ଜେଜେ ଗଢ଼ିଥିଲେ ସୋମନାଥ ମନ୍ଦିର, ନାତିଙ୍କ ହାତରେ ରାମମନ୍ଦିର ନିର୍ମାଣ ଦାୟିତ୍ଵ
୧୬୧ଫୁଟ ଉଚ୍ଚତାର ମନ୍ଦିରରେ ରହିବ ୫ ଶିଖର; ମାଟିର ୬୦ ଫୁଟ ତଳୁ ଆସିବ ନିଅଁ
ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନିମନ୍ତେ ଆରମ୍ଭ ହୋଇଛି ପ୍ରସ୍ତୁତି । ସୂଚନା ଅନୁସାରେ କରୋନା ଯୋଗୁଁ ବିଳମ୍ବିତ ଭୂମିପୂଜନ ଆସନ୍ତା ଅଗଷ୍ଟ ୫ ତାରିଖରେ ହେବ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ଏହି ମନ୍ଦିର ନିମନ୍ତେ ଭୂମି ପୂଜନ କରିବେ । ତେବେ ମୁଖ୍ୟ କଥା ହେଉଛି ଏହି ମନ୍ଦିର ନିର୍ମାଣ ଦାୟିତ୍ଵ ଅର୍ଥାତ୍ ନକ୍ସା ପ୍ରସ୍ତୁତି ଓ ଅନ୍ୟାନ୍ୟ କାର୍ଯ୍ୟ ସୋମପୁରା ପରିବାର ଉପରେ ନ୍ୟସ୍ତ ହୋଇଛି । ରାମମନ୍ଦିର ଟ୍ରଷ୍ଟ ସୋମପୁରା ପରିବାରକୁ ନିର୍ମାଣ ଦାୟିତ୍ଵ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏହି ପରିବାରର ପୂର୍ବପୁରୁଷ ଗୁଜରାଟର ସୋମନାଥ ମନ୍ଦିର ନିର୍ମାଣ କରିଥିଲେ ।
ଗତକାଲି (ଶନିବାର) ଟ୍ରଷ୍ଟର ବୈଠକ ପରେ ଚମ୍ପତ ରାୟ କହିଛନ୍ତି ଯେ ସୋମପୁରା ପରିବାର ରାମମନ୍ଦିର ନିର୍ମାଣ କରିବ । ଏହି ଲୋକମାନେ ସୋମନାଥ ମନ୍ଦିର (ବର୍ତମାନର) ନିର୍ମାଣ କରିଥିଲେ । ସେ କହିଥିଲେ ଯେ ଚନ୍ଦ୍ରକାନ୍ତ ସୋମପୁରାଙ୍କ ମଡ଼େଲରେ କିଛିଟା ପରିବର୍ତନ କରାଯାଇଛି ଏବଂ ପ୍ରସ୍ତାବିତ ମନ୍ଦିର ୧୬୧ ଫୁଟ ଉଚ୍ଚତାବିଶିଷ୍ଟ ହେବ । ଏଥିରେ ୩ଟି ପରିବର୍ତ୍ତେ ୫ଟି ଶିଖର ରହିବ । ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଗୁରୁବାର ଅଯୋଧ୍ୟା ଯାତ୍ରା କରିଥିଲେ ଓ ତାଙ୍କ ସହ କିଛି ଶୀର୍ଷସ୍ତରୀୟ ଇଞ୍ଜିନିୟର ମଧ୍ୟ ଅଯୋଧ୍ୟା ଯାଇଥିଲେ। ସେମାନେ ନିର୍ମାଣସ୍ଥଳ ଯାଞ୍ଚ କରିଥିଲେ, ପ୍ରସ୍ତାବିତ ରାମମନ୍ଦିର ଢ଼ାଞ୍ଚା ଓ ନକ୍ସା ପ୍ରସ୍ତୁତ କରିଥିବା ବାସ୍ତୁଶିଳ୍ପୀ ଚନ୍ଦ୍ରକାନ୍ତ ସୋମପୁରା ଓ ତାଙ୍କ ପୁଅ ନିଖିଳ ସୋମପୁର ଏବେ ଅଯୋଧ୍ୟାରେ ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
Comments are closed.