ଯେତେବେଳେ ଏକ ରାଷ୍ଟ୍ରର ସୁରକ୍ଷା ବିପନ୍ନ ହୁଏ, ସେତେବେଳେ ଲୋକେ ରାଷ୍ଟ୍ରଭକ୍ତି କଥା ଉଠାନ୍ତି। ସାମାଜିକ ଓ ସାଂସ୍କୃତିକ ଜୀବନରେ ଅଧୋପତନ ଘଟିଲେ କିଛିଲୋକ ଭଗବାନଙ୍କ ସହକର୍ମୀ ବନିଯାଇ ପ୍ରବଚନର ବେପାର ଆରମ୍ଭ କରିଦିଅନ୍ତି। ଅନେକଙ୍କ ଧାରଣା ବାହାରେ ଯେ ପ୍ରବଚକମାନେ ଯାତ୍ରାପାର୍ଟି ଭଳି ରାତିକୁ ମୋଟା ଅଙ୍କରେ ଟଙ୍କା ନିଅନ୍ତି ଏବଂ ଶିକ୍ଷକ ବି ପ୍ରଶ୍ନପତ୍ର ପ୍ରଘଟ କରିଦିଅନ୍ତି। ଏବେ ଆହୁରି ଅନେକ କଥା ଦେଖିବାକୁ ମିଳୁଛି।
ସକାଳେ ସକାଳେ ତାଜା ମାଂସକଟା ଚାଲିଥିବା ଦୋକାନ ଆଗରେ ଯେତେ ଭିଡ଼ ସେତେ ଭିଡ଼ ମନ୍ଦିର ଭିତରେ ନାହିଁ। ନିର୍ଦୟ ଭାବ ବଢ଼ିଚାଲିଛି। ମନ୍ଦିରକୁ ଯାଇ ଠାକୁରଙ୍କ ଆଗରେ ହାତ ଯୋଡ଼ୁଥିବା ଲୋକଙ୍କ ମଧ୍ୟରେ ଅନିଷ୍ଟକାରୀଙ୍କ ସଂଖ୍ୟା ଅଧିକ, ଅଧ୍ୟାତ୍ମବାଦୀଙ୍କ ସଂଖ୍ୟା ନଗଣ୍ୟ। ପରିବାରର ପରିସ୍ଥିତି ବି ସୁଖଦ ନୁହେଁ। ଯେଉଁ ଘରେ ଦିନେ କୁନିପୁଅଟି କାନ୍ଦୁଥିଲାବେଳେ ମା’ ବ୍ୟସ୍ତ ହୋଇ କହୁଥିଲା– ‘ଆହା, ପୁଅ ମୋର ଖାଇନି!’ ସେଇ ଘରେ ପୁଅଟି ବଡ଼ ହେଲାପରେ ମା’ କାନ୍ଦୁଛି; କହୁଛି– ‘ପୁଅ ମୋତେ ଖାଇବାକୁ ଦଉନି।’
ଏସବୁ ଉଦାହରଣ ଦେବାର କାରଣ ହେଲା ଆଜି ଉଭୟ ବ୍ୟକ୍ତିଜୀବନ ଓ ଜାତୀୟଜୀବନ କଳୁଷିତ। ଯାହା ନୀତି ନୁହେଁ ତାହା ଦୁର୍ନୀତି। ଏହା ଆଜି ପାଲଟିଯାଇଛି ଆମର ଜାତୀୟ ନୀତି। ଯେଉଁ ଦେଶରେ ଯେତେ ଅଧିକ ଆଇନକାନୁନ୍ ତିଆରି ହୋଇଥାଏ ସେ ଦେଶରେ ସେତେ ବେଶି ଦୁର୍ନୀତି ହୁଏ। ଆମେରିକା ଗୋଟିଏ କେତେ ବଡ଼ ସମୃଦ୍ଧ ଦେଶ। ସେ ଦେଶର ସମ୍ବିଧାନରେ ମାତ୍ର ସାତଗୋଟି ଧାରା। ଆମ ଦେଶର ସମ୍ବିଧାନରେ ୩୯୫ଗୋଟି ଧାରା ଥିଲା, ମାତ୍ର ତାହା ୧୦୪ ଥର ସଂଶୋଧିତ ହୋଇ ୪୪୮ଟି ଧାରାରେ ପହଞ୍ଚିଲାଣି; କିନ୍ତୁ ‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ’ର