ଆରବ ଦେଶର ଏହି ଘଟଣା। ନସିରୁଦ୍ଦିନ ନାମକ ଜଣେ ଆଦର୍ଶବାଦୀ, ଚରିତ୍ରବାନ ବ୍ୟକ୍ତି ଥିଲେ। ଥରେ ବିଶେଷ ଅସୁବିଧାରେ ପଡ଼ି ଜଣେ ବ୍ୟକ୍ତିଙ୍କଠାରୁ କିଛି ଟଙ୍କା କରଜ ସୂତ୍ରରେ ଆଣିଥିଲେ। କଥା ଦେଇଥିଲେ ନିର୍ଦ୍ଧାରିତ ସମୟରେ ପରିଶୋଧ କରିଦେବା ନିମନ୍ତେ। ପ୍ରତିକୂଳ ପରିସ୍ଥିତି ଯୋଗୁଁ ଧାର୍ଯ୍ୟ ସମୟର ଢ଼େର ଅଧିକ ମାସ ଅତିକ୍ରାନ୍ତ ହୋଇଯାଇଥିଲା, ନସିରୁଦ୍ଦିନ କରଜ ପରିଶୋଧ କରି ପାରିନଥିଲେ। କରଜଦାତା ତାଙ୍କ ନିକଟକୁ ଦୁଇ ତିନିଥର ଆସି ଧମକ ଦେଇଥିଲେ, ବାଦ୍ଶାହଙ୍କ ଦରବାରକୁ ଘୋଷାଡ଼ିନେବେ ବୋଲି। ଶେଷରେ ବାଦ୍ଶାହଙ୍କ ଦରବାରରେ ଅଭିଯୋଗ ଭିତ୍ତିରେ ନସିରୁଦ୍ଦିନଙ୍କ ଡକାଯାଇଥିଲା। ନସିରୁଦ୍ଦିନ ବେଫିକର ଭାବରେ ଦରବାରକୁ ଯାଇଥିଲେ। ପହଞ୍ଚିବା ପରେ କରଜଦାତା ଦରବାରରେ ‘କହିଥିଲେ- ହଜୁର! ଇଏ ମୋ ନିକଟରୁ ତିନିଶହ ଦିନାର (ଦେଶର ପ୍ରଚଳିତ ମୁଦ୍ରା) ନେଇ ଧାର୍ଯ୍ୟ ସମୟ ଭିତରେ ଫେରାଇଲେନି। ପରିଶୋଧ କରିବା ନାଁ ମୁହଁରେ ଧରୁ ନାହାନ୍ତି। ଏହି ଅର୍ଥ ଫେରି ପାଇବା ପାଇଁ ମୋତେ ସାହାଯ୍ୟ କରନ୍ତୁ।’
ନସିରୁଦ୍ଦିନ ନିଜ ପକ୍ଷ ରଖି କହିଥିଲେ- ‘ହଜୁର! ମୁଁ ଏହାଙ୍କଠାରୁ କରଜ ନେଇଛି- ଏହା ସତ୍ୟ। ଏହି ଅର୍ଥ ପରିଶୋଧ କରିଦେବି ବୋଲି ମୁଁ କଥା ଦେଉଛି। ଯଦି ଦରକାର ପଡ଼େ ମୁଁ ମୋର ଖଚର, ଛେଳି ଦୁଇଟିକୁ ବିକ୍ରି କରିଦେବି।’ ଏହା ଶୁଣିଲା ମାତ୍ରେ କରଜଦାତା ପ୍ରତିବାଦ କରି କହିଥିଲେ- ‘ହଜୁର ଇଏ ଗୋଟିଏ ମିଥ୍ୟାବାଦୀ। ଏହାଙ୍କର ନା ଛେଳି ଅଛି ନା ଖଚର ଅଛି, ନା ଘରେ କିଛି ଆସବାବପତ୍ର ଅଛି ଯାହା ବିକ୍ରି କଲେ ମୁଁ ମୋର କରଜ ଅର୍ଥ ପାଇ ପାରିବି।’ ଏହା ଶୁଣି ନସିରୁଦ୍ଦିନ କହିଥିଲେ- ‘ହଜୁର! ଆପଣ ତାଙ୍କଠାରୁ ଏବେ ଶୁଣିଲେ ସେ ମୋ ବିଷୟରେ କ’ଣ କହିଲେ। ମୋର ଅବସ୍ଥା ଏତେ ଖରାପ ଯେ ମୁଁ ନେଇଥିବା ଅର୍ଥ ପରିଶୋଧ ଅବସ୍ଥାରେ ନାହିଁ। ଉପର ହସ୍ତରେ ସେ ଅର୍ଥ କରଜ ଦେଇଛନ୍ତି, ମୁଁ ତଳ ହାତରେ ନେଇଛି। ଏଥିରେ ଦ୍ବିରୁକ୍ତି ନାହିଁ। ହେଲେ ଯେତେବେଳେ ମୁଁ ଅର୍ଥ ଯୋଗାଡ଼ କରିବାକୁ ଅକ୍ଷମ ଶୁଝିବି କିପରି? ସୁବିଧା ହେଲେ ନିଶ୍ଚୟ ସେହି ଅର୍ଥ ପରିଶୋଧ କରିଦେବି।’ ନସିରୁଦ୍ଦିନଙ୍କ ଦୁଃସ୍ଥିତି ଅନୁଭବ କରିଥିଲେ ବାଦ୍ଶାହ। ସତ୍ୟବାଦୀ ବ୍ୟକ୍ତିଙ୍କଠାରୁ ସ୍ପଷ୍ଟ ଉତ୍ତର ଶୁଣି ସେହିଠାରେ ମାମଲାକୁ ରଫା କରି ଦେଇଥିଲେ। କରଜଦାତାଙ୍କୁ ନିର୍ଦେଶ ଦେଇଥିଲେ ତାଙ୍କର ସ୍ଥିତି ସୁଧୁରିଲେ କରଜ ଅର୍ଥ ଦେଇଦେବେ ବୋଲି ଯେତେବେଳେ କହୁଛନ୍ତି, ପୁନର୍ବାର କୌଣସି ଦିନ ତାଙ୍କୁ ଅର୍ଥ ମାଗିବେ ନାହିଁ। ଉପସ୍ଥିତ ବୁଦ୍ଧିବଳରେ ନସିରୁଦ୍ଦିନ କରଜଦାତାଙ୍କ ଅାକ୍ରୋଶ ଜନିତ ବିପତ୍ତିରୁ ବର୍ତ୍ତି ଯାଇଥିଲେ।



