ଧିମେଇଛି ପୁଞ୍ଜି ନିବେଶ

ସେପ୍ଟେମ୍ବର ସୁଦ୍ଧା ଲକ୍ଷ୍ୟ ୨୭,୪୬୦କୋଟି, ଜୁଲାଇ ପର୍ଯ୍ୟନ୍ତ ବିନିଯୋଗ ୯,୪୨୦କୋଟି

ଭୁବନେଶ୍ବର : ଭିତ୍ତିଭୂମି ବିକାଶ, ସ୍ଥାୟୀ ସଂପତ୍ତି ସୃଷ୍ଟି ସହିତ ନିଯୁକ୍ତି ଓ ଆତ୍ମନିଯୁକ୍ତି ବୃଦ୍ଧି ପାଇଁ ରାଜ୍ୟ ସରକାର ଚଳିତ ବର୍ଷ ବଜେଟରେ ପୁଞ୍ଜି ଖର୍ଚ୍ଚ ବାବଦ ବ୍ୟୟବରାଦ ରାଶି ବୃଦ୍ଧି କରିଛନ୍ତି। ଏହା ବ୍ୟତୀତ ଭାରତ ସରକାର ପୁଞ୍ଜି ବାବଦ ଖର୍ଚ୍ଚ ପାଇଁ ୫୦ବର୍ଷ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ନିମନ୍ତେ ସୁଧମୁକ୍ତ ଋଣ ପ୍ରଦାନ ବ୍ୟବସ୍ଥା କରିଥିବା ବେଳେ ଓଡ଼ିଶା ମଧ୍ୟ ଉକ୍ତ ଉତ୍ସରୁ ପାଣ୍ଠି ଆଣିଛି। ମାତ୍ର ପୁଞ୍ଜିନିବେଶ ବାବଦ ଖର୍ଚ୍ଚ ହାର ସେତେଟା ଉତ୍ସାହଜନକ ନୁହେଁ।
୨୦୨୩-୨୪ ବର୍ଷ ବଜେଟରେ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ୫୧,୬୮୩ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏହା ବିଗତ ଆର୍ଥିକ ବର୍ଷ ତୁଳନାରେ ୩୫ ଶତାଂଶ ଅଧିକ। ଏହି ପାଣ୍ଠି ମୁଖ୍ୟତଃ ଜଳଯୋଗାଣ ଓ ପରିମଳ, ସ୍ବାସ୍ଥ୍ୟ, ସଡ଼କ, ସେତୁ ଭିତ୍ତିଭୂମି ବିକାଶ ବାବଦରେ ଖର୍ଚ୍ଚ କରାଯିବାକୁ ଯୋଜନା ହୋଇଛି। ରାଜ୍ୟରେ ପୁଞ୍ଜି ନିବେଶ ପରିମାଣ ୨୦୨୧-୨୨ରେ ୨୨,୭୨୫କୋଟି ଟଙ୍କା ଥବାବେଳେ ୨୦୨୨-୨୩ ବର୍ଷର ବଜେଟରେ ଏହି ପରିମାଣ ୩୮,୭୩୨ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ବଜେଟରେ ଭିତ୍ତିଭୂମି ବିକାଶ ବାବଦରେ ଖର୍ଚ୍ଚ ପରିମାଣ ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ମାସ ଭିତରେ ୨୧ ପ୍ରତିଶତରେ ସୀମିତ ରହିଥିବା ଜଣାପଡ଼ିଛି।
ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକ ନିମନ୍ତେ କେନ୍ଦ୍ର ସରକାରଙ୍କ ସୁଧମୁକ୍ତ ଋଣ ବାବଦ ସ୍ବତନ୍ତ୍ର ସହାୟତା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ ସେପ୍ଟେମ୍ବର ସୁଦ୍ଧା ମୋଟ ଧାର୍ଯ୍ୟ ଲକ୍ଷ୍ୟର ୪୫% ପାଣ୍ଠି ଖର୍ଚ୍ଚ କରିବାକୁ ସର୍ତ୍ତ ରଖାଯାଇଛି। ତଦନୁସାରେ ଓଡ଼ିଶାକୁ ଏ ବାବଦରେ ୨୭,୪୬୦ କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ ବାବଦ ସ୍ବତନ୍ତ୍ର ସହାୟତା ମଞ୍ଜୁର ହୋଇଛି ଏବଂ ସେଥିମଧ୍ୟରୁ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ସୁଦ୍ଧା ୧୨,୩୫୭କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ତେବେ ନିକଟରେ ସମୀକ୍ଷା ବିବରଣୀରୁ ଜଣାପଡ଼ିଛି ଯେ ରାଜ୍ୟରେ ପୁଞ୍ଜି ଖର୍ଚ୍ଚ (କ୍ୟାପେକ୍ସ) ଗତ ଜୁଲାଇ ସୁଦ୍ଧା ୯,୪୨୦ କୋଟି ଟଙ୍କାରେ ସୀମିତ ରହିଛି। ପୁଞ୍ଜି ବାବଦ ପାଣ୍ଠି ଖର୍ଚ୍ଚ ତ୍ବରାନ୍ବିତ ନକଲେ ଧାର୍ଯ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ସମ୍ଭବ ନୁହେଁ।
ସିଏଜି ତଥ୍ୟ ଅନୁସାରେ ଏପ୍ରିଲରୁ ଜୁନ୍ ମଧ୍ୟରେ ଜାତୀୟସ୍ତରରେ ୧୦ଟି ପ୍ରମୁଖ ରାଜ୍ୟ ମଧ୍ୟରୁ ଆନ୍ଧ୍ରପ୍ରଦେଶ ପୁଞ୍ଜି ଖର୍ଚ୍ଚରେ ଆଗରେ ରହିଛି। ରାଜ୍ୟ ପୁଞ୍ଜି ବାବଦ ବ୍ୟୟ ବରାଦରୁ ଏହି ରାଜ୍ୟ ୪୧% ଅର୍ଥ ଖର୍ଚ୍ଚ କଟିଚାଲିଥିବା ବେଳେ ଓଡ଼ିଶାରେ ପ୍ରଥମ ତ୍ରୈମାସିକରେ ଏହି ପରିମାଣ ୧୦ ପ୍ରତିଶତରୁ ବଢ଼ି ଜୁଲାଇ ସୁଦ୍ଧା ୨୧%ରେ ପହଞ୍ଚିଛି। ପୁଞ୍ଜି ନିବେଶ ବାବଦ ବ୍ୟୟବରାଦ ଖର୍ଚ୍ଚ କ୍ଷେତ୍ରରେ ପ୍ରଥମ ତିନିଟି ସ୍ଥଳର ଯଥାକ୍ରମେ ଆନ୍ଧ୍ର, ତେଲଙ୍ଗାନା, ମଧ୍ୟପ୍ରଦେଶ ଥିବାବେଳେ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି।