ସର୍ବେକ୍ଷଣ ବିବରଣୀରେ ଦୁର୍ନୀତିଗ୍ରସ୍ତ ରାଷ୍ଟ୍ରଙ୍କ ତାଲିକାରେ ଭାରତର ସ୍ଥାନ କ୍ରମାଗତ ଭାବେ ଉପରକୁ ଉଠୁଛି। ଏଇ ନିକଟରେ କରୋନା କଟକଣା ଯୋଗୁଁ ନରୱେ ପୁଲିସ୍ ପ୍ରଧାନମନ୍ତ୍ରୀ ଏର୍ନା ସୋଲବର୍ଗଙ୍କଠାରୁ ସର୍ବାଧିକ ଜୋରିମାନା କୋଡ଼ିଏ ହଜାର କ୍ରୋନ୍ (ଭାରତୀୟ ମୁଦ୍ରା ୧.୭୫ ଲକ୍ଷ ଟଙ୍କା) ଆଦାୟ କରିଥିଲେ। କାରଣ, ସେ ଦେଶରେ କୌଣସି ଉତ୍ସବରେ ଦଶଜଣରୁ ଅଧିକ ଲୋକ ଯୋଗ ନ ଦେବାକୁ ଘୋଷଣା କରାଯାଇଥିଲା। ହେଲେ ସୋଲବର୍ଗଙ୍କ ଜନ୍ମଦିନ ଉତ୍ସବରେ ୧୩ ଜଣ ଉପସ୍ଥିତ ଥିଲେ। ଆମ ଦେଶରେ ବି କରୋନା କଟକଣା ଭାରି କଡ଼ା। ପଚାଶ ଜଣରୁ ଅଧିକ ଲୋକ ଉତ୍ସବ ମନାଇପାରିବେ ନାହିଁ। ନିଜ କାର୍ରେ ଏକୁଟିଆ ତୁଣ୍ଡି(ମାସ୍କ) ଓହ୍ଲାଇଦେଇ ବସିଥିବା ଲୋକଙ୍କୁ ବି ପୁଲିସ୍ ଜୋରିମାନା କରିବା ସହ ସର୍ବସାଧାରଣରେ ଉଠ୍ବସ୍ କରାଉଛି। ସେପଟେ ନିର୍ବାଚନ ପ୍ରଚାର ସଭାରେ ପାଞ୍ଚରୁ ପଚାଶ ହଜାର ଜନସମାଗମ ହେଉଛି, ଠେଲାପେଲା ହେଉଛି; କିନ୍ତୁ ପୁଲିସ କିଛି କରୁନି।
ଦେଶସାରା ମନ୍ଦିର, ମସ୍ଜିଦ୍, ମଠ, ଗୁରୁଦ୍ୱାର, ଗୀର୍ଜା ଆଦିର ସଂଖ୍ୟା ବଢ଼ିଚାଲିଛି। ପ୍ରତିଦିନ ଏଠାକୁ ଲୋକେ ଆସନ୍ତି ନିଜନିଜ ସିଦ୍ଧାନ୍ତ ଅନୁସାରେ ଉପାସନା କରିବାକୁ; କିନ୍ତୁ ଅପରାଧ ବଢ଼ିଚାଲିଛି। ଗାଁର ଲୋକମାନେ ଆଜି ଆଗଭଳି ଆଉ ସରଳ ନୁହନ୍ତି। ସେମାନେ ଦହି, ଦୁଧ, ଘିଅ ଓ ପରିବାରେ ଅପମିଶ୍ରଣ କରୁଛନ୍ତି। ଏହାର କାରଣ ହେଲା ଆମର ଯେଉଁମାନେ ମାର୍ଗଦର୍ଶକ, ଗୁରୁ ଓ ଶିକ୍ଷକ ସେମାନେ ଆମକୁ ଭ୍ରାନ୍ତ ଧର୍ମ, କର୍ମ ଓ ଶିକ୍ଷା ବତାଉଛନ୍ତି। ମନେପଡ଼ୁଛି ସ୍ୱାମୀଜୀଙ୍କ କଥା? ସିଏ କହିଥିଲେ, ମୋତେ ଦଶଜଣ ସଚ୍ଚା ମଣିଷ ଦିଅନ୍ତୁ, ମୁଁ ଏ ଦେଶକୁ ‘ରାମରାଜ୍ୟ’ କରିଦେବି। ମିଳିଲେ ତାଙ୍କୁ ସେପରି ଦଶଜଣ? ତାଙ୍କର ନିଷ୍ଠାପର ଯୁକ୍ତି