ଗୁଡଭେଲା : ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ସ୍ଥିତ ଶକ୍ତି ମଣ୍ଡଳ ଯୋଗାଶ୍ରମଠାରେ ଶିବରାତ୍ରୀ ଉପଲକ୍ଷେ ୨୮ତମ ମହାଶିବରାତ୍ରି ଜାଗର ମେଳା ସହ ମହାଶିବ ଶକ୍ତି ଅଷ୍ଟ ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସୋମବାର ଦିନ ଗାଁର ଶତାଧିକ ମହିଳା ନିକଟସ୍ଥ ଖଡଙ୍ଗ ନଦୀରୁ ଢୋଳ ମୃଦଙ୍ଗ ସହ ଶଙ୍ଖ ଧ୍ବନିରେ ତାଳେ ତାଳେ ପୂର୍ଣ୍ଣ କଳସୀ ଆଣି ଯଜ୍ଞ ମଣ୍ଡପ ସ୍ଥାପନ କରାଯାଇଥିଲା । ଏହାପରେ ମଙ୍ଗଳବାର ଦିନ ନାମାରମ୍ଭ ହୋଇଥିଲା । ଏଥିରେ ଜିବର୍ଦ୍ଧନ ବେହେରା ଓ ପତ୍ନୀ ସନ୍ତୋଷିନୀ ବେହେରା କର୍ତ୍ତା ଦାୟିତ୍ଵ ତୁଲାଇ ଥିବାବେଳେ ଶ୍ରୀନିବାସ ମିଶ୍ର ପୂଜକ ଓ ସନାର୍ତ୍ତନ ମିଶ୍ର ଜପକ କାର୍ଯ୍ୟ ତୁଲାଇଥିଲେ। ପବିତ୍ର ଶିବରାତ୍ରି ଫାଲଗୁନ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ଜାମୁଟ ମଣ୍ଡଳ ଯୋଗାଶ୍ରମଠାରେ ବାବା ଶକ୍ତି ଭୂଷଣାନନ୍ଦ ସରସ୍ୱତୀ ଓ ସ୍ବର୍ଗତ ବାବା ଜୟ କିଶୋରାନନ୍ଦ ସରସ୍ୱତୀଙ୍କ ନିର୍ଦ୍ଦେଶରେ ଆଜିକୁ ୨୮ ବର୍ଷ ହେବ ମହାଶିବରାତ୍ରି ଜାଗର ମେଳା ଓ ଶିବଶକ୍ତି ନାମଯଜ୍ଞ ଅନୁଷ୍ଠିତ ହୋଇ ଆସୁଅଛି । ଏଥିରେ ଶହ ଶହ ଶ୍ରଦ୍ଧାଳୁ ମାନସିକ ଦୀପ ଜାଳିବା ସହ ଉଜାଗର ରହିଥିଲେ। ବୁଧବାର ଦିନ ପୂର୍ଣ୍ଣାହୂତି ସହ ଖଡଙ୍ଗ ନଦୀରେ ମୃର୍ତ୍ତି ବିସର୍ଜନ କରାଯାଇଥିଲା । ଏଥିରେ ଯୁଗିମରା ସଂକ୍ରାନ୍ତି ଦଳ, ବାଲିଙ୍ଗିଜୋର, ଟୁଡିବାହାଲି, ନାରାୟଣ ପ୍ରସାଦ ଓ ଜାମୁଟ ସଂକିର୍ତ୍ତନ ଦଳ ଯୋଗ ଦେଇଥିଲେ। ଶକ୍ତି ମଣ୍ଡଳ ଯୋଗାଶ୍ରମର ସମସ୍ତ ସଦସ୍ୟ ଓ ଅଞ୍ଚଳର ଭକ୍ତବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Popular Categories