prayash

ପୁଞ୍ଜି ନିବେଶ ପାଇଁ ରାଜ୍ୟଗୁଡ଼ିକୁ ଦିଆଯାଉଥିବା ସ୍ବତନ୍ତ୍ର ସହାୟତା ଆକାରରେ ଓଡ଼ିଶାକୁ କେନ୍ଦ୍ର ସରକାର ଗତ ମେ ୨୬ ସୁଦ୍ଧା ୪,୫୨୮ କୋଟି ଟଙ୍କା ଅନୁମୋଦନ କରିଥିଲେ। ଅନୁମୋଦିତ ପାଣ୍ଠିରୁ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ ୨୯୪୩.୨୧ କୋଟି ଟଙ୍କା ଗତ ଜୁନ୍ ୩୦ରେ ପ୍ରଦାନ କରିଥିଲେ ହେଁ ୨୦୨୦-୨୧ ବର୍ଷରେ ସ୍ବତନ୍ତ୍ର ପାଣ୍ଠି ବିନିଯୋଗ ହୋଇପାରିନଥିବାରୁ ସେଥିପାଇଁ ୭୨,୬୧ କୋଟି ଟଙ୍କା କାଟିଦେଇଥିଲେ। ତେବେ ପ୍ରଥମ କିସ୍ତିରେ ମିଳିଥିବା ୬୬.୬୭% ବା ୩୦୧୮.୬୬ କୋଟି ଟଙ୍କା ୮ଟି ବିଭାଗର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରିତା ନିମନ୍ତେ ମଞ୍ଜୁର କରାଯାଇଥିଲା। ଏହି ବିଭାଗଗୁଡ଼ିକ ହେଲା ଜଳସମ୍ପଦ, ପୂର୍ତ୍ତ, ନଗର ଉନ୍ନୟନ, ପରିବହନ, ଗ୍ରାମ୍ୟ ଉନ୍ନୟନ, ଶିଳ୍ପ, ଗୃହ ଏବଂ ଶକ୍ତି ବିଭାଗ। ଜଳସମ୍ପଦ ପାଇଁ ସର୍ବାଧିକ ୧୧୩ କୋଟି ଟଙ୍କା ବିନିଯୋଗ କରାଯିବାକୁ ସ୍ଥିର ହୋଇଛି।
କେନ୍ଦ୍ର ସରକାର ପୁଞ୍ଜିନିବେଶ ପାଇଁ ଦେଉଥିବା ପାଣ୍ଠି ବାବଦ ବିନିଯୋଗ ପ୍ରମାଣପତ୍ର ପ୍ରଦାନରେ ବିଳମ୍ବ ହେତୁ ସ୍ଥଳ ବିଶେଷରେ ଅନୁଦାନ ମିଳିବାରେ ବିଳମ୍ବ ହେଉଛି। ସେଥିପାଇଁ ନିକଟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ବିଭାଗଗୁଡ଼ିକୁ ସତର୍କ କରାଇଛନ୍ତି। ମିଳିଥିବା ତଥ୍ୟ ଅନୁସାରେ ୨୦୨୨-୨୩ରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ରାଜ୍ୟକୁ ଦେଇଥିବା ପାଣ୍ଠିରୁ ୧୫୬୪ କୋଟି ଟଙ୍କା ବିନିଯୋଗ ହୋଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଳସମ୍ପଦ, ପୂର୍ତ୍ତ, ନଗର ଉନ୍ନୟନ, ପରିବହନ, ଗ୍ରାମ୍ୟ ଉନ୍ନୟନ, ଶକ୍ତିି ଆଦି ୭ଟି ବିଭାଗର ୧୦୦ ପ୍ରକଳ୍ପ ପାଇଁ ୧୫୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏଥିରୁ ୯୫୫.୯୧ କୋଟିର ପ୍ରମାଣପତ୍ର ଦାଖଲ ହୋଇଛି। ମାତ୍ର ୬୨୬.୮୨ କୋଟିର ପ୍ରମାଣ ପତ୍ର ଏବେ ବି ପଡ଼ିରହିଛି।
କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା (ସିଏସ୍‌ସି) ସହିତ ଓଡ଼ିଶାର ୯୫ ଭାଗ ରାଜ୍ୟ ଯୋଜନାକୁ ତଥ୍ୟ ହସ୍ତାନ୍ତର ଆଧାରରେ ସଂଯୋଜିତ କରାଯାଇପାରିଛି। ତେବେ କେତେକ ବିଭାଗ କେନ୍ଦ୍ରୀୟ ଯୋଜନା ବାବଦ ପାଣ୍ଠି ବିନିଯୋଗ ଏବଂ ପ୍ରମାଣପତ୍ର ଦାଖଲରେ ବିଳମ୍ବ କରିବା ସହିତ ରାଜ୍ୟ ବାବଦ ଅଂଶ ବିନିଯୋଗ ପ୍ରମାଣପତ୍ର ପ୍ରଦାନରେ ଅବହେଳା କରୁଥିବାରୁ ପରବର୍ତ୍ତୀ ପାଣ୍ଠି ପ୍ରଦାନରେ ସମସ୍ୟା ଦେଖାଦେଉଛି।

Comments are closed.