାନେ ୪୦ ପ୍ରତିଶତ ବର୍ଦ୍ଧିତ ମୂଲ୍ୟରେ ଗହମ କିଣୁଛନ୍ତି। ସେହିପରି ଗତ ଚାରି ବର୍ଷ ମଧ୍ୟରେ ଅଭିବୃଦ୍ଧି ହାସଲ କରିପାରି ନଥିବା ଲେବାନନ୍, ରୁଷ-ୟୁକ୍ରେନରୁ ଆମଦାନୀ ହୋଇଥିବା ଗହମ ଏବଂ ସୂର୍ଯ୍ୟମୁଖୀ ତେଲ ଉପରେ ନିର୍ଭରଶୀଳ । ନିଜ ଚାହିଦାର ୯୦ ପ୍ରତିଶତ ଗହମ ଏହି ଦୁଇ ଦେଶରୁ ଆମଦାନୀ ମାଧ୍ୟମରେ ପୂରଣ କରିଆସୁଥିବା ଏହି ଦେଶର ଖାଦ୍ୟ-ମୁଦ୍ରାସ୍ଫୀତି ହାର ଏବେ ନିୟନ୍ତ୍ରଣ ବାହାରେ।

ଆଶଙ୍କା କରାଯାଉଛି ଯେ ଭବିଷ୍ୟତରେ, ବିଶ୍ବବ୍ୟାପୀ ଖାଦ୍ୟଶସ୍ୟର ସାମଗ୍ରିକ ଉପଲବ୍ଧତା ଆହୁରି ହ୍ରାସ ପାଇବ। ପେଟ୍ରୋଲିୟମ-ଇନ୍ଧନ ଏବଂ ରାସାୟନିକ ସାରର ମୂଲ୍ୟ ବୃଦ୍ଧି କାରଣରୁ ଶସ୍ୟ ଅମଳ ହ୍ରାସ ହେବା ଜଳଜଳ। ସାଧାରଣତଃ ଫସଲଋତୁ ଆସିଲେ, ସାର ଅଭାବ ସମସ୍ତ ଦେଶରେ ଦେଖାଦିଏ। ‘ଖାଦ୍ୟ-ସଙ୍କଟ ଦେଶ’ ଭାବେ ପରିଚିତ ଆଫ୍ରିକୀୟ ରାଷ୍ଟ୍ର ହୋଣ୍ଡୁରାସ, କାମେରୁନ, ଗୁଆଟେମାଲା, ସିଆରପିଏଫ, ନାଇଜେରିଆ, ମୋଜାମ୍ବିକ ଏବଂ କେନିଆ ରୁଷ-ୟୁକ୍ରେନ ସାର ଉପରେ ନିର୍ଭର କରନ୍ତି। ଯୁଦ୍ଧ ଯୋଗୁଁ ଉତ୍ପାଦନ ଓ ଯୋଗାଣ କମିଥିବାରୁ, ସାର ମୂଲ୍ୟ ବୃଦ୍ଧି ପାଇବ। ବିକଳ୍ପ ଭାବେ ଚାଉଳ ଆମଦାନୀ କରାଯିବା ଫଳରେ ଚାଉଳ ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇଛି। ରୁଷ ଏବଂ ୟୁକ୍ରେନ ବ୍ୟତୀତ ଅନ୍ୟ ଦେଶରୁ ଖାଦ୍ୟ, ଇନ୍ଧନ ଏବଂ ସାର କିଣିବା ଆରମ୍ଭ ହେଲେ କୃଷି ଉତ୍ପାଦର ମୂଲ୍ୟ ବଢିବ।

ରୁଷ ପକ୍ଷରୁ ସାର, ଚିନି ଏବଂ ଶସ୍ୟ ବିକ୍ରି ଉପରେ ପ୍ରତିବନ୍ଧକ ଲାଗିଛି। ବିଶ୍ୱର ଅର୍ଦ୍ଧାଧିକ ପାମୋଲିନ ତେଲ ଉତ୍ପାଦନ କରୁଥିବା ଇଣ୍ଡୋନେସିଆ ରପ୍ତାନି ବନ୍ଦ କରିଦେଇଛି । ତୁର୍କୀ ପକ୍ଷରୁ ଲହୁଣୀ, ମାଂସ, ମକା ଏବଂ ବନସ୍ପତି ତେଲ ରପ୍ତାନି ବନ୍ଦ । ଭାରତ ମଧ୍ୟ ଗହମ ଓ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇସାରିଛି। ଚୀନ୍, ଭାରତ, ରୁଷ, ବ୍ରାଜିଲ ଏବଂ ଆମେରିକା ଭଳି ପାଞ୍ଚଟି ଦେଶରେ ଉତ୍ପାଦିତ ଖାଦ୍ୟଶସ୍ୟ ପରିମାଣ ବିଶ୍ବ ଉତ୍ପାଦନର ୬୦ ପ୍ରତିଶତ। ଭାରତ ଏକ ପ୍ରମୁଖ ଗହମ ଉତ୍ପାଦନକାରୀ ଦେଶ ହୋଇଥିଲେ ବି, ଉତ୍ପାଦନ ମାତ୍ର ପାଞ୍ଚଟି ରାଜ୍ୟରେ ସୀମାବଦ୍ଧ ଓ ସମଗ୍ର ଦେଶରେ ଏହାର ୮୦ ପ୍ରତିଶତ ହିଁ ବ୍ୟବହୃତ ହୋଇଥାଏ। ବଳକା ଗହମ ସଞ୍ଚୟ ନକରି ରପ୍ତାନି କଲେ, ଦେଶରେ ଖାଦ୍ୟ ମୁଦ୍ରାସ୍ଫୀତି ଅସମ୍ଭାଳ ହେବା ଆଶଙ୍କାରେ, ଭାରତ ଯେପରି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି, ସେହିପରି ଅନ୍ୟ ଦେଶମାନେ କଲେ ବିଶ୍ବ ବାଣିଜ୍ୟ ବାଧାପ୍ରାପ୍ତ ହେବ ଓ ଆମେ ବି ଆମଦାନୀ କରୁଥିବା ପେଟ୍ରୋଲିୟମ, ଗ୍ୟାସ, ସାର ଇତ୍ୟାଦି ହୁଏତ ମିଳିବନି। ଏପରି ହେଲେ, ଭାରତରେ ମଧ୍ୟ ଖାଦ୍ୟଶସ୍ୟ ଉତ୍ପାଦନ କମିବ ଓ ମୁଦ୍ରାସ୍ଫୀତି ବଢ଼ିଯିବ।

ଯୁଦ୍ଧ ଘନଘଟା ମଧ୍ୟରେ ରୁଷ ଓ ୟୁକ୍ରେନ ଖାଦ୍ୟଶସ୍ୟ ରପ୍ତାନି କରିବାକୁ କୃଷ୍ଣସାଗରୀୟ ଅଞ୍ଚଳରେ ଥିବା ସମସ୍ତ ବନ୍ଦରକୁ ପୁଣି ଥରେ ଖୋଲିବାକୁ ଚଳିତ ମାସ ୨୨ତାରିଖରେ ଐତିହାସିକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏଥିପାଇଁ ଜାତିସଙ୍ଘ ପକ୍ଷରୁ ଗତ ଦୁଇ ମାସ ତଳୁ କଥାବାର୍ତ୍ତା ମହାସଚିବ ଆଣ୍ଟୋନିଓ ଗୁଟେରସ ଓ ତୁର୍କୀ ମଧ୍ୟସ୍ଥତାରେ ଚାଲିଥିଲା। ରାଜିନାମା ପ୍ୟାକେଜ ଅନୁସାରେ ଆମେରିକା ଓ ୟୁରୋପୀୟ ୟୁନିୟନ କଟକଣା ସତ୍ତ୍ୱେ ୟୁକ୍ରେନର ଓଡେଶା, ଚେର୍ଣ୍ଣୋମୋସ୍କ ଓ ଯୁଝନି ବନ୍ଦର ମାଧ୍ୟମରେ ପଣ୍ୟକାରବାର କରିବାକୁ ଜାତିସଂଘ ଏକ ପରିଚାଳନା କେନ୍ଦ୍ର ପ୍ରତିଷ୍ଠା କରିବ। ଫଳରେ ସମଗ୍ର ବିଶ୍ବରେ ଦେଖାଦେଇଥିବା ଖାଦ୍ୟ ସଙ୍କଟ ଅନେକ ମାତ୍ରାରେ ସମାଧାନ ହୋଇପାରିବ। ଏବେ ଆଶା କରାଯାଇପାରେ ଯେ ବିଶ୍ୱରେ ଲାଗିରହିଥିବା ଖାଦ୍ୟ ସଙ୍କଟ ଶୀଘ୍ର ଦୂର ହେବ। ଖାଦ୍ୟଶସ୍ୟ ତଥା ରାସାୟନିକ ସାର ରପ୍ତାନିର ବାଟ ଖୋଲିଯିବ। ଆଶା, ଅଗଷ୍ଟ ୧୫ ତାରିଖ ବେଳକୁ ପ୍ୟାକେଜ କାର୍ଯ୍ୟକାରୀ ହୋଇଯାଇଥିବ। ଯୁଦ୍ଧ ପୂର୍ବରୁ ଉଭୟ ଦେଶରୁ ବାର୍ଷିକ ୬୦ ନିୟୁତ ଟନ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି କରାଯାଉଥିଲା। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟ ରପ୍ତାନି ପ୍ରାୟତଃ ବନ୍ଦ ରହିଛି। ପ୍ରତ୍ୟେକ ବନ୍ଦରରେ ବିଦେଶୀ ଜାହାଜ ଅଟକି ରହିଛି। ୟୁକ୍ରେନ ବନ୍ଦରଗୁଡ଼ିକରେ ରପ୍ତାନି ପାଇଁ ସାଇତା ହୋଇ ରହିଥିବା ୨୦ ନିୟୁତ ଟନ ଖାଦ୍ୟଶସ୍ୟ ଜଗାରଖା ବିନା ପଡିରହିଥିବା ବେଳେ, ଖାଦ୍ୟାଭାବ କାରଣରୁ ଅନେକ ଅବିକଶିତ ରାଷ୍ଟ୍ରର ନାଗରିକ ଅନାହାର, ଅର୍ଦ୍ଧାହାରରେ କିମ୍ବା ଅପପୁଷ୍ଟି କାରଣରୁ ମୃତ୍ୟୁମୁଖରେ ପଡୁଛନ୍ତି। ଏବେ ମିଳିତ ଜାତିସଂଘର ପ୍ରଚେଷ୍ଟା ଫଳରେ ଭାରତକୁ ସାର ଆମଦାନୀ କରିବା ସମ୍ଭବ ହେବା ସହ କ୍ଷୁଧା ବିରୋଧରେ ସଂଗ୍ରାମ ସଫଳ ହେବ।

Comments are closed.