ଥିଲା– ଯେଉଁ ଦିନ ମଣିଷ ହୃଦ୍ବୋଧ କରିବ ସମସ୍ତଙ୍କଠାରେ ଈଶ୍ୱରଙ୍କ ସତ୍ତା ରହିଛି, ସେଦିନ ସମସ୍ତ ଭ୍ରଷ୍ଟାଚାର ଓ ଦୁର୍ନୀତି ଶେଷ ହେବ। କୌଣସି କୋର୍ଟ, କଚେରି, ଥାନା, ମଠ, ମନ୍ଦିର, ଗୀର୍ଜା, ମସ୍ଜିଦ୍, ପୁଲିସ୍, ଓକିଲ ଆଦିଙ୍କ ଆବଶ୍ୟକତା ରହିବ ନାହିଁ।
ସୁତରାଂ, ‘କାହିଁକି ଦୁର୍ନୀତି କମୁନାହିଁ’ର ଉତ୍ତର ଅଛି ‘କିଏ ଦୁର୍ନୀତି କରୁଛି’ ପ୍ରଶ୍ନ ଅନ୍ତରାଳରେ। ହୁଏତ ଗୋଟିଏ ସରକାରର ଅବଧି ଯେତେ ଅଧିକ ହେବ, ଦୁର୍ନୀତିର ମାତ୍ରା ସେତେ ବଢ଼ିବ। କାରଣ, ସାଧୁସନ୍ଥମାନେ ତ ସରକାରର ନେତୃତ୍ୱ ନିଅନ୍ତି ନାହିଁ। ସେମିତି ହେଉଥିଲେ ଜଣାପଡ଼ନ୍ତା ନାହିଁ କେହି ଜଣେ ଶାସନ ଗାଦିରେ ବସିଛନ୍ତି ବୋଲି। ସେମାନେ ଲୋକଙ୍କ ସହ ମିଶି କାମ କରନ୍ତି, ଲୋକଙ୍କ ଆତ୍ମବିଶ୍ୱାସ ବଢ଼ାନ୍ତି। ଆଜି ସେମିତି ଶାସକ ଓ ପ୍ରଶାସକ କେତେଜଣ ଅଛନ୍ତି? ଭାରତର ସବୁ ରାଜ୍ୟରେ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗଟିଏ ଅଛି। ଏହାର ଅଧିକାରୀମାନେ ମନେହୁଏ କେବଳ ସରକାରୀ ଦଳର ସମର୍ଥକଙ୍କ ସ୍ୱାର୍ଥରକ୍ଷା ପାଇଁ କର୍ତ୍ତବ୍ୟରତ। ଅନେକ ଉଚ୍ଚପଦସ୍ଥ ଅଧିକାରୀ ମଧ୍ୟ ଦୁର୍ନୀତି କରି ଧରାପଡ଼ନ୍ତି, ସାମୟିକ ଭାବେ ଚାକିରିରୁ ନିଲମ୍ବିତ ହୁଅନ୍ତି ଓ କିଛିଦିନ ପରେ ପଦୋନ୍ନତି ପାଇ ଅନ୍ୟ ଏକ ସମ୍ମାନଜନକ ବିଭାଗରେ ଅବସ୍ଥାପିତ ହୁଅନ୍ତି। ତେଣୁ ଦୁର୍ନୀତି କରିବାକୁ ଅନ୍ୟମାନେ ଏକ ପ୍ରକାର ପଦୋନ୍ନତିର ମାଧ୍ୟମ ମନେ କରୁଛନ୍ତି।
ଭାରତରେ ଆଜି କୌଣସି ଗୋଟିଏ ନିଷ୍ଠାପର ଓ ନିରପେକ୍ଷ ସଂସ୍ଥା ନାହିଁ ଯେଉଁଠାରେ ଦୁର୍ନୀତିର ଗନ୍ଧ ବାହାରୁନାହିଁ। ତଥାପି ଏପରି କଠିନ ସମୟରେ ଯଦି କୌଣସି ଜିନିଷର ସବୁଠୁ ବେଶି ଆବଶ୍ୟକତା ଥାଏ ତାହା ହେଉଛି ‘ଆଶା’। ସେ ‘ଆଶା’ ଆଶା କରାଯାଏ ସରଳ ସାଧାରଣ ଜନତାଙ୍କଠାରୁ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର କଥା। ଲଣ୍ଡନରେ ଖାଦ୍ୟପଦାର୍ଥର ଘୋର ସଙ୍କଟ। ଏକ ଦୋକାନ ଆଗରେ କ୍ଷୀର ପାଇଁ ଲମ୍ବା ଧାଡ଼ି। କିଛି ସମୟ ମଧ୍ୟରେ କ୍ଷୀର ବୋତଲ ସରି ଆସିଲା, ମାତ୍ର ଆଉ ଗୋଟିଏ ବୋତଲ ଅଛି। କୋଳରେ କଅଁଳ ଶିଶୁଟି ଧରି ଛିଡ଼ା ହୋଇଥିବା ମହିଳାଙ୍କ ମୁହଁ ଶୁଖିଆସିଲା; କିନ୍ତୁ ହଠାତ୍ ତାଙ୍କ ପାଖରେ ଦୋକାନୀର କ୍ଷୀର ବୋତଲ ପହଞ୍ଚିଗଲା। ମହିଳା ଦେଖିଲେ ତାଙ୍କ ଆଗରେ ଥିବା କିଛି ଲୋକ ଧାଡ଼ିରୁ ବାହାରି ଆସି ତାଙ୍କୁ କହୁଛନ୍ତି– “ଆପଣଙ୍କ ଶିଶୁ ବହୁତ ସୁନ୍ଦର। ଇଏ ଇଂଲଣ୍ଡର ଭବିଷ୍ୟତ, ଏହାର ଉପଯୁକ୍ତ ଯତ୍ନ ନେବେ।” ଏ ଘଟଣାର ସୂଚନା ଖୁବ୍ ଅଳ୍ପ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଉଇନ୍ଷ୍ଟନ୍ ଚର୍ଚ୍ଚିଲ୍ଙ୍କଠାରେ ପହଞ୍ଚିଗଲା। ସେ ଭାବ ବିହ୍ୱଳ ହୋଇ ଘୋଷଣା କଲେ– ବ୍ରିଟେନ୍ର ବିଜୟକୁ ଏବେ କୌଣସି ହିଟ୍ଲର୍ ରୋକିପାରିବେ ନାହିଁ। କାରଣ ମୋ ଦେଶର ସାଧାରଣ ଜନତା ଏବେ ନିଜ ଉପରେ ସବାର ହୋଇଥିବା ବିପଦକୁ ଭ୍ରୂକ୍ଷେପ ନକରି ଦେଶର ଭବିଷ୍ୟତ ସୁରକ୍ଷା କଥା ଚିନ୍ତା କରୁଛନ୍ତି। ଚର୍ଚ୍ଚିଲ୍ଙ୍କ ଏ ବିଶ୍ୱାସ ସିଦ୍ଧ ହେଲା।
ସବୁ ଲୁହାରେ ସାମର୍ଥ୍ୟ ଅଛି। କଳଙ୍କି ଲାଗିଗଲେ ସେ ସାମର୍ଥ୍ୟ ଚାଲିଯାଏ। ଜାତୀୟ ଜୀବନ ଓ ଶୌର୍ଯ୍ୟରେ ଆଜି ଦୁର୍ନୀତିର କଳଙ୍କ ଲାଗିଛି। ଫଳରେ ରାଷ୍ଟ୍ରର ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଓ ପ୍ରଗତି ଅସ୍ଥିର ହୋଇପଡୁଛି। ଏଥିକୁ ଉପାୟ ବ୍ୟକ୍ତି ଚରିତ୍ରର ପୁନରୁଦ୍ଧାର। ଲେଖକ, ଶିକ୍ଷକ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିଗଣ ନିରନ୍ତର ପ୍ରୟାସ ଜାରିରଖି ମଣିଷର ମନକୁ ପବିତ୍ର କରାଇପାରିଲେ ସୁଫଳ ନିଶ୍ଚୟ ମିଳିବ।


