www.samajalive.in
Tuesday, December 9, 2025
17.1 C
Bhubaneswar

୪ ସଚିବଙ୍କ ସ୍ୱାଭିମାନ ଅଞ୍ଚଳ ଗସ୍ତ ; ୧୦୦ କୋଟିର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ

-୯୪ ଆଦିବାସୀ ଗ୍ରାମରେ ତିଆରି ହେବ ୨୩ଟି ପୋଲ, -ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଛଡ଼ାଯିବ ୫କୋଟିର ଯାଆଁଳ
-ଜୀବିକା ଅର୍ଜନର ସୁଯୋଗ ପାଇବେ ୨ ହଜାର ମତ୍ସ୍ୟଜୀବୀ, -୨ ଅତ୍ୟାଧୁନିକ ଆମ୍ବୁଲାନ୍ସ ବୋଟ୍‌ରେ ସ୍ବତନ୍ତ୍ର ଆଇସିୟୁ ସୁବିଧା

ମାଲକାନଗିରି : ରାଜ୍ୟ ସରକାରଙ୍କ ୪ ଜଣ ସଚିବ ଶୁକ୍ରବାର ଏଠାରେ ସ୍ୱାଭିମାନ ଅଞ୍ଚଳର ବିକାଶ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ଅବସରରେ ଘୋଷଣା ହୋଇଥିବା ୧ଶହ କୋଟି ଟଙ୍କାର ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ଉନ୍ନୟନ କାର୍ଯ୍ୟ ପାଇଁ ଅଧିକ ବିଏସଏଫ ଯବାନ ମୁତୟନ ହେବା ସୂଚନା ମିଳିଛି। ଗତ ଜୁଲାଇ ୨୬ରେ ଗୁରୁପ୍ରିୟା ସେତୁ ଉଦ୍‌ଘାଟନ କରି ବିଚ୍ଛିନ୍ନାଚଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଭିମାନ ଅଂଚଳ ଭାବେ ନାମିତ କରିଥିଲେ। ଚିତ୍ରକୋଣ୍ଡା ବ୍ଲକର ୯ଟି ପଂଚାୟତ ବଡପଡା, ଯନ୍ତ୍ରୀ, ରାଲେଗେଡା, ପାପରମେଟଲା, ଧୂଳିପୁଟ, ପଣସପୁଟ, ଅଣ୍ଡ୍ରାପାଲ୍ଲୀ, ବଡପଦର ଆଦିର ଆଦିବାସୀ ଗ୍ରାମରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ସହ ପାନୀୟ ଜଳର ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦୦ କୋଟି ଟଙ୍କାର ପ୍ୟାକେଜ୍‍ ଘୋଷଣା କରାଯାଇଥିଲା। ଏହି ସ୍ୱତନ୍ତ୍ର ଅନୁଦାନର ଖସଡା ପ୍ରସ୍ତୁତି ପାଇଁ ଶୁକ୍ରବାର ରାଜ୍ୟ ସରକାରଙ୍କ ୪ଜଣ ସଚିବ ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳକୁ ଗସ୍ତ କରିଛନ୍ତି। ଉନ୍ନୟନ କମିଶନର ଆର୍‍. ବାଲକ୍ରିଷ୍ଣା, ପୂର୍ତ୍ତ ବିଭାଗ ସଚିବ ମୋନା ଶର୍ମା, ପ୍ରମୁଖ ସଚିବ ଜିଏପିଜି ଅଶୋକ ମୀନା, ପୂର୍ତ୍ତ ବିଭାଗ ଯନ୍ତ୍ରୀ ନଳିନୀ ପ୍ରଧାନ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଏଠାରେ ପହଞ୍ଚି ଥିଲେ। ଅଂଚଳର ବିକାଶ ପ୍ରକ୍ରିୟା ନେଇ ଜିଲାପାଳ ମନୀଷ ଅଗ୍ରୱାଲ ଓ ଏସ୍‍ପି ଜଗମୋହନ ମୀନାଙ୍କ ସହ ଆଲୋଚନା କରିଥିଲେ। ବଡପଡାଠାରୁ ଜଡାମ୍ବ ପର୍ଯ୍ୟନ୍ତ ୯୪ଟି ଆଦିବାସୀ ଗ୍ରାମରେ ପ୍ରାୟ ୨୦୯.