ଖଇରା : ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ୧୩ ଦିନ ପରେ ବାପା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ବର ଯାଇଛନ୍ତି। ସେ ପୁଅ ମୃତ୍ୟୁରେ ସମ୍ପୃକ୍ତ ବୋହୂ ଓ ଅନ୍ୟ ଅଭିଯୁକ୍ତମାନଙ୍କର ଗିରଫ ଦାବି କରିଛନ୍ତି। ପରିବାରକୁ ନ୍ୟାୟ ମିଳିବାରେ ବିଳମ୍ବ ହେଉଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପଟେ ବିଦ୍ୟାଭାରତୀଙ୍କ ଏକ ଖାତାରେ ଅକ୍ଷୟ ନାମଧାରୀକୁ ନେଇ ସୌମ୍ୟଙ୍କ ବଡ଼ଭାଇ ରଞ୍ଜନ ନୂଆ ଅଭିଯୋଗ ଆଣିଛନ୍ତି। ବିଦ୍ୟାଭାରତୀଙ୍କୁ ଗିରଫ କରି ତଦନ୍ତ କରାଗଲେ ସବୁ ସତକଥା ବାହାରିବ ବୋଲି ସୌମ୍ୟଙ୍କ ଭାଇ ରଞ୍ଜନ କହିଛନ୍ତି।
ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବୋହୂ ବିଦ୍ୟାଭାରତୀ ପଣ୍ଡାଙ୍କ ସମେତ ବନଖଣ୍ଡ ଅଧିକାରୀ, ରୋଷେଇୟା ଓ ବିଦ୍ୟାଭାରତୀଙ୍କ ନାମରେ ସେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି। ଏପରିକି ଅପରାଧ ଶାଖା(କ୍ରାଇମ୍ ବ୍ରାଞ୍ଚ) ମଧ୍ୟ ତଦନ୍ତ କରୁଛନ୍ତି। ମାତ୍ର ବୋହୂ ବିଦ୍ୟାଭାରତୀଙ୍କୁ ଗିରଫ କରା ନ ଯିବା ସହିତ ବନଖଣ୍ଡ ଅଧିକାରୀ ଘଟଣାରେ ସମ୍ପୃକ୍ତ ନ ଥିବା ପୁଲିସ କହିବା ଏହା କିପରି ତଦନ୍ତ ବୋଲି ବାପା ଅଭିରାମ କୋହଭରା କଣ୍ଠରେ କହିଛନ୍ତି। ତଦନ୍ତ ନାମରେ ଏଭଳି ବିଳମ୍ବକୁ ସେ ଆଉ ସହିପାରୁ ନ ଥିବାରୁ ସେ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ପୁଣି ଥରେ ଦୁଃଖ ଜଣାଇବେ ବୋଲି କହିଛନ୍ତି। ନଚେତ୍ ସେ ଯେକୌଣସି ପନ୍ଥା ଗ୍ରହଣ କରିବାକୁ ପଛାଇବେ ନାହିଁ ବୋଲି ପାଲଟା ଚେତାବନୀ ଦେଇଛନ୍ତି। ସେହିପରି ସୌମ୍ୟ ରଞ୍ଜନ ବଡ଼ଭାଇ ରଞ୍ଜନ ବିଦ୍ୟାଭାରତୀଙ୍କ ଏକ ଖାତାରୁ ଅକ୍ଷୟ ନାମକ ବ୍ୟକ୍ତିଙ୍କୁ ଖୋଜିବା ଘଟଣାକୁ ଆହୁରି ରହସ୍ୟମୟ କରିଛି। ପୁଲିସ ତାକୁ ଖୋଜି ବାହାର କରିବା ସହିତ ବିଦ୍ୟାଭାରତୀକୁ ଗିରଫ କଲେ ସତ ଉନ୍ମୋଚିତ ହେବ ବୋଲି ପ୍ରକାଶ କରିଛନ୍ତି। ତେବେ ବିଦ୍ୟାଭାରତୀଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନି।
ଆଇଏଚଆରସି ଗଜପତି ଶାଖାର ଅଭିଯୋଗ : ତଦନ୍ତ ଠିକ୍ ବାଟରେ ଚାଲୁନି
ପାରଳାଖେମୁଣ୍ଡି : ସାରା ରାଜ୍ୟରେ ହଇଚଇ ତଥା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ଗତ ୧୨ ତାରିଖରେ ନିଆଁରେ ପୋଡ଼ି ହୋଇ ମୃତ୍ୟୁ ଘଟଣାର ତଦନ୍ତ ଠିକ୍ ବାଟରେ ଚାଲୁନାହିଁ ବୋଲି ଇଣ୍ଟରନ୍ୟାସନାଲ ହ୍ୟୁମାନ୍ ରାଇଟ୍ କାଉନସିଲ (ଆଇଏଚଆରସି) ଗଜପତି ଜିଲା ଶାଖା ପକ୍ଷରୁ ଅଭିଯୋଗ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କାଉନସିଲ ପକ୍ଷରୁ କୁହାଯାଇଛି ଯେ, ଗତ ୧୭ ତାରିଖରେ ମାମଲାର ୧୦ଟି ଦିଗକୁ ନେଇ ତଦନ୍ତ କରିବାକୁ ତଦନ୍ତକାରୀ ଅଧିକାରୀ ତଥା ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା। କିନ୍ତୁ ସେହି ଅନୁସାରେ ତଦନ୍ତ ଚାଲୁ ନାହିଁ। ଠିକ୍ ବାଟରେ ତଦନ୍ତ କରି ସୌମ୍ୟରଞ୍ଜନଙ୍କ ପରିବାରକୁ ପୁଲିସ ନ୍ୟାୟ ପ୍ରଦାନ କରୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। କିଛି ଦିନର ତଦନ୍ତ ପରେ ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ଘଟଣାରେ ସଂପୃକ୍ତ ନୁହଁନ୍ତି ବୋଲି କହି ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକ କ୍ଲିନ୍ଚିଟ୍ ଦେଇଥିଲେ। ତେବେ ପୁଣି ତା’ ପରଦିନ ତଦନ୍ତ ବର୍ତ୍ତମାନ ଚାଲିଛି। କହିବା ଠିକ୍ ହେବନାହିଁ ବୋଲି କହିଥିବା କାଉନସିଲର ଜିଲା ସଭାପତି ଆଲୋକ କୁମାର ବୋଷ ଓ ସଂପାଦକ ପ୍ରନୋଜ କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।
ବିଦ୍ୟାଙ୍କ ଛାତ୍ରୀ ନିବାସ କୋଠରି ଜଉମୁଦ
ବଲାଙ୍ଗିର : ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ଅନୁସନ୍ଧାନ ପାଇଁ ବଲାଙ୍ଗିରର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ଆରକ୍ଷୀ ଦଳ ପହଞ୍ଚି ଆଜି ଯାଞ୍ଚ କରିଛି। ବିଦ୍ୟାଭାରତୀ ପଣ୍ଡା ୨୦୧୯ରେ ତାଲିମ କେନ୍ଦ୍ରରେ ନାମ ଲେଖାଇ ଫେରିବା ପର୍ଯ୍ୟନ୍ତ ସମସ୍ତ ଘଟଣାର ଟିକିନିକି ଯାଞ୍ଚ କରିଥିଲେ ା ଯାଞ୍ଚ ସମୟର ଦୃଶ୍ୟକୁ ପୁଲିସ ଉଠାଇଛି। ବିଦ୍ୟାଭାରତୀ ରହୁଥିବା ଘରକୁ ତାଲାମାରି ଜଉମୁଦ (ସିଲ୍) କରିବା ସହ କାଗଜପତ୍ର, ଫଟୋ ଆଦି ସଂଗ୍ରହ କରିଛି। ୪ ଘଣ୍ଟା ଧରି ତଦନ୍ତ ପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ ପ୍ରକାଶ କରିଛନ୍ତି। ରବିବାର ସକାଳ ୮.୩୦ରେ ପାରଳାଖେମୁଣ୍ଡି ପୁଲିସ ବଲାଙ୍ଗିର ଟାଉନ ଥାନାରେ ପହଞ୍ଚିଥିଲା ା ଟାଉନ ଥାନା ଅଧିକାରୀଙ୍କ ସହ ଆଲୋଚନା ପରେ ବଲାଙ୍ଗିର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରକୁ ଯାଇ ଅତିରିକ୍ତି ନିର୍ଦେଶକ ହେମନ୍ତ ପ୍ରଧାନଙ୍କୁ ପଚରା ଉଚୁରା କରିଥିଲେ। ବିଦ୍ୟାଭାରାତୀ ଆସିଥିବା କାର ଚାଳକ ତାଙ୍କ କଥା ପୁଲିସ ଆଗରେ ଜଣାଇଥିଲେ ା ସେ ଦିନ ଏକା ଆସିଥିଲେ ନା ଆଉ କିଏ ଥିଲେ ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ଅଧିକାରୀ କହିଛନ୍ତି ା ବିଦ୍ୟାଭାରତୀ ୨୦୧୯ ମସିହାରେ ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ନାମ ଲେଖାଇଥିଲେ ା ୨୦୨୦ ମସିହାରେ କରୋନା କଟକଣା ନେଇ ତାଲିମ କେନ୍ଦ୍ର ବନ୍ଦ ହେବା ପରେ ମାର୍ଚ୍ଚ ମାସରେ ଘରକୁ ଫେରି ଯାଇଥିଲେ। ଏହି ସମୟରେ ସେ ବାହା ପରେ ୨୦୨୧ ଏପ୍ରିଲ ୩ ତାରିଖରେ ପରୀକ୍ଷା ଦେବାକୁ ବଲାଙ୍ଗିର ତାଲିମ କେନ୍ଦ୍ରକୁ ଫେରି ଛାତ୍ରୀନିବାସରେ ରହିଥିଲେ। ସେଦିନ କାର ଚାଳକଙ୍କ ସହ ଏକା ଆସିଥିବା କହିଥିଲେ ବିଦ୍ୟାଭାରତୀ। ବିଦ୍ୟାଭାରତୀ ଏଠାକୁ ଆସିବାଠାରୁ ଯିବା ପର୍ଯ୍ୟନ୍ତ କାହା ସହ କଥା ହୋଇଥିଲେ, ସେ ରହୁଥିବା ଘରେ କିଏ କିଏ ଥିଲେ, ସେମାନଙ୍କ ସହ କଣ କଥା ହୋଇଥିଲେ, ପରୀକ୍ଷା ସମୟରେ କେଉଁଠିକୁ ଯାଇଥିଲେ ନା ନାହିଁ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ବାହାର କରିବା ପାଇଁ ସମସ୍ତ ପ୍ରକାର ତଥ୍ୟ ନେଇଛି ପାରଳାଖେମୁଣ୍ଡି ପୁଲିସ। ତାଲିମ କେନ୍ଦ୍ରର କିରାଣି ମୁକେଶ ରଥ ଓ ପିଅନ ପୁରନ୍ଦର ଜେନାଙ୍କୁ ମଧ୍ୟ ପଚରାଉଚୁରା କରାଯାଇଛି।