୩୫ କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ସହ ୨୩ଟି ଛୋଟବଡ ପୋଲ ନିର୍ମାଣ ସମ୍ପର୍କରେ ପୂର୍ତ୍ତ ବିଭାଗ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ଅଂଚଳରେ ରାସ୍ତା ନିର୍ମାଣ ପାଇଁ ଅଧିକ ବିଏସ୍‍ଏଫ କ୍ୟାମ୍ପ ପ୍ରତିଷ୍ଠା ସହ ତୁରନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପରାମର୍ଶ ଦେଇଥିଲେ।
ବଡପଡା ଓ ପାପରମେଟଲା ଦୁଇଟି ପଂଚାୟତରେ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିବା ସହ ୧୧୪ଟି ନଳକୂପ ଖନନ ଏବଂ ଆଗାମୀ ଡିସେମ୍ବର ସୁଦ୍ଧା ପ୍ୟାନ୍‍ କଲ୍‍ଚର ଜରିଆରେ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ୫ କୋଟି ଟଙ୍କାର ମାଛ ଜାଆଁଳ ଛାଡି ପ୍ରାୟ ୨ ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଜୀବିକା ପ୍ରଦାନ ନେଇ ଆଲୋଚନା ହୋଇଥିଲା। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସାତଟି ଉପକେନ୍ଦ୍ର ପ୍ରତିଷ୍ଠା କରିବା ସହ ପିପିପି ମୋଡ୍‌ରେ ଚାଲୁଥିବା ବଡପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ କରି ନିୟମିତ ଡାକ୍ତର ରଖିବାକୁ ପରାମର୍ଶ ଦିଆଯାଇଥିଲା। ଦୁଇଟି ଅତ୍ୟାଧୁନିକ ଆମ୍ବୁଲାନ୍ସ ବୋଟ୍‍ ପ୍ରଦାନ ସହ ଏହି ବୋଟ୍‍ରେ ସ୍ୱତନ୍ତ୍ର ଆଇସିୟୁ ଏବଂ ନିୟମିତ ଡାକ୍ତର ଫର୍ମାସିଷ୍ଟ ନିଯୁକ୍ତି ଭଳି ସୁବିଧା ପ୍ରଦାନ କରିବାକୁ ସ୍ଥିର ହୋଇଥିଲା। ବଡପଡାଠାରେ ସମନ୍ୱିତ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯିବା ସହ କଂପ୍ୟୁଟର ଶିକ୍ଷାଠାରୁ ଆରମ୍ଭ କରି ପ୍ରାୟ ୩୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଏଥିରେ ପଠନ ସୁବିଧା ପାଇ ପାରିବେ ବୋଲି କୁହାଯାଇଥିଲା। ଶିକ୍ଷକଶିକ୍ଷୟିତ୍ରୀ ରହିବା ନିମନ୍ତେ ସ୍ୱତନ୍ତ୍ର ହଷ୍ଟେଲ ବ୍ୟବସ୍ଥା, କୃଷି କ୍ଷେତ୍ରରେ ସମନ୍ୱିତ କୃଷି ବିକାଶ ଯୋଜନାରେ ଉଠା ଜଳ ସେଚନ ବ୍ୟବସ୍ଥା ସହ ଚାଷୀମାନଙ୍କୁ ଋଣ, ଶ୍ରୀ ପଦ୍ଧତିରେ ଚାଷ କାର୍ଯ୍ୟ ସୁବଧା ସହ ଅତ୍ୟାଧୁନିକ ଜ୍ଞାନ କୌଶଳ ତାଲିମ ନେଇ ଆଲୋଚନା ହୋଇଥିଲା। ଏହି ଅଂଚଳରେ ମାଣ୍ଡିଆ, ସୁଆଁ, ହଳଦି, ଅଦା ଭଳି ପାରମ୍ପରିକ ଚାଷ କରୁଥିବା ଚାଷୀମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବାପାଇଁ ନିଷ୍ପତ୍ତି ନିଆଯାଇଛି। ପଶୁ ସମ୍ପଦ ବିକାଶ ପାଇଁ ମଧ୍ୟ ସ୍ୱତନ୍ତ୍ର ଯୋଜନା କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଅଂଚଳରେ ବିଦ୍ୟୁତ୍‍ ସେବାର ଉନ୍ନତି ନିମନ୍ତେ ବିଶ୍ୱନାଥ କନଷ୍ଟ୍ରକ୍ସନ ନାମକ ଏକ କମ୍ପାନୀକୁ ୩୩ କେଭି ସବ୍‍ ଷ୍ଟେସନ ନିର୍ମାଣ ନିମନ୍ତେ ଦାୟିତ୍ୱ ଦିଆଯାଇଥିବାବେଳେ ଏହା ନିର୍ମାଣ ହେଲେ ଏ ଅଂଚଳରେ ବିଦ୍ୟୁତ୍‍ ସମସ୍ୟା ଦୂର ହେବ ବୋଲି କୁହାଯାଇଥିଲା। ସ୍ୱାଭିମାନ ଅଂଚଳରେ ବ୍ୟାଙ୍କ ସ୍ଥାପନ ପାଇଁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିକୁ ସୁପାରିସ କରାଯାଇଛି ଏବଂ ଆଗାମୀ ଦିନରେ ଖୁବ୍‍ ଶୀଘ୍ର ଏଠାରେ ବ୍ୟାଙ୍କ ସ୍ଥାପନ ହେବ ବୋଲି କୁହାଯାଇଥିଲା। ବିଏସ୍‍ଏନ୍‍ଏଲ ଟାୱାର ପାଇଁ ସ୍ୱତନ୍ତ୍ର ଫାଇବର କେବୁଲ୍‍ ସ୍ଥାପନ ସହ ଅଙ୍ଗନବାଡି କର୍ମୀ ନିଯୁକ୍ତି ନେଇ ଆଲୋଚନା ହୋଇଛି। ଗ୍ରାମୀଣ ଗୃହ ନିର୍ମାଣ ପାଇଁ ୧ ଲକ୍ଷ ତିରିଶି ହଜାର ପରିବର୍ତ୍ତେ ୧ ଲକ୍ଷ ଚାଳିଶି ହଜାର ଟଙ୍କା ପ୍ରଦାନ କରାଯିବା ସୂଚନା ମିଳିଛି।
ପ୍ରାୟ ୧୦୦ କୋଟି ଟଙ୍କା ପ୍ୟାକେଜର ସ୍ୱତନ୍ତ୍ର ଯୋଜନା ସମ୍ପର୍କରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆେଲୋଚନା କରିଥିବା ବେଳେ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପଶୁ ଓ ମତ୍ସ୍ୟ ସମ୍ପଦ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସହ ବିସ୍ତୃୃତ ଭାବେ ଆଲୋଚନା ହୋଇଥିଲା। ଉପ-ଜିଲାପାଳ ରାମେଶ୍ୱର ପ୍ରଧାନ, ପି.ଏ ଆଇଟିଡିଏ ରାମକୃଷ୍ଣ ଗଣ୍ଡଙ୍କ ସହ ଅତିରିକ୍ତ ପ୍ରକଳ୍ପ ଅଧିକାରୀ ମାନସରଂଜନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ମାଓ ପ୍ରବଣ ଅଂଚଳ ହୋଇଥିବାରୁ ସବିଚଙ୍କ ଗସ୍ତ ସମୟରେ ସୁରକ୍ଷା କଡାକଡି କରା ଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